Unknown

 

 

 

 

 

 

 

 

 

 

 

ରାଷ୍ଟ୍ରଗୁରୁ ରାଧାକୃଷ୍ଣନ୍‌

ଶ୍ରୀ ବୀରକିଶୋର ଦାସ

 

ବିଷୟ ସୂଚୀ

 

୧.

ଜନ୍ମ, ଶିକ୍ଷା ଓ ଶିକ୍ଷକତା

୨.

ଦାର୍ଶନିକ ଜୀବନର ଶୁଭାରମ୍ଭ

୩.

କୁଳପତି

୪.

ଜୟଯାତ୍ରା

୫.

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

୬.

ରାଜଦୂତ

୭.

ଉପରାଷ୍ଟ୍ରପତି

୮.

ରାଷ୍ଟ୍ରପତି

୯.

ଦାର୍ଶନିକ

୧୦.

ବ୍ୟକ୍ତିଗତ ଜୀବନ

୧୧.

ରାଷ୍ଟ୍ରଗୁରୁ

୧୨.

ଜ୍ଞାନଋଷି

୧୩.

ଉପଯୁକ୍ତ ଦାୟାଦ

୧୪.

ବାଣୀ ଓ ବାର୍ତ୍ତା

୧୫.

ତାଙ୍କ ଦୃଷ୍ଟିରେ ଗାନ୍ଧିଜୀ

୧୬.

ତାଙ୍କ ଦୃଷ୍ଟିରେ ଭାରତୀୟ ସଂସ୍କୃତି

Image

 

ସୂଚନା

 

ଜୀବନୀ ପ୍ରଣୟନ ଦିଗରେ ଏହା ମୋର ପଞ୍ଚମ ପ୍ରଚେଷ୍ଟା । ଏଥିପୂର୍ବରୁ ଡକ୍‍ଟର ରାଜେନ୍ଦ୍ର ପ୍ରସାଦ, ଲାଲବାହାଦୁର ଶାସ୍ତ୍ରୀ, ଲାଲା ଲଜପତ୍‌ ରାଏ ଓ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ପ୍ରକାଶଲାଭ କରିସାରିଛି । ଛାତ୍ରଜୀବନରେ ଡକ୍ଟର ରାଧାକୃଷ୍ଣନ୍‌ଙ୍କର ଭାରତୀୟ ଦର୍ଶନ ପାଠକରି ତାଙ୍କ ତତ୍ତ୍ୱମୂଳକ ସାହତ୍ୟ ପ୍ରତି ମୁଁ ଆକୃଷ୍ଟ ହୋଇଥିଲି । ତାଙ୍କ ପ୍ରଣୀତ ବହୁ ପୁସ୍ତକ ଅଧ୍ୟୟନ କରିବାର ସୁଯୋଗ ମୋତେ ମିଳିଛି; କିନ୍ତୁ ତାଙ୍କ ଲେଖାଗୁଡ଼ିକରେ ଆତ୍ମପ୍ରଚାରର ସୃଷ୍ଟି ସୂଚନା କେଉଁଠି ହେଲେ ଦେଖିବାକୁ ମୁଁ ପାଇନି । କାରଣ ଦାର୍ଶନିକ ହିସାବରେ ଆନ୍ତର୍ଜାତିକ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ନିଜର ପ୍ରୌଢ଼ି ପ୍ରଖ୍ୟାପନ କରିବାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । ‘ଲିଭିଂ ଫିଲସଫିର ସିରିଜ’ରେ ନିଜର ପରିଚୟ ପ୍ରଦାନ କରିବାକୁ ଯାଇ ମାତ୍ର ଗୋଟିଏ ବାକ୍ୟରେ ସେ ଲେଖିଛନ୍ତି—‘‘ମୁଁ ମୋର ପିତାଙ୍କର ଦ୍ୱିତୀୟ ସନ୍ତାନ ।” ଏଥିରୁ ବେଶ୍‌ ପ୍ରତୀତ ହୁଏ ଯେ ସେ ନିଜର ଖ୍ୟାତି ଓ ପ୍ରସିଦ୍ଧି ବୟାନରୁ ନିଜକୁ ଦୂରେଇ ରଖିବାକୁ ଚାହିଁଥାନ୍ତି ।

 

ଡକ୍ଟର ରାଧାକୃଷ୍ଣନ୍‌ଙ୍କର କୌଣସି ବିଧିବଦ୍ଧ ଜୀବନୀ ଏ ପର୍ଯ୍ୟନ୍ତ ଆତ୍ମପ୍ରକାଶ କରିନାହିଁ-। ତେଣୁ ଏହି ପୁସ୍ତକଟିର ପ୍ରଣୟନ ପୂର୍ବରୁ ମୋତେ କେତେକ ତଥ୍ୟର ସୂଚନା ଦେବା ପାଇଁ ମୁଁ ତାଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖିଥିଲି; କିନ୍ତୁ ସେ ଉତ୍ତରରେ ମୋତେ ଲେଖିଥିଲେ–‘‘There are things which are published already. They may be of interest to you.’’ ଏଇଥିରୁ ତାଙ୍କ ବିଷୟଧର୍ମୀ ମନୋଭାବର ସ୍ଥୂଳ ପରିଚୟ ମିଳିଥାଏ ।

 

ଦାର୍ଶନିକମାନଙ୍କର ଜୀବନୀ ଓ କାର୍ଯ୍ୟକଳାପ ସାଧାରଣତଃ ବାସ୍ତବଧର୍ମୀ । ଆମ ପ୍ରାଚୀନ ତଥା ପ୍ରାତଃସ୍ମର ମୁନିଋଷିଙ୍କ ପରି ଡକ୍ଟର ରାଧାକୃଷ୍ଣନ୍‌ କହନ୍ତି ଯେ କେବଳ ବୁଦ୍ଧି ସତ୍ୟଜ୍ଞାନ ପ୍ରାପ୍ତିର ସହାୟକ ନୁହେଁ । ଏଥିପାଇଁ ପ୍ରୟୋଜନ ପ୍ରଜ୍ଞା, ଚିନ୍ତନ, ମନନ, ଧ୍ୟାନ, ଧାରଣା ଓ ସମାଧି । ବାପୁଜୀଙ୍କ ପରି ସେ ଆତ୍ମାନୁଭୂତିଜନିତ ଜ୍ଞାନକୁ ସ୍ୱୀକାର କରିଥାନ୍ତି । ଏତଏବ ତାଙ୍କର ଏହି ଜୀବନୀରେ କୌଣସି ରୋମାଞ୍ଚକର ତଥା କପୋଳକଳ୍ପିତ ବିଷୟ ଅନ୍ୱେଷଣ ନ କରି ପାଠକମାନେ ଦାର୍ଶନିକ ତଥା ଶିକ୍ଷକଜୀବନର ବାସ୍ତବତା ପ୍ରତି ଦୃଷ୍ଟିଦେବା ଉଚିତ ।

 

ଏହି ପୁସ୍ତକ ପ୍ରଣୟନ ପାଇଁ ମୁଁ ‘ଭବନସ୍‌ ଜର୍ଣ୍ଣାଲ’, ‘ଇଲଷ୍ଟ୍ରେଟେଡ଼୍‌ ଉଇକ୍‌ଲି,’ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ ଓ ‘ପୌରୁଷ’ରେ ପ୍ରକାଶିତ କେତେକ ଇଂରାଜୀ ତଥା ଓଡ଼ିଆ ପ୍ରବନ୍ଧ ଓ ଶ୍ରୀ ଅବନୀନ୍ଦ୍ର କୁମାର ବିଦ୍ୟାଳଙ୍କାରଙ୍କ ଦ୍ୱାରା ବିଭିନ୍ନ ପତ୍ରିକାରେ ପ୍ରକାଶିତ କେତେକ ହିନ୍ଦୀ ପ୍ରବନ୍ଧରୁ ତଥ୍ୟ ସଂଗ୍ରହ କରିଅଛି । ତେଣୁ ସେହି ପ୍ରବନ୍ଧକାରମାନଙ୍କ ନିକଟରେ ମୁଁ ବିଷେଶଭାବେ ଋଣୀ । ମୋର ପ୍ରିୟ ପ୍ରକାଶକ ଫ୍ରେଣ୍ଡସ୍‌ ପବ୍ଲିଶର୍ସର ସ୍ୱତ୍ୱାଧିକାରୀ ଶ୍ରୀଯୁକ୍ତ ସହଦେବ ପ୍ରଧାନ ଏହି ପୁସ୍ତକ ପ୍ରକାଶନର ଦାୟିତ୍ୱ ବହନ କରିଥିବାରୁ, ମୁଁ ସେ ମହାଶୟଙ୍କୁ ସାଧୁବାଦ ଜଣାଉଛି ।

 

ଅକ୍ଷୟ ତୃତୀୟା,୧୯୭୦

ବିନୀତ

ଅଲଣାହାଟ

ଲେଖକ

Image

 

ଜନନାୟକଙ୍କ ଅଭିମତ

 

୧.

ଡକ୍ଟର ରାଧାକୃଷ୍ଣନ୍‌ ଏ ଯୁଗର ସର୍ବଶ୍ରେଷ୍ଠ ଶିକ୍ଷାବିତ୍‌ । ସେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ମଧ୍ୟରେ ସମନ୍ୱୟ ଆଣିବା ପାଇଁ ପ୍ରଚେଷ୍ଟ ।

 

—ମହାତ୍ମା ଗାନ୍ଧୀ

୨.

ଆମେ ତାଙ୍କଠାରୁ ବହୁତ କିଛି ଶିକ୍ଷା କରିଛୁ ଓ ଭବିଷ୍ୟତରେ ଶିକ୍ଷା କରିବୁ ମଧ୍ୟ ।

 

—ଜବାହରଲାଲ

୩.

ଡକ୍ଟର ରାଧାକୃଷ୍ଣନ୍‌ ଅସୀମ ଜ୍ଞାନର ଅଧିକାରୀ । ମାନବିକତା, ଧର୍ମ ଓ ଦର୍ଶନର ସେବା କରିବା ପାଇଁ ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ।

 

—ଆଲଡସ୍‌ ହକ୍‌ସଲେ

୪.

ଭାରତୀୟ ସଂସ୍କୃତି ମାନବସଭ୍ୟତାର ସର୍ବଶ୍ରେଷ୍ଠ ପ୍ରତୀକ । ତାହା ବିଶ୍ୱଦରବାରରେ ପ୍ରତିପାଦନ କରିବା ପାଇଁ ସେ ନିଜର ଜୀବନ ଉତ୍ସର୍ଗ କରିଛନ୍ତି ।

 

—ବଟ୍ରାଣ୍ଡ ରସେଲ

 

 

୫.

ସେ ଜଣେ ବିଶ୍ୱବିଖ୍ୟାତ ବୁଦ୍ଧିଜୀବୀ ।

 

—ୟର୍‌ଲ ଅଟ୍‌ଲି

୬.

ଡକ୍ଟର ରାଧାକୃଷ୍ଣନ୍‌ କେବଳ ଭାରତର ନୁହନ୍ତି, ସେ ହେଉଛନ୍ତି ସମଗ୍ର ବିଶ୍ୱର ନାଗରିକ । ରାଜନୀତିଜ୍ଞ ଓ ଶିକ୍ଷାବିତ୍‌ ଭାବେ ଭାରତକୁ ତାଙ୍କର ଦାନ ଅତୁଳନୀୟ । ଦାର୍ଶନିକ ହିସାବରେ ସେ ମାନବସମାଜକୁ ଦୟା ଓ ସହିଷ୍ଣୁତା ଶିକ୍ଷା ଦେଇଅଛନ୍ତି ।

 

 

 

—ଡକ୍‍ଟର ହେନ୍‌ରିଚ ଲୁବକେ

 

 

୭.

ସେ ଜଣେ ସଂକୀର୍ଣ୍ଣମନା ରାଜନୀତିଜ୍ଞ ନୁହନ୍ତି । ତାଙ୍କର ହୃଦୟ ପୀଡ଼ିତ ଜନତା ପାଇଁ ସବୁବେଳେ ଦୟାର୍ଦ୍ର ।

 

 

 

—ଷ୍ଟାଲିନ୍‌

 

 

୮.

ଭାରତୀୟ ଚିନ୍ତାଧାରା ଓ ବିଶ୍ୱମାନବିକତାର ପରମ୍ପରା ପ୍ରତି ଡକ୍ଟର ରାଧାକୃଷ୍ଣନ୍‌ଙ୍କର ଅବଦାନ ବିପୁଳ । ତାଙ୍କର କୃତିତ୍ୱ ବହୁମୁଖୀ । ଶିକ୍ଷକ ଭାବରେ ସେ ଭାରତୀୟ ଚିନ୍ତାଧାରାର ଦିଗ୍‌ବଳୟକୁ ପ୍ରସାରିତ କରିପାରଛନ୍ତି ଏବଂ ଆମ ଦେଶର ଦାର୍ଶନିକ ତଥା ଧାର୍ମିକ ଉପଲବ୍‌ଧିକୁ ପୃଥିବୀର ଚାରିଆଡ଼େ ବିସ୍ତାରିତ କରିବା ସଙ୍ଗେ ସଙ୍ଗେ ଏହାର ପ୍ରଗାଢ଼ ସ୍ୱତ୍ୱକୁ ଅଧିକ ପ୍ରଗାଢ଼ କରି ପାରି ଅଛନ୍ତି । ନିଜର ଅସାଧାରଣ ଅନ୍ତର୍ଦୃଷ୍ଟିବଳରେ ଅଦୃଶ୍ୟ ବୌଦ୍ଧିକ ଶକ୍ତିକୁ ସେ ପ୍ରତିଭାତ କରିପାରିଛନ୍ତି । ଯେଉଁଠି ସର୍ବଧର୍ମର ସମନ୍ୱୟ ଘଟିଛି, ସେହି ପନ୍ଥାକୁ ସେ ଜାଜ୍ଜ୍ୱଲ୍ୟମାନ କରିଛନ୍ତି ।

 

 

 

—ଡକ୍‍ଟର ଜାକିର ହୁସେନ

 

 

୯.

ଡକ୍ଟର ରାଧାକୃଷ୍ଣନ୍‌ ମହର୍ଷି ଜନକଙ୍କ ସହିତ ତୁଳନୀୟ । ଶାନ୍ତି, ମୈତ୍ରୀ ଓ ସଂହତିର ସେ ମୂର୍ତ୍ତିମନ୍ତ ପ୍ରତୀକ । ଆମ ମୁନିଋଷି ଯୁଗର ପରମ୍ପରା ତାଙ୍କ ନିକଟରେ ଅକ୍ଷୁଣ୍ଣ ରହିଛି । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତି ମଧ୍ୟରେ ଯାହା ସାରସ୍ୱତ, ତନ୍ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଦିଗରେ ତାଙ୍କର ଦାନ ଅନବଦ୍ୟ ।

 

 

 

—କେ. ଏମ୍‌. ମୁନ୍‌ସୀ

 

 

୧୦.

ଡକ୍ଟର ରାଧାକୃଷ୍ଣନ୍‌ ଏ ଯୁଗର ଶଙ୍କରାଚାର୍ଯ୍ୟ ।

 

 

 

—ଆର. ଆର. ଦିବାକର

 

 

୧୧.

ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ଏକ ସୁବର୍ଣ୍ଣସେତୁ ନିର୍ମାଣ କରିବାରେ ଡକ୍ଟର ରାଧାକୃଷ୍ଣନ୍‌ ହେଉଛନ୍ତି ଜଣେ ପୂଜ୍ୟ ଓ ମହାନ ବିନ୍ଧାଣୀ ।

 

 

 

—ଡକ୍‍ଟର ୟଂଗ

 

 

୧୨.

ଡକ୍ଟର ରାଧାକୃଷ୍ଣନ୍‌ ପ୍ଲେଟୋଙ୍କର ଦାର୍ଶନିକ ତଥା ରାଜନୀତିକ ସ୍ୱପ୍ନକୁ ସାର୍ଥକ କରିଅଛନ୍ତି । ତାଙ୍କ ଜୀବନ ଉଭୟ କବି ଓ କଳାକାର ଜୀବନର ଅପରୂପ ସମାହାର । ଆଧ୍ୟାତ୍ମିକ ଗାମ୍ଭୀର୍ଯ୍ୟର ପୃଷ୍ଠଭୂମି ଉପରେ ତାଙ୍କର ଜ୍ଞାନ ପ୍ରତିଷ୍ଠିତ । ବର୍ତ୍ତମାନ ଯୁଗର ସେ ଜଣେ ମହାନ ଦାର୍ଶନିକ । ମାନବ ସମାଜର ବିକାଶ ପାଇଁ ସେ ଏକ ବିଶ୍ୱପଦ୍ଧତିର ଅଦ୍ୱିତୀୟ ପ୍ରତିନିଧି ।

 

 

 

—ଆଥର ମେକ

 

 

୧୩.

ଡକ୍ଟର ରାଧାକୃଷ୍ଣନ୍‌ ଜଣେ ଅନ୍ତଃରାଷ୍ଟ୍ରୀୟ ଖ୍ୟାତିସମ୍ପନ୍ନ ଦାର୍ଶନିକ ଓ ମାନବବାଦୀ ।

 

 

 

—ରାଷ୍ଟ୍ରପତି କେନେଡ଼ି

Image

 

ଜନ୍ମ, ଶିକ୍ଷା ଓ ଶିକ୍ଷକତା

 

ମାନ୍ଦ୍ରାଜର ତିରୁଭାଣି ବୋଲି ଛୋଟିଆ ଗାଁ । ସେହି ଗାଁରେ ୧୮୮୮ ମସିହା ସେପ୍ଟେମ୍ବର ତା ୫ ରିଖ ଦିନ ଗୋଟିଏ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ରାଧାକୃଷ୍ଣନ୍‌ । ତାଙ୍କର ପୂର୍ବପୁରୁଷମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥିଲେ; କିନ୍ତୁ ସେଠାରେ ସେମାନଙ୍କର ଜୀବିକାନିର୍ବାହ କଷ୍ଟସାଧ୍ୟ ହୋଇ ପଡ଼ିଲା । ତେଣୁ ସେମାନେ ଯାତ୍ରାକଲେ ତିରୁପତି ଅଭିମୁଖେ । କୌଣସି କାରଣବଶତଃ ସେମାନେ ତିରୁପତିରେ ପହଞ୍ଚି ନ ପାରି ଅବସ୍ଥାନ କରିଥିଲେ ତିରୁଭାଣିଠାରେ । ଏହି ଗ୍ରାମଟିର ଅବସ୍ଥିତି ମାନ୍ଦ୍ରାଜ ସହରର ଉତ୍ତର-ପଶ୍ଚିମକୁ ମାତ୍ର ଚାଳିଶ ମାଇଲ ଦୂରରେ; କିନ୍ତୁ ବର୍ତ୍ତମାନ ଡକ୍ଟର ରାଧାକୃଷ୍ଣନ୍‌ ମାନ୍ଦ୍ରାଜ ସହରର ଜଣେ ସ୍ଥାୟୀ ନାଗରିକ । ରାଧାକୃଷ୍ଣନ୍‌ଙ୍କ ପିତା ଶ୍ରୀ ବୀରସ୍ୱାମୀ ଖୁବ୍‌ ଦରିଦ୍ର ଥିଲେ । ପୁରୋହିତଗିରି କରିବା ଥିଲା ତାଙ୍କର ପେଷା । ତାହାଦ୍ୱାରା ପାଞ୍ଚଟି ପୁଅଝିଅଙ୍କୁ ମଣିଷ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇ ପଡ଼ୁଥିଲା । ତେଣୁ ସେ ସାମୟିକ ଶିକ୍ଷକତା ମଧ୍ୟ କରୁଥିଲେ । ଦାରିଦ୍ର୍ୟ ତାଙ୍କର ଦୃଢ଼ ନୈତିକତାକୁ ଦୁର୍ବଳ କରିପାରି ନ ଥିଲା । ଅଭାବର ଘନଘଟା ମଧ୍ୟରେ ଜୀବନ ନିର୍ବାହ କରି ମଧ୍ୟ ସେ ନିଜର ପିଲାପିଲିଙ୍କୁ ଧର୍ମାନୁରାଗୀ କରିବା ପାଇଁ ଚେଷ୍ଟା କରୁଥିଲେ । ବାଲ୍ୟକାଳରୁ ରାଧାକୃଷ୍ଣନ୍‌ଙ୍କ ସ୍ୱାସ୍ଥ୍ୟ ଥିଲା ଦୁର୍ବଳ । ବାର ବର୍ଷ ପର୍ଯ୍ୟନ୍ତ ସେ ପିତାଙ୍କ ସହିତ ଗାଁରେ ଅବସ୍ଥାନ କରିଥିଲେ । ପିତାଙ୍କ ନିର୍ଦ୍ଦେଶ ମତେ ଏହି ବୟସ ସୀମା ମଧ୍ୟରେ ତାଙ୍କୁ ଶାସ୍ତ୍ରାଭ୍ୟାସ କରିବାକୁ ପଡ଼ିଥିଲା । ସେହି ଗ୍ରାମର ଜମିଦାର ପରିବାରଙ୍କ ସହିତ ବୀରସ୍ୱାମୀଙ୍କର ସମ୍ପର୍କ ଥିଲା ଘନିଷ୍ଠ । ସେତେବେଳେ ଇସାଇ ମିସନାରୀମାନେ ଭାରତର ପ୍ରତି ପ୍ରାନ୍ତରେ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା କରି ଇଂରାଜୀ ଶିକ୍ଷାର ପ୍ରଚାର ଓ ପ୍ରସାର କରୁଥାନ୍ତି । ସେହି ଜମିଦାରଙ୍କ ଜରିଆରେ ବୀରସ୍ୱାମୀ ପୁତ୍ର ରାଧାକୃଷ୍ଣନ୍‌ଙ୍କର ମିସନାରୀ ଅନୁଷ୍ଠାନରେ ପାଶ୍ଚାତ୍ୟଶିକ୍ଷାର ବ୍ୟବସ୍ଥା କରିଥିଲେ ।

 

ବାଳକ ରାଧାକୃଷ୍ଣନ୍‌ ବାଲ୍ୟକାଳରୁ ଥିଲେ ଭୟାଳୁ ଓ ଲଜ୍ଜାଶୀଳ; ତେଣୁ ସେ କୌଣସି ଆଲୋଚନାରେ ଭାଗ ନ ନେଇ ଯାହା ଦେଖୁଥିଲେ ଓ ପଢ଼ୁଥିଲେ, ଏକାନ୍ତରେ ବସି ସେହି ବିଷୟ ବିଚାର କରୁଥିଲେ; ଯେଉଁ ସ୍ୱଭାବ କି ତାଙ୍କୁ ପରଜୀବନରେ କରିଥିଲା ଅଧିକ ସଂଯମୀ । ପୁନଶ୍ଚ ଆତ୍ମଜୀବନୀରେ ସେ କହିଛନ୍ତି ଯେ ତାଙ୍କର ଚିନ୍ତାଶୀଳ ମନ ବାଲ୍ୟକାଳରୁ ନିର୍ଜନତା ପ୍ରତି ଥିବା ଗଭୀର ଆସକ୍ତିର ଅବଦାନ । ତାଙ୍କର ଆବେଗ ପରାୟଣତା ଥିଲା ତୀବ୍ର; କିନ୍ତୁ ତାହାକୁ ସେ ଅନ୍ତରରେ ପ୍ରଚ୍ଛନ୍ନ ରଖିବା ପାଇଁ ଥିଲେ ସର୍ବଦା ସଚେଷ୍ଟ । ସେଇଥିପାଇଁ ତାଙ୍କର ବନ୍ଧୁ ଓ ସହପାଠୀ ମାନେ କହୁଥିଲେ ଯେ ରାଧାକୃଷ୍ଣନ୍‍ଙ୍କୁ ଆଦୌ ରାଗି ଆସେ ନାହିଁ । ସତକୁ ସତ, ବାଲ୍ୟକାଳରୁ ସେ କାହା ଉପରେ କ୍ରୋଧ ଓ ବିରକ୍ତି ପ୍ରକାଶ କରୁ ନ ଥିଲେ । ରିପୁଙ୍କୁ କିପରି ଦମନ କରିବାକୁ ହେବ, ତାହା ଥିଲା ତାଙ୍କର ବାଲ୍ୟାଭାସ । ଖ୍ରୀଷ୍ଟିଆନ୍‌ ସ୍କୁଲ ଓ କଲେଜରେ ପଢ଼ିବାରୁ ବାଇବେଲ୍‌ ଓ ଇଂରାଜୀଭାଷାରେ ସେ ପ୍ରଭୂତ ଜ୍ଞାନ ଅର୍ଜନ କରି ପାରିଥିଲେ । ବାଇବେଲରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ ମଧ୍ୟ ରାଣାଦେ ଓ ତିଳକଙ୍କ ପରି ଭାରତୀୟ ଧର୍ମ ଓ ସଂସ୍କୃତି ପ୍ରତି ତାଙ୍କର ଶ୍ରଦ୍ଧା ଓ ବିଶ୍ୱାସ ଥିଲା ଅଟଳ । ତେଣୁ ଖ୍ରୀଷ୍ଟିଆନ୍ ଧର୍ମଗ୍ରନ୍ଥରେ ବ୍ୟୁତ୍ପତ୍ତି ଲାଭ କରିଥିଲେ ମଧ୍ୟ, ସେମାନଙ୍କର ହିନ୍ଦୁଧର୍ମ ପ୍ରତି ଘୃଣା ଓ ବିଦ୍ୱେଷକୁ ସେ ସବୁ କ୍ଷେତ୍ରରେ ଯୁକ୍ତି ଦର୍ଶାଇ ଖଣ୍ଡନ କରୁଥିଲେ ।

 

ଭେଲ୍ଲୋରର ବୂରହିଜ୍‌ କଲେଜରେ ରାଧାକୃଷ୍ଣନ୍‌ଙ୍କର ସ୍କୁଲଶିକ୍ଷା ସମାପିତ ହୋଇଥିଲା-। ଛାତ୍ରଜୀବନରେ ନିଜ ଗାଁ ତିରୁଭାଣି ଓ ପବିତ୍ର ତୀର୍ଥସ୍ଥଳୀ ତିରୁପତି ସହିତ ସମ୍ପର୍କ ସେ ଛିନ୍ନ କରି ନ ଥିଲେ । ତିରୁଭାଣିର ଆରାଧ୍ୟ ଦେବତା ସୁବ୍ରମଣ୍ୟଙ୍କ ମନ୍ଦିରର ଦକ୍ଷିଣାପାର୍ଶ୍ୱରେ ସେତେବେଳେ ଅବସ୍ଥାନ କରୁଥିଲେ ସନ୍ଥ ମୂଥୂସ୍ୱାମୀ ଦୀକ୍ଷିତାର । ସେହି ସନ୍ଥଙ୍କ ସହିତ ନିୟମିତ ଭାବେ ରାଧାକୃଷ୍ଣନ୍‌ ଯୋଗସୂ୍ତ୍ର ସ୍ଥାପନ କରିଥିଲେ । ତେଣୁ ସେହି ସନ୍ଥଙ୍କର ପ୍ରସନ୍ନ ସାନ୍ନିଧ୍ୟ ଓ କ୍ରାନ୍ତିକାରୀ ପ୍ରଭାବ ଛାତ୍ର ରାଧାକୃଷ୍ଣନ୍‌ଙ୍କ ଜୀବନରେ ହୋଇଥିଲା ପ୍ରତିଫଳିତ । ହିନ୍ଦୁଧର୍ମ ତଥା ଦର୍ଶନ ବିଷୟରେ ସ୍ୱଳ୍ପ ବୟସରୁ ତାଙ୍କର ଚିନ୍ତାଧାରା କ୍ରମେ ହୋଇଥିଲା ବଳବତ୍ତର । ତେଣୁ ଖ୍ରୀଷ୍ଟିଆନ୍‌ ଅନୁଷ୍ଠାନରୁ ସାହାଯ୍ୟ ପାଉଥିଲେ ମଧ୍ୟ ଧର୍ମର ତତ୍‌କାଳୀନ ସୁଦୁରପ୍ରସାରୀ ପ୍ରଭାବ ନିକଟରେ ସେ ମୁଣ୍ଡ ନୁଆଁଇ ନଥିଲେ । ବରଂ ତାଙ୍କର ହିନ୍ଦୁ ହୃଦୟ ହୋଇ ଉଠିଥିଲା ଅଧିକ ପ୍ରଖର ଓ ପ୍ରୋଜ୍ଜ୍ୱଳ । ହିନ୍ଦୁ ଧର୍ମର ନିନ୍ଦା ଶୁଣି ସେ କେବେହେଲେ ନୀରବ ରହୁ ନ ଥିଲେ । କାରଣ ଅନ୍ୟ ଧର୍ମ ତୁଳନାରେ ସ୍ୱଧର୍ମ ପ୍ରତି ତାଙ୍କର ଅନୁରକ୍ତି ଥିଲା ଅତୁଟ । ଖ୍ରୀଷ୍ଟିଆନ ଧର୍ମପ୍ରଚାରକମାନଙ୍କର ଗଭୀର ଅନୁରକ୍ତି ଲକ୍ଷ୍ୟ କରି ଛାତ୍ର ରାଧାକୃଷ୍ଣନଙ୍କର ସ୍ୱଧର୍ମ ପ୍ରତି ଅନୁରକ୍ତି ଆଶାନୁରୂପେ ବୃଦ୍ଧି ପାଇଥିଲା । ବିଶେଷ କରି ସ୍ୱାମୀ ବିବେକାନନ୍ଦଙ୍କର ହିନ୍ଦୁଧର୍ମ ଉପରେ ଓଜସ୍ୱିନୀ ତଥା ସାରଗର୍ଭକ ବକ୍ତୃତା ଗଭୀର ଭାବେ ରେଖାପାତ କରିଥିଲା ବାଳକ ରାଧାକୃଷ୍ଣନ୍‌ଙ୍କ ହୃଦୟରେ । ତାଙ୍କରି ନିଜ ଭାଷାରେ—‘‘ସ୍ୱାମୀ ବିବେକାନନ୍ଦଙ୍କର ଅସାଧାରଣ ପାଣ୍ଡିତ୍ୟ ଓ ଧର୍ମଚର୍ଚ୍ଚା ସମ୍ବନ୍ଧୀୟ ବାଗ୍ମିତା ମୁଁ ଜଣେ ହିନ୍ଦୁ ବୋଲି ମୋ ମନରେ ଗର୍ବସଂଚାର କରିଥିଲା ।’’

 

ସନ୍ଥ ଦୀକ୍ଷିତାରଙ୍କଠାରୁ ସେ ଚିନ୍ତନ ଓ ଅଧ୍ୟୟନ ପାଇଁ ପାଇଥିଲେ ଅଫୁରନ୍ତ ପ୍ରେରଣା । ପ୍ରସିଦ୍ଧ ଦେବପୀଠ ତିରୁପତି ମଧ୍ୟ ରାଧାକୃଷ୍ଣନ୍‍ଙ୍କର ବିଶ୍ୱବିଖ୍ୟାତ ଦାର୍ଶନିକ ଜୀବନର ଭିତ୍ତିପ୍ରସ୍ତୁତ କରିବାରେ ହୋଇଥିଲା ସହାୟକ । ବିଶ୍ୱର ଯେଉଁ ପ୍ରାନ୍ତରେ ଯେଉଁ କ୍ଷମତାରେ ଥିଲେ ମଧ୍ୟ ସେ ଧାଇଁ ଆସୁଥିଲେ ତୀର୍ଥରାଜ ତିରୁପତ୍ତିର ପ୍ରସନ୍ନ ସାନିଧ୍ୟ ପାଇବା ପାଇଁ । ଆଜି ମଧ୍ୟ ଅବସର ଜୀବନରେ ପ୍ରଭୁ ଭେଙ୍କଟେଶ୍ୱରଙ୍କର ପବିତ୍ର ଆକର୍ଷଣ ତାଙ୍କ ମନରୁ ଛିନ୍ନ ହୋଇନାହିଁ । ଭେଲ୍ଲୋରରୁ କୃତିତ୍ୱ ସହକାରେ ସେ ଏଣ୍ଟ୍ରାନସ ଓ ଏଫ୍‌. ଏ. ପାଶ୍‌ କରିଥିଲେ । ତା ପରେ ଉଚ୍ଚଶିକ୍ଷା ପାଇଁ ତାଙ୍କ ନାମ ଲେଖାଯାଇଥିଲା ମାନ୍ଦ୍ରାଜ୍‌ ଖ୍ରୀଷ୍ଟିଆନ୍‌ କଲେଜରେ । ପ୍ରସିଦ୍ଧ ଆଇନଜ୍ଞ ଓ ସମ୍ବିଧାନପ୍ରଣେତା ଶ୍ରୀ କୃଷ୍ଣସ୍ୱାମୀ ଆୟାର, କଲେଜରେ ତାଙ୍କର ଥିଲେ ସହପାଠୀ । ବି. ଏ. ରେ ରାଧାକୃଷ୍ଣନ୍‌ ଦର୍ଶନ ଅନର୍ସ ନେଇ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ କୃତକାର୍ଯ୍ୟ ହୋଇଥିଲେ । ଦାରିଦ୍ର୍ୟ ଯୋଗୁଁ ପ୍ରତି ପଦକ୍ଷେପରେ ତାଙ୍କ ମନରେ ଦୁଶ୍ଚିନ୍ତା ଆସୁଥିଲା, କିନ୍ତୁ ଯୁବକ ରାଧାକୃଷ୍ଣନ୍‌ଙ୍କର ମାନସିକ ଦୃଢ଼ତା ନିକଟରେ ଦାରିଦ୍ର୍ୟ ହେଉଥିଲା ପରାହତ । କ୍ରମେ ହିନ୍ଦୁ ଶାସ୍ତ୍ରପୁରାଣ ସହିତ ବାଇବେଲ୍‌ର ନିଉ ଟେଷ୍ଟାମେଣ୍ଟରେ ସେ ହାସଲ କରିଥିଲେ ପ୍ରତିପତ୍ତି । ବିଶେଷ କରି ବେଦାନ୍ତକେଶରୀ ବିବେକାନନ୍ଦଙ୍କର ସିଂହନାଦ ଶୁଣି ତାଙ୍କର ଜୀବନ-ସରଣୀ ହୋଇଥିଲା ଆଲୋକିତ । ହିନ୍ଦୁ ଧର୍ମ ବିଷୟରେ ଯାହା ସେ ଅଧ୍ୟୟନ କରୁଥିଲେ, ତାହା ଥିଲା ଯୁକ୍ତି ଓ ତର୍କସାପେକ୍ଷ । ତେଣୁ ଖ୍ରୀଷ୍ଟିୟାନ୍‌ ପାଦ୍ରୀମାନଙ୍କର ସମାଲୋଚନାକୁ ସେ ଖଣ୍ଡନ କରିପାରୁଥିଲେ-। ସ୍ୱାମୀ ବିବେକାନନ୍ଦଙ୍କର ଗୁରୁଗମ୍ଭୀର ଭାଷଣ ରାଧାକୃଷ୍ଣନ୍‌କୁ ବେଦାନ୍ତ ଅଧ୍ୟୟନ କରିବା ପାଇଁ କରିଥିଲା ଅଧିକ ଆକୃଷ୍ଟ ।

 

ଦର୍ଶନଶାସ୍ତ୍ରରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଏମ୍‌. ଏ. ପାଶ୍‌ କଲେ । ତାଙ୍କୁ ଯେତେବେଳେ କୋଡ଼ିଏ ବର୍ଷ ବୟସ, ସେ The Ethics of the Vedanta ଶୀର୍ଷକ ଏକ ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧ ଲେଖିଥିଲେ, ଯାହା ତତ୍‌କାଳୀନ ବିଶିଷ୍ଟ ଶିକ୍ଷାବିଦ୍‍ ଓ ଦର୍ଶନ ଅଧ୍ୟାପକ A. G. Hogg ଙ୍କ ଦ୍ୱାରା ହୋଇଥିଲା ଉଚ୍ଚ ପ୍ରଶଂସିତ । ଏକ ପ୍ରଶଂସାପତ୍ରରେ ଅଧ୍ୟାପକ ହଗ୍‌ ଲେଖିଥିଲେ—‘‘ଏହି ପ୍ରବନ୍ଧରୁ ପ୍ରତୀତ ହେଉଛି ଯେ ରାଧାକୃଷ୍ଣନ୍‌ ମୁଖ୍ୟ ଦାର୍ଶନିକ ସମସ୍ୟା ଗୁଡ଼ିକରେ ଅସାଧାରଣ ବ୍ୟୁତ୍ପତ୍ତି ହାସଲ କରି ପାରିଅଛନ୍ତି । ତର୍କଶାସ୍ତ୍ରରେ ତାଙ୍କର ଧୂରୀଣତା ମଧ୍ୟ ପ୍ରଶଂସନୀୟ । ଇଂରାଜୀଭାଷାରେ ପାଣ୍ଡିତ୍ୟ ଯୋଗୁଁ ଏହା ହୋଇ ପାରିଛି ସମ୍ଭବପର’’ । ପ୍ରସିଦ୍ଧ ଦାର୍ଶନିକ ରାଧାକୃଷ୍ଣନ୍‌ ଏ ପର୍ଯ୍ୟନ୍ତ ମଧ୍ୟ ସେହି ପ୍ରଶଂସାପତ୍ରକୁ ସାଇତି ରଖିଛନ୍ତି ।

 

୧୯୦୯ ମସିହାରେ ମାନ୍ଦ୍ରାଜର ପ୍ରେସିଡ଼େନ୍‌ସି କଲେଜରେ ଦର୍ଶନ ଅଧ୍ୟାପକ ରୂପେ ତାଙ୍କୁ ନିଯୁକ୍ତି ମିଳିଲା । ସେତେବେଳେ ମାନ୍ଦ୍ରାଜରେ ଅଧ୍ୟାପକତ୍ୱ କରିବାକୁ ହେଲେ ଟ୍ରେନିଂ ପାଶ୍‌ କରିବାକୁ ପଡ଼ୁଥିଲା । ତେଣୁ ୧୯୧୦ ମସିହାରେ ସୈଦାପେଟସ୍ଥ ଟିଚର୍ସ କଲେଜରୁ ସେ ଏଲ୍‌. ଟି. ପାଶ୍‌ କଲେ । ସେହି କଲେଜରେ ଯେତେ ଛାତ୍ର ଅଧ୍ୟୟନ କରୁଥିଲେ, ସେମାନଙ୍କ ମଧ୍ୟରେ ରାଧାକୃଷ୍ଣନ୍‌ ଥିଲେ ବୟସରେ ସମସ୍ତଙ୍କଠାରୁ ସାନ; କିନ୍ତୁ ଛାତ୍ର ହିସାବରେ ଥିଲେ ସେ ସମସ୍ତଙ୍କଠାରୁ ବେଶି ମେଧାବୀ । ତେଣୁ ଅଧ୍ୟାପକମାନଙ୍କର ଅନୁରୋଧକ୍ରମେ ସେ ସହାଧ୍ୟାୟୀମାନଙ୍କୁ ଛାତ୍ରାବାସରେ ଶିକ୍ଷାନୀତି ସମ୍ବନ୍ଧରେ ବକ୍ତୃତା ଦେଉଥିଲେ । ତାଙ୍କର ସହପାଠୀ ଶ୍ରୀ ଏମ୍‌. କେ. ରଙ୍ଗା ସ୍ୱାମୀଙ୍କ ମତରେ ‘‘ଚବିଶ ବର୍ଷବୟସ୍କ ଯୁବକ ରାଧାକୃଷ୍ଣନ୍‌ଙ୍କର ତତ୍କାଳୀନ ବକ୍ତୃତାରେ ଯେଉଁ ଗାମ୍ଭୀର୍ଯ୍ୟ, ବାଗ୍ମୀତା ଓ ପରିଷ୍କୃତ ଶୈଳୀ ପରିଲକ୍ଷିତ ହେଉଥିଲା, ତାହା ଆଜି ବି ରହିଛି ।”

 

ପ୍ରେସିଡ଼େନ୍‌ସି କଲେଜର ଅଧ୍ୟାପକ ଥିବାବେଳେ ଭାରତୀୟ ଦର୍ଶନର ଗଭୀର ଅଧ୍ୟୟନ ତଥା ସମୀକ୍ଷା କରିବାର ସୁଯୋଗ ତାଙ୍କୁ ମିଳିଥିଲା । ଏମ୍‌. ଏ. ଶ୍ରେଣୀର ଛାତ୍ର ଥିବାବେଳେ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ଥିରୀକୃତ ପାଠ୍ୟନିର୍ଘଣ୍ଟରେ ସେ ଆଦୌ ସନ୍ତୁଷ୍ଟ ନ ଥିଲେ । ତାଙ୍କରି ଭାଷାରେ କହିବାକୁ ଗଲେ—‘‘The philosophy courses of the B. A. and M.A. degrees in the Madras University did not demand any acquaintance with the Indian systems of thought and religion. Even to-day Indian philosophy forms a very minor part of philosophical studies in Indian universities’’. ସେ ଯାହା ହେଉ, ବୟସବୃଦ୍ଧି ସଙ୍ଗେ ସଙ୍ଗେ ରାଧାକୃଷ୍ଣନ୍‌ଙ୍କ ଦର୍ଶନଜ୍ଞାନର ପରିସୀମା ବୃଦ୍ଧିପାଇବାକୁ ଲାଗିଲା । ଉଚ୍ଚଶିକ୍ଷା ପାଇ କଲେଜର ଅଧ୍ୟାପକ ହୋଇଥିଲେ ମଧ୍ୟ ସେ ପାଶ୍ଚାତ୍ୟ ବେଶ-ପରିପାଟୀକୁ ଆଦୌ ପସନ୍ଦ କରୁ ନ ଥିଲେ । ଛାତ୍ରଜୀବନରେ ଯେଉଁ ସାତହାତୀ ଧୋତି, ଧଳା ପଗଡ଼ି ଓ ଲମ୍ବା କୋଟ୍‌ ପିନ୍ଧୁଥିଲେ, ତାହା ଆଜି ବି ପିନ୍ଧୁଛନ୍ତି । ଛାତ୍ରଜୀବନ ଓ ଅଳ୍ପଦିନ ଅଧ୍ୟାପକ ଜୀବନ ଅତିବାହିତ କରି ସେ ଦର୍ଶନଶାସ୍ତ୍ରରେ ଯେଉଁ ପ୍ରଭୂତ ଜ୍ଞାନ ଅର୍ଜନ କରିଥିଲେ, ତାହାରି ବଳରେ ତାଙ୍କୁ ଡକ୍ଟରେଟ୍‌ କରିବା ପାଇଁ ଖୁବ୍‌ ଅଳ୍ପଦିନ ଲାଗିଥିଲା । ପୂର୍ବରୁ ଧାରଣା ଥିଲା ଯେ ବିଦେଶୀ ବିଶ୍ୱବିଦ୍ୟାଳୟକୁ ନ ଗଲେ; କୌଣସି ବିଷୟରେ ଗବେଷଣାମୂଳକ ପ୍ରବନ୍ଧ ଦାଖଲ କରିବା ସହଜେ ସମ୍ଭବପର ନୁହେଁ, କିନ୍ତୁ ରାଧାକୃଷ୍ଣନ୍‌ ତାଙ୍କର ଅଲୌକିକ ପ୍ରତିଭାବଳରେ ସେହି ଧାରଣା ଦୂର କରି ପାରିଥିଲେ । ଛାତ୍ରମାନଙ୍କ ସହିତ ତାଙ୍କର ସମ୍ବନ୍ଧ ଥିଲା ଅତୁଟ । ତାଙ୍କର ଜ୍ଞାନଗରିମା ଓ ଗାମ୍ଭୀର୍ଯ୍ୟ ଯୋଗୁଁ ସେ ଛାତ୍ରସମାଜର ଭକ୍ତି ଓ ସ୍ନେହଭାଜନ ହୋଇପାରିଥିଲେ । ସେତେବେଳେ ଭାରତ ତଥା ଭାରତ ବାହାରେ ପ୍ରକାଶିତ ଉଚ୍ଚକୋଟୀର ପତ୍ରିକା ‘International Journal of Ethics’ ‘Monist’ ‘Quest’ ଇତ୍ୟାଦିରେ ନିୟମିତ ଭାବେ ତାଙ୍କର ପ୍ରବନ୍ଧ ପ୍ରକାଶ ଲାଭ କରୁଥିଲା ।

 

ହିନ୍ଦୁ ଦର୍ଶନରେ ମାୟା ବିଷୟରେ ସମ୍ୟକ୍ ଆଲୋଚନା କରିବା ପାଇଁ ବିଶ୍ଵକବି ରବୀନ୍ଦ୍ରନାଥଙ୍କ ଲେଖା ତାଙ୍କୁ ଯଥେଷ୍ଟ ସହାୟକ ହୋଇଥିଲା । କବିଗୁରୁଙ୍କର ସେହି ଲେଖାଗୁଡ଼ିକ ୧୯୧୮ ମସିହାରେ ମ୍ୟାକ୍‌ମିଲାନ୍‌ କମ୍ପାନୀ ଦ୍ୱାରା ଇଂରାଜୀରେ ପ୍ରକାଶଲାଭ କରିଥିଲା । ଯୁବକ ରାଧାକୃଷ୍ଣନ୍‌ଙ୍କର ସେହି ମାୟା ସମ୍ବନ୍ଧରେ ପ୍ରକାଶଲାଭ କରିଥିବା ତଥ୍ୟସମ୍ବଳିତ ପ୍ରବନ୍ଧ ରବୀନ୍ଦ୍ରନାଥଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଥିଲା । ଜଣେ ଯୁବକଙ୍କ ଲେଖନୀରୁ ସ୍ଥିତପ୍ରଜ୍ଞ ବିଶ୍ଵକବି ଏହା ଆଶା କରି ନ ଥିଲେ । ତେଣୁ ପ୍ରବନ୍ଧଟି ପାଠ କଲାପରେ ସେ ରାଧାକୃଷ୍ଣନ୍‌ଙ୍କୁ ଏକ ପତ୍ରରେ ସେହି ପ୍ରବନ୍ଧ ବିଷୟରେ ଉଲ୍ଲେଖ କରି ଲେଖିଥିଲେ—"Though my criticism of a book that concerns me may not be seriously accepted, I can say that it has surpassed my expectation."

 

ଅନ୍ୟ ରାଜ୍ୟମାନଙ୍କ ପରି ମାନ୍ଦ୍ରାଜରେ ମଧ୍ୟ ସେତେବେଳେ ବାଲ୍ୟବିବାହ ପ୍ରଥା ପ୍ରଚଳିତ ଥିଲା । ଏହି ପ୍ରଥାର ବିରୋଧ କରୁଥିଲେ ମଧ୍ୟ ରାଧାକୃଷ୍ଣନ୍‌ଙ୍କୁ ବାଲ୍ୟବିବାହ କରିବାକୁ ପଡ଼ିଥିଲା । ଭେଲ୍ଲୋରର ବୁରହିଜ୍‌ କଲେଜରେ ନାମ ଲେଖାଇବା ପୂର୍ବରୁ ଏହା ହୋଇଥିଲା ସମାପିତ । ଏହା ସତ୍ତ୍ୱେ ତାଙ୍କର ଦାମ୍ପତ୍ୟଜୀବନ ଥିଲା ମଧୁମୟ । ସେ ହୃଦୟଙ୍ଗମ କରିଥିଲେ ଯେ ପତ୍ନୀର ଆଦର୍ଶ ଉଦାର ଓ ଅତ୍ୟୁଚ୍ଚ । ହିନ୍ଦୁ ଆଦର୍ଶରେ ଅନୁପ୍ରାଣିତ ପତ୍ନୀର ସ୍ଵାମୀ ହିଁ ଜୀବନ । ପତ୍ନୀର ପ୍ରେମ ଏକାଧାରରେ ବିଶୁଦ୍ଧ, ଅସଂଦିଗ୍‌ଧ, ଦିବ୍ୟ ଓ ସ୍ୱର୍ଗୀୟ ।

 

ଅଧ୍ୟାପକତ୍ୱର ଖୁବ୍ ଅଳ୍ପଦିନ ପରେ ତାଙ୍କୁ ସେହି ପ୍ରେସିଡେନ୍‍ସି କଲେଜର ଆସିଷ୍ଟାଣ୍ଟ-ପ୍ରଫେସର ରୂପେ ନିଯୁକ୍ତ ମିଳିଲା ସତ; କିନ୍ତୁ ତାଙ୍କର ଗଭୀର ଅଧ୍ୟୟନ ନିକଟରେ ପଦବୀର ମୋହ ହାର ମାନିଥିଲା । ଗଣିତଶାସ୍ତ୍ରରେ ତାଙ୍କର ପାଣ୍ଡିତ୍ୟ ଥିଲେ ସୁଦ୍ଧା ଦର୍ଶନଶାସ୍ତ୍ର ପ୍ରତି ସେ ଥିଲେ ଅଧିକ ଆକୃଷ୍ଟ । ଦର୍ଶନଶାସ୍ତ୍ରର ଅଧ୍ୟାପକ ରୂପେ ସୀମିତ ସମୟ ମଧ୍ୟରେ ତାଙ୍କର ଖ୍ୟାତି ଚାରିଆଡ଼େ ବ୍ୟାପିଯାଇଥିଲା । ତାଙ୍କର ପ୍ରଶସ୍ତ ଲଲାଟ, ଗରୁଡ଼ ଚଞ୍ଚୁ ପରୁ ନାସା, ଆଜାନୁଲମ୍ବିତ ବାହୁ ଦେଉଥିଲା ବିରାଟ ତଥା ଉଜ୍ଜ୍ୱଳ ଭବିଷ୍ୟତର ସୂଚନା । ପୁନଶ୍ଚ ତାଙ୍କର ବିଷୟ ବ୍ୟାଖ୍ୟାନ କରିବାର ଶକ୍ତି, ଇଂରାଜୀଭାଷାରେ ଅସାମାନ୍ୟ ଅଧିକାର, ଯଥୋଚିତ ଶବ୍ଦ ପ୍ରୟୋଗରେ ପାଟବତା, ଭାବର ସ୍ପଷ୍ଟତା ଛାତ୍ରସମାଜ ଉପରେ ପକାଉଥିଲା ଅପୂର୍ବ ପ୍ରଭାବ । ଦର୍ଶନ-ସଦୃଶ ଏକ ରୁକ୍ଷ ଓ ଅମୂର୍ତ୍ତ ବିଷୟ ତାଙ୍କର ଅଭୂତପୂର୍ବ ପ୍ରକାଶଶୈଳୀ ଯୋଗୁଁ ହୋଇପାରିଥିଲା ସରସ ଓ ପ୍ରାଣବନ୍ତ । ଶ୍ରେଣୀର ପ୍ରତ୍ୟେକ ଛାତ୍ରଙ୍କୁ ସେ ଚିହ୍ନୁ ଥିଲେ ଓ ପୁତ୍ରବତ୍ ସେହ୍ନ କରୁଥିଲେ ମଧ୍ୟ । ସହାଧ୍ୟାୟୀ ତଥା ବନ୍ଧୁମାନଙ୍କ ନିକଟରେ ସେ ଥିଲେ ଅନବରତ ଅତିଥି ପରାୟଣ । ଅଧ୍ୟାପନା ସମୟରେ ସେ ଏତେ ଏକାଗ୍ରଚିତ୍ତ ରହୁଥିଲେ ଯେ, ଶ୍ରେଣୀରେ କୌଣସି ଅମନୋଯୋଗୀ ଛାତ୍ର ଗୋଳମାଳ କଲେ, ସେଥିପ୍ରତି ତାଙ୍କର ଭ୍ରୂକ୍ଷେପ ନ ଥିଲା । ବିଦ୍ୟାବୁଦ୍ଧି ନିର୍ବିଶେଷରେ ସମଗ୍ର ଛାତ୍ରସମାଜ ପାଇଁ ତାଙ୍କର ହାର ଥିଲା ଉନ୍ମୁକ୍ତ I ଛାତ୍ରଙ୍କୁ ସାହାଯ୍ୟ କରିବା ତାଙ୍କର ଧର୍ମରେ ପରିଣତ ହୋଇ ଯାଇଥିଲା । ଉଦାହରଣ ସ୍ୱରୂପ; ଥରେ କଲିକତା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ତାଙ୍କ ପାଖକୁ ଲେଖିଥିଲେ—“ମୁଁ ଜଣେ ଗରିବ ଛାତ୍ର ହୋଇଥିବାରୁ ଆପଣଙ୍କ ଦ୍ୱାରା ଲିଖିତ ‘ଇଣ୍ଡିଆନ୍ ଫିଲସଫି’ ବହି କିଣିବାକୁ ଅସମର୍ଥ । ଯଦି ଦୟାକରି ପରୀକ୍ଷା ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଥିବା ଖଣ୍ଡିଏ ବହି ମୋତେ ଦିଅନ୍ତେ, ତାହାହେଲେ ମୁଁ ଉପକୃତ ହୁଅନ୍ତି ଓ ପରୀକ୍ଷା ପରେ ତାହା ଫେରାଇ ଦିଅନ୍ତି ।” ସେତେବେଳେ ରାଧାକୃଷ୍ଣନ୍ ଥିଲେ ଉପରାଷ୍ଟ୍ରପତି ଓ ଦିଲ୍ଲୀ ବିଶ୍ଵବିଦ୍ୟାଳୟର କୁଳପତି ! ଚିଠିଟି ପାଇଲା ପରେ କାଳବିଳମ୍ବ ନ କରି ସେ ଡାକରେ ବହିଟି ପଠାଇ ଦେଇ ଚିଠିରେ ଲେଖିଥିଲେ—“ବହିଟିକୁ ଲେଉଟାଇବାର ଆବଶ୍ୟକତା ନାହିଁ ।” ଏହିପରି ବହୁ ଉଦାହରଣ ଦିଆଯାଇପାରେ । ଦୁସ୍ଥ ଛାତ୍ରମାନଙ୍କୁ ସାହାଯ୍ୟ କରିବାରେ ରାଧାକୃଷ୍ଣନ୍ ଥିଲେ ସର୍ବଦା ମୁକ୍ତହସ୍ତ ।

 

ଅଧ୍ୟାପକ ରାଧାକୃଷ୍ଣନ୍ କଲେଜରେ ତତ୍‍କାଳୀନ ପ୍ରସିଦ୍ଧ ଅଧ୍ୟାପକ ଡକ୍ଟର ଏ. ଜି. ହଗ୍‌ଙ୍କର ଥିଲେ ଅତି ପ୍ରିୟ । ବିଦେଶୀ ଅଧ୍ୟାପକଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ସ୍ନେହ ଥିଲା ଅଗାଧ । ଐତିହାସିକ ଦୃଷ୍ଟିରେ ଦର୍ଶନ ଶାସ୍ତ୍ରର ଅଧ୍ୟୟନ ଓ ଅଧ୍ୟାପନାର ଏକ ବଶିଷ୍ଟ ଶୈଳୀ ଡକ୍ଟର ହଗ୍‌ ଆବିଷ୍କାର କରିଥିଲେ । ସେଇଥିପାଇଁ ତାଙ୍କର ଭାଷଣ ହେଉଥିଲା ଅଧିକ ମନୋରଞ୍ଜକ ଓ ଆକର୍ଷକ । ସାମାଜିକ ଦର୍ଶନକୁ ସର୍ବଦା ଆଧ୍ୟାତ୍ମବାଦ, ସାର୍ବଭୌମବାଦ ଓ ମାନବତା ମାଧ୍ୟମରେ ସେ ଗ୍ରହଣ କରୁଥିଲେ ଓ ତଦନୁଯାୟୀ ଶିକ୍ଷା ଦେଉଥିଲେ, ଯାହାକୁ ବିସ୍ମୟ ସହକାରେ ଓ ଉତ୍‌କର୍ଣ୍ଣ ହୋଇ ଶୁଣୁଥିଲେ ଶ୍ରେଣୀର ଛାତ୍ରବୃନ୍ଦ ।

 

୧୯୧୮ ମସିହାରେ ମହୀଶୂର ବିଶ୍ଵବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟଅଧ୍ୟାପକ ରୂପେ ରାଧାକୃଷ୍ଣନ୍‌ ଯୋଗଦେଲେ । ଦୀର୍ଘ ଆଠବର୍ଷକାଳ ସେହି ବିଭାଗ ଦାୟିତ୍ଵରେ ତାଙ୍କୁ ରହିବାକୁ ପଡ଼ିଲା । ସେହି ସମୟରେ ବର୍ଗସନ୍‍ଙ୍କ ଦର୍ଶନତତ୍ତ୍ୱ ଉପରେ ‘ମାଇଣ୍ଡ୍‌’ ପତ୍ରିକାରେ ସେ ବହୁ ତଥ୍ୟ-ସମ୍ବଳିତ ପ୍ରବନ୍ଧ ପ୍ରକାଶ କରିଥିଲେ । ଏହାଦ୍ୱାରା ପାଶ୍ଚାତ୍ୟ ଦର୍ଶନଶାସ୍ତ୍ରର ସମୀକ୍ଷା କରିବାର ସୁଯୋଗ ତାଙ୍କୁ ମିଳିଥିଲା । ବିଶ୍ୱର ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ପ୍ରବନ୍ଧ ପ୍ରକାଶ ପାଇବାରୁ, ବିଦେଶର ଦାର୍ଶନିକ ତଥା ସମାଲୋଚକମାନେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ମହୀଶୂରର ଆନ୍ତର୍ଜାତିକ ଖ୍ୟାତିପ୍ରାପ୍ତ ଇଞ୍ଜିନିୟର ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ଵେଶ୍ୱରେୟା ରାଧାକୃଷ୍ଣନ୍‌ଙ୍କର ଦାର୍ଶନିକ ତଥ୍ୟସମ୍ବଳିତ ଲେଖାରେ ପ୍ରୀତ ହୋଇ ତାଙ୍କୁ ମହାରାଜ କଲେଜରେ ମଧ୍ୟ ନିଯୁକ୍ତ ଦେଇଥିଲେ । ମହୀଶୂରରେ ଅବସ୍ଥାନ କାଳରେ ଲେଖାପଢ଼ା ହିଁ ତାଙ୍କର ଥିଲା ପ୍ରଧାନ କାର୍ଯ୍ୟ । ସେତେବେଳେ ତାଙ୍କର ପଡ଼ୋଶୀଭାବେ ଅବସ୍ଥାନ କରୁଥିଲେ ଡକ୍ଟର ଓ୍ୱାଡ଼ିଆ । ସକାଳେ ଓ ସଂଧ୍ୟାରେ ଅଧ୍ୟୟନନିବିଷ୍ଟ ଅଧ୍ୟାପକଙ୍କୁ ପଦଚାରଣ କରିବାକୁ ବାଧ୍ୟ କରୁଥିଲେ ସେ । ରାଧାକୃଷ୍ଣନ୍‌ ସବୁବେଳେ ରହୁଥିଲେ ଗମ୍ଭୀର । ତେଣୁ ଭାଷଣ ସମୟରେ ହସିବା ଓ ହସାଇବା ତାଙ୍କ ପକ୍ଷରେ ସହଜେ ସମ୍ଭବପର ହେଉ ନ ଥିଲା । ସେଥିପାଇଁ ଅନେକେ ତାଙ୍କୁ ଶୁଷ୍କ ଓ ନିରସ ବୋଲି ଭାବୁଥିଲେ । ସେତେବେଳେ ମହାରାଜା କଲେଜରେ ରାଧାକୃଷ୍ଣନ୍‌ଙ୍କ ସହିତ ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିଲେ ଡକ୍ଟର ରାଧାକୁମୁଦ ମୁଖାର୍ଜୀ, ଶ୍ରୀ କେ. ଟି. ସାହା ଓ ଶ୍ରୀ ଓ୍ୱାଡ଼ିଆ । କେହି ଦିନେ ଭାବି ନ ଥିଲା ଯେ ଏହି ଚାରିଜଣ ଅଧ୍ୟାପକ ଦିନେ ରାଜ୍ୟସଭାର ସଭ୍ୟ ହେବେ ଓ ସେମାନଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷ ହେବ ବୋଲି ।

 

ରାଧାକୃଷ୍ଣନ୍‌ ସବୁବେଳେ ପ୍ରସନ୍ନ ରହୁଥିଲେ ମଧ୍ୟ ମୁଖମଣ୍ଡଳର ଗାମ୍ଭୀର୍ଯ୍ୟ ଓ ମିତଭାଷିତା ଯୋଗୁଁ ତାହା ବାହାରକୁ ଜଣାପଡ଼ୁ ନ ଥିଲା । ଚିତ୍ତବିନୋଦନ ତାଙ୍କର ଥିଲା ବୌଦ୍ଧିକ-। ତାଙ୍କର ଇଂରାଜୀ ସାହିତ୍ୟରେ ପାଣ୍ଡିତ୍ୟ ଲକ୍ଷ୍ୟକରି ଥରେ ଛାତ୍ରମାନେ ପଚାରିଲେ–‘‘ଆଜ୍ଞା ! ଆପଣ କୌଣସି ବିଦେଶୀ ବିଶ୍ୱବିଦ୍ୟାଳରେ ପଢ଼ି ଡିଗ୍ରୀ ହାସଲ କରିଛନ୍ତ କି-?” ଅଧ୍ୟାପକ ରାଧାକୃଷ୍ଣନ୍ ଉତ୍ତର ଦେଇଥିଲେ—“ମୁଁ ବିଦେଶରେ ପଢ଼ି ନାହିଁ; କିନ୍ତୁ ପଢ଼ାଇବାକୁ ଯିବି-।” ଏଥିରୁ ତାଙ୍କ ଗଭୀର ଆତ୍ମବିଶ୍ଵାସର ସ୍ପଷ୍ଟ ପରିଚୟ ମିଳିଥାଏ । ମହୀଶୂର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଥିଲାବେଳେ ସେ ଛାତ୍ରମାନଙ୍କର ଥିଲେ ସବୁଠାରୁ ବେଶି ପ୍ରିୟ । କାରଣ ଛାତ୍ରମାନଙ୍କ ପ୍ରତି ସର୍ବଦା ତାଙ୍କର ସ୍ନେହ ଥିଲା ସହଜ ଓ ସ୍ୱାଭାବିକ । ଦୁସ୍ଥ ଛାତ୍ରମାନଙ୍କୁ ସେ ସାମୟିକ ଆର୍ଥିକ ସାହାଯ୍ୟ ମଧ୍ୟ କରୁଥିଲେ ଛାତ୍ରମାନେ ମଧ୍ୟ ତାଙ୍କୁ ଶୁଦ୍ଧତା, ଶୁଚିତା, ପୂର୍ଣ୍ଣତା ଓ ପାବନତାର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ସ୍ନେହ ଓ ଭକ୍ତି କରୁଥିଲେ ।

 

ଆଜି ମଧ୍ୟ ଭାରତ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଛାତ୍ରମାନେ ସେହି ମହାନ୍ ଗୁରୁଙ୍କ ଛାତ୍ର ବୋଲି ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି । ଛାତ୍ରମାନଙ୍କୁ ଅଧିକ ଲେଖାପଢ଼ା କରିବା ପାଇଁ ସେ ଦେଉଥିଲେ ସବୁବେଳେ ଉତ୍ସାହ । ଛାତ୍ର ସମାଜ ମନରେ ଜ୍ଞାନର ଅମନ୍ଦ ମନ୍ଦାକିନୀ ପ୍ରବାହିତ କରୁଥିଲେ ସେ । ଛାତ୍ରମାନଙ୍କୁ ଉପଦେଶ ଛଳରେ ସେ କହୁଥିଲେ–“ଆକାଶରେ ଉଡ଼ିବା ପୂର୍ବରୁ ଧରିତ୍ରୀ ଉପରେ ପାଦ ଦୃଢ଼ କର ।”

 

ଯେଉଁ ଛାତ୍ରମାନେ ଅଧିକ ପଢ଼ିବାକୁ କିମ୍ବା ଲେଖିବାକୁ ଚାହୁଁଥିଲେ, ଅବୈତନିକ ଭାବେ ସେମାନଙ୍କୁ ସେ ନିଜ ଘରେ ପଢ଼ାଉଥିଲେ । ତେଣୁ ବ୍ୟକ୍ତିଗତ ଭାବେ ଛାତ୍ରମାନଙ୍କ ସହିତ ପରଚିତ ହେବାର ସୁଯୋଗ ତାଙ୍କୁ ମିଳୁଥିଲା । ବର୍ତ୍ତମାନର ସଂଗଠନ କଂଗ୍ରେସ ସଭାପତି ଶ୍ରୀ ନିଜଲିଙ୍ଗପ୍‌ପା ସେତେବେଳେ ବାଙ୍ଗାଲୋର ସେଣ୍ଟ୍ରାଲ କଲେଜ ଅଫ୍ ସାଇନସ୍‌ର ଛାତ୍ର ଥିଲେ । ରାଧାକୃଷ୍ଣନ୍‌ଙ୍କର ପାଣ୍ଡିତ୍ୟପୂର୍ଣ୍ଣ ବକ୍ତୃତା ଶୁଣିବା ପାଇଁ ସେ ମଧ୍ୟ ସାମୟିକ ମହୀଶୂର ଆସୁଥିଲେ ।

 

୧୯୨୧ ମସିହାରେ କଲିକତା ବିଶ୍ଵବିଦ୍ୟାଳୟର ଏକ ବିଶିଷ୍ଟ ଆସନ King George V chair of Mental and Moral Scinece ଅଳଙ୍କୃତ କରିବାର ସୌଭାଗ୍ୟ ରାଧାକୃଷ୍ଣନ୍‌ଙ୍କୁ ମିଳଲା । ତେଣୁ ମହୀଶୂର ବିଶ୍ୱବିଦ୍ୟାଳୟରୁ ତାଙ୍କୁ ବିଦାୟ ନେବାକୁ ପଡ଼ିଲା । ଛାତ୍ରବତ୍ସଳ ଗୁରୁଙ୍କର ବିଦାୟ ଯଥାର୍ଥେ ହୋଇଉଠିଥିଲା ଅଶ୍ରୁଳ, ମର୍ମସ୍ପର୍ଶୀ । ମହୀଶୂର ରେଳଷ୍ଟେସନ୍ ହୋଇଥିଲା ଲୋକାରଣ୍ୟ । ଛାତ୍ରମାନଙ୍କର କଣ୍ଠରୁଦ୍ଧ ହୋଇ ଆସିଥିଲା । ହସ୍ତ ଉତ୍ତୋଳନ କରି ଉପସ୍ଥିତ ଛାତ୍ରସମାଜକୁ ଆର୍ଶୀବାଦ କରିଥିଲେ ଗୁରୁଦେବ । ତାଙ୍କର ପ୍ରଶାନ୍ତ ମୁଖମଣ୍ଡଳ ହୋଇ ଉଠିଥିଲା ବଷର୍ଣ୍ଣ । କଲିକତା ଅଭିମୁଖେ ଗାଡ଼ି ଚାଲିଲା । ‘ରାଧାକୃଷ୍ଣନ୍ କି ଜୟ’ ନାଦରେ ପ୍ରକମ୍ପି ହୋଇଥିଲା ରେଳଷ୍ଟେସନର ସୀମିତ ପରିବେଶ । ରେଳଗାଡ଼ି ଗୁଣମୁଗ୍‌ଧ ଛାତ୍ରମାନଙ୍କୁ ପଛରେ ପକାଇ ଆଗେଇ ଚାଲିଲା ସତ; କିନ୍ତୁ ବିଦାୟୀ ଗୁରୁଦେବଙ୍କ ହୃଦୟରେ ସେମାନଙ୍କର ସ୍ମୃତି ରହଲା ଅବିସ୍ମର ।

 

We developed a negative kind of patriotism when we struggled to rid the country of foreign rule. But a positive patriotism, a dynamic fellow-feeling, a sense of belonging to this great country, of being proud to belong to it, these things are yet to come. We have to build these in the minds and hearts of men."

 

—Radhakrishnan

Image

 

ଦାର୍ଶନିକ ଜୀବନର ଶୁଭାରମ୍ଭ

 

କଲିକତା ବିଶ୍ଵବିଦ୍ୟାଳୟରେ ଅବସ୍ଥାନ କାଳରେ ଅଧ୍ୟାପକ ରଧାକୃଷ୍ଣନ୍‌ଙ୍କର ଦାର୍ଶନିକ ଜୀବନର ହୋଇଥିଲା ଶୁଭାରମ୍ଭ । ସେଥିପାଇଁ ସେହି ବିଶ୍ୱବିଦ୍ୟାଳୟର ପ୍ରବୀଣ ଅଧ୍ୟାପକ ଜେ. ଏଚ୍. ମୁରିହେଡ୍‌ଙ୍କ ଠାରୁ ସେ ପାଇଥିଲେ ଆଶାନୁରୂପ ପ୍ରେରଣା । ମୁରିହେଡ୍‌ଙ୍କର ବ୍ୟକ୍ତିଗତ ଗ୍ରନ୍ଥାଗାରର ହାର ଯୁବଅଧ୍ୟାପକଙ୍କ ପାଇଁ ଥିଲା ସର୍ବଦା ଉନ୍ମୁକ୍ତ । ତେଣୁ ସେ ସୀମିତ ସମୟ ମଧ୍ୟରେ ଲେଖିଥିଲେ ‘ଦି ରେନ୍ ଅଫ୍ ରିଲିଜନ୍ ଇନ୍ କଣ୍ଟେମ୍ପରାରି ଫିଲସଫି’ ଓ ‘ଦ ଫିଲସଫି ଅଫ୍ ରବୀନ୍ଦନାଥ’ ଶୀର୍ଷକ ଦୁଇଟି ଗବେଷଣାମୂଳକ ଗ୍ରନ୍ଥ । ରବୀନ୍ଦ୍ରନାଥଙ୍କର ‘ଗୀତାଞ୍ଜଳି’ ମୁଖ୍ୟତଃ ଉପନିଷଦ ଉପରେ ପର୍ଯ୍ୟବେଶିତ । ବିଶ୍ୱକବି ସ୍ୱରଚିତ କବିତା ମାଧ୍ୟମରେ କିପରି ଉପନିଷଦୀୟ ଚିନ୍ତାଧାରା ପ୍ରକାଶ କରିଛନ୍ତି, ତାହା ସହିତ କବିଙ୍କର ପ୍ରତିଭା ପ୍ରଖ୍ୟାପନ ଉଦ୍ଦେଶ୍ୟରେ ରାଧାକୃଷ୍ଣନ୍ ପ୍ରଣୟନ କରିଥିଲେ ‘ଦ ଫିଲସଫି ଅଫ୍ ରବୀନ୍ଦ୍ର ନାଥ’ ଗ୍ରନ୍ଥଟି । ସେହି ଗ୍ରନ୍ଥଟି ପଢ଼ି ସାରିଲା ପରେ କବିଗୁରୁ ଶାନ୍ତିନିକେତନରୁ ତାଙ୍କ ନିକଟକୁ ଲେଖିଥିଲେ—“ଆପଣଙ୍କ ପ୍ରଣୀତ ପୁସ୍ତକରେ ବିଷୟବସ୍ତୁର ଉପସ୍ଥାପନା ଓ ଶୈଳୀ ବିଷୟରେ ମୁଁ ବା କି ଅଭିମତ ଦେବି ? ମୋ ତତ୍ତ୍ୱଜ୍ଞାନ ଉପରେ ଅନ୍ୟକେହି ଏତେ ନିପୁଣତା ସହକାରେ ଲେଖିପାରିବେ କି ନାହିଁ, ସେ ବିଷୟରେ ମୁଁ ସନ୍ଦେହୀ ।”

 

ଦାର୍ଶନିକ ଗ୍ରନ୍ଥ ପ୍ରଣୟନ ବ୍ୟତୀତ ରାଧାକୃଷ୍ଣନ୍ ନିୟମିତ ଭାବେ ପତ୍ରପତ୍ରିକାକୁ ବିଭିନ୍ନ ଦର୍ଶନତତ୍ତ୍ୱ ସମ୍ବଳିତ ଲେଖା ପଠାଉଥିଲେ, ଯାହାର ପ୍ରକାଶ ତାଙ୍କର ଆନ୍ତର୍ଜାତିକ ପ୍ରସିଦ୍ଧି ଅର୍ଜନରେ ହେଉଥିଲା ସହାୟକ । ତତ୍‌କାଳୀନ ପ୍ରସିଦ୍ଧ ପତ୍ରିକା ‘ମାଇଣ୍ଡ’ ରେ ସେ ବର୍ଗସନ୍‌ଙ୍କର ତତ୍ତ୍ୱଜ୍ଞାନ ଉପରେ ଆଲେକପାତ କରି ବହୁ ପ୍ରସିଦ୍ଧ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନଙ୍କ ମଧ୍ୟରେ ଲୋକମାନ୍ୟ ବାଳଗଙ୍ଗାଧର ତିଳକ ଅନ୍ୟତମ । ତେଣୁ ସେ ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ‘ଗୀତାରହସ୍ୟ’ରେ ଯୁବଦାର୍ଶନିକ ରାଧାକୃଷ୍ଣନ୍‍ଙ୍କର ନାମୋଲ୍ଲେଖ କରିବାକୁ ଭୁଲିନାହାନ୍ତି । ସେହି ସମୟରେ ରାଧାକୃଷ୍ଣନ୍ ତିଲକଙ୍କୁ ଯେଉଁ ପତ୍ର ଲେଖିଥିଲେ, ତାହା ଏ ପର୍ଯ୍ୟନ୍ତ କେଶରୀ ପ୍ରେସ୍‌ରେ ସୁରକ୍ଷିତ ରହିଛି । ଏହି ପତ୍ରଟି ତାଙ୍କର ଲୋକମାନ୍ୟ ତିଳକଙ୍କ ପ୍ରତି ଅପାର ଭକ୍ତି ଓ ଶ୍ରଦ୍ଧାର ପ୍ରକୃଷ୍ଟ ନିଦର୍ଶନ । ପୁନଶ୍ଚ ସ୍ୱରାଜ୍ୟ-ସଂଗ୍ରାମ ଯୁବାବସ୍ଥାରୁ ତାଙ୍କୁ କିପରି ପ୍ରଭାବିତ କରିଥିଲା, ସେହି ପତ୍ର ମଧ୍ୟ ତାହାର ଦିଏ ସ୍ଥୂଳ ପରିଚୟ ।

 

ତା ପରେ ଭାରତୀୟ ଦର୍ଶନ ଉପରେ ପ୍ରକାଶିତ ହେଲା ରାଧାକୃଷ୍ଣନ୍‌ଙ୍କର ଦୁଇଟି ବିରାଟ ଗ୍ରନ୍ଥ । ପ୍ରାଚ୍ୟଦର୍ଶନକୁ ତୁଳନାତ୍ମକ ଦୃଷ୍ଟିକୋଣରୁ ବିଚାର କରିବା ଥିଲା ତାଙ୍କର ଏହି ଗ୍ରନ୍ଥପ୍ରଣୟନର ଲକ୍ଷ୍ୟ । ଜନସାଧାରଣଙ୍କ ଚିନ୍ତାଧାରା ସହିତ ହିନ୍ଦୁ ଚିନ୍ତାଧାରା କିପରି ସଂହତି ରକ୍ଷାକରି ପାରିଛି, ତାହା ସେ ଖୁବ୍ ନିପୁଣତା ସହକାରେ ପ୍ରମାଣ କଲେ । ଦେଶର ପ୍ରତି ପ୍ରାନ୍ତରେ ତାଙ୍କର ପ୍ରସିଦ୍ଧି ପ୍ରଚାରିତ ହେବାକୁ ଲାଗିଲା । କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟୟନ-ଅଧ୍ୟାପନ ତଥା ଅନୁସନ୍ଧାନକାରୀଙ୍କର ଦୃଷ୍ଟି କ୍ରମେ ନିବଦ୍ଧ ହେଲା ରାଧାକୃଷ୍ଣନ୍‍ଙ୍କର ଲେଖା ଓ ଗବେଷଣା ଉପରେ-। ଭାରତର ତତ୍‌କାଳୀନ ମହାନ୍ ଶିକ୍ଷାଶାସ୍ତ୍ରୀ ସାର୍ ଆଶୁତୋଷ ମୁଖାର୍ଜୀଙ୍କର ଦୃଷ୍ଟି କ୍ରମେ ଆକର୍ଷିତ ହେଲା ଏହି ତିରିଶ ବର୍ଷର ଅଧ୍ୟାପକଙ୍କର ସାହିତ୍ୟିକ ତଥା ଦାର୍ଶନିକ କୃତି ଉପରେ । ସାର୍ ଆଶୁତୋଷ ଚାହୁଁ ଥିଲେ, କଲିକତା ବିଶ୍ୱବିଦ୍ୟାଳୟ ସମେତ ଭାରତର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜ୍ଞାନବିଜ୍ଞାନର ଏକ ଅଭିନବ ମନ୍ଦିର ରୂପେ ଗଢ଼ିବା ପାଇଁ । ସେଇଥିଯୋଗୁଁ ମେ ୧୯୦୪ ମସିହାରେ ପ୍ରଣୀତ ‘ଭାରତୀୟ’ ବିଶ୍ୱବିଦ୍ୟାଳୟ ଆଇନ୍‌ରେ ଆଣିଥିଲେ ପ୍ରଭୂତ ପରିବର୍ତ୍ତନ । ତାଙ୍କର ପ୍ରଣୀତ ଶିକ୍ଷାନୀତି ଯୋଗୁଁ ତତ୍‌କାଳୀନ ବଡ଼ଲାଟ୍‌ଙ୍କର ସେ ଚକ୍ଷୁଶୂଳ ହୋଇଥିଲେ । ସେ ଯାହାହେଉ, କଲିକତା ବିଶ୍ୱବିଦ୍ୟାଳୟରେ ଶିକ୍ଷାନୀତିରେ ପରୀକ୍ଷାମୂଳକଭାବେ ସେ ଚାହିଁଥିଲେ ନୂତନତାର ପ୍ରବର୍ତ୍ତନ କରିବା ପାଇଁ । ଉପଯୁକ୍ତ ଶିକ୍ଷକ ନ ହେଲେ ବୈଜ୍ଞାନିକ-ଶିକ୍ଷାନୀତି ପ୍ରବର୍ତ୍ତିତ ହେବ ବା କିପରି ? ଯୁବଶକ୍ତି ଉପରେ ସାର୍ ଆଶୁତୋଷଙ୍କର ଆସ୍ଥା ଥିଲା ପ୍ରବଳ | ତେଣୁ ସେ କଲିକତା ବିଶ୍ୱବିଦ୍ୟାଳୟ ପାଇଁ ମନୋନୀତ କରିଥିଲେ କେତେଜଣ ମେଧାବୀ ଯୁବଅଧ୍ୟାପକଙ୍କୁ । ସେମାନଙ୍କ ମଧ୍ୟରୁ ସର୍ବଶ୍ରୀ ଚନ୍ଦ୍ର ଶେଖର ଭେଙ୍କଟ ରମଣ, ସର୍ବପଲ୍ଲୀ ରାଧାକୃଷ୍ଣନ୍, ଏସ୍‌. କେ. ମିତ୍ର, ଏସ୍‌. ଏନ୍‌. ବୋଷ, ମେଘନାଦ ଶାହା, ଏଚ୍‌. ସି. ରାୟ ଚୌଧୁରୀଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ସେତେବେଳେ କଲିକତା ବିଶ୍ଵବିଦ୍ୟାଳୟରେ ଉପାଧ୍ୟୁତ୍ତର ବିଭାଗ ନ ଥିଲା । ସାର୍ ଆଶୁତୋଷ ପ୍ରଥମେ ସେହି ବିଭାଗ ସ୍ଥାପନ କରିଥିଲେ ଓ ଡକ୍ଟର ବ୍ରଜେନ୍ଦ୍ରନାଥ ଶିଲ୍‌ଙ୍କୁ ଦର୍ଶନ ବିଭାଗର ମୁଖ୍ୟ ରୂପେ ନିଯୁକ୍ତି ମିଳିଥିଲା; କିନ୍ତୁ ଡକ୍ଟର ଶିଲ୍‌ ମହୀଶୂର ବିଶ୍ଵବିଦ୍ୟାଳୟର କୁଳପତି ରୂପେ ନଯୁକ୍ତି ହେବାରୁ, ସେହି ରିକ୍ତ ସ୍ଥାନଟିକୁ ପୂରଣ କରିବା ପାଇଁ ସାର୍ ଆଶୁତୋଷ ବନା ଦ୍ୱିଧାରେ ଆହ୍ୱାନ କରିଥିଲେ ଯୁବଅଧ୍ୟାପକ ରାଧାକୃଷ୍ଣନ୍‌ଙ୍କୁ । ବିଶ୍ଵବିଦ୍ୟାଳୟର ସିନେଟ୍, ସିଣ୍ଡିକୋଟ୍ ଓ ଭାରତ ସରକାର ସମର୍ଥନ କରିଥିଲେ ସେହି ନିଯୁକ୍ତିକୁ । ବୟୋବୃଦ୍ଧ ଡକ୍ଟର ଶିଲଙ୍କ ସ୍ଥାନରେ ଜନୈକ ଯୁବା ଅଧ୍ୟାପକଙ୍କର ନିଯୁକ୍ତି ସମଗ୍ର କଲିକତା ବିଶ୍ଵବିଦ୍ୟାଳୟରେ ଯଥେଷ୍ଟ ଆଲୋଡ଼ନ ସୃଷ୍ଟି କରିଥିଲା । ଅନେକେ ପ୍ରାନ୍ତୀୟ ମନୋଭାବ ନେଇ ଈର୍ଷାପରାୟଣ ହୋଇ ପଡ଼ିଲେ । ଶିକ୍ଷାର ମାନ ଦୃଷ୍ଟିରୁ କଲିକତା ବିଶ୍ୱବିଦ୍ୟାଳୟ ସେତେବେଳେ ଥିଲା ସମଗ୍ର ଭାରତରେ ପ୍ରସିଦ୍ଧ । କାଶ୍ମୀରଠାରୁ କୁମାରିକା ଯାଏ ସମଗ୍ର ଭାରତର ଶିକ୍ଷାବିତ୍‌ମାନଙ୍କର ଦୃଷ୍ଟି ଥିଲା କଲିକତା ବିଶ୍ୱବିଦ୍ୟାଳୟ ଉପରେ । ରାଧାକୃଷ୍ଣନ୍ ରାଷ୍ଟ୍ରପତି ଆସନରେ ଥିଲେ ମଧ୍ୟ ସର୍ବଦା ଗର୍ବ ଓ ଗୌରବ ଅନୁଭବ କରୁଥିଲେ ଯେ ସେ ଦିନେ ଥିଲେ କଲିକତା ବିଶ୍ୱବିଦ୍ୟାଳୟର ଅଧ୍ୟାପକ । ସେହି ବିଶ୍ୱବିଦ୍ୟାଳୟର ଛାତ୍ର ଥିବାରୁ ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ମଧ୍ୟ ଅନୁଭବ କରୁଥିଲେ ଅନୁରୂପ ଗର୍ବ ଓ ଗୌରବ ।

 

ସେତେବେଳେ ଯେଉଁ ଅଧ୍ୟାପକମାନେ ପାଶ୍ଚାତ୍ୟ ରାଜ୍ୟ ବିଶେଷ କରି ବିଲାତରୁ ଶିକ୍ଷାପାଇ ଫେରୁଥିଲେ, ସେମାନଙ୍କୁ ଇଣ୍ଡିଆନ୍ ଏଜୁକେସନ୍ ସର୍ଭିସ (ଆଇ. ଇ. ଏସ୍.) ମିଳୁଥିଲା; କିନ୍ତୁ କୌଣସି ବିଦେଶୀ ଡିଗ୍ରୀ ଡିପ୍ଲୋମା ନ ଥିଲେ ମଧ୍ୟ ରାଧାକୃଷ୍ଣନ୍‌ଙ୍କୁ ଏହି ସମ୍ମାନ ମିଳିଥିଲା । ସେତେବେଳକୁ ଯଦିଓ ଇଂରାଜୀ ବିଶ୍ୱକୋଷ (Encyclopaedia Britannica)ର ଚତୁର୍ଦ୍ଦଶ ସଂସ୍କରଣ ପ୍ରକାଶ ପାଇସାରିଥିଲା, ତଥାପି ସେଥରେ ଭାରତୀୟ ଦର୍ଶନ ଉପରେ ଗୋଟିଏ ହେଲେ ପରିଚ୍ଛେଦ ସ୍ଥାନ ପାଇ ନ ଥିଲା । ରାଧାକୃଷ୍ଣନ୍‌ଙ୍କର ଭାରତୀୟ ଦର୍ଶନ ଉପରେ ଦୁଇଟି ଗ୍ରନ୍ଥ ଇଂରାଜୀ ଭାଷାରେ ପ୍ରକାଶ ପାଇବାରୁ, ବିଶ୍ୱକୋଷ ସଂକଳୟିତାଙ୍କର ଦୃଷ୍ଟି ସ୍ଵତଃ ଆକର୍ଷିତ ହୋଇଥିଲା ତାଙ୍କର ସାହିତ୍ୟିକ ତଥା ଦାର୍ଶନିକ କୃତୀ ଦିଗକୁ । ସେ ଏକ ପତ୍ରରେ ଭାରତୀୟ ଦର୍ଶନ ସମ୍ବନ୍ଧରେ ଏକ ପ୍ରବନ୍ଧ ଲେଖିବା ପାଇଁ ରାଧାକୃଷ୍ଣନ୍‌ଙ୍କୁ ଅନୁରୋଧ କରିଥିଲେ । ତତ୍‌କାଳୀନ ପ୍ରସିଦ୍ଧ ପତ୍ରିକା ‘ହିବର୍ଟ ଜର୍ଣ୍ଣାଲ’ ରେ ନିୟମିତ ଭାବେ ତାଙ୍କର ବହୁ ସାରଗର୍ଭକ ଲେଖା ପ୍ରକାଶ ପାଉଥିଲା । ସେହି ପତ୍ରିକାର ସମ୍ପାଦକ ଡକ୍ଟର ଏଲ୍. ପି. ଜାକ୍‌ସ ପୂର୍ବରୁ ଅକସ୍‌ଫୋର୍ଡ଼ରେ ମାନ୍‌ଚେଷ୍ଟର କଲେଜର ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିଲେ । ତେଣୁ ୧୯୨୬ ମସିହା ‘ହିନ୍ଦୁ ମତରେ ଜୀବନର ମୂଲ୍ୟାୟନ’ ଶୀର୍ଷକ ଏକାଧିକ ଅଭିଭାଷଣ ଦେବାପାଇଁ ଅଧ୍ୟାପକ ରାଧାକୃଷ୍ଣନ୍‌ଙ୍କୁ ସେ ନିମନ୍ତ୍ରଣ କରିଥିଲେ । ଠିକ୍ ସେହି ସମୟରେ (୧୯୨୬ ମସିହା ଜୁନ୍‍ ମାସରେ) ଲଣ୍ଡନଠାରେ ବ୍ରିଟିଶ ସାମ୍ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କର ଏକ ଅଧିବେଶନ ବସୁଥାଏ । କଲିକତା ବିଶ୍ଵବିଦ୍ୟାଳୟ ତରଫରୁ ଏହି ଅଧିବେଶନରେ ପ୍ରତିନିଧିତ୍ୱ କରିବା ପାଇଁ ଅଧ୍ୟାପକ ରାଧାକୃଷ୍ଣନ୍‌ଙ୍କ ନାମ ସ୍ଥିର ହେଲା । ସେହିବର୍ଷ ସେପ୍ଟେମ୍ବର ମାସରେ ହାବାର୍ଡ଼ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ଦର୍ଶନ କଂଗ୍ରେସରେ ପ୍ରତିନିଧିତ୍ୱ କରିବା ପାଇଁ ମଧ୍ୟ ଅଧ୍ୟାପକ ରାଧାକୃଷ୍ଣନ୍‌ଙ୍କ ନାମ ସୁପାରିସ କରାଯାଇଥିଲା । ଏହା ହେଉଛି ତାଙ୍କର ପ୍ରଥମ ବିଦେଶଯାତ୍ରା । ତାଙ୍କୁ କିପରି ଅକସ୍‌ଫୋର୍ଡ଼, କାମ୍ବ୍ରିଜ୍‌, ହାବାର୍ଡ଼, ଏଲ୍‌ ଓ ଚିକାଗୋଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା, ତାହା ସେ ତାଙ୍କର ଆତ୍ମଜୀବନୀ ମୂଳଳ ପ୍ରବନ୍ଧ 'My search for truth’ ରେ ଉଲ୍ଲେଖ କରିଅଛନ୍ତି ।

 

ଇଂରାଜୀ ବିଶ୍ୱକୋଷ ଦପ୍ତରରେ ‘ହିନ୍ଦୁ ମତରେ ଜୀବନର ମୂଲ୍ୟାୟନ’ ଉପରେ ଭାଷଣ ଦେଇ ରାଧାକୃଷ୍ଣନ୍‌ କହିଥିଲେ ଯେ ହିନ୍ଦୁଧର୍ମ ସୃଷ୍ଟିର ପ୍ରାରମ୍ଭରୁ ଏକ ବିକାଶଶୀଳ ଐତିହାସିକ ଆନ୍ଦୋଳନ ରୂପେ ପରିଗଣିତ ହୋଇଆସିଅଛି । ଏହି ଧର୍ମାବଲମ୍ବୀମାନେ ଦୀପ୍ତିର ଏକ ମଶାଲ୍ ଧରି ଯୁଗେ ଯୁଗେ ଜ୍ୟୋତି ବିତରଣ କରି ଆସିଅଛନ୍ତି । ଆନ୍ତର୍ଜାତୀୟ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ୍‌ ‘ସଭ୍ୟତାର ଭବିଷ୍ୟତ’ ସମ୍ପର୍କରେ ମଧ୍ୟ ଏକ ସାରଗର୍ଭକ ଭାଷଣ ଦେଇଥିଲେ । ସେହି ଭାଷଣ ଆମେରିକାବାସୀଙ୍କ ଉପରେ ପକାଇଥିଲା ଆଶାତୀତ ପ୍ରଭାବ । ସ୍ଵାମୀ ବିବେକାନନ୍ଦଙ୍କର ଭାଷଣ ସେମାନଙ୍କ ସ୍ମୃତି-ମୁକୁରରେ ନାଚିଉଠିଥିଲା । ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲା ପରେ ସେ କଲିକତା ଓ ବହୁ ବିଶ୍ଵବିଦ୍ୟାଳୟର ଦର୍ଶନ ସଭାରେ ସାରଗର୍ଭକ ଭାଷଣମାନ ଦେଇଥିଲେ । ଥରେ କଲିକତାରେ ଜଣେ ପାଶ୍ଚାତ୍ୟ ଦାର୍ଶନିକ ଗ୍ରୀକ୍ ଦର୍ଶନ ଉପରେ ବକ୍ତୃତା ଦେଉଥିଲେ; କିନ୍ତୁ ଉପସ୍ଥିତ ଜନତା ତାଙ୍କର ଭାଷଣରୁ କିଛି ବୁଝି ନ ପାରିବାରୁ ସଭାକକ୍ଷତ୍ୟାଗ କରିବାକୁ ଉଦ୍ୟତ ହେଲାବେଳେ ରାଧାକୃଷ୍ଣନ୍‌ ନିଜେ ଶ୍ରୋତାମାନଙ୍କୁ ଅନୁରୋଧ କରି ବସାଇଥିଲେ ଓ ବକ୍ତାଙ୍କର ପଚାଶ ମିନିଟ ଭାଷଣକୁ ମାତ୍ର ଦଶମିନଟ୍ ମଧ୍ୟରେ ପ୍ରାଞ୍ଜଳ ଭାଷାରେ ବୁଝେଇ ପାରିଥିଲେ । କଲିକତାରେ ଅନୁଷ୍ଠିତ ହେଉଥିବା ପ୍ରାୟ ପ୍ରତ୍ୟେକ ଦର୍ଶନ ସଭାରେ ସେ ବକ୍ତା କିମ୍ବା ସଭାପତି ଭାବେ ଯୋଗ ଦେଉଥିଲେ । ଦୀର୍ଘ ତଥା ଗଭୀର ଗବେଷଣା ପରେ ତାଙ୍କୁ ପି. ଏଚ. ଡି. ଓଡି. ଏସ୍. ସି. ଉପାଧି ମିଳିଥିଲା । ସେ ସମୟରେ ଏପରି ଦୁଇଟି ବିଶିଷ୍ଟ ଉପାଧି ପାଇବାର ଗୌରବ ସାଧାରଣ ଅଧ୍ୟାପକଙ୍କ ଭାଗ୍ୟରେ ସହଜେ ସମ୍ଭବ ପର ହେଉ ନଥିଲା । ଏତଦ୍‌ଭିନ୍ନ ରାଧାକୃଷ୍ଣନ୍‌ ଆଉ ଏକ ସମ୍ମାନର ଅଧିକାରୀ ହୋଇପାରିଥିଲେ । ତାହା ହେଉଛି କଲିକତା ବିଶ୍ୱବିଦ୍ୟାଳୟର ‘ପ୍ରେମ୍‌ଚନ୍ଦ ରାୟଚନ୍ଦ ଷ୍ଟୁଡେଣ୍ଟସିପ୍‌’ (ପି. ଆର. ଏସ.) ।

 

କଲିକତାରେ କିପରି ନିୟମିତ ଭାବେ ଦର୍ଶନ ଓ କଳା ବିଷୟରେ ଆଲେଚନାମାନ କରାଯିବ, ସେଥିପାଇଁ ସେ ଏକ ‘ଆର୍ଟସ୍ ଫାକଲ୍ ଟି କ୍ଲବ’ ସ୍ଥାପନ କରିଥିଲେ । ସେହି କ୍ଲବ ଆନୁକୂଲ୍ୟରେ ବହୁ ସଭା ଆୟୋଜିତ ହୋଇଥିଲା ଓ ସେଥିରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସୁରେନ୍ଦ୍ର ନାଥ ଠାକୁର ଗଜେନ୍ଦ୍ର ଲାଲ ମିଶ୍ର, ସୁରେନ୍ଦ୍ର ନାଥ ବାନାର୍ଜୀ, ରାଜବିହାରୀ ଘୋଷ, ଆଶୁତୋଷ ମୁଖାର୍ଜୀ, ସାର ସି. ଭି. ରମଣ, ଡକ୍ଟର ଭଣ୍ଡାରକର, ବ୍ରଜେନ୍ଦ୍ର ନାଥ ସିଲ୍‌ଙ୍କ ସମେତ ବହୁ ବିଦ୍ୱାନ ବ୍ୟକ୍ତି ବକ୍ତୃତାମାନ ଦେଇ ଥିଲେ । କଲିକତା ବିଶ୍ୱବିଦ୍ୟାଳୟରେ ଅବସ୍ଥାନ କାଳରେ ରାଧାକୃଷ୍ଣନ୍‌ଙ୍କ ଚଳଣୀରେ କୌଣସି ପରବର୍ତ୍ତନ ପରଲକ୍ଷିତ ହୋଇ ନ ଥିଲା । ଯେଉଁ ଭୋଜୀ ସଭାକୁ ନିମନ୍ତ୍ରିତ ହେଉଥିଲେ, ସେଠାରେ ସେ ସବୁବେଳେ ଦକ୍ଷିଣୀ ଢଙ୍ଗରେ ତଳେ ବସି କଦଳୀପତ୍ରରେ ଖାଇବାକୁ ଭଲ ପାଉଥିଲେ । ଥରେ ଅଲ୍ ଇଣ୍ଡିଆ ଓରିଏଣ୍ଟାଲ୍ କନ୍‌ଫରେନ୍‌ସ’ର ପ୍ରତିନିଧିମାନଙ୍କୁ ସେ ନିଜ ଗୃହରେ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ସେମାନଙ୍କ ମଧ୍ୟରେ ବିଦେଶୀ ପ୍ରତିନିଧି ଥିଲେ ମଧ୍ୟ ଦକ୍ଷିଣୀ ଢଙ୍ଗରେ ସମସ୍ତଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । ସମସ୍ତେ ତାଙ୍କର ପ୍ରାଚୀନତା ପ୍ରତି ପ୍ରେମର ପ୍ରଶଂସା କରିଥିଲେ । ପ୍ରାଚୀନତାର ସମାଧି ଉପରେ ନୂତନତାର ସୌଧ ଗଢ଼ିବା ତାଙ୍କର ଧର୍ମ ନ ଥିଲା । ପ୍ରାଚୀନ ଆଦର୍ଶ ପରମ୍ପରାକୁ ପଛରେ ରଖି ନୂତନ ପଥର ପଥିକ ହେବାକୁ ସେ ସବୁବେଳେ ପସନ୍ଦ କରୁଥିଲେ; କିନ୍ତୁ ସେ ଅପରିବର୍ତ୍ତନବାଦୀ ନ ଥିଲେ ।

 

The pursuit of wisdom has attracted me for many years. Whatever my other preoccupations may have been, this search has been my main inspiration. Even in my public activities, I have tried my best to apply ethical consideration to the solution of our problems.

 

—Radhakrishnan

Image

 

କୁଳପତି

 

ଉଚ୍ଚଶିକ୍ଷା ଓ ପରମ୍ପରା ରକ୍ଷାଦିଗରେ ଆନ୍ଧ୍ର ବିଶ୍ଵବିଦ୍ୟାଳୟର ଭୂମିକା ସର୍ବଭାରତୀୟ ସ୍ତରରେ ଅବିଦିତ ନୁହେଁ । ୧୯୨୬ ମସିହାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ସି ଆର, ରେଡ଼ି ଥଲେ ତାହାର ପ୍ରଥମ କୁଳପତି । ସେ ଥିଲେ ଦକ୍ଷିଣ-ଭାରତର ଜନୈକ ବିଖ୍ୟାତ ପଣ୍ଡିତ ତଥା ଅସାଧାରଣ ବକ୍ତା; କିନ୍ତୁ ରାଜନୈତିକ କାରଣବଶତଃ ତାଙ୍କୁ କୁଳପତି ଆସନ ତ୍ୟାଗ କରିବାକୁ ପଡ଼ିଲା । ତା ପରେ ଖୋଜା ଚାଲିଲା ଆନ୍ଧ୍ର ବିଶ୍ଵବିଦ୍ୟାଳୟର କୁଳପତି ପଦ ପାଇଁ ଉପଯୁକ୍ତ ବ୍ୟକ୍ତି । ସର୍ବଶେଷରେ ଆନ୍ଧ୍ର ଜନତାର ଦୃଷ୍ଟି ପଡ଼ିଲା ଅଧ୍ୟାପକ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଉପରେ । ଅନେକେ ମଧ୍ୟ ସନ୍ଦେହ କରିଥିଲେ ଯେ କଲିକତା ବିଶ୍ୱବିଦ୍ୟାଳୟର ଏକ ବିଶିଷ୍ଟ ପଦବୀ ଛାଡ଼ି ସେ ଆସିବେ ନାହିଁ ବୋଲି; କିନ୍ତୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ସିନେଟରେ ଥିବା ତାଙ୍କର ବହୁ ବନ୍ଧୁଙ୍କର ପ୍ରଭୂତ ଚେଷ୍ଟା ଫଳରେ ସେ ୧୯୩୧ ମସିହା ମେ ମାସରେ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଛାଡ଼ି ଯୋଗଦେଇଥିଲେ ତାଙ୍କର ନୂତନ କାର୍ଯ୍ୟରେ ।

 

ପୂର୍ବରୁ ଆନ୍ଧ୍ର ବିଶ୍ଵବିଦ୍ୟାଳୟ ଥିଲା ପରୀକ୍ଷା କରିବାର ଏକ ଏଜେନ୍ସି ସ୍ଵରୂପ । ସେଥିରେ ପୁସ୍ତକାଗାର, ଗବେଷଣା କେନ୍ଦ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରାୟ ନ ଥିଲା କହିଲେ ଚଳେ । ରାଧାକୃଷ୍ଣନ୍ କାର୍ଯ୍ୟରେ ଯୋଗଦେବାର ଖୁବ୍ ଅଳ୍ପଦିନ ପରେ ବିଶ୍ୱବିଦ୍ୟାଳୟକୁ ଶିକ୍ଷା ଓ ଅନୁସନ୍ଧାନର ଏକ କେନ୍ଦ୍ର ପୀଠ ରୂପେ ଗଢ଼ିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ଜଣେ ଗବେଷକ ଓ ଅଧ୍ୟାପକ ସ୍ୱଳ୍ପ ସମୟ ମଧ୍ୟରେ ଜଣେ ନିପୁଣ ଶାସକ ହୋଇପାରନ୍ତି, ବିଶ୍ଵବିଦ୍ୟାଳୟର ପରିଚାଳନାଗତ ପାଟବ ଜରିଆରେ ସେ ତାହାର ଦେଇଥିଲେ ସ୍ଥୂଳ ପରିଚୟ । ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ର ଓ ଶିକ୍ଷାବିତ୍ ଅନୁଭବ କରିଥିଲେ ଯେ ରାଧାକୃଷ୍ଣନ୍ ଯଥାର୍ଥରେ ପ୍ରାଚୀନ ଗୁରୁକୁଳର ଆଶ୍ଚର୍ଯ୍ୟଙ୍କ ପରି ନ୍ୟାୟନିଷ୍ଠ ଓ ଧୂରୀଣ । କାର୍ଯ୍ୟଭାର ଗ୍ରହଣ କରିବାର ମାତ୍ର ମାସ ଦୁଇ ମାସ ମଧ୍ୟରେ ସେ ବିଶ୍ଵବିଦ୍ୟାଳୟରେ ଇତିହାସ, ଅର୍ଥଶାସ୍ତ୍ର, ରାଜନୀତି ବିଜ୍ଞାନ ଓ ତେଲୁଗୁ ବିଭାଗମାନ ଖୋଲିବାର ବ୍ୟବସ୍ଥା କରିଥିଲେ ଓ ଆଞ୍ଚଳିକ ମନୋଭାବକୁ ପଛରେ ପକାଇ ସେ ନିଯୁକ୍ତି ଦେଇଥିଲେ ସର୍ବଭାରତୀୟ ସ୍ତରରୁ ବହୁ ଅଧ୍ୟାପକଙ୍କୁ । ସେମାନଙ୍କ ମଧ୍ୟରୁ ହୁମାୟୁନ୍ କବୀର, ହୀରେନ୍ ମୁଖାର୍ଜୀ; ସାର୍ ଜାହାଙ୍ଗୀର କୋୟାଜୀ, ଡକ୍ଟର ଲଙ୍କାସୁନ୍ଦରମ୍, ଡକ୍ଟର ଭଗବନ୍ତମ୍, ଡକ୍ଟର ଶେଷାନ୍ତି, ଡକ୍ଟର ଭି. କେ. ଆର. ଭି. ରାଓଙ୍କର ନାମ ଉଲ୍ଲେଖ ଯୋଗ୍ୟ । ତାହା ଦ୍ୱାରା ଶିକ୍ଷାଜଗତରେ ଆଶାତୀତ ମାନୋନ୍ନତି ହୋଇ ପାରିଥିଲା । ସ୍ଵତନ୍ତ୍ର ଭାବେ କଳା ଓ ବିଜ୍ଞାନ ବଭାଗ ପାଇଁ ଗୃହ ମଧ୍ୟ ନିର୍ମାଣ କରଯାଇଥିଲା ।

 

ଛାତ୍ରାବାସରେ ମଧ୍ୟ କୁଳପତି କ୍ରାନ୍ତିକାରୀ ପରିବର୍ତ୍ତନ କରିଥିଲେ । ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କପାଇଁ ସେ ଗୋଟିଏ ରୋଷେଇଘର ଓ ଖାଇବା ଘରର ବ୍ୟବସ୍ଥା କରିଥିଲେ-। ବିଶ୍ୱବିଦ୍ୟାଳୟରେ ସଂକୀର୍ଣ୍ଣ ଜାତୀୟତା କିମ୍ବା ସାଂପ୍ରଦାୟିକତା ନିରାକରଣ ପାଇଁ ସେ ଚେଷ୍ଟା କରିଥିଲେ ଓ ଆଶାନୁରୂପ ସଫଳତା ହାସଲ ମଧ୍ୟ କରିପାରିଥିଲେ । ତାହାଦ୍ୱାରା ବିଶ୍ଵବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା କରିଯାଇ ପାରିଥିଲା । ଆନ୍ଧ୍ର ବିଶ୍ଵବିଦ୍ୟାଳୟର କୁଳପତି କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ କଲିକତା ବିଶ୍ଵବିଦ୍ୟାଳୟର ଦର୍ଶନ ବିଭାଗୀୟ ମୁଖ୍ୟରୂପେ ମଧ୍ୟ ତାଙ୍କୁ ସାମୟିକ କଲିକତା ଯିବାକୁ ପଡ଼ୁଥିଲା । ତାହା ବ୍ୟତୀତ ରାଷ୍ଟ୍ରସଂଘର ବୌଦ୍ଧିକ ସହଯୋଗ ସମିତର ଜଣେ ସକ୍ରିୟ ସଦସ୍ୟ ହିସାବରେ ଅଧିବେଶନରେ ଯୋଗଦେବା ପାଇଁ ତାଙ୍କୁ ମଧ୍ୟ ସାମୟିକ ଜେନେଭା ଯିବାକୁ ପଡ଼ୁଥିଲା । ଏକାଧିକ ଦାୟିତ୍ଵରେ ଥିଲେ ମଧ୍ୟ ତାଙ୍କ ମୁଖମଣ୍ଡଳରେ କେବେହେଲେ କ୍ଳାନ୍ତିର ଚିହ୍ନ ଦେଖାଯାଉ ନ ଥିଲା । କାଳକ୍ଷେପଣନୀତିକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ସିଣ୍ଡିକେଟ୍‌, ସିନେଟ୍‌ ଇତ୍ୟାଦିର ଦୀର୍ଘ କାର୍ଯ୍ୟନିର୍ଘଣ୍ଟକୁ ସୀମିତ ସମୟ ମଧ୍ୟରେ ସେ ଯେପରି ଭାବରେ ପରିଚାଳନା କରୁଥିଲେ, ସେଥିରେ ସମସ୍ତେ ହେଉଥିଲେ ବିସ୍ମୟାଭିଭୂତ । ସେ ଅଧିକାଂଶ ସମୟ ଗମ୍ଭୀର ରହୁଥିବାରୁ ଅନେକ ଅଧଃସ୍ତନ କର୍ମଚାରୀ ତାଙ୍କୁ ଭୟ କରୁଥିଲେ; କିନ୍ତୁ କେବେହେଲେ ସେ କାହା ପ୍ରତି ଉତ୍ତେଜିତ ହେବାର ଦେଖାଯାଉ ନ ଥିଲା, ବରଂ ତାଙ୍କର ବ୍ୟବହାର ସମସ୍ତଙ୍କ ପ୍ରତି ପିତୃବତ୍ ଓ ସ୍ନେହପୂର୍ଣ୍ଣ ଥିଲା । ତାଙ୍କର ବ୍ୟକ୍ତିଗତ ପ୍ରଭାବ ବଳରେ ବିଶ୍ୱବିଦ୍ୟାଳୟର ଆର୍ଥିକ ଉନ୍ନତି ମଧ୍ୟ ସାଧିତ ହୋଇ ପାରିଥିଲା । ଜୟପୁରର ମହାରାଜା ବିକ୍ରମଦେବ ବର୍ମା ରାଧାକୃଷ୍ଣନ୍‌ଙ୍କର ଥିଲେ ଜଣେ ଅନ୍ତରଙ୍ଗ ବନ୍ଧୁ । ରାଧାକୃଷ୍ଣନ୍ ଯେତେ ବର୍ଷ ଆନ୍ଧ୍ର ବିଶ୍ଵବିଦ୍ୟାଳୟରେ କୁଳପତି ରହିଥିଲେ, ସେତେ ବର୍ଷ ବିଶ୍ୱବିଦ୍ୟାଳୟର ଉନ୍ନତି କଳ୍ପେ ବିକ୍ରମଦେବ ଲକ୍ଷେ ଟଙ୍କା ଲେଖାଏଁ ସାହାଯ୍ୟ କରିଥିଲେ । ରାଧାକୃଷ୍ଣନ୍‌ଙ୍କର ଅନୁରୋଧ ଅନୁଯାୟୀ ମହାରାଜା ଆଜୀବନ ପ୍ରତିବର୍ଷ ବିଶ୍ଵବିଦ୍ୟାଳୟକୁ ଆର୍ଥିକ ସାହାଯ୍ୟ କରି ଆସିଥିଲେ । କୃତଜ୍ଞତାର ସ୍ମାରକୀ ସ୍ୱରୂପ ବିଜ୍ଞାନ ଓ ଟେକ୍ନୋଲଜି ବିଭାଗକୁ ମହାରାଜା ବିକ୍ରମଦେବଙ୍କ ନାମରେ ନାମିତ କରାଯାଇ ଥିଲା ।

 

ଅଧ୍ୟାପକମାନଙ୍କ ସହିତ ତାଙ୍କର ବ୍ୟବହାର ଥିଲା ସର୍ବଦା ବନ୍ଧୁର୍ତ୍ତ୍ୱପୂର୍ଣ୍ଣ । ତେଣୁ କୁଳପତିଙ୍କୁ ସାକ୍ଷାତ କରି ଅଭାବ-ଅସୁବିଧା ଜଣାଇବାରେ ଅଧ୍ୟାପକମାନଙ୍କୁ କୌଣସି ଲୌକିକତାର ସମ୍ମୁଖୀନ ହେବାକୁ ପଡ଼ୁ ନଥିଲା । ଏହା ସତ୍ତ୍ୱେ ଶାସନଦୃଷ୍ଟିରୁ ନିଜ ସିଦ୍ଧାନ୍ତରେ ସେ ସର୍ବଦା ରହୁଥିଲେ ଦୃଢ଼ ଓ ଅଟଳ । କୌଣସି ନ୍ୟାୟନିଷ୍ଠ ସିଦ୍ଧାନ୍ତରୁ ତାଙ୍କୁ ଅନ୍ତରଙ୍ଗ ବନ୍ଧୁମାନେ ମଧ୍ୟ ଓହରାଇ ପାରୁ ନ ଥିଲେ । ୧୯୩୬ ମସିହାରେ ଆନ୍ଧ୍ର ବିଶ୍ଵବିଦ୍ୟାଳୟ ଓ କୁଳପତିଙ୍କୁ ଏକ ବିରାଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା । ‘ଇଣ୍ଡିଆନ୍ ମେଡ଼ିକାଲ୍ କାଉନ୍‌ସିଲ୍‌’ରୁ ଏକ ପତ୍ର ମିଳିଲା ଯେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମେଡ଼ିକାଲ କଲେଜ ଓ ବିଶାଖାପାଟଣାଠାରେ ଥିବା ଡାକ୍ତରଖାନାରେ ଉପଯୁକ୍ତ ସୁବିଧା ତଥା ପ୍ରଶିକ୍ଷଣର ବ୍ୟବସ୍ଥା ନ ଥିବାରୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ପ୍ରଦତ୍ତ ମେଡ଼ିକାଲ ଡିଗ୍ରୀକୁ କାଉନସିଲ୍ ଆଉ ସ୍ୱୀକାର କରିବ ନାହିଁ । ରଧାକୃଷ୍ଣନ୍‍ଙ୍କୁ ଖୁବ୍ ଦୃଢ଼ତାର ସହିତ ପରିସ୍ଥିତର ମୁକାବିଲା କରିବାକୁ ପଡ଼ିଲା । ନିଜେ ମାନ୍ଦ୍ରାଜ ଯାଇ ଅନ୍ୟୂନ ପାଞ୍ଚ ଲକ୍ଷ ଟଙ୍କା ଅର୍ଥସାହାଯ୍ୟ ପାଇଁ ତତ୍‌କାଳୀନ ସରକାରଙ୍କୁ ସେ ଅନୁରୋଧ କଲେ; କିନ୍ତୁ ସରକାର ତାଙ୍କର ଅନୁରୋଧ ପ୍ରତି ଆଦୌ କର୍ଣ୍ଣପାତ କରି ନ ଥିଲେ । ତୃତୀୟଥର ମାନ୍ଦ୍ରାଜ ଯାତ୍ରାକରି ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ସାକ୍ଷାତ୍‌କରି ନିଜର ବ୍ୟକ୍ତିଗତ ପ୍ରଭାବ ପକାଇ ସେ ମେଡ଼ିକାଲ କଲେଜର ଉନ୍ନତିକଳ୍ପେ ଦରକାର ମୁତାବକ ଆର୍ଥିକ ସାହାଯ୍ୟର ବ୍ୟବସ୍ଥା କରିଥିଲେ ।

 

ଅଧ୍ୟାପକ ରାଧାକୃଷ୍ଣନ୍‌ଙ୍କର ଗଭୀର ଅଧ୍ୟୟନର ସୂଚନା ପାଇ ତତ୍‌କାଳୀନ ବଡ଼ଲାଟ ଲର୍ଡ଼ ଇର୍‌ଉଇନ୍‌ ବିମୁଗ୍‌ଧ ହୋଇ ପଡ଼ିଥିଲେ ଓ ରାଷ୍ଟ୍ରସଂଘର ବୌଦ୍ଧିକ କମିଟିରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବା ପାଇଁ ତାଙ୍କର ନାମ ପୁଣି ଥରେ ସୁପାରିସ କରିଥିଲେ । ଭାରତର ଅନ୍ୟତମ ପ୍ରସିଦ୍ଧ ଅର୍ଥନୀତି ଡକ୍ଟର ଭି. କେ. ଆର. ଭି. ରାଓ ଲଣ୍ଡନରୁ ଡ଼କ୍ଟରେଟ୍‌ କଲା ପରେ ରାଧାକୃଷ୍ଣନ୍‌ଙ୍କର ବ୍ୟକ୍ତିତ୍ୱ ତାଙ୍କୁ ସ୍ୱତଃ ଆକର୍ଷଣ କରିଥିଲା ଓ ପିତୃତୁଲ୍ୟ ରାଧାକୃଷ୍ଣନ୍‌ଙ୍କର ସହାନୁଭୂତିର ସ୍ପର୍ଶ ବିଦେଶାଗତ ଅଧ୍ୟାପକଙ୍କର ସୁପ୍ତ ଉତ୍ସାହକୁ କରିଥିଲା ଜାଗ୍ରତ ।

 

ହିନ୍ଦୁ ବିଶ୍ୱବିଦ୍ୟାଳୟ, ପଣ୍ଡିତ ମଦନମୋହନ ମାଲବ୍ୟଙ୍କର ଏକାଧାରରେ ଶକ୍ତି ଓ ଭକ୍ତିର ପ୍ରତୀକ । ଆଦର୍ଶ ହିନ୍ଦୁ ଶିକ୍ଷା ଓ ସଂସ୍କୃତିର ପୁନରୁତ୍‌ଥାନ ପାଇଁ ମାଲବ୍ୟଜୀ ପ୍ରତିଷ୍ଠା କରିଥିଲେ ସେହି ବିଶ୍ୱବିଦ୍ୟାଳୟକୁ । ସେଠାରେ ତାଙ୍କର ପରିକଳ୍ପିତ ଆଦର୍ଶ କିପରି ଅକ୍ଷୁର୍ଣ୍ଣ ରହିବ, ସେଥିଯୋଗୁଁ ସେ କୁଳପତି ପଦ ପାଇଁ ଉପଯୁକ୍ତ ବ୍ୟକ୍ତି ଖୋଜି ନ ପାଇ ନିରାଶ ହୋଇପଡ଼ିଥିଲେ । ସ୍ୱାସ୍ଥ୍ୟର ଅବନତି ଘଟିବାରୁ ତାଙ୍କ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ବିଷୟରେ ଚିନ୍ତା କରିବା ପକ୍ଷରେ କ୍ରମେ ଅସମ୍ଭବ ହୋଇ ପଡ଼ିଲା । ମହାତ୍ମା ଗାନ୍ଧୀଙ୍କର ପରାମର୍ଶକ୍ରମେ ସେ ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କୁ ବିଦ୍ୟାଳୟର କୁଳପତି ଆସନ ଦେବାକୁ ସ୍ଥିରକଲେ ।

 

କ୍ରମେ ତାଙ୍କ ସ୍ୱାସ୍ଥ୍ୟର ଅବନତି ଘଟିଲା; କିନ୍ତୁ ନିଜର ପ୍ରିୟ ବିଶ୍ୱବିଦ୍ୟାଳୟର ଗୁରୁଦାୟିତ୍ୱ ରାଧାକୃଷ୍ଣନ୍‌ଙ୍କ ହାତରେ ସମର୍ପି ନ ଦେବାଯାଏ ସେ ଆଦୌ ନିଶ୍ଚିନ୍ତ ହୋଇ ପାରି ନ ଥିଲେ । ରୋଗାକ୍ରାନ୍ତ ଥାଇ ମଧ୍ୟ ସେ କଲିକତା ଯାଇଥିଲେ ରାଧାକୃଷ୍ଣନ୍‍ଙ୍କୁ ସାକ୍ଷାତ କରିବା ପାଇଁ । ବୟୋବୃଦ୍ଧ ନେତା ମହାମନା ମାଲବ୍ୟଜୀଙ୍କର ଅନୁରୋଧ ପ୍ରତି ରାଧାକୃଷ୍ଣନ୍‌ ସ୍ୱୀକୃତି ଜଣାଇଥିଲେ-। କାରଣ ମାଲବ୍ୟଜୀଙ୍କର ତୁଙ୍ଗ ପ୍ରତିଷ୍ଠା ନିକଟରେ ତାଙ୍କ ମୁଣ୍ଡ ସ୍ୱତଃ ନଇଁ ପଡ଼ିଥିଲା-। ପଣ୍ଡିତଜୀ ତାଙ୍କୁ ମଧ୍ୟ ବେତନର ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ରାଧାକୃଷ୍ଣନ୍‌ ବିନମ୍ର କଣ୍ଠରେ କହିଥିଲେ—‘‘ହିନ୍ଦୁ ବିଶ୍ୱବିଦ୍ୟାଳୟ ଏକ ରାଷ୍ଟ୍ରୀୟ ସଂସ୍ଥା । ମୁଁ ସେଠି ବେତନ ନ ନେଇ ଅବୈତନିକ ଭାବେ ସେବା କରିବାକୁ ଚାହେଁ ।” ଏଥିରୁ ରାଧାକୃଷ୍ଣନ୍‌ଙ୍କର ସେବାମନୋବୃତ୍ତି ତଥା ପ୍ରଶସ୍ତ ହୃଦୟର ପରିଚୟ ମିଳିଥାଏ ।

 

୧୯୩୯ ମସିହାରେ ସେ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ପଦରେ ଯୋଗଦେଲେ । କାର୍ଯ୍ୟର ଗୁରୁଦାୟିତ୍ୱ ଦୃଷ୍ଟିରୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଆସନ ତାଙ୍କୁ ତ୍ୟାଗ କରିବାକୁ ପଡ଼ିଥିଲା; କିନ୍ତୁ କଲିକତା ବିଶ୍ୱବିଦ୍ୟାଳୟ ସହିତ ତାଙ୍କର ସମ୍ବନ୍ଧ ଥିଲା ଅତୁଟ । ପ୍ରତି ସପ୍ତାହରେ ତାଙ୍କୁ କଲିକତାରୁ ବାରାଣସୀ ଯାଇ ବିଶ୍ୱବିଦ୍ୟାଳୟର ପରିଚାଳନା କାର୍ଯ୍ୟ ନିର୍ବାହ କରିବାକୁ ପଡ଼ୁଥିଲା । ୧୯୩୯ ଓ ୧୯୪୦ ଏହି ଦୁଇ ବର୍ଷ ରାଧାକୃଷ୍ଣନ୍‌ଙ୍କୁ ସବୁଠାରୁ ବେଶି ପରିଶ୍ରମ କରିବାକୁ ପଡ଼ିଲା । କଲିକତାରୁ ବାରାଣସୀ ଓ ଅକ୍‌ସଫୋର୍ଡ଼ ବାରମ୍ବାର ତାଙ୍କୁ ଯିବାକୁ ପଡ଼ିଲା । ତାଙ୍କର କାର୍ଯ୍ୟପଟୁତା ଓ ବିଦ୍‍ବତ୍ତା ଲକ୍ଷ୍ୟକରି ବ୍ରିଟିଶ ଏକାଡେମୀ ତାଙ୍କୁ ‘ଫେଲୋସିପ ଅଫ ଅଲ୍‌ସୋଲସ୍‌’ ପଦବୀ ଦ୍ୱାରା ସମ୍ମାନିତ କରିଥିଲେ । ଏହି ଫେଲୋସିପ୍‌ ସାଧାରଣତଃ ପ୍ରଥିତଯଶା ପଣ୍ଡିତମାନଙ୍କୁ ହିଁ ମିଳିଥାଏ । ହିନ୍ଦୁ ବିଶ୍ୱବିଦ୍ୟାଳୟର କାର୍ଯ୍ୟଭାର କ୍ରମେ ବଢ଼ିବାକୁ ଲାଗିଲା । ତେଣୁ ରାଧାକୃଷ୍ଣନ୍‌ଙ୍କୁ ବାଧ୍ୟହୋଇ ୧୯୪୧ ମସିହା ମାର୍ଚ୍ଚ ୧୦ ତାରିଖରେ କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ପଦ ତ୍ୟାଗ କରିବାକୁ ପଡ଼ିଲା । ଅନ୍ୟୂନ କୋଡ଼ିଏ ବର୍ଷ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟରେ ରହିବାକୁ ପଡ଼ିଥିଲା । ଇସ୍ତଫାପତ୍ରରେ ସେ ଲେଖିଥିଲେ—‘‘ମୁଁ ମୋ ଜୀବନର ସର୍ବୋତ୍ତମ ଭାଗ କଲିକତା ବିଶ୍ୱବିଦ୍ୟାଳୟ ଓ ବଙ୍ଗବାସୀଙ୍କ ସେବାରେ ଅର୍ପଣ କରିଅଛି । ଆଜି ପରିସ୍ଥିତିର ଚାପ ତଥା କର୍ମର ଅନୁରୋଧରେ ମୋତେ ସେହି ଦୀର୍ଘ ମଧୁର ସମ୍ପର୍କ ଛିନ୍ନ କରିବାକୁ ପଡ଼ୁଛି; କିନ୍ତୁ ଆପଣମାନଙ୍କ ପ୍ରତି ମୋ ହୃଦୟରେ ପ୍ରେମ ସର୍ବଦା ଜାଗରୁକ ରହିବ ।’’ ବିଦାୟର ଅବ୍ୟବହିତ ପୂର୍ବରୁ ତାଙ୍କୁ ସ୍ନେହ ଓ ଭକ୍ତିର ନିଦର୍ଶନସ୍ୱରୁପ ସମ୍ମାନସୂଚକ ଏଲ. ଏଲ. ଡ଼ି ଉପାଧି ପ୍ରଦାନ କରାଯାଇଥିଲା ଓ ବିଶ୍ୱବିଦ୍ୟାଳୟର ଜନୈକ ଅବୈତନିକ ଫେଲୋରୂପେ ଗ୍ରହଣ କରାଯାଇଥିଲା । କଲିକତା ରହଣୀ ସମୟ ମଧ୍ୟରେ ସେ ଯେତେ ପୁସ୍ତକ ପ୍ରଣୟନ କରିଥିଲେ, ସେମାନଙ୍କ ମଧ୍ୟରୁ ‘କମଳା ବ୍ୟାଖାନମାଳା’ ଏବଂ ‘ଧର୍ମ ଓ ସମାଜ’ ପ୍ରଧାନ ।

 

ହିନ୍ଦୁ ବିଶ୍ୱବିଦ୍ୟାଳୟରେ କୁଳପତି କାର୍ଯ୍ୟ ନିର୍ବାହ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଗୀତାର ଭାଷ୍ୟ ଲେଖିବାକୁ ପଡ଼ିଥିଲା । ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କ ପ୍ରତି ତାଙ୍କର ବ୍ୟବହାର ଥିଲା ସର୍ବଦା ସ୍ନେହପୁର୍ଣ୍ଣ । ଥରେ ଜଣେ ଅଧ୍ୟାପକଙ୍କ ପିତାଙ୍କର ଦେହାନ୍ତ ହୋଇଗଲା । କୁଳପତି ସେହି ଅଧ୍ୟାପକଙ୍କ ନିକଟକୁ ଖଣ୍ଡିଏ ସମ୍ବେଦନାପୂର୍ଣ୍ଣ ପତ୍ର ନ ଲେଖି, ତାଙ୍କର ପିତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟକୁ ଦିନକ ପାଇଁ ବନ୍ଦ ରଖିଥିଲେ । ତାହାଦ୍ୱାରା ଡକ୍ଟର ରାଧାକୃଷ୍ଣନ୍‌ କିପରି ମାନବୀୟ ବିଭୂତିର ଅଧିକାରୀ ଥିଲେ, ତାର ପ୍ରମାଣ ମିଳିଥାଏ । ପୁନଶ୍ଚ ସେ ହିନ୍ଦୁ ବିଶ୍ୱବିଦ୍ୟାଳୟର ସବୁ ବିଭାଗରୁ ବିଷମତାର ନିରାକରଣ ପାଇଁ ଥିଲେ ସଚେଷ୍ଟ । ପୂର୍ବରୁ ହିନ୍ଦୀ ଅଧ୍ୟାପକମାନେ ଇଂରାଜୀ ଅଧ୍ୟାପକଙ୍କଠାରୁ କମ୍ ଦରମା ପାଉଥିଲେ; କିନ୍ତୁ ରାଧାକୃଷ୍ଣନ୍‌ଙ୍କ ଚେଷ୍ଟା ଫଳରେ ସେହି ପାର୍ଥକ୍ୟ ଦୂରୀଭୂତ ହୋଇଥିଲା ।

 

ଦେଶରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ପାଇଁ ମାଲବ୍ୟଜୀ ପ୍ରତିଷ୍ଠା କରିଥିଲେ ହିନ୍ଦୁ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଶିକ୍ଷା ପଦ୍ଧତିରେ ମଧ୍ୟ ରାଷ୍ଟ୍ରୀୟ ଚେତନା ଜଡ଼ି ରହୁଥିଲା । ତେଣୁ ଯେ କୌଣସି ରାଷ୍ଟ୍ରୀୟ ଆନ୍ଦୋଳନ ତେଜି ଉଠିଲେ, ତାହାର ସର୍ବାଧିକ ପ୍ରଭାବ ପଡ଼ୁଥିଲା ସେହି ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅଧ୍ୟାପକଙ୍କ ଉପରେ । ୧୯୪୨ ମସିହା ହିନ୍ଦୁ ବିଶ୍ୱବିଦ୍ୟାଳୟ ପକ୍ଷରେ ଏକ ସଙ୍କଟମୟ ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ବାପୁଜୀଙ୍କ ନିର୍ଦ୍ଦେଶକ୍ରମେ ସେହି ବର୍ଷ ଅଗଷ୍ଟ ୭ ତାରିଖରେ ସମଗ୍ର ଭାରତବର୍ଷରେ ତେଜି ଉଠିଥିଲା ପ୍ରଳୟଙ୍କରୀ ଭାରତଛାଡ଼ ଆନ୍ଦୋଳନ । ତା ପୂର୍ବରୁ ଭାରତ ସୀମାର ଠିକ୍‌ ଅନ୍ୟ ପଟେ ଜାପାନର ଆକ୍ରମଣ, କ୍ରିପ୍‌ସ୍‌ମିସନର ବିଫଳତା ଭାରତବାସୀଙ୍କ ମନରେ ସୃଷ୍ଟି କରିଥିଲା ଭୟ ଓ ନୈରାଶ୍ୟ । ୧୯୪୧ ମସିହା ଜାନୁଆରୀ ମାସରେ ନେତାଜୀ ସୁବାଷ ବୋଷ କଲିକତା ଜେଲ୍‌ରୁ ଖସି ପଳାଇ ଯାଇଥାନ୍ତି ଜର୍ମାନୀର ରାଜଧାନୀ ବର୍ଲିନକୁ । ବିଦେଶରେ ତାଙ୍କର ଆଜାଦ୍‌ହିନ୍ଦ୍‌ ବାହିନୀ ଗଠନ, ବର୍ଲିନ ଓ ମାଳୟ ରେଡ଼ିଓରୁ ଭାରତବାସୀଙ୍କୁ ଲକ୍ଷ୍ୟକରି ପ୍ରଦତ୍ତ ଓଜସ୍ୱିନୀ ବକ୍ତୃତା ଦେଶବାସୀଙ୍କ ମନରେ ଦେଇଥାଏ ଭାବୀ ବିପ୍ଳବର ଏକ ନିଶ୍ଚିତ ସୁଚନା । ସ୍ଥିର ହୋଇଥାଏ ଯେ ଯଦି ବ୍ରିଟିଶ ସରକାର ଭାରତଛାଡ଼ ଆନ୍ଦୋଳନ ପ୍ରତି ସମ୍ମାନ ନ ଦେଖାନ୍ତି, ତାହାହେଲେ ବାପୁଜୀଙ୍କ ନେତୃତ୍ୱରେ ଅହିଂସା ଉପାୟରେ ଗଣଆନ୍ଦୋଳନ ଚାଲୁ କରାଯିବ ।

 

ଭାରତଛାଡ଼ ଆନ୍ଦୋଳନର ପରିଣତି କ୍ରମେ ଭୟାବହ ହେଲା । ରାସ୍ତା କାଟି ଦିଆଯିବାରୁ କୋହିମା, ଇମ୍ପାଲ ଇତ୍ୟାଦି ପୂର୍ବ ସୀମାରେ ଲଢ଼ୁଥିବା ସୈନ୍ୟମାନଙ୍କ ପାଇଁ ଖାଦ୍ୟପଦାର୍ଥ ପଠାଯାଇ ପାରିଲା ନାହିଁ କିମ୍ବା ସ୍ଥଳପଥରେ କୌଣସି ଯୋଗସୂତ୍ର ରକ୍ଷାକରାଯାଇ ପାରିଲା ନାହିଁ । ସମଗ୍ର ଭାରତରେ ବିପ୍ଳବର ବହ୍ନି ଜଳିଉଠିଲା । ବ୍ରିଟିଶ ସରକାର ଅତ୍ୟନ୍ତ କ୍ରୂରଭାବରେ ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ଲାଗିଲେ । ଅଗଷ୍ଟ ତା୯ରିଖ ଦିନ ଗାନ୍ଧିଜୀଙ୍କ ସମେତ କାର୍ଯ୍ୟକାରୀ କମିଟିର ବହୁ ସଭ୍ୟଙ୍କୁ ବନ୍ଦୀ କରାଗଲା । ଭାରତର ସର୍ବପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେମାନଙ୍କ ମଧ୍ୟରୁ ଅନ୍ୟତମ । ନେତୃବୃନ୍ଦଙ୍କର ଏକକାଳୀନ କରାବରଣ ଦେଶବାସୀଙ୍କ ମନରେ ସୃଷ୍ଟିକଲା ଗଭୀର ପ୍ରତିକ୍ରିୟା । ଜେଲକୁ ଯିବା ପୂର୍ବରୁ ଗାନ୍ଧିଜୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତାଦେଇ କବିଲେ—‘‘କର ଅବା ମର’’—ଏହି ମନ୍ତ୍ର ମୁଁ ଆଜି ତୁମ୍ଭମାନଙ୍କୁ ଦେଉଛି । ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଅଲିଭା ଅକ୍ଷରରେ ଏହା ଲେଖା ରହୁ । ପ୍ରତି ପଦକ୍ଷେପରେ ଏହାର ହେଉ ପରିପ୍ରକାଶ । ଆମେ ମାତୃଭୂମିକୁ ପରାଧୀନତା ଶୃଙ୍ଖଳରୁ ମୁକ୍ତ କରିବା, ନଚେତ୍‌ ମୃତ୍ୟୁବରଣ କରିବା—ଏଇ ଦୁଇଟିରୁ ଗୋଟିଏ ହେଉ ଆମର ଧ୍ୟେୟ ।” ଗାନ୍ଧୀଜୀଙ୍କର ଏହି ଉକ୍ତି ଦେଶରେ ବାତ୍ୟା ବେଗରେ ପ୍ରଚାରିତ ହୋଇଥିଲେ ମଧ୍ୟ ‘ଭାରତଛାଡ଼ ଆନ୍ଦୋଳନ’ ପାଇଁ କଂଗ୍ରେସର ପରିକଳ୍ପିତ କାର୍ଯ୍ୟସୂଚୀ ବିଷୟରେ ଦେଶବାସୀ ପ୍ରାୟ ରହିଥିଲେ ଅଜ୍ଞ । ପୁନଶ୍ଚ ସରକାର ଏକ ପ୍ରତାରଣାମୂଳକ ଇସ୍ତାହାର ପ୍ରକାଶ କଲେ ଯେ ଡାକ ବିଭାଗକୁ ଅଚଳ କରିବା, ରେଳରାସ୍ତା ଭାଙ୍ଗିବା ଓ ଅନ୍ୟାନ୍ୟ ଧ୍ୱଂସମୂଳକ କାର୍ଯ୍ୟକରିବା ହେଉଛି ‘ଭାରତଛାଡ଼’ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ନିର୍ଦ୍ଧାରିତ ପଥରେ ପରିଚାଳିତ ହେବା ଦେଶବାସୀଙ୍କ ପକ୍ଷରେ ସମ୍ଭବପର ହୋଇପାରି ନଥିଲା । ତେବେ ନେତୃବୃନ୍ଦଙ୍କୁ କାରାମୁକ୍ତ କରିବାପାଇଁ ସରକାରଙ୍କ ନିକଟରେ ଦୃଢ଼ଦାବୀ କରାଗଲା । ସଭା, ଶୋଭାଯାତ୍ରା ଓ ହରତାଳ ଜରିଆରେ ସରକାରୀ ଦମନଲୀଳାର ତୀବ୍ର ପ୍ରତିବାଦ କରାଗଲା । କ୍ରମେ ସେହି ପ୍ରତିବାଦ ପରିଣତ ହେଲା ହିଂସାତ୍ମକ ଆନ୍ଦୋଳନରେ । ୨୨୫ ଟି ରେଳଷ୍ଟେସନ୍‌, ୫୫୦ ଟି ଡାକଘର, ୭୦ଟି ଥାନା, ୮୫ ଟି ସରକାରୀ ଦପ୍ତର ପୋଡ଼ି ଦିଆଗଲା । ବହୁ କଂଗ୍ରେସକର୍ମୀ ଓ ପୋଲିସ ହତାହତ ଦେଲେ ।

 

ସରକାର ଏହି ଆନ୍ଦୋଳନର ପ୍ରତିରୋଧ କଲେ । ଅଗଷ୍ଟ ୧୧ ଓ ୧୨ ତାରିଖରେ ଦିଲ୍ଲୀର ୪୭ ଟି ସ୍ଥାନରେ ଗୁଳି ଚାଲିଲା । କଲିକତାରେ ମଧ୍ୟ ୧୩ ତାରିଖ ଦିନ ପୋଲିସ ତରଫରୁ ଗୁଳି ଚାଲିଲା ଓ ବହୁ ଲୋକଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଗଲା । ସମଗ୍ର ଦେଶରେ ପ୍ରାୟ ୬ ଶହ ଲୋକ ପୋଲିସ୍‌ ଗୁଳିରେ ପ୍ରାଣ ହରାଇଲେ । ଏତିକିତରେ ସରକାର ସନ୍ତୁଷ୍ଟ ହେଲେ ନାହିଁ । ୨୦ ଜଣ ଲୋକଙ୍କୁ ମୃତ୍ୟୁଦଣ୍ଡରେ ଓ ୧୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ଏତଦ୍‌ବ୍ୟତୀତ ବହୁ ବ୍ୟକ୍ତି ଅର୍ଥଦଣ୍ଡରେ ଦଣ୍ଡିତ ହେଲେ ।

 

ଡକ୍ଟର ରାଧାକୃଷ୍ଣନ୍‌ ମଧ୍ୟ ଏହି ଆନ୍ଦୋଳନ ପ୍ରଭାବରୁ ବର୍ତ୍ତିଯାଇ ପାରି ନଥିଲେ । ହିନ୍ଦୁ ବିଶ୍ୱବିଦ୍ୟାଳୟରେ ମଧ୍ୟ ଜାତୀୟ ଆନ୍ଦୋଳନର ପ୍ରଭାବ ବିଶେଷ ଭାବେ ପରିଲକ୍ଷିତ ହୋଇଥିଲା । ସେହି ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଦରକାର ପଡ଼ିଥିଲା ପ୍ରଚୁର ଅର୍ଥ । ସ୍ୱାର୍ଥତ୍ୟାଗୀ ରାଧାକୃଷ୍ଣନ୍‌ଙ୍କୁ ସେଥିପାଇଁ ମାତ୍ର କେତୋଟି ସ୍ଥାନରେ ତାଙ୍କର କୌଳିକକର୍ମ ପୁରୋହିତଗିରି କରିବାକୁ ପଡ଼ିଥିଲା । ତାଙ୍କର ପୁରୋହିତ ଫିସ୍‌ ଥିଲା ଲକ୍ଷେ ଟଙ୍କା । ବରୋଦା ମହାରାଜା ତାଙ୍କୁ ଏଥିପାଇଁ ଏକ ଲକ୍ଷ ଟଙ୍କା ଦେଇଥିଲେ, ଯାହାର ବିନିଯୋଗରେ ବିଶ୍ୱବିଦ୍ୟାଳୟରେ ତୁଳନାତ୍ମକ ଧର୍ମର ଏକ ପୀଠ ସ୍ଥାପନ କରାଯାଇଥିଲା । ମୋଟ ଉପରେ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ଏକ ମହାନ୍‌ ଜ୍ଞାନକେନ୍ଦ୍ରରେ ପରିଣତ କରିବାପାଇଁ ସେ ଯେଉଁ ଉଦାରତା ପୂର୍ଣ୍ଣ ସ୍ୱାର୍ଥତ୍ୟାଗରେ ପରିଚୟ ଦେଇଥିଲେ, ତାହା ହିନ୍ଦୁ ବିଶ୍ୱବିଦ୍ୟାଳୟର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଅଛି ।

 

ପରିଚାଳନା ବା ଶାସନକ୍ଷେତ୍ରରେ ରାଧାକୃଷ୍ଣନ୍‌ଙ୍କର ପାରଗତା କମ୍‍ ନ ଥିଲା । ସେ ବିଶ୍ୱବିଦ୍ୟାଳୟରେ କୌଣସି ବିଭାଗୀୟ ମୁଖ୍ୟଙ୍କ କ୍ଷମତା ବା କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁ ନ ଥିଲେ । ସେଥିଯୋଗୁଁ ବିଶ୍ୱବିଦ୍ୟାଳୟର ପରିଚାଳନା ଖୁବ୍‌ ସୁରୁଖୁରୁରେ ଚାଲୁଥିଲା । କାର୍ଯ୍ୟର ନିୟମିତତା ପ୍ରତି ତାଙ୍କର ଦୃଷ୍ଟିଥିଲା ସର୍ବଦା ତୀକ୍ଷ୍‍ଣ । ତାଙ୍କରି ପ୍ରଚେଷ୍ଟାରେ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କର ଦରମା ଆଶାନୁରୂପେ ବୃଦ୍ଧି ପାଇଥିଲା; କିନ୍ତୁ ଏ ସବୁ ସତ୍ତ୍ୱେ ସେ ବିଶ୍ୱବିଦ୍ୟାଳୟକୁ ରାଜନୀତି ପ୍ରଭାବରୁ ଚେଷ୍ଟାକରି ମଧ୍ୟ ମୁକ୍ତ କରିପାରି ନଥିଲେ । କାରଣ ହିନ୍ଦୁ ବିଶ୍ୱବିଦ୍ୟାଳୟ ଆଜନ୍ମରୁ ଥିଲା ରାଜନୀତି ସହିତ ସଂପୃକ୍ତ ।

 

True greatness consists in spiritual strength which is the secret of our genius and power. All other values, economic, political, artistic derive from it.”

 

—Radhakrishnan

Image

 

ଜୟଯାତ୍ରା

 

ପରାଧୀନ ଭାରତବାସୀଙ୍କୁ ବିଦେଶୀମାନେ ଘୃଣାଚକ୍ଷୁରେ ଦେଖୁଥିଲେ । ଏହା ଇତିହାସ ସମ୍ମତ; କିନ୍ତୁ ସେ ସମୟରେ ଅର୍ଥାତ୍‌ ୧୯୨୭ ମସିହାରେ ବିଦେଶୀ ଡିଗ୍ରୀ ନ ଥିବା ଜଣେ ଧୋତୀ-ପଗଡ଼ି ପିନ୍ଧା ଭାରତୀୟ ଅକ୍‌ସଫୋର୍ଡ଼ର ମାନ୍‌ଚେଷ୍ଟର କଲେଜରେ ଜୀବନର ହିନ୍ଦୁ ଦୃଷ୍ଟିକୋଣ (Hindu view of life) ଉପରେ ଏକ ସାରଗର୍ଭକ ଭାଷଣ ଦେଇ ଭାରତର ଆତ୍ମିକ ବିଜୟର ଦେଇଥିଲେ ପ୍ରଭୂତ ସୂଚନା । କୁଳଗୁରୁଙ୍କର ବିଷୟବସ୍ତୁର ବ୍ୟଖ୍ୟା ଶୁଣି ଲଣ୍ଡନର ଭାରତୀୟ ସମାଜ, ବିଶେଷ କରି ଛାତ୍ରସମାଜ ଗର୍ବ ଓ ଗୌରବ ଅନୁଭବ କରିଥିଲେ । ବିଦେଶୀ ଡିଗ୍ରୀ ହାସଲ ନ କରି ଭାରତୀୟମାନେ ଶିକ୍ଷା ଓ ସଂସ୍କୃତିର ଚରମ ସୀମାରେ ପହଞ୍ଚି ପାରନ୍ତି, ଡକ୍ଟର ରାଧାକୃଷ୍ଣନ୍‌ଙ୍କ ବକ୍ତବ୍ୟରୁ ପାଶ୍ଚାତ୍ୟ ଲୋକେ ତାହା ବେଶ୍‌ ହୃଦୟଙ୍ଗମ କରିପାରିଥିଲେ । ଏହି ବକ୍ତବ୍ୟ ଜରିଆରେ ଭାରତର ଏକ ସ୍ୱତନ୍ତ୍ର ରୂପ ସେମାନଙ୍କ ସମକ୍ଷରେ ସୂଚିତ ହୋଇଥିଲା । ଅବଶ୍ୟ ଏହା ପୂର୍ବରୁ ମହାକବି ଗେଟେ ଦାର୍ଶନିକ ‘କ୍ୟାଣ୍ଟ’ ଓ ‘ମାକ୍‌ସ ମୁଲାର’ ଭାରତୀୟ ମହତ୍ତ୍ୱକୁ କିୟଦଂଶରେ ଉପସ୍ଥାପନ କରିଥିଲେ; କିନ୍ତୁ ରାଧାକୃଷ୍ଣନ୍‍ଙ୍କର ପାଣ୍ଡିତ୍ୟପୂର୍ଣ୍ଣ ବକ୍ତୃତା ପାଶ୍ଚାତ୍ୟବାସୀଙ୍କ ମନରେ ଭାରତୀୟ ଚିନ୍ତାଧାରା ପ୍ରତି ସୃଷ୍ଟି ହୋଇଥିବା ବିଶ୍ୱାସକୁ କରିଥିଲା ଅଧିକ ଦୃଢ଼ । ତାଙ୍କର ବକ୍ତବ୍ୟ ଶୁଣି ପ୍ରସିଦ୍ଧ ପତ୍ରିକା ‘ଦି ହିବର୍ଟ ଜର୍ଣ୍ଣାଲ’ର ସମ୍ପାଦକ ‘ଡ. ଜୈକସ୍‌’ ବିହ୍ୱଳ ହୋଇ ପଡ଼ିଥିଲେ ଓ ସଙ୍ଗେ ସଙ୍ଗେ କହିଥିଲେ—‘‘ପଣ୍ଡିତ ରାଧାକୃଷ୍ଣନ୍‌ଙ୍କର କ୍ରାନ୍ତିକାରୀ ଭାଷଣ ଯଥାର୍ଥେ ଆମ ଶିକ୍ଷାକେନ୍ଦ୍ରମାନଙ୍କର ଗୌରବ ବଢ଼ାଇ ଅଛି ।’’

 

କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ରାଧାକୃଷ୍ଣନ୍‌ ‘ବ୍ରାଡଲେ ଓ ଶଙ୍କରାଚାର୍ଯ୍ୟ’ ଶୀର୍ଷକ ଏକ ତୁଳନାତ୍ମକ ବକ୍ତୃତା ଦେଇଥିଲେ । ସେହି ବକ୍ତୃତାକ୍ରମରେ ହିନ୍ଦୁ ଧର୍ମ ଯେ ସବୁ ଧର୍ମର ମଉଡ଼ମଣି, ତାହା ସେ ପ୍ରତିପାଦନ କରିବାକୁ ଭୁଲି ନ ଥିଲେ । ଭାରତ ପରାଧୀନ ହେଲେ ମଧ୍ୟ, ତା’ର ଧର୍ମ ମହାନ୍‌ ଓ ସ୍ୱତନ୍ତ୍ର, ଖୁବ୍‌ ଦୃଢ଼ତା ସହକାରେ ତାହା ସେ ଘୋଷଣା କରିଥିଲେ । ତାଙ୍କର ସେହି ବକ୍ତୃତାମାଳା ଉପରେ ଟିପ୍ପଣୀ ଦେଇ ଲଣ୍ଡନର ଗୋଟିଏ ପ୍ରସିଦ୍ଧ ପତ୍ରିକାର ସମ୍ପାଦକ ଲେଖିଥିଲେ—‘‘ଅଧ୍ୟାପକ ରାଧାକୃଷ୍ଣନ୍‌ଙ୍କ ଜ୍ଞାନ ଅତ୍ୟନ୍ତ ଗମ୍ଭୀର ଓ ବିସ୍ତୃତ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଦର୍ଶନରେ ସେ ଜଣେ ମହାନ୍‌ ପଣ୍ଡିତ । ତାଙ୍କର ବିଚାରଧାରା ସ୍ୱଚ୍ଛ ଓ ସରଳ । ଶୁଦ୍ଧ ହିନ୍ଦୁ ଧର୍ମର ସେ ହେଉଛନ୍ତି ସର୍ବାଧିକ ପ୍ରସିଦ୍ଧ ବିଦ୍ୱାନ୍‌ । ଆମ ୟୁରୋପୀୟମାନଙ୍କୁ ହିନ୍ଦୁଧର୍ମ ବିଷୟରେ ତାଙ୍କ ପରି କେହି ଏତେ ସରଳ ଓ ସୁନ୍ଦର ଧାରଣା ଦେଇପାରି ନ ଥିଲେ ।’’ ସ୍ୱାମୀ ବିବେକାନନ୍ଦ ଥିଲେ ବେଦାନ୍ତର ପ୍ରଚାରକ; କିନ୍ତୁ ଡକ୍ଟର ରାଧାକୃଷ୍ଣନ୍‌ ବ୍ୟାପକ ହିନ୍ଦୁଧର୍ମର ଥିଲେ ପ୍ରଚାରକ । କୌଣସି ଶାଖାପ୍ରଶାଖା ତାଙ୍କ ବକ୍ତବ୍ୟର ସାମଗ୍ରୀ ନ ଥିଲା । ଇଂରାଜୀ ଭାଷାରେ ତାଙ୍କର ଅସାଧାରଣ ବ୍ୟୁତ୍ପତ୍ତି, ଏଥିପାଇଁ ତାଙ୍କର ହୋଇଥିଲା ଯଥେଷ୍ଟ ସହାୟକ । କୌଣସି ସାହାଯ୍ୟକାରୀ ଖାତାପତ୍ର ନ ଦେଖି ଭାରତୀୟ ଦର୍ଶନରେ ସେ ଅନର୍ଗଳ ବକ୍ତୃତା ଦେଇପାରୁଥିଲେ ।

 

ଆମେରିକା ଓ ୟୁରୋପର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ତାଙ୍କୁ ବକ୍ତୃତା ଦେବାକୁ ପଡ଼ିଥିଲା-। ତାଙ୍କ ବକ୍ତୃତା ଉପରେ ମନ୍ତବ୍ୟ ଦେବାକୁ ଯାଇ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଜଣେ ମୁଖ୍ୟ ଅଧ୍ୟାପକ କହିଥିଲେ—‘‘ଭାରତରେ ଆମର କୌଣସି ଧର୍ମ ପ୍ରଚାରର ଆବଶ୍ୟକତା ନାହିଁ । ଆମର ଧର୍ମବିଶ୍ୱାସ ବଦଳାଇ ପାରିବ, ଏପରି ବ୍ୟକ୍ତି ମଧ୍ୟ ଆମ୍ଭେ ଚାହୁଁ ନା । ଆମେ ଏପରି ଗୁରୁ ଚାହୁଁ ଯେ ଆମକୁ ଉପଯୁକ୍ତ ଜ୍ଞାନ ବିତରଣ କରିପାରିବେ । ରାଧାକୃଷ୍ଣନ୍‌ ସେମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଆମର ଯେ କୌଣସି ସନ୍ଦେହ ମୋଚନ କରିବା ପାଇଁ ସକ୍ଷମ ।’’ ଲଣ୍ଡନ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ତାଙ୍କୁ ଅନୁରୁପ ପ୍ରସଂଶାକରି ଏକ ପତ୍ରରେ ଲେଖିଥିଲେ—‘‘ଆଧୁନିକ ଯୁଗରେ ମନ ଆମର ଶଙ୍କା ଓ ଅସ୍ଥିରତାର ଆଶ୍ରୟସ୍ଥଳୀ ହୋଇପଡ଼ିଛି; କିନ୍ତୁ ଆପଣ ଭବିଷ୍ୟତ ପ୍ରତି ଆମ ମନରେ ଆଶା ଓ ସାହସ ଭରିଦେଇଅଛନ୍ତି । ଆପଣଙ୍କର ପାଣ୍ଡିତ୍ୟପୂର୍ଣ୍ଣ ଅଭିଭାଷଣ ଶୁଣି ଆମର ଛାତ୍ରକୁଳ ହୋଇଛନ୍ତି ଅଶେଷ ଉପକୃତ । ଖୁବ୍‌ କଠିନ୍‌ ବିଷୟର ଅତି ସରଳ ଓ ସୁନ୍ଦର ଭାବରେ ଆପଣଙ୍କର ଉପସ୍ଥାପନ ପ୍ରଣାଳୀ ଯଥାର୍ଥେ ଆମ ସମସ୍ତଙ୍କୁ ମୁଗ୍‌ଧ କରିଛି । ଇଂରାଜୀ ଆପଣଙ୍କର ମାତୃଭାଷା ନୁହେଁ; କିନ୍ତୁ ସେହି ଭାଷାରେ ଆପଣ ଏପରି ସୁନ୍ଦର ତଥା ମନୋମୁଗ୍‌ଧକର ଭାଷଣ ଦେଇ ପାରୁଛନ୍ତି, ତାହା ହିଁ ଏକ ଉଲ୍ଲେଖଯୋଗ୍ୟ ତଥା ବିସ୍ମୟକର ଘଟଣା । ଭାରତ ଯୁଗେ ଯୁଗେ ଧର୍ମ ଓ ଦର୍ଶନର ପୀଠସ୍ଥଳୀ । ଆପଣଙ୍କ ପରି ଜଣେ ମହାନ୍ ଭାରତୀୟ ଶିକ୍ଷାବିତ୍‌ଙ୍କର ଭାଷଣ ଶୁଣିବାର ସୌଭାଗ୍ୟ ଆମକୁ ମିଳିଲା, ସେଥିଯୋଗୁଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ ।”

 

ଇଂଲଣ୍ଡର ଚର୍ଚ୍ଚମାନଙ୍କରେ ରାଧାକୃଷ୍ଣନ୍‌କୁ ଧର୍ମ ତଥା ଦର୍ଶନ ସମ୍ବନ୍ଧରେ ତୁଳନାତ୍ମକ ଭାଷଣମାନ ଦେବାକୁ ପଡ଼ିଥିଲା । ତାଙ୍କର ବିଶ୍ଳେଷଣାତ୍ମକ ଭାଷଣ ଶୁଣି ଥରେ ଜଣେ ଇଂରେଜ ବୃଦ୍ଧା ହଠାତ୍ କହି ପକାଇଥିଲେ ଯେ, ଯେଉଁ ଭାରତ ରାଧାକୃଷ୍ଣନ୍‌ଙ୍କ ପରି ଜଣେ ଧର୍ମଜ୍ଞ ମହାପୁରୁଷଙ୍କ ଜନ୍ମଦାତ୍ରୀ, ସେ ଦେଶକୁ ଆମେ ଧର୍ମପ୍ରଚାରକ ପଠାଇବାରେ କିଛି ଆବଶ୍ୟକତା ଅଛି କି ? ସେ ଯାହାହେଉ, ରାଧାକୃଷ୍ଣନ୍‌ଙ୍କର ଇଂଲଣ୍ଡ ଆଗମନ ପୂର୍ବରୁ ପ୍ରାଚ୍ୟଦର୍ଶନ ତଥା ଧର୍ମର ଶିକ୍ଷା ତଥା ଗବେଷଣା ପାଇଁ ଇଂଲଣ୍ଡ ବିଶ୍ଵବିଦ୍ୟାଳୟ ସ୍ତରରେ ସେପରି କିଛି ବ୍ୟବସ୍ଥା ନ ଥିଲା, କିନ୍ତୁ ତାଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା ବ୍ୟଞ୍ଜକ ଅଭିଭାଷଣ ଏଚ.ଏନ୍‌. ସ୍ପାଲଡିଂଙ୍କୁ ଅକ୍‌ସଫୋଟ ବିଶ୍ଵବିଦ୍ୟାଳୟରେ ପ୍ରାଚ୍ୟଧର୍ମ ଓ ଆଚାର ଶାସ୍ତ୍ର (Eastern religion and ethics) ନାମକ ଏକ ସ୍ଵତନ୍ତ୍ର ଚେୟାର ବ୍ୟବସ୍ଥା କରିବା ପାଇଁ ଦେଇଥିଲା ପ୍ରେରଣା । ‘ସ୍ପାଲଡିଂ’ଙ୍କ ଅନୁରୋଧ କ୍ରମେ ରାଧାକୃଷ୍ଣନ୍ ଏହାର ସର୍ବପ୍ରଥମ ପ୍ରଫେସର ହେବା ପାଇଁ ସ୍ଵୀକୃତି ଦେଇଥିଲେ । ତାଙ୍କର ପ୍ରଚେଷ୍ଟା ଓ ପ୍ରେରଣାବଳରେ ଧର୍ମ ଅଧ୍ୟୟନ ପାଇଁ ଏକ ଟ୍ରଷ୍ଟ ସ୍ଥାପିତ ହୋଇଥିଲା । ଆଜି ଏହି ଟ୍ରଷ୍ଟଟି ‘ଇଉନିୟନ୍’ ପରେ ଦି ଷ୍ଟଡ଼ି ଅଫ ଦି ଗ୍ରେଟ୍ ରିଲଜନ୍‌ସ ନାମରେ ବିଶ୍ଵବିଖ୍ୟାତ ।

 

ଲଣ୍ଡନରେ ଅବସ୍ଥାନ ସମୟରେ ‘ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭୂଖଣ୍ଡରେ ରହସ୍ୟବାଦୀ ଅନୁଭବ’ ଶୀର୍ଷକ ଏକ ବ୍ୟାଗ୍ୟାନମାଳା ସେ ପ୍ରସ୍ତୁତ କରିଥିଲେ, ଯାହାକି ଥିଲା ଖୁବ୍ ପାଣ୍ଡିତ୍ୟପୂର୍ଣ୍ଣ ଓ ଗମ୍ଭୀର । ୧୯୩୯ ମସିହାରେ ତାଙ୍କୁ ଗାନ୍ଧୀ ଅଭିନନ୍ଦନ ଗ୍ରନ୍ଥର ସମ୍ପାଦନା ଦାୟିତ୍ଵ ଦିଆଯାଇଥିଲା । ଖୁବ୍ କୃତିତ୍ଵ ସହକାରେ ସେ ଗ୍ରନ୍ଥଟି ସୀମିତ ସମୟ ଓ ପରିସର ମଧ୍ୟରେ ସଂକଳନ କରିଥିଲେ । ସେହି ଗ୍ରନ୍ଥ ଉପରେ ଆଲୋକପାତ କରି ଲଣ୍ଡନର ପ୍ରସିଦ୍ଧ ‘ଟାଇମ୍‌ସ’ ପତ୍ରିକାର ସମ୍ପାଦକ ତାଙ୍କର ସାହିତ୍ୟିକ ବିଶେଷାଙ୍କରେ ଲେଖିଥିଲେ—“ରାଧାକୃଷ୍ଣନଙ୍କର ଭକ୍ତିଭାଜନ ହେବା ଗାନ୍ଧିଜୀଙ୍କର ଏକ ଅନୁପମ ସଫଳତା । ରାଜନୀତି କ୍ଷେତ୍ରରେ ସେ ଆଶାନୁରୂପ ସଫଳତା ହାସଲ କରି ନ ଥିଲେ ମଧ୍ୟ ଅସାଧାରଣ ବୌଦ୍ଧିକ ସିଦ୍ଧି ହାସଲ କରିପାରି ଅଛନ୍ତି ଗାନ୍ଧିଜୀଙ୍କ ପରି ତାଙ୍କ ଆତ୍ମା ମଧ୍ୟ ଅଧିକ ସ୍ଵଚ୍ଛତାର ଅଧିକାରୀ ।” ଉତ୍ତର-ପଶ୍ଚିମ ଜର୍ମାନୀ ରେଡ଼ିଓରୁ ରାଧାକୃଷ୍ଣନ୍‌ଙ୍କୁ ଉଚ୍ଛ୍ଵସିତ ପ୍ରଶଂସା କରି ଡକ୍ଟର ‘ୟୁଂଗ’ କହିଥିଲେ ଯେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ଏକ ସୁବର୍ଣ୍ଣ ସେତୁ ନିର୍ମାଣ କରିବାରେ ରାଧାକୃଷ୍ଣନ୍ ହେଉଛନ୍ତି ଜଣେ ପୂଜ୍ୟ ତଥା ମହାନ୍ ବିନ୍ଧାଣୀ ।

 

ଆର୍ଥର ମେକ୍ କହିଥିଲେ—“ଡକ୍ଟର ରାଧାକୃଷ୍ଣନ୍ ପ୍ଲେଟୋଙ୍କର ଦାର୍ଶନିକ ତଥା ରାଜନୀତିକ ସ୍ଵପ୍ନକୁ ସାର୍ଥକ କରୁଅଛନ୍ତି । ତାଙ୍କର ଜୀବନ ଉଭୟ କବି ଓ କଳାକାର ଜୀବନର ଅପରୂପ ସମାହାର । ଆଧ୍ୟାତ୍ମିକ ଗାମ୍ଭୀର୍ଯ୍ୟର ପୃଷ୍ଠଭୂମି ଉପରେ ତାଙ୍କର ଜ୍ଞାନ ପ୍ରତିଷ୍ଠିତ । ବର୍ତ୍ତମାନ ଯୁଗର ସେ ଜଣେ ମହାନ୍ ଦାର୍ଶନିକ । ମାନବ ସମାଜର ବିକାଶ ପାଇଁ ସେ ଏକ ବିଶ୍ଵପଦ୍ଧତିର ଅଦ୍ଵିତୀୟ ପ୍ରତିନିଧି ।”

 

ଅକ୍‌ସଫୋର୍ଡରେ ଅବସ୍ଥାନ କରୁଥିଲେ ସୁଦ୍ଧା ତାଙ୍କର ବ୍ୟକ୍ତିଗତ ଚଳଣିରେ ଆଦୌ ପରିବର୍ତ୍ତନ ପରିଲକ୍ଷିତ ହୋଇ ନ ଥିଲା । ବିଦେଶରେ ଥାଇ ମଧ୍ୟ ଦକ୍ଷିଣଭାରତୀୟ ନିରାମିଷ ଖାଦ୍ୟକୁ ସେ ସବୁଠାରୁ ବେଶି ଆଦର କରୁଥିଲେ । ଲେଖକ ତଥା ବନ୍ଧୁମାନଙ୍କୁ ସେ ସାମୟିକ ନୈଶଭୋଜିରେ ଆପ୍ୟାୟିତ କରୁଥିଲେ । ଏହି ଭୋଜିରେ ଆମିଷ ଓ ନିରାମିଷର ବ୍ୟବସ୍ଥା ରହୁଥିଲା । ବିଦେଶରେ ଥାଇ ମଧ୍ୟ ସେ ସବୁବେଳେ ନିଜ ଦେଶର ଶିକ୍ଷା ସମସ୍ୟା ବିଷୟ ଚିନ୍ତା କରୁଥିଲେ । ତାଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଜାଗି ଉଠୁଥିଲା; ତାହା ହେଉଛି–“ଭାରତରେ କଣ କେମ୍ବ୍ରିଜ ପରି ଗୋଟିଏ ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇ ପାରିବ ନାହିଁ ?” କିନ୍ତୁ ବିଦେଶୀ ଶାସନରେ ବିଶ୍ଵବିଦ୍ୟାଳୟଗୁଡ଼ିକର ଅବସ୍ଥା ଅତି ଶୋଚନୀୟ ଥିଲା । ତେଣୁ ରାଧାକୃଷ୍ଣନ୍‌ଙ୍କ ପରି ଶିକ୍ଷାବିତ୍‍ଙ୍କର ସ୍ଵପ୍ନ ସ୍ଵପ୍ନରେ ହିଁ ରହିଯାଇଥିଲା । ପୁନଶ୍ଚ ସେତେବେଳେ ଭାରତୀୟ ନେତୃବୃନ୍ଦ ପ୍ରାଥମିକ ଶିକ୍ଷା ଉପରେ ଅଧିକ ଜୋର୍ ଦେଉଥିଲେ । ଗୋପାଳ କୃଷ୍ଣ ଗୋଖେଲ ସେମାନଙ୍କ ମଧ୍ୟରେ ଥିଲେ ଅଗ୍ରଣୀ । ଦେଶର ପ୍ରାଥମିକ ଶିକ୍ଷା ପାଇଁ ସେ ଯେଉଁ ପରିକଳ୍ପନା କରିଥିଲେ, ଗୋରା ସରକାର ତାହା ସ୍ୱୀକାର ନ କରିବାରୁ, ଗାନ୍ଧିଜୀ ଇତ୍ୟାଦିଙ୍କ ମନରେ ମଧ୍ୟ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏପରି ପରିସ୍ଥିତିରେ ଭାରତୀୟ ଶିକ୍ଷା ଆନ୍ଦୋଳନର କର୍ଣ୍ଣଧାର ହେବା ପାଇଁ ରାଧାକୃଷ୍ଣନ୍‌ ବ୍ୟଗ୍ର ଥିଲେ । ଜାତୀୟ ପରମ୍ପରାକୁ ଭିତ୍ତିକରି ସ୍ୱଦେଶୀ ଶିକ୍ଷା ବ୍ୟବସ୍ତା କରାଯାଉ, ଏହା ହିଁ ଥିଲା ତାଙ୍କର ଲକ୍ଷ୍ୟ । ଅକ୍‌ସଫୋର୍ଡ଼ରେ ଅବସ୍ଥାନ କରିବା ଦ୍ୱାରା ସେ ଦୁଇ ଦେଶର ଶିକ୍ଷାର ମାନ ତୁଳନା କରିବାକୁ ସମର୍ଥ ହୋଇ ପାରିଥିଲେ ଓ ପାର୍ଥକ୍ୟ ଲକ୍ଷ୍ୟ କଲା ପରେ ଗୋରା ସରକାରଙ୍କ ପ୍ରତି ତାଙ୍କ ମନରେ ସ୍ୱତଃ ଘୃଣା ଜାତ ହୋଇଥିଲା ।

 

ବିଦେଶରେ ସେ ଯେଉଁ ତୁଳନାତ୍ମକ ଧର୍ମ ଓ ଦର୍ଶନ ସମ୍ବନ୍ଧରେ ଭାଷଣ ଦେଇଥିଲେ, ତାହା (East and West in Religion) ନାମକ ଏକ ଗ୍ରନ୍ଥରେ ସ୍ଥାନ ପାଇଅଛି । ଏହି ଗ୍ରନ୍ଥରେ ଧର୍ମର ସେ ଏକ ସ୍ୱତନ୍ତ୍ର ବାଖ୍ୟା ଦେଇଅଛନ୍ତି । ତାଙ୍କ ମତରେ ନ୍ୟାୟ ଆଚରଣ କରିବା, କ୍ଷମାଶୀଳ ହେବା ଓ ଦୁନିଆଁରେ ସମସ୍ତଙ୍କୁ ସୁଖୀ କରାଇବା ଧର୍ମର ମୌଳିକ ତତ୍ତ୍ୱ । ଶୁଷ୍କ ଦର୍ଶନ ତଥା ଧର୍ମତତ୍ତ୍ୱ ଉପରେ ଭାଷଣ ତାଙ୍କର ଅଧିକ ଲୋକପ୍ରିୟ ହେଉଥିଲା, ତାହା ସେ ନିଜେ ମଧ୍ୟ ସ୍ୱୀକାର କରିଅଛନ୍ତି । ସେ କହିଛନ୍ତି—‘‘ଅକସ୍‌ଫୋର୍ଡ଼, ବିର୍ମିଂହମ୍‌, ମାନ୍‌ଚେଷ୍ଟର, ଲିଭରପୁଲ ଇତ୍ୟାଦି ସ୍ଥାନମାନଙ୍କରେ ଖ୍ରୀଷ୍ଟିଆନ୍‌ ସଂପ୍ରଦାୟର ଲୋକେ ଯେପରି ମୋର ଭାଷଣ ପ୍ରତି ଆକୃଷ୍ଟ ହୋଇଥିଲେ, ତାହା ମୋତେ ଅଭିଭୂତ କରିଥିଲା’’ । ସ୍ୱଦେଶ ପରି ବିଦେଶରେ ମଧ୍ୟ ଛାତ୍ରମାନଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ଘନିଷ୍ଠ । ତେଣୁ ସେ My search for truth ରେ ଲେଖିଛନ୍ତି–‘ଦର୍ଶନଶାସ୍ତ୍ର, ଯାହାକୁ ଅଦରକାରୀ ବୋଲି ବିଶ୍ୱବିଦ୍ୟାଳୟ ସ୍ତରରେ ବିବେଚନା କରନ୍ତି, ସେଥିପ୍ରତି ଏତେ ଛାତ୍ରଛାତ୍ରୀ ଯେ କିପରି ଆକୃଷ୍ଟ ହୋଇ ପାରିଲେ, ତାହା ଚିନ୍ତାକଲେ ଆଜି ବି ମୁଁ ସ୍ତମ୍ଭୀଭୂତ ହୋଇଥାଏ । ମୁଁ ସେମାନଙ୍କୁ ସମ୍ୟକ୍‌ ଧାରଣା ଦେଇଥିଲି ଯେ ଦର୍ଶନର ଲକ୍ଷ୍ୟ ମଣିଷକୁ ସାଂସାରିକ ସ୍ତରରୁ ଊର୍ଦ୍ଧ୍ୱକୁ ନେବା, ଉନ୍ନତ ତଥା ଅଭିରୁଚିସମ୍ପନ୍ନ ବାତାବରଣ ସୃଷ୍ଟି କରିବା, ଲୌକିକ ଜୀବନକୁ ଉନ୍ନତ ତଥା ଋଦ୍ଧିମନ୍ତ କରିବା ।

Image

 

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

 

ସେତେବେଳେ ଭାରତର ଦିଗ୍‌ବଳୟରେ ଦେଖାଦେଇଥାଏ ଦ୍ୱିତୀୟ ମହାସମରର ଘନଘଟା । ବଡ଼ଲାଟ ଲର୍ଡ଼ ଲିନ୍‌ଲିଥଗୋ ଦେଶବାସୀଙ୍କ ସମ୍ମତି ନ ନେଇ ଭାରତ ଯୁଦ୍ଧରେ ଯୋଗଦେଲା ବୋଲି ଘୋଷଣା କରିଦେଲେ । ତା’ପରେ ଦୀର୍ଘ ତିନି ବର୍ଷ ଧରି ଦେଶ ଉପରେ ବହିଚାଲିଲା ଅନ୍ୟାୟ ଅତ୍ୟାଚାରର ଘୂର୍ଣ୍ଣିବାତ୍ୟା । ଶେଷରେ ଆରମ୍ଭ ହେଲା ବାପୁଜୀଙ୍କ ପରିକଳ୍ପିତ ଭାରତ ଛାଡ଼ ଆନ୍ଦୋଳନ । ଦେଶବାସୀଙ୍କ ମନରେ ଅଶାନ୍ତି ପୁଞ୍ଜିଭୂତ ହୋଇ ଉଠିଲା । ଓ୍ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ଏକ ଜରୁରୀ ଅଧିବେଶନରେ ସ୍ଥିର ହେଲା ଯେ ଭାରତକୁ ଯଦି ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶର ସମ୍ମାନ ଦିଆଯାଏ; ତେବେ ଯେ କୌଣସି ଆକ୍ରମଣ ବିରୁଦ୍ଧରେ ପରସ୍ପରର ପ୍ରତିରକ୍ଷା ଲାଗି ଉଦ୍ୟମ କରୁଥିବା ଅନ୍ୟ ସ୍ୱାଧୀନ ଦେଶମାନଙ୍କ ସହିତ ସେ ଆନନ୍ଦରେ ଯୋଗଦେବ । ଏହା ସଙ୍ଗେ ସଙ୍ଗେ ଆହୁରି ଏକ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା ଯେ ଗଣତନ୍ତ୍ର ଓ ସାମ୍ରାଜ୍ୟବାଦ ସମ୍ପର୍କରେ ସେମାନଙ୍କର ଯୁଦ୍ଧର ନୀତି କ’ଣ ଓ ନିର୍ଦ୍ଧିଷ୍ଟ ଭାବେ ଭାରତ ସମ୍ପର୍କରେ କି ନୀତି ଗ୍ରହଣ କରାଯିବ, ତାହା ବ୍ରିଟେନ ସ୍ପଷ୍ଟଭାବେ ଘୋଷଣା କରୁ; କିନ୍ତୁ ବଡ଼ଲାଟଙ୍କ ଠାରୁ ଏ ସମ୍ପର୍କରେ ଯେଉଁ ଉତ୍ତର ମିଳିଲା, ତାହା ନୈରାଶ୍ୟଜନକ ହେଲା । ଅକ୍ଟୋବର (୧୯୩୯ ମସିହା) ୨୨ ତାରିଖରେ ବଡ଼ଲାଟଙ୍କ ସର୍ତ୍ତ ଉପରେ ବ୍ରିଟେନକୁ ଯୁଦ୍ଧରେ ସାହାଯ୍ୟ ନ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ଏକ ନିଷ୍ପତ୍ତି ଗ୍ରହଣ କଲେ । ଏହା ଫଳରେ ଭାରତର ୮ଟି ପ୍ରଦେଶର କଂଗ୍ରେସ ସରକାର ଇସ୍ତାପା ଦେଲେ । ବଡ଼ଲାଟ ବ୍ୟବସ୍ଥାସଭାକୁ ଭାଙ୍ଗିଲେ ନାହିଁ କିମ୍ବା ନୂତନ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଲେ ନାହିଁ । ସେହି ଆଠଟି ରାଜ୍ୟରେ ଲାଟ ଶାସନ ପ୍ରଚଳିତ ହେଲା ।

 

୧୯୪୧ ମସିହାରେ କ୍ରମେ ଜାପାନ ମାଲେସିଆ ଓ ବର୍ମା ଅଧିକାର କଲା । ବ୍ରିଟେନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଗୁରୁଗମ୍ଭୀର ନାଦରେ ଘୋଷଣା କଲେ ଯେ ସେ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟର ବିଲୋପ ସାଧନ କରାଇ ଦେବେ ନାହିଁ; କିନ୍ତୁ ତାଙ୍କର ସେ ଆସ୍ଫଳନ ରହିଲା ନାହିଁ । ବହୁ ସାମରିକ ବିପର୍ଯ୍ୟୟର ସମ୍ମୁଖୀନ ହେବାରୁ ଓ ଆମେରିକା ଚାପଦେବାରୁ ଭାରତ ସହିତ କଥାବାର୍ତ୍ତା କରି ଏକ ସମାଧାନର ସୂତ୍ର ବାହାର କରିବା ପାଇଁ ୧୯୪୨ ମସିହା ମାର୍ଚ୍ଚ ମାସରେ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କୁ ସେ ଭାରତକୁ ପଠାଇଲେ । ଯୁଦ୍ଧ ପରେ ଭାରତକୁ ଡୋମିନିୟନ୍‌ ପାହ୍ୟା ମିଳୁ ବୋଲି କ୍ରିପସ୍‌ ପ୍ରସ୍ତାବ ଦେଲେ । ସେଥିରେ ସର୍ତ୍ତ ରହିଲା ଯେ ଯେଉଁ ପ୍ରଦେଶ ବା ଦେଶୀୟ ରାଜାମାନେ ଭାରତର ଭାବୀ ସାମ୍ବିଧାନିକ ଗଠନ ବ୍ୟବସ୍ଥାର ମଧ୍ୟରେ ରହିବାକୁ ଅନିଚ୍ଛା ପ୍ରକାଶ କରିବେ, ସେମାନଙ୍କ ସକାଶେ ବ୍ରିଟିଶ୍‌ ସରକାରଙ୍କ ସାହାଯ୍ୟକ୍ରମେ ଅନ୍ୟ ସାମ୍ବିଧାନିକ ବ୍ୟବସ୍ତା ଗଠନ କରାଯିବ । ପରୋକ୍ଷରେ ବ୍ରିଟିଶ୍‌ ସରକାର ପାକିସ୍ଥାନ ଗଠନ ଦାବିକୁ ଗ୍ରହଣ କରିନେଲେ ।

 

ବାପୁଜୀଙ୍କ ଅହିଂସା ଆନ୍ଦୋଳନରେ ତାଙ୍କର ପରମ ସହାୟକ ଥିଲେ ଜବାହରଲାଲ ନେହେରୁ, ରାଜେନ୍ଦ୍ରପ୍ରସାଦ, ମୌଲାନା ଆଜାଦ୍‌, ରାଜାଜୀ ଇତ୍ୟାଦି ବହୁ ପ୍ରବୀଣ ବ୍ୟକ୍ତି । ଡକ୍ଟର ରାଧାକୃଷ୍ଣନ୍‌ ଏହି ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ନ ଥିଲେ ମଧ୍ୟ, ପରୋକ୍ଷରେ ଏହି ଆନ୍ଦୋଳନରେ ହୋଇଥିଲେ ସହାୟକ । ସେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ନ ଥିଲେ, କିମ୍ୱା ବ୍ରିଟିଶ ସରକାରଙ୍କ ପ୍ରଦତ୍ତ ସାର୍‌ ଉପାଧି ପ୍ରତ୍ୟାଖ୍ୟାନ କରି ନ ଥିଲେ ସତ୍ୟ; କିନ୍ତୁ ବିଶ୍ୱବିଦ୍ୟାଳୟ ସ୍ତରରେ ଗଢ଼ି ପାରିଥିଲେ ସ୍ୱାଧୀନତା ସଂଗ୍ରାମ ପାଇଁ ଅସଂଖ୍ୟ ଯୋଦ୍ଧା । ସ୍ୱାଧିନତା ସଂଗ୍ରାମ ପାଇଁ ତାଙ୍କ ହୃଦୟ ହୋଇ ଉଠୁଥିଲା ସ୍ୱତଃସ୍ପନ୍ଦିତ । ଜାତିର ଜନକ ବାପୁଜୀଙ୍କ ପ୍ରତି ତାଙ୍କର ଥିଲା ଅବିକଳ୍ପ ଅନୁରକ୍ତି । ବାପୁଜୀଙ୍କ ଅନୁସୃତ ଅହିଂସାମାର୍ଗକୁ ସେ ତାଙ୍କର ଭାଷଣରେ ଖୁବ୍‌ ଗର୍ବ ସହକାରେ ଉଲ୍ଲେଖ କରୁଥିଲେ । ଶିକ୍ଷାବିଭାଗରେ ଥିଲେ ମଧ୍ୟ ଦେଶର ରାଜନୀତିକ ପରିସ୍ଥିତି ଓ ପରିବର୍ତ୍ତନ ପ୍ରତି ସେ ଥିଲେ ସର୍ବଦା ଜାଗ୍ରତ । ଥରେ ସେ ଏଲାହାବାଦ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ନିମନ୍ତ୍ରିତ ହୋଇଥାନ୍ତି । ସେହି ସମାବର୍ତ୍ତନ ଉତ୍ସବରେ ସଭାପତିତ୍ୱ କରୁଥାନ୍ତି ତତ୍‌କାଳୀନ ୟୁ.ପି. ଗଭର୍ଣ୍ଣର ‘ସର୍‌ ମାଲ୍‌କମ୍‌ ହେଲି’ । ରାଧାକୃଷ୍ଣନ୍‌ ଅତ୍ୟାଚାରୀ ବ୍ରିଟିଶ ସରକାରଙ୍କ ଅମଳରେ ଭାରତୀୟଙ୍କର କିପରି ନୈତିକ ଅଧୋଗତି ଘଟିଛି, ତାହାର ଏକ ସ୍ଥୂଳ ଚିତ୍ର ତାଙ୍କ ଦୀକ୍ଷାନ୍ତ ଭାଷଣରେ ଦେବାକୁ ଭୁଲି ନ ଥିଲେ । ସେ କହିଥିଲେ, ‘‘ଭାରତର ସବୁ ସ୍ତରରେ ନୂତନ ଆଲୋକ ସମ୍ପାତ ପାଇଁ ଆମେ ଚାହୁଁ ପ୍ରଥମେ ସ୍ୱଧୀନତା ।” ରାଧାକୃଷ୍ଣନ୍‌ଙ୍କର କ୍ରାନ୍ତିକାରୀ ଅଭିଭାଷଣରୁ ତାଙ୍କ ବିରାଟ ବ୍ୟକ୍ତିତ୍ୱର ପରିଚୟ ପାଇ ଗଭର୍ଣ୍ଣର ତା’ର ପ୍ରତିବାଦ ନ କରି ରହିଥିଲେ ନୀରବ ।

 

ଲିବରାଲ୍‌ ପାର୍ଟି ପ୍ରତି ରାଧାକୃଷ୍ଣନ୍‌ଙ୍କର ଆଦୌ ସହାନୁଭୂତି ନ ଥିଲା । କାରଣ ସେହି ଦଳର ନୀତି ଓ କାର୍ଯ୍ୟକ୍ରମରେ ସହନଶୀଳତାର ଅଭାବ ପରିଲକ୍ଷିତ ହେଉଥିଲା । ବାପୁଜୀଙ୍କର ଅହିଂସାତ୍ମକ ପ୍ରଚେଷ୍ଟା ପ୍ରତି ତାଙ୍କର ଆସ୍ଥା ଥିଲା ଅତୁଟ । ସହଜ ସରଳ ଭାଷାରେ ପ୍ରାଚୀନ ଭାରତୀୟ ସଂସ୍କୃତିର ମୂଲ୍ୟ ଓ ଶାଶ୍ୱତତା ନିରୂପଣ କରି ସେ ପରାଧୀନ ଭାରତ ବାସୀଙ୍କ ମନରେ ବପନ କରିଥିଲେ ଆତ୍ମବିଶ୍ୱାସ ଓ ଆତ୍ମଗୌରବର ବୀଜ । ତାଙ୍କର ବହୁ ସାଂସ୍କୃତିକ ଓ ଜାତୀୟତାମୂଳକ ଲେଖା ବିଦେଶର ବହୁ ପତ୍ରପତ୍ରିକାରେ ପ୍ରକାଶିତ ହେବା ଦ୍ୱାରା ବିଶ୍ୱବାସୀ କ୍ରମେ ଭାରତ ପ୍ରତି ହୋଇଥିଲେ ସହାନୁଭୂତିଶୀଳ । କଂଗ୍ରେସର ସୁଚିନ୍ତିତ କାର୍ଯ୍ୟନିର୍ଘଣ୍ଟ ପ୍ରତି ରାଧାକୃଷ୍ଣନ୍‌ଙ୍କର ସହାନୁଭୂତି ଥିଲା । ସେହି ଦଳରେ ଏକତା ପ୍ରତିଷ୍ଠା ପାଇଁ ତାଙ୍କର ଉଦ୍ୟମ ଥିଲା ପ୍ରଶଂସନୀୟ । ଗାନ୍ଧିଜୀ ତାଙ୍କୁ ଏକ ପତ୍ରରେ ସନ୍ଥ ବିନୋବାଙ୍କ ସହିତ ସାକ୍ଷାତ୍‌ କରିବାକୁ ଲେଖିଲେ-। ତଦନୁଯାୟୀ ସେ ବିନୋବାଜୀଙ୍କୁ ପାବନାର ଆଶ୍ରମରେ ସାକ୍ଷାତ କରିଥିଲେ । ଆଳାପ ଆଲୋଚନା ପରେ ବିନୋବାଜୀ ତାଙ୍କୁ ନେତାଜୀ ସୁଭାଷଙ୍କ ସହିତ ସାକ୍ଷାତ କରିବା ପାଇଁ ପଠାଇଥିଲେ । ସେତେବେଳେ ହରିପୁର କଂଗ୍ରେସ ଅଧିବେଶନ ଆଗେଇ ଆସିଥାଏ । ସୁଭାଷ ବୋଷ ସେହି ଅଧିବେଶନରେ ଅଧ୍ୟକ୍ଷତା କରିବା ପାଇଁ ଥା’ନ୍ତି ଅତ୍ୟନ୍ତ ଉତ୍ସୁକ । ରାଧାକୃଷ୍ଣନ୍‌ ଗାନ୍ଧିଜୀଙ୍କୁ ସୁଭାଷ ବୋଷଙ୍କର ଇଚ୍ଛା ଜଣାଇଥିଲେ । ଉତ୍ତରରେ ଗାନ୍ଧିଜୀ କହିଥିଲେ—‘‘ପ୍ରଥମେ ତାଙ୍କୁ ନିରୋଗ ଓ ସ୍ୱାସ୍ଥ୍ୟବାନ୍‌ ହେବାକୁ ଦିଅ ।” କାରଣ ସୁଭାଷ ଥିଲେ ସେ ସମୟରେ ରୋଗାକ୍ରାନ୍ତ-। ରାଧାକୃଷ୍ଣନ୍‌ ବାପୁଜୀଙ୍କୁ କହିଥିଲେ, ‘‘ସୁଭାଷବାବୁଙ୍କୁ ଯଦି ଆସନ୍ତା କଂଗ୍ରେସ ଅଧିବେଶନର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରାଯାଏ, ତାହାହେଲେ ସେ ପୁର୍ଣ୍ଣ ନିରୋଗ ଓ ସ୍ୱାସ୍ଥ୍ୟବାନ ହୋଇପାରିବେ ନାହିଁ ।’’ ଅନିଚ୍ଛାସତ୍ତ୍ୱେ କେବଳ ରାଧାକୃଷ୍ଣନ୍‌ଙ୍କ ଅନୁରୋଧ ରକ୍ଷାକରି ଆସନ୍ତା କଂଗ୍ରେସ ଅଧିବେଶନରେ ସୁଭାଷଙ୍କୁ ଅଧ୍ୟକ୍ଷ କରିବା ପାଇଁ ବାପୁଜୀ ସମ୍ମତ ହୋଇଥିଲେ ।

 

ରାଧାକୃଷ୍ଣନ୍‌ଙ୍କର ପାଣ୍ଡିତ୍ୟ, ବାଗ୍ମିତା ଓ ବିଚାରଶୀଳତାକୁ ଗାନ୍ଧିଜୀ ଭୂୟସୀ ପ୍ରଶଂସା କରୁଥିଲେ । ତାଙ୍କର ନିର୍ଭୟଚିତ୍ତତା ବାପୁଜୀଙ୍କୁ ସବୁଠାରୁ କରିଥିଲା ବେଶି ଆକୃଷ୍ଟ । ସୋଭିଏତ୍‍ ରୁଷ୍‌ର ଭାଗ୍ୟବିଧାତା ମାର୍ସାଲ୍‌ ଷ୍ଟାଲିନ୍‌ଙ୍କୁ ବିଦେଶୀ ରାଜନୀତିଜ୍ଞମାନେ ସାକ୍ଷାତ୍‌ କରିବା ସହଜେ ସମ୍ଭବପର ହେଉ ନ ଥିଲା; କିନ୍ତୁ ରାଧାକୃଷ୍ଣନ୍‌ ଏକାଧିକବାର ତାଙ୍କୁ ସାକ୍ଷାତ୍‌ କରିବାର ସୁଯୋଗ ପାଇଥିଲେ । କଥାବାର୍ତ୍ତା ଛଳରେ ଷ୍ଟାଲିନ୍ ରାଧାକୃଷ୍ଣନ୍‌ଙ୍କୁ କହିଥିଲେ—‘‘ଭାରତରେ ଜଣେ ରାଜା ଥିଲେ, ଯାହାଙ୍କର ଅନୁସୃତ ମାର୍ଗ ଥିଲା ରକ୍ତରେ ରଞ୍ଜିତ; କିନ୍ତୁ ଦିନେ ହଠାତ୍‍ ସେ ତାଙ୍କର ମାର୍ଗ ପରିବର୍ତ୍ତନ କରିଥିଲେ । ହିଂସା ତ୍ୟାଗ କରି ପ୍ରେମ, ଅହିଂସା ଓ ଶାନ୍ତିମାର୍ଗର ସେ ହୋଇଥିଲେ ପଥୁକୀ ।’’ ତା ପରେ ଦାର୍ଶନିକ (ରାଧାକୃଷ୍ଣନ୍‌) ଡିକ୍ଟେଟର (ଷ୍ଟାଲିନ୍‌)ଙ୍କୁ ପଚାରିଥିଲେ—‘‘ଆପଣ ସେହି ଅହିଂସା ଓ ଶାନ୍ତିମାର୍ଗ ଗ୍ରହଣ କରୁ ନାହାନ୍ତି କାହିଁକି ? ‘‘ଏହା ଶୁଣି କିଛି ସମୟ ପାଇଁ ଷ୍ଟାଲିନ୍‌ ନିରୁତ୍ତର ରହିଥିଲେ । ରାଧାକୃଷ୍ଣନ୍‌ଙ୍କ ବିଦାୟ ପରେ ସେ ତାଙ୍କର ଦୋଭାଷୀ (ଇଣ୍ଟରପ୍ରିଟର)ଙ୍କୁ କହିଥିଲେ—‘‘ଏହି ବ୍ୟକ୍ତି ରାଜନୀତିଜ୍ଞ ନୁହଁନ୍ତି । କେବଳ ଜଣେ ଦେଶଭକ୍ତ ।’’ ପ୍ରକୃତରେ ସେ ରାଜନୀତି ଠାରୁ ଅଧିକ ପରକାଷ୍ଠା ପ୍ରଦର୍ଶନ କରିଥିଲେ ଦେଶଭକ୍ତିରେ ।

 

ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ ପରେ ମାନ୍ଦ୍ରାଜଠାରେ ଜି.ଏ. ନଟେସ୍‌ଙ୍କ ଘରେ ଅବସ୍ଥାନ କରୁଥାନ୍ତି । ସେହି ସମୟରେ ରାଧାକୃଷ୍ଣନ୍‌ଙ୍କର ପ୍ରଥମ ପରିଚୟ ହୋଇଥିଲା ଗାନ୍ଧିଜୀଙ୍କ ସହିତ । ଗାନ୍ଧିଜୀ ଯୁବ ଅଧ୍ୟାପକଙ୍କୁ ଆଲୋଚନା ଛଳରେ କହିଥିଲେ—‘‘ଦୁଧ ପିଅ ନାହିଁ, ତାହା ଗୋମାଂସର ସାରାଂଶ !’’ ଅଧ୍ୟାପକ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ—‘‘ତାହାହେଲେ ଆମେ ସମସ୍ତେ ତ ନରଭକ୍ଷକ । ଆମ୍ଭେମାନେ ମାଆ ଦୁଧ ପିଇଥାଉଁ; ଯାହା କି ମଣିଷ ମାଂସର ସାରାଂଶ-।’’ ସେହିଦିନ ପ୍ରଥମ ସାକ୍ଷାତ ହେଲେ ମଧ୍ୟ ଅଧ୍ୟାପକ ରାଧାକୃଷ୍ଣନ୍‌ ବାପୁଜୀଙ୍କ ସହିତ ନିଃଶଙ୍କ ଚିତ୍ତରେ ବହୁଯୁକ୍ତି ସମ୍ବଳିତ ଆଲୋଚନା କରିଥିଲେ । ସେତେବେଳ ପର୍ଯ୍ୟନ୍ତ ରାଧାକୃଷ୍ଣନ୍‌ ଜଣେ ତର୍କଶାସ୍ତ୍ର ଅଧ୍ୟାପକ ବୋଲି ବାପୁଜୀ ଜାଣି ନ ଥିଲେ । ନଟେସନ୍‌ ଯେତେବେଳେ ତାଙ୍କର ପରିଚୟ ଦେଲେ, ବାପୁଜୀ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଭୁଲି ନ ଥିଲେ । ତା ପରେ ବାପୁଜୀଙ୍କ ସହିତ ରାଧାକୃଷ୍ଣନ୍‌ଙ୍କର ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କର କଲିକତାସ୍ଥ ବାସଭବନ, ସାବରମତୀ ଆଶ୍ରମ ଓ ସେବାଗ୍ରାମଠାରେ ଏକାଧିକବାର ସାକ୍ଷାତ୍‌ ହୋଇଥିଲା । ଏହି ସାକ୍ଷାତ୍‍କାର ଦ୍ୱାରା ସେ ତାଙ୍କର ଜୀବନ ଦର୍ଶନ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବାର ସୁଯୋଗ ପାଇଥିଲେ । ତାଙ୍କ ମତରେ ଗାନ୍ଧିଜୀ—‘‘ଅନୁଭବର ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଏକାଧାରାରେ ଥିଲେ—ରାଜନୀତିଜ୍ଞ, ସୁଧାରକ, ଦାର୍ଶନିକ, ଆଚାରନିଷ୍ଠ ଓ ଉନ୍ନତ ମାନବଗୁଣର ଉପଯୁକ୍ତ ଅଧିକାରୀ ।’’

 

ବାପୁଜୀଙ୍କର ୭୧ ତମ ଜନ୍ମଦିବସ ଉପଲକ୍ଷେ ସେ ତାଙ୍କୁ ଯେଉଁ ଅଭିନନ୍ଦନ ଗ୍ରନ୍ଥ ଉପହାର ଦେଇଥିଲେ, ସେଥିରେ ତାଙ୍କର ଦେଶଭକ୍ତି ତଥା ସ୍ୱାଧୀନତା ଆନ୍ଦୋଳନ ପ୍ରତି ଥିବା ସହାନୁଭୂତି ପୂର୍ଣ୍ଣମାତ୍ରାରେ ପ୍ରକାଶ ଲାଭ କରିଥିଲା । ସେହି ଗ୍ରନ୍ଥ ଉପରେ ଆଲୋକପାତ କରି ‘ଟାଇମ୍‌ସ’ ପତ୍ରିକାର ସମ୍ପାଦକ ତାଙ୍କର ଏକ ସାହିତ୍ୟିକ ବିଶେଷାଙ୍କରେ ଲେଖିଥିଲେ, ‘‘ରାଧାକୃଷ୍ଣନ୍‌ଙ୍କ ପରି ଜନୈକ ମହାନ୍‌ ବ୍ୟକ୍ତିଙ୍କର ଭକ୍ତିଭାଜନ ହେବାଦ୍ୱାରା ଗାନ୍ଧିଜୀ ଏକପ୍ରକାର ବିଜୟ ହାସଲ କରିପାରିଛନ୍ତି । ରାଧାକୃଷ୍ଣନ୍‌ ବନ୍ଧୁର ରାଜନୀତି ମାର୍ଗର ଜଣେ ସୁଦକ୍ଷ ପଥିକ ହୋଇ ନ ପାରନ୍ତି; କିନ୍ତୁ ବୁଦ୍ଧି ଓ ବିଚାରକ୍ଷେତ୍ରରେ ଗାନ୍ଧିଜୀଙ୍କ ଠାରୁ ତାଙ୍କ ଆସନ ସାମୟିକ ଉଚ୍ଚ ।’’

 

ଗାନ୍ଧିଜୀ ଥିଲେ ସତ୍ୟ, ପ୍ରେମ ଓ ଅହିଂସାର ପୂଜାରୀ । ସାମାଜିକ ଓ ରାଜନୀତିକ ମୁକ୍ତି ପାଇଁ ଏହି ତିନି ବିଭାବର ପ୍ରୟୋଗ ନିମନ୍ତେ ସେ ସୁଚିନ୍ତିତ ଯୋଜନାମାନ ତିଆରି କରି ସେଗୁଡ଼ିକୁ କାଯ୍ୟକାରୀ କରି ପାରୁଥିଲେ । ସେ ଦୁନିଆ ଆଗରେ ଦେଖାଇ ପାରୁଥିଲେ, ଯେ କୌଣସି ରାଜନୀତି ସିଦ୍ଧିପାଇଁ ଶାରୀରିକ ହିଂସା ତ୍ୟାଗ କରାଯାଇ ପାରେ । ଯେ ପର୍ଯ୍ୟନ୍ତ ଗୋଟିଏ ରାଷ୍ଟ୍ର ଅନ୍ୟର ସ୍ୱତନ୍ତ୍ରତା ପ୍ରତି ସମ୍ମାନ ଦେଇ ନ ଜାଣେ ଓ ଯେ ପର୍ଯ୍ୟନ୍ତ ସଂଗଠିତ ଓ ସମନ୍ୱିତ ସାମାଜିକ ଜୀବନର ବିକାଶ ପାଇଁ ଏକ ନୂତନ ଚିନ୍ତାଧାରାର ସମାବେଶ ନ କରାଯାଏ, ସେ ପର୍ଯ୍ୟନ୍ତ ଶାନ୍ତି ଏକ ଅଭିଧାନର ଶବ୍ଦ ହୋଇ ରହିଥିବ ।

 

ଡକ୍ଟର ରାଧାକୃଷ୍ଣନ୍‌ ବାପୁଜୀଙ୍କର ବହୁ ରଶ୍ମିଯୁକ୍ତ ପ୍ରତିଭାର ସମ୍ୟକ୍‌ ଅନୁଶୀଳନ କରିବାର ସୁଯୋଗ ପାଇଥିଲେ । ତେଣୁ ତାଙ୍କ ଦୃଷ୍ଟିରେ ‘‘ଗାନ୍ଧୀ ଥିଲେ ବନ୍ଧନମୁକ୍ତ ଜୀବନର ମହାନ୍‌ ମନ୍ତ୍ରଦାତା । ତାଙ୍କର ଅସାଧାରଣ ଧାର୍ମିକ ପବିତ୍ରତା ଓ ବିରୋଚିତ ତେଜ କୋଟି କୋଟି ଲୋକଙ୍କ ଉପରେ ପକାଇ ପାରୁଥିଲା ପ୍ରସାରୀ ପ୍ରଭାବ ।’’ ଗୀତାର ଭାଷ୍ୟ ପ୍ରଣୟନ ପରେ, ସେହି ଗ୍ରନ୍ଥଟିକୁ ସେ ମହାତ୍ମାଗାନ୍ଧୀଙ୍କୁ ଉପହାର ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ଓ ତାଙ୍କର ତିରୋଧାନର ଅବ୍ୟବହିତ ପୂର୍ବରୁ ସେ ଏଥିପାଇଁ ତାଙ୍କର ସମ୍ମତି ପ୍ରାର୍ଥନା କରିଥିଲେ । ସେହି ଅବସରରେ ଗାନ୍ଧିଜୀ ତାଙ୍କର ପ୍ରିୟ ଦାର୍ଶନିକଙ୍କୁ କହିଥିଲେ—‘‘ମୁଁ ଜାଣେ, ଆପଣଙ୍କର ଲେଖନୀପ୍ରସୂତ ଚିନ୍ତାଧାରା ମୌଳିକ ଓ ବାସ୍ତବଧର୍ମୀ । ତେଣୁ ମୁଁ ଆପଣଙ୍କୁ କେତେଗୁଡ଼ିଏ ପ୍ରଶ୍ନ ପଚାରିବାକୁ ଚାହେଁ । ଆପଣ ମୋର କୃଷ୍ଣ । ଅର୍ଜୁନ ଭାବରେ ମୁଁ ଆପଣଙ୍କୁ ଏହି ପ୍ରଶ୍ନଗୁଡ଼ିକ ପଚାରିବି । ମୁଁ ଅର୍ଜୁନଙ୍କ ପରି ‘ଧର୍ମ ସଂମୂଢ଼ ଚେତା’ ଏହିପରି ଏକ ରସାଳ ଉପକ୍ରମଣିକା ଦେଇ ବାପୁଜୀ ରାଧାକୃଷ୍ଣନ୍‌ଙ୍କ ସହିତ ତାଙ୍କର ସମ୍ପର୍କୀୟ ଆଲୋଚନା କରିଥିଲେ ଓ ରାଧାକୃଷ୍ଣନ୍‌ଙ୍କର ଗୀତାରେ ଗଭୀର ଅନୁପ୍ରବେଶ ଅଛି ଜାଣି ଖୁବ୍‌ ପ୍ରୀତ ହୋଇଥିଲେ ।

 

ଜବାହରଲାଲଙ୍କ ପ୍ରତି ରାଧାକୃଷ୍ଣନ୍‌ଙ୍କର ଯଥେଷ୍ଟ ଶ୍ରଦ୍ଧା ଓ ଅନୁରକ୍ତି ଥିଲା । ୧୯୬୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ସେ ନେହେରୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ–‘‘ଆମର ରାଷ୍ଟ୍ରୀୟ ଜୀବନକୁ ସରସ, ସୁନ୍ଦର କରିବା ପାଇଁ ନେହେରୁଙ୍କ ଉଦ୍ୟମ ପ୍ରଶଂସନୀୟ । ଦେଶ ଓ ଜାତିର ଉନ୍ନତି ପାଇଁ ସେ ନିଜକୁ ସମର୍ପଣ କରିଦେଇଥିଲେ । ସଂସଦୀୟ ଲୋକତନ୍ତ୍ର, ଧର୍ମନିରପେକ୍ଷ ରାଜ୍ୟ, ନିୟୋଜିତ ବିକାଶ, ଆନ୍ତଃରାଷ୍ଟ୍ରୀୟ କ୍ଷେତ୍ରରେ ଗାମ୍ଭୀର୍ଯ୍ୟ, ରାଷ୍ଟ୍ରୀୟ ମୈନ୍ତ୍ରୀ ଓ ବିଶ୍ୱଶାନ୍ତି ପାଇଁ ସେ ସବୁବେଳେ ଆଦର୍ଶ ତଥା ନୂତନ ପଥର ପଥୁକୀ । ଲୋକତନ୍ତ୍ରୀୟ ବିଚାରଧାରା ସହିତ ସେ ନିଜକୁ ଓତପ୍ରୋତ ଭାବେ ଜଡ଼ାଇ ଦେଇଥିଲେ । ତେଣୁ ସେ ଯାହା କିଛି କରୁଥିଲେ ତାହା ବହୁଜନ ସମର୍ଥିତ ହେଉଥିଲା ।’’ ଜବାହରଲାଲଙ୍କର ତିରୋଧାନ ବାର୍ତ୍ତା ପାଇ ଶୋକରେ ବିହ୍ୱଳ ହୋଇ ସେ କହିଥିଲେ—‘‘ନେହେରୁଙ୍କ ଜୀବନ ଥିଲା ଅନନ୍ତ ସେବା ଓ ସମର୍ପଣର ଜୀବନ । ଅଦ୍ୱିତୀୟ ରାଜନୀତିଜ୍ଞ ଭାବରେ ମଧ୍ୟ ସେ ଆମର ଚିରସ୍ମର ହୋଇ ରହିବେ-। ସ୍ୱାଧିନତା ସଂଗ୍ରାମ ଓ ଆଧୁନିକ ଭାରତ ଗଠନରେ ତାଙ୍କର ଭୂମିକା ଯଥାର୍ଥତଃ ମହନୀୟ । ତାଙ୍କର ଜୀବନ ଓ କାର୍ଯ୍ୟ ଆମର ଚିନ୍ତନ, ସାମାଜିକ ସଂଗଠନ ଓ ବୌଦ୍ଧିକ ବିକାଶ ଉପରେ ଯେଉଁ ପ୍ରଭାବ ପକାଇଛି, ତାହା ଆଜି ସମସ୍ତେ ମର୍ମେ ମର୍ମେ ଅନୁଭବ କରି ପାରୁଥିବେ । ସେହି ମହନୀୟ ନେତାଙ୍କର ଦେହାନ୍ତରେ ଆମର ଏକ ଐତିହାସିକ ଯୁଗର ଅବସାନ ଘଟିଲା ।’’ ୧୯୬୩ ମସିହାରେ ନେହେରୁଙ୍କ ଦ୍ୱାରା ଆୟୋଜିତ ଏକ ମନୋରଞ୍ଜନ ପ୍ରୋଗ୍ରାମ୍‌ ଦେଖି ଫେରିଲାବେଳେ ସେ ବ୍ରିଟିଶ ସାମ୍ବାଦିକ ‘ନାର୍ମନ୍‌ କଞ୍ଜିସ୍‌’ଙ୍କୁ କହିଥିଲେ—‘‘ତାଙ୍କୁ ବୟସ ଯଥେଷ୍ଟ ହେଲେ ମଧ୍ୟ ସେ ଜଣେ ଯୁବକ । ସେ ନିଜେ ହସି ଜାଣନ୍ତି ଓ ଅନ୍ୟକୁ ହସାଇ ଜାଣନ୍ତି । ନିଜ ବାର୍ଦ୍ଧକ୍ୟ ଦେଖାଇ ହେବାକୁ ସେ ପସନ୍ଦ କରନ୍ତି ନାହିଁ ।’’

 

ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ ସେ ଯଥେଷ୍ଟ ସମ୍ମାନ ଦେଉଥିଲେ । ତାଙ୍କ ମତରେ ‘‘ଡକ୍ଟର ରାଜେନ୍ଦ୍ର ପ୍ରସାଦ ଥିଲେ ନମ୍ରତାର ପ୍ରତୀକ । ତାଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଭାରତୀୟ ଆତ୍ମାର ସ୍ପର୍ଶ ରହୁଥିଲା । ତାଙ୍କର ସାଧୁତା, ଧୈର୍ଯ୍ୟ, ଶୌର୍ଯ୍ୟ ଏକାନ୍ତ ବିରଳ । ତାଙ୍କ ପ୍ରାଣରେ ଦେଶ ଓ ଜାତିର ପ୍ରାଣ ଯଥାର୍ଥେ ପ୍ରତିବିମ୍ବିତ । ତାଙ୍କର ହୃଦୟ ଥିଲା ଗାନ୍ଦିଜୀଙ୍କ ଆଦର୍ଶର ଅନୁସାରୀ ।’’

Image

 

ରାଜଦୂତ

 

ପାଞ୍ଚଟି ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଓ କୁଳପତି ରୂପେ କାର୍ଯ୍ୟନିର୍ବାହ କଲା ପରେ ରାଧାକୃଷ୍ଣନ୍‌ଙ୍କୁ ରାଜନୀତିକ ଦାୟିତ୍ୱ ବହନ କରିବାକୁ ପଡ଼ିଥିଲା । ୧୯୪୯ ମସିହାରେ ରୁଷିଆରେ ଭାରତର ରାଜଦୂତ ରୂପେ ତାଙ୍କୁ ନିଯୁକ୍ତି ମିଳିଲା । ପୂର୍ବରୁ କେବଳ ରାଜନୀତିଜ୍ଞମାନଙ୍କୁ ଏହିପରି ନିଯୁକ୍ତି ମିଳୁଥିଲା; କିନ୍ତୁ ଜଣେ ଶିକ୍ଷାଶାସ୍ତ୍ରୀଙ୍କୁ ଏପରି ନିଯୁକ୍ତି ମିଳିବା ଏହା ହେଲା ସର୍ବପ୍ରଥମ । ସେ ସମୟରେ ସୋଭିଏତ୍‍ ରୁଷ୍‌ ସହିତ ଭାରତର ବର୍ତ୍ତମାନ ପରି ବନ୍ଧୁତା ନ ଥିଲା । ବିଶ୍ୱରେ ଶୀତଳ ଯୁଦ୍ଧର ଥିଲା ବହୁ ସମ୍ଭାବନା । ମାର୍ଶାଲ୍‌ ଷ୍ଟାଲିନ୍‌ଙ୍କର ପ୍ରତିପତ୍ତିରେ ବିଶ୍ୱର ବହୁ ରାଷ୍ଟ୍ର ହୋଇଥିଲେ ଆତଙ୍କିତ । ରୁଷିଆର ଧାରଣା ଥିଲା ଯେ ଭାରତ ହେଉଛି ବ୍ରିଟେନ୍‌ର ଏକ ଅନୁବର୍ତ୍ତୀ ରାଷ୍ଟ୍ର । ଭାରତ ଯେହେତୁ ବ୍ରିଟିଶ କମନ୍‌ୱେଲ୍‌ଥ୍ ଅନ୍ତର୍ଭୁକ୍ତ, ତେଣୁ ରୁଷିଆ ତାକୁ ଏକ ସ୍ୱାଧୀନ ରାଷ୍ଟ୍ର ବୋଲି ପୂର୍ଣ୍ଣମାତ୍ରାରେ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲା । ମସ୍କୋ ରେଡ଼ିଓ ମଧ୍ୟ ସାମୟିକ ଭାରତ ବିରୁଦ୍ଧରେ ପ୍ରଚାର କରୁଥିଲା । ତେଣୁ ସେ ସମୟରେ ରୁଷିଆରେ ରାଧାକୃଷ୍ଣନ୍‌ଙ୍କର ଭାରତୀୟ ରାଜଦୂତ ଭାବରେ ନିଯୁକ୍ତି ଥିଲା ଯଥେଷ୍ଟ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ନିଯୁକ୍ତି ପୂର୍ବରୁ ତାଙ୍କୁ ଚୀନରେ ରାଜଦୂତ ରୂପେ ନିଯୁକ୍ତି ଦେବା ପାଇଁ ରାଜନୀତିକ ମହଲରୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପଡ଼ିଥିଲା । କାରଣ ତାହା ପୂର୍ବରୁ ରାଧାକୃଷ୍ଣନ୍‌ ଚୀନ୍‌ ଯାଇ ନିଜର ଭାଷଣଦ୍ୱାରା ସେ ଦେଶର ଶିକ୍ଷିତ ନାଗରିକମାନଙ୍କ ଉପରେ ପକାଇ ପାରିଥିଲେ ଏକ ସୁଦୂରପ୍ରସାରୀ ପ୍ରଭାବ । ଚୀନରେ ମହାମାନବ କନ୍‌ଫୁମିଅସ୍ ଜନ୍ମଗ୍ରହଣ କରିଥିଲେ ଓ ଅଧିକାଂଶ ଚୀନ୍‌ ବାସୀ ବୌଦ୍ଧଧର୍ମୀ । ତେଣୁ ରାଧାକୃଷ୍ଣନ୍‌ଙ୍କ ପରି ଜଣେ ପଣ୍ଡିତ ସେଠାରେ ରାଷ୍ଟ୍ରଦୂତ ରହନ୍ତୁ, ଏହାହିଁ ଥିଲା ଅଧିକାଂଶଙ୍କର ଇଚ୍ଛା; କିନ୍ତୁ ପ୍ରଧାନମନ୍ତ୍ରୀ ସେଥିରେ ଏକମତ ହୋଇ ନ ଥିଲେ ।

 

ସେତେବେଳେ ସୋଭିଏତ୍‍ ରୁଷ୍‌ ସବୁ ଦେଶର ରାଜଦୂତଙ୍କୁ ସହଜେ ସ୍ୱୀକୃତି ଦେଉ ନ ଥିଲା । ଉଦାହାରଣ ସ୍ୱରୂପ, ନେଦର୍‌ଲ୍ୟାଣ୍ଡର ରାଜଦୂତଙ୍କୁ ସ୍ୱୀକୃତି ଦେବାପାଇଁ ରୁଷିଆକୁ ଲାଗିଥିଲା ଦୀର୍ଘ ଛ’ମାସ ସମୟ, କିନ୍ତୁ ଡକ୍ଟର ରାଧାକୃଷ୍ଣନ୍‌ଙ୍କ ନିଯୁକ୍ତିକୁ ରୁଷିଆ ଅଭିନନ୍ଦନ ସହକାରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ସ୍ୱୀକୃତି ଜଣାଇଥିଲା । ରାଧାକୃଷ୍ଣନ୍‌ ଏହି ନିଯୁକ୍ତି ଗ୍ରହଣ କରିଥିଲେ; କିନ୍ତୁ ନିଯୁକ୍ତି ପୂର୍ବରୁ ତାଙ୍କର ଥିଲା ଗୋଟିଏ ସର୍ତ୍ତ । ତାହା ହେଉଛି ରାଷ୍ଟ୍ରଦୂତ ରହିଲେ ମଧ୍ୟ ଅକ୍‌ସଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟରେ ତାଙ୍କର ତୁଳନାତ୍ମକ ଧର୍ମର ଅଧ୍ୟାପକତ୍ୱ କାଏମ୍‌ ରହିବ । ଭାରତର ପ୍ରଧାନମନ୍ତ୍ରୀ ଏଥିପାଇଁ ଅନୁମତି ଦେଇଥିଲେ । ଏପରି ସ୍ୱତନ୍ତ୍ର ସୁବିଧା ଭାରତର କୌଣସି ରାଷ୍ଟ୍ରଦୂତଙ୍କୁ ପୂର୍ବରୁ ମିଳି ନ ଥିଲା । ଜବାହରଲାଲ କେବଳ ରାଧାକୃଷ୍ଣନ୍‌ଙ୍କର ଅସାଧାରଣ ବ୍ୟକ୍ତିତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏପରି କରିଥିଲେ । ପୁନଶ୍ଚ ସେତେବେଳେ ରୁଷିଆ ଓ ଭାରତ ମଧ୍ୟରେ ମୈତ୍ରୀ ଥିଲା ଏକପ୍ରକାର ଲୌକିକ; ତେଣୁ ମସ୍କୋ ଦୂତାବାସର କାର୍ଯ୍ୟପରିସର ବର୍ତ୍ତମାନ ପରି ଏତେ ବିସ୍ତୃତ ନ ଥିଲା । ନିକିତା କୃଶ୍ଚେଭ ଯେଉଁଦିନଠୁଁ ରୁଷିଆର ପ୍ରଧାନମନ୍ତ୍ରୀ ହେଲେ; ସେହି ଦିନଠାରୁ ଭାରତ ରୁଷିଆ ବନ୍ଧୁତ୍ୱ ବିସ୍ତୃତ ଓ ଦୃଢ଼ ହୋଇ ଆସିଅଛି ।

 

ରାଧାକୃଷ୍ଣନ୍‌ଙ୍କ ସମୟରେ ଦୂତାବାସରେ ଆଶାନୁରୂପ କାର୍ଯ୍ୟ ନ ଥିଲେ ମଧ୍ୟ ସେ ସବୁବେଳେ ନିଜକୁ କାର୍ଯ୍ୟବ୍ୟସ୍ତ ରଖିବାକୁ ଚେଷ୍ଟିତ । ମସ୍କୋରେ ଅତ୍ୟଧିକ ଶୀତ ସତ୍ତ୍ୱେ ସେ ଅଧିକାଂଶ ସମୟ ଧୋତୀ ବ୍ୟବହାର କରୁଥିଲେ । ସେତେବେଳେ ମସ୍କୋରେ ଲଙ୍କାର ରାଷ୍ଟ୍ରଦୂତ ଥାନ୍ତି ଡକ୍ଟର ମାଳାଶେଖର୍‌ । ସେ ମଧ୍ୟ ରାଧାକୃଷ୍ଣନ୍‌ଙ୍କୁ ଅନୁକରଣ କରି ଲୁଙ୍ଗି ପିନ୍ଧୁଥିଲେ; କିନ୍ତୁ ମସ୍କୋର ଥଣ୍ଡା ଜଳବାୟୁ ତାଙ୍କ ଦେହରେ ନ ଯିବାରୁ ତାଙ୍କୁ ସ୍ୱଦେଶକୁ ଫେରି ଆସିବାକୁ ପଡ଼ିଥିଲା । ମସ୍କୋର ବହୁଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନରେ ରାଧାକୃଷ୍ଣନ୍‌ ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ବିଶେଷକରି ତାଙ୍କର ସାହିତ୍ୟିକ ଇଂରାଜୀ ଓ ଦାର୍ଶନିକ ଚିନ୍ତାଧାରା ମସ୍କୋର ବୁଦ୍ଧିଜୀବୀମାନଙ୍କୁ କରିଥିଲା ସ୍ତମ୍ଭୀଭୂତ । ଜଣେ କୂଟନୀତିଜ୍ଞ ଯେପରି ଆଚରଣବିଧି ମାନି ଚଳିବାର କଥା, ରାଧାକୃଷ୍ଣନ୍‌ ତାହା କରୁ ନ ଥିଲେ; କିନ୍ତୁ ଆଚାର ବ୍ୟବହାର ପ୍ରତି ତାଙ୍କର ଦୃଷ୍ଟି ଥିଲା ତୀକ୍ଷ୍‍ଣ । ନିଜର ଓ ନିଜ ଦେଶର ମର୍ଯ୍ୟାଦା ରକ୍ଷା କରିବାରେ ସେ ଆଦୌ ଉଦାସୀନ ନ ଥିଲେ । ନିଜର ରାଜନୀତିକ କାର୍ଯ୍ୟ ନିର୍ବାହ କରିସାରିଲା ପରେ ପ୍ରାୟ ଅଧିକାଂଶ ସମୟ ସେ ଅଧ୍ୟୟନରତ ରହୁଥିଲେ । ରାତ୍ରିରେ ଶୟନ ଓ ପ୍ରଭାତରେ ଶଯ୍ୟାତ୍ୟାଗରେ ସେ ଏକ ପ୍ରକାର କଠୋର ନିୟମାନୁବର୍ତ୍ତିତା ଅବଲମ୍ବନ କରୁଥିଲେ; ଆଜି ମଧ୍ୟ ତାହା ହିଁ ସେ କରୁଛନ୍ତି । ଠିକ୍‌ ରାତି ଦଶଟାବେଳେ ସେ ନିଦ୍ରାଯାଇଥାନ୍ତି; ତେଣୁ ଅନ୍ୟ କୂଟନୀତିଜ୍ଞମାନଙ୍କ ପରି ରାତିଅଧ ପର୍ଯ୍ୟନ୍ତ ଭୋଜିସଭାରେ ରହିବାକୁ ତାଙ୍କ ପକ୍ଷରେ ଅସମ୍ଭବ ହୋଇ ପଡ଼ିଥାଏ । ଯଦି କୌଣସି ଭୋଜିସଭାରେ ଅନିବାର୍ଯ୍ୟ କାରାଣବଶତଃ ଉଛୁର ହୁଏ, ତାହାହେଲେ ସେ ସାମନାରେ ପଡ଼ିଥିବା ଟେବୁଲରେ ଧୀରେ ଧୀରେ ହାତ ବାଡ଼େଇ ନିଜ ଅଧୈର୍ଯ୍ୟର ସୂଚନା ଦେଇଥାନ୍ତି ଓ ଗୁଣୁଗୁଣୁ ହୋଇ ଗୀତାରୁ ଶ୍ଳୋକମାନ ଆବୃତ୍ତି କରିଥାନ୍ତି । ଶେଷରେ ନିରୁପାୟ ହୋଇ ପାଖରେ ବସିଥିବା ବନ୍ଧୁଙ୍କ ସହିତ କରମର୍ଦ୍ଦନ କରି ସଭାଗୃହ ତ୍ୟାଗ କରିଥାନ୍ତି ।

 

ରାଧାକୃଷ୍ଣନ୍‌ଙ୍କର ବିନୟୀ ମନୋଭାବ ମସ୍କୋରେ ତାଙ୍କର ଲୋକପ୍ରିୟତାର ହୋଇଥିଲା ଅନ୍ୟ ଏକ କାରଣ । ଅବସର ସମୟରେ ସେ ଉପନିଷଦ ଅନୁବାଦ କରିଥିଲେ । ବିନା କାର୍ଯ୍ୟରେ କେବଳ ଭଦ୍ରତା ରକ୍ଷା କରିବା ପାଇଁ ଅନ୍ୟ ରାଷ୍ଟ୍ରଦୂତଙ୍କ ପରି ସେ ପରରାଷ୍ଟ୍ର—ମନ୍ତ୍ରଣାଳୟକୁ ଯାଉ ନ ଥିଲେ କିମ୍ବା ସଂକୀର୍ଣ୍ଣ କୂଟନୀତିରେ ଅଂଶଗ୍ରହଣ କରୁ ନ ଥିଲେ । ନାଗାଲାଣ୍ଡର ଗୁଣଜୀବୀ ସେତେବେଳେ ଥିଲେ ଭାରତୀୟ ଦୂତାବାସର ଅନ୍ୟ ଜଣେ ବିଶିଷ୍ଟ କର୍ମଚାରୀ । ତାଙ୍କରି ଉପରେ ରାଧାକୃଷ୍ଣନ୍‌ ଦୂତାବାସର ବହୁ କାର୍ଯ୍ୟଭାର ଅର୍ପଣ କରିଥିଲେ । ନିଜ ଗୃହର ପରିଚାଳନା ଦାୟିତ୍ଵ ସାଧାରଣତଃ ଶ୍ରୀମତୀ ରାଧାକୃଷ୍ଣନ୍‌ଙ୍କ ଉପରେ ନ୍ୟସ୍ତ ଥିଲା । ତେଣୁ ପ୍ରତ୍ୟେହ ଅନ୍ୟୂନ ବାର ଘଣ୍ଟା ସେ ଅଧ୍ୟୟନରତ ରହୁଥିଲେ ।

 

ନିର୍ଭୟଚିତ୍ତତା ପ୍ରତିଭାଶାଳୀ ବ୍ୟକ୍ତିଙ୍କର ଅନ୍ୟ ଏକ ବିଶିଷ୍ଟ ଗୁଣ । ତେଣୁ ଅନ୍ୟ ପେଶାଦାରୀ ରାଜଦୂତଙ୍କ ପରି ସେ ନିଜ ପଦବୀର ସୁରକ୍ଷା ପାଇଁ ଆଦୌ ଭୟଭୀତ ହୋଇ ପଡ଼ୁ ନ ଥିଲେ । ସତ୍ୟନିଷ୍ଠା ଓ କର୍ତ୍ତବ୍ୟପରାୟଣତା ତାଙ୍କର ଥିଲା ସବୁବେଳେ ଧ୍ୟେୟ ଓ ଶ୍ରେୟ । ସେତେବେଳେ ପରାକ୍ରମୀ ଷ୍ଟାଲିନ୍‌ଙ୍କ ସମଗ୍ର ବିଶ୍ଵ ଥିଲା ପୁଞ୍ଜିବାଦୀ ଓ ସାମ୍ୟବାଦୀ—ଏହିପରି ଦୁଇଭାଗରେ ବିଭକ୍ତ । ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଷ୍ଟାଲିନ୍‌ ଭାରତକୁ ଅନ୍ତର୍ଭୁକ୍ତ କରିଥିଲେ । ଗ୍ରେଟ—ସୋଭିଏତ—ଏନ୍‌ସାଇକ୍ଲୋପେଡ଼ିଆ ରେ ମହାତ୍ମା ଗାନ୍ଧୀଙ୍କର ଆଦର୍ଶ ଓ କାର୍ଯ୍ୟକ୍ରମକୁ ଏକ କଳୁଷିତ ରୂପରେଖ ଦିଆଯାଇଥିଲା । ଋଷିଆର ପତ୍ରପତ୍ରିକାମାନେ ମଧ୍ୟ ସାମୟିକ ଭାରତ ବିରୁଦ୍ଧରେ ବିଷୋଦ୍‌ଗାରଣ କରିବାକୁ ଭୁଲୁ ନ ଥିଲେ । ସେମାନେ ଏକ ସ୍ଵରରେ ଘୋଷଣା କରୁଥିଲେ ଯେ ଭାରତ ହେଉଛି ଆଙ୍ଗ୍ଲୋ—ଆମେରିକାର କାନିଧରି ଚାଲୁଥିବା ଏକ ରାଷ୍ଟ୍ର । ଏପରି ଅସୁସ୍ଥ ବାତାବରଣ ମଧ୍ୟରେ ଥାଇ ମଧ୍ୟ ରାଧାକୃଷ୍ଣନ୍‌ ବିଚଳିତ ହୋଇ ପଡ଼ି ନ ଥିଲେ ତାଙ୍କର ଚିରାଚରିତ ଗାମ୍ଭୀର୍ଯ୍ୟ ଥିଲା ଅକ୍ଷୁଣ୍ଣ । ପୁନଶ୍ଚ ଭାରତର ଦୁର୍ବଳସ୍ଥିତ ତଥା ନୂତନ ସ୍ଵାଧୀନତାପ୍ରାପ୍ତି ଦୃଷ୍ଟିରୁ କୌଣସି ଅଭିମତ ଦେବାରେ ଆବେଗଶୀଳ ହେବା ଅସମୀଚୀନ ବୋଲି ସେ ଭାବୁଥିଲେ ।

 

ସେ ଯାହାହେଉ, ରୁଷ-ଭାରତ ସମ୍ପର୍କ କିପରି କ୍ରମେ ଘନିଷ୍ଠ ହେବ, ସେଥିପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ସେ ଥିଲେ ସର୍ବଦା ଚେଷ୍ଟିତ ।

 

ସେଦିନ ୧୯୪୯ ମସିହା ଜାନୁଆରୀ ୧୪ ତାରିଖ । ନିଜର ବାସଭବନରେ ବସିଥାନ୍ତି ରାଜଦୂତ ରାଧାକୃଷ୍ଣନ୍‌ । ଶ୍ରୀ ରାଜେଶ୍ଵର ଦୟାଲ ଓ ତାଙ୍କ ପତ୍ନୀ ଶିଳା ଦୟାଲ୍‌ ମଧ୍ୟ ସେଠାରେ ଥାନ୍ତି ଉପସ୍ଥିତ । କୌଣସି ଏକ ବିଷୟରେ ବେଶ୍‌ ଆଳାପ ଆଲୋଚନା ଚାଲିଥାଏ । ଆଲୋଚନାରେ ହଠାତ୍‌ କ୍ଷଣିକ ପାଇଁ ବାଧାଦେଇ ବାଜିଉଠିଲା ଟେଲିଫୋନ୍‌ର ଘଣ୍ଟି । ପ୍ରଥମେ ଶ୍ରୀମତୀ ଦୟାଲ୍‌ ଫୋନ୍‌ ଧରିଲେ । ରାଧାକୃଷ୍ଣନ୍‌ ଜାଣିଲା ପରି ସଙ୍ଗେ ସଙ୍ଗେ କହିଉଠିଲେ, ‘‘ବୋଧହୁଏ ଷ୍ଟାଲିନ୍‌ଙ୍କ ଠାରୁ ଫୋନ୍‌ ଆସିଥିବ ।’’ ଶ୍ରୀମତୀ ଦୟାଲ୍‌ଜୋରରେ ହସି କହି ଉଠିଥିଲେ, ‘‘ଅସମ୍ଭବ’’ । ଖବର ଆସିଲା ଯେ କଥାବାର୍ତ୍ତା ଏକାନ୍ତ ବ୍ୟକ୍ତିଗତ, ତେଣୁ ନିଜେ ରାଧାକୃଷ୍ଣନ୍‌ଙ୍କୁ ଫୋନ୍‌ ଧରିବାକୁ ପଡ଼ିଲା । ଖବର ଥିଲା—‘‘ଆପଣ ରାଷ୍ଟ୍ରଦୂତ ଦାୟିତ୍ଵ ନେଲା ପରେ ପରେ ୟୁନେସ୍କୋର ବୈଠକରେ ଯୋଗଦେବାପାଇଁ ଚାଲିଗଲେ । ଡିସେମ୍ବର ମାସରେ ମାଓ—ସେ—ତୁଂ ଆସିଲେ, ତେଣୁ ଷ୍ଟାଲିନ୍‌ କାର୍ଯ୍ୟବ୍ୟସ୍ତ ଥିଲେ । ଆଜି ତାଙ୍କର ସେପରି କିଛି କାର୍ଯ୍ୟ ନାହିଁ । ସେ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଚାହୁଁଛନ୍ତି ।” ରାତି ନ’ଟା ବେଳେ ସାକ୍ଷାତ ପାଇଁ ସମୟ ସ୍ଥିର ହେଲା । ଠିକ୍‌ ରାତି ନ’ଟା ବେଳେ ରାଜେଶ୍ଵର ଦୟାଲ୍‌ଙ୍କ ସହିତ ରାଧାକୃଷ୍ଣନ୍‌ ଷ୍ଟାଲିନ୍‌ଙ୍କୁ ସାକ୍ଷାତ କରିବାକୁ ଗଲେ । ସେତେବେଳେ ଷ୍ଟାଲିନ୍‌ଙ୍କ ପାଖରେ ଉପସ୍ଥିତି ଥିଲେ ଋଷିଆର ପରରାଷ୍ଟ୍ରମନ୍ତ୍ରୀ ‘ବିଶିଂସ୍କି’ । ଦୁଇ ନେତାଙ୍କ ବାର୍ତ୍ତାଳାପ ଆରମ୍ଭ ହେଲା । ପରସ୍ପରର କଥାକୁ ଭାଷାନ୍ତର କରିବା ପାଇଁ ନିଯୁକ୍ତ ଥାନ୍ତି ଶ୍ରୀ ପାବଲୋ୍‌ବ୍‌ । ରାଧାକୃଷ୍ଣନ୍‌ ଷ୍ଟାଲିନ୍‌ଙ୍କୁ କଥାବାର୍ତ୍ତାକ୍ରମରେ ବହୁ ଭାରତୀୟ ଉପାଖ୍ୟାନ ମଧ୍ୟ ଶୁଣାଇଥିଲେ । ବିଶେଷକରି ଚଣ୍ଡାଶୋକଙ୍କର ଧର୍ମାଶୋକ ହେବାର ଘଟଣା ଶୁଣି ଷ୍ଟାଲିନ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ରାଧାକୃଷ୍ଣନ୍‌ କହିଥିଲେ—‘‘We in India had an emperor who after a bloody victory renounced war and became a monk’’—‘‘ଆମ ଦେଶରେ ଜଣେ ସମ୍ରାଟ ଥିଲେ ଯେ କି ଭୟଙ୍କର ରକ୍ତାକ୍ତ ସମର ପରେ ଭିକ୍ଷୁ ଜୀବନଯାପନ କରିଥିଲେ । ଆପଣ ଆଜି ରକ୍ତାକ୍ତ ସମରରେ ଜୟୀହୋଇ ପ୍ରଭୁତ୍ଵର ସିଂହାସନ ଅଧିକାର କରିଅଛନ୍ତି; କିନ୍ତୁ କିଏ କହିବ, ଆପଣ ସେହି ସମ୍ରାଟଙ୍କ ପରି ନ ହେବେ କାହିଁକି ?’’ ଷ୍ଟାଲିନ୍‌ ହସି ଉତ୍ତର ଦେଇଥିଲେ—‘‘ହଁ, ମଣିଷ ବେଳେ ବେଳେ ଏହିପରି ଚତ୍ମକାର ପରିଣତର ସମ୍ମୁଖୀନ ହୋଇଥାଏ । ମୁଁ ବିଦ୍ୟାପୀଠରେ ପାଞ୍ଚ ବର୍ଷ ମଧ୍ୟ ଧର୍ମଶାସ୍ତ୍ର ଅଧ୍ୟୟନ କରିଛି ।’’

 

ପୂର୍ବରୁ ଷ୍ଟାଲିନ୍‌ଙ୍କ ସହିତ କୌଣସି ରାଷ୍ଟ୍ରଦୂତଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ମିଳୁ ନ ଥିଲା । ରାଧାକୃଷ୍ଣନ୍‌ଙ୍କ ସହିତ ଷ୍ଟାଲିନ୍‌ଙ୍କର ଦୀର୍ଘ ସମୟ ସାକ୍ଷାତକାର ପ୍ରତି ଦେଶର ପରରାଷ୍ଟ୍ର ମନ୍ତ୍ରଣାଳୟର ହୋଇଥିଲା ଏକ ଆଚୋଲ୍ୟ ବିଷୟ । ସେ ଯାହାହେଉ, ରାଧାକୃଷ୍ଣନ୍‌ଙ୍କୁ ଷ୍ଟାଲିନ ସ୍ନେହ ଓ ଭକ୍ତି କରୁଥିଲେ । ସେହି ବର୍ଷ ଗଣରାଜ୍ୟଦିବସ (ଜାନୁଆରୀ ୨୬ ତାରିଖ) ରେ ଶ୍ରୀ ଦୟାଲ୍‌ ଏକ ଭୋଜିସଭାର ଆୟୋଜନ କରିଥାନ୍ତି । ସେଥିରେ ଯୋଗଦେଇଥାନ୍ତି ବହୁମାନ୍ୟଗଣ୍ୟ ଅତିଥି । କଥା ପ୍ରସଙ୍ଗରେ ଶ୍ରୀ ଦୟାଲ୍‌ ପାବ୍‌ଲୋବ୍‌ଙ୍କୁ ପଚାରିଲେ—‘‘ଆମ ରାଜଦୂତଙ୍କ ସାକ୍ଷାତ୍‍କାର ଷ୍ଟାଲିନ୍‌ କିପରି ପସନ୍ଦ କଲେ ?’’ ପାବ୍‌ଲୋକ କହିଲେ—‘‘ଆପଣମାନେ ଫେରିଆସିବା ପରେ ଷ୍ଟାଲିନ କହିଥିଲେ—‘‘ରାଧାକୃଷ୍ଣନ୍‌ ଜଣେ ସଂକୀର୍ଣ୍ଣ ଦେଶଭକ୍ତ ନୁହନ୍ତି । ତାଙ୍କର ହୃଦୟ ପୀଡ଼ିତ ମାନବତା ପାଇଁ ସର୍ବଦା ଦ୍ରବୀଭୂତ ।’’ (He is not a narrow patriot. His heart bleeds for suffering humanity.’’)

 

୧୯୫୨ ମସିହା ଅପ୍ରେଲ ମାସରେ ରାଧାକୃଷ୍ଣନ୍‌ଙ୍କୁ ସ୍ୱଦେଶକୁ ଫେରାଇ ଆଣିବାର ସ୍ଥିର କରାଗଲା । ବହୁ ବନ୍ଧୁରାଷ୍ଟ୍ରର ଦୂତାବାସ ତରଫରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଗଲା । ଋଷିଆର ପରରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶିଂସ୍କି ମଧ୍ୟ ତାଙ୍କୁ ଏକ ସ୍ଵତନ୍ତ୍ର ଭୋଜିସଭାରେ ସମ୍ମାନିତ କରିଥିଲେ-। ସେତେବେଳକୁ ରାଧାକୃଷ୍ଣନ୍‌ଙ୍କର ରୁଷିଆ ଛାଡ଼ିବାର ସମୟ ଆଖର ହୋଇ ଆସୁଥାଏ-। ବିଶିଂସ୍କି ସେହି ସଭାରେ ତାଙ୍କୁ ଖବର ଦେଲେ ଯେ ଷ୍ଟାଲିନ୍‌ ବିଦାୟ ପୂର୍ବରୁ ତାଙ୍କୁ ସାକ୍ଷାତ୍‌ କରିବାକୁ ଚାହାନ୍ତି-। ତହିଁଆର ଦିନ ସକାଳେ ସେ ମସ୍କୋ ଛାଡ଼ିବାର କଥା । ତେଣୁ ସେହିଦିନ ରାତିରେ ସେ ଷ୍ଟାଲିନ୍‌ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେତେବେଳକୁ ଷ୍ଟାଲିନଙ୍କ ସ୍ୱାସ୍ଥ୍ୟ ଭଲ ନ ଥାଏ, ମୁଖମଣ୍ଡଳ ଦିଶୁଥାଏ ବିମର୍ଷ । ପିଠିରେ ହାତ ବୁଲାଇ ରାଧାକୃଷ୍ଣନ୍‌ ତାଙ୍କୁ ଜଣାଇଥିଲେ ବିଦାୟକାଳୀନ ସ୍ନେହ ଓ କୃତଜ୍ଞତା । ଷ୍ଟାଲିନ୍‌ ଉତ୍ତରରେ କହିଲେ—‘‘You are the first person to treat me as human being and not as a monster. I want you to live long. I have not long to live’’. ଅର୍ଥାତ ‘‘ଆପଣ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ କି ଦାନବ ବୋଲି ମୋତେ ନ ଭାବି, ମଣିଷ ପରି ମୋ ସହିତ ବ୍ୟବହାର କରିଅଛନ୍ତି । ଆପଣ ଆମ୍ଭମାନଙ୍କୁ ଛାଡ଼ି ଚାଲିଯାଉ ଅଛନ୍ତି । ସେଥିଯୋଗୁଁ ମୁଁ ଦୁଃଖିତ । ଆପଣ ଦୀର୍ଘଜୀବୀ ହୁଅନ୍ତୁ, ଏହା ହିଁ ମୋର କାମନା । ମୁଁ ବେଶି ଦିନ ଆଉ ବଞ୍ଚିବି ନାହିଁ-।’’ ସତକୁ ସତ ରାଧାକୃଷ୍ଣନ୍‌ଙ୍କର ବିଦାୟର ମାତ୍ର ଛ’ମାସ ପରେ ଷ୍ଟାଲିନ ଇହଲୀଳା ସାଙ୍ଗ କରିଥିଲେ ।

 

ସେ ଦିନର ବିଦାୟକାଳୀନ ଦୃଶ୍ୟ ପ୍ରକୃତରେ ହୋଇଥିଲା ଅତୀବ ମର୍ମସ୍ପର୍ଶୀ । ପାଷାଣ ଆଖିରୁ ଝରିପଡ଼ିଥିଲା ଲୋତକର ଆବାରିତ ଧାରା । ମାନବବାଦୀ ଦାର୍ଶନିକଙ୍କ ବିଦାୟରେ ଲୌହମାନବ ଷ୍ଟାଲିନ୍‌ଙ୍କର ହୃଦୟ ତରଳି ଯାଇଥିଲା । ରାଧାକୃଷ୍ଣନ୍‌ ହେଉଛନ୍ତି ବିଶ୍ଵର ଏକମାତ୍ର ନାଗରିକ, ଯାହାଙ୍କ ନିକଟରେ ଷ୍ଟାଲିନ୍‌ଙ୍କର ଅଧିନାୟକତ୍ଵ (ଡିକ୍ଟେଟରପିସ୍‌) ପରାସ୍ତ ମାନିଥିଲା । ଏଥିପାଇଁ ତାଙ୍କର ତତ୍ତ୍ଵଜ୍ଞାନ କିମ୍ବା ପାଣ୍ଡିତ୍ଵ ଦାୟୀ ନୁହେଁ, ଦାୟୀ କେବଳ ତାଙ୍କର ମାନବବାଦ । ତେଣୁ ତାଙ୍କୁ ଯେ ଥରେ ସାକ୍ଷାତ କରେ,ସେ ତାକୁ ସହଜେ ଭୁଲିପାରେ ନାହିଁ । ସେ ଏପରି ଭାବେ ପରକୁ ସାହାଯ୍ୟ କରନ୍ତି ଯେ, ସାହାଯ୍ୟ ପାଉଥିବା ବ୍ୟକ୍ତି ମଧ୍ୟ ନିଜେ ସହଜରେ ତାହା ଜାଣିପାରନ୍ତି ନାହିଁ । ନିଜ ସମକ୍ଷରେ ନିଜର ପ୍ରଶସ୍ତିଗାନକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । ଉଚ୍ଚଚିନ୍ତା ଓ ସରଳ ଜୀବନନିର୍ବାହ ତାଙ୍କ ଜୀବନର ଏକ ମୁଖ୍ୟ ଆଭିମୁଖ୍ୟ । ତେଣୁ ଜଣେ ବିଦେଶୀ ସମାଲୋଚକଙ୍କ ମତରେ—‘‘ଏହା ଗାନ୍ଧିଜୀଙ୍କର ସୌଭାଗ୍ୟ ଯେ ସେ ରାଧାକୃଷ୍ଣନ୍‌ଙ୍କ ପରି ଜଣେ ମହାନ୍‌ ବ୍ୟକ୍ତିଙ୍କର ଭକ୍ତିଭାଜନ ହୋଇ ପାରିଥିଲେ । ଅବଶ୍ୟ ରାଜନୀତିରେ ତାଙ୍କର ସୀମିତ ଅଭିଜ୍ଞତା ଥାଇପରେ; କିନ୍ତୁ ବୌଦ୍ଧିକ ସିଦ୍ଧି ହାସଲ କରିବାରେ ତାଙ୍କର ନାମ ଅଗ୍ରଗଣ୍ୟ । ବୋଧହୁଏ ଗାନ୍ଧିଜୀଙ୍କ ଠାରୁ ତାଙ୍କର ଆତ୍ମା ଅଧିକ ରୁଚିବନ୍ତ ।’’

Image

 

ଉପରାଷ୍ଟ୍ରପତି

 

୧୯୫୨ ମସିହା ରାଧାକୃଷ୍ଣନ୍‌ ଭାରତର ଉପରାଷ୍ଟ୍ରପତି ଭାବେ ଯୋଗଦେଲେ । ଏଥିପାଇଁ ଅବଶ୍ୟ ତାଙ୍କୁ ନିର୍ବାଚନ ଲଢ଼େଇରେ ଛିଡ଼ାହେବାକୁ ପଡ଼ି ନ ଥିଲା । ଉପରାଷ୍ଟ୍ରପତି ଦାୟିତ୍ୱରେ ଥାଇ ସେ ବିଭିନ୍ନ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ସହତ ସମ୍ପୃକ୍ତ ଥିଲେ । ପ୍ରଥମେ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର କୁଳପତି ଓ ପରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷ ଦାୟିତ୍ଵ ନେବା ପାଇଁ ସ୍ଵୀକୃତି ପ୍ରଦାନ କରିଥିଲେ । ଏହିପରି ଏକାଧିକ ହୁରୁଦାୟିତ୍ଵ ବହନ କରିଥିଲେ ମଧ୍ୟ ନିଜର ସାମ୍ବିଧାନିକ ଦାୟିତ୍ଵ ତୁଲାଇବାରେ ସେ ଆଦୌ ଅବହେଳା ପ୍ରଦର୍ଶନ କରୁ ନ ଥିଲେ, ବରଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କର ମସ୍କୋଯାତ୍ରା ତଥା ଅସୁସ୍ଥତା ସମୟରେ ସେ ରାଷ୍ଟପତିଙ୍କର ଗୁରୁଦାୟିତ୍ଵ ତୁଲାଇଥିଲେ । ଏହି ଦୁଇ ଦାୟିତ୍ଵରେ ଥିଲେ ମଧ୍ୟ ସେ ଅଧିକ ପରିତୋଷିକ ନେବାକୁ ଅସ୍ଵୀକାର କରିଥିଲେ ।

 

ଆମେରିକା ପରି ଆମ ଦେଶରେ ଉପରାଷ୍ଟ୍ରପତି ହେଉଛନ୍ତି ରାଜ୍ୟସଭାର ଅଧ୍ୟକ୍ଷ । ସେହି ସଭା ପରିଚାଳନା କରିବାରେ ରାଧାକୃଷ୍ଣନ୍‌ ଯେଉଁ ଅପାର ପଟୁତା ପ୍ରଦର୍ଶନ କରିଥିଲେ, ତାହା ଯଥାର୍ଥ ପ୍ରଶଂସାର୍ହ । ନିଯୁକ୍ତି ସମୟରେ କେହି ଆଶା କରି ନ ଥିଲେ ଯେ ଦାର୍ଶନିକ ରାଧାକୃଷ୍ଣନ୍‌ ସମ୍ବିଧାନର ଅନୁଚ୍ଛେଦମାନ ପ୍ରୟୋଜନସ୍ଥଳେ ସଭାରେ ବ୍ୟାଖ୍ୟା କରି ପାରିବେ ଓ ଆଇନାନୁମୋଦିତ ନିଜର ନିର୍ଣ୍ଣୟ ଦେଇ ଏକ ସୁସ୍ଥ ତଥା ନୂତନ ପରମ୍ପରା ଉପସ୍ଥାପିତ କରିପାରିବେ । ପୁନଶ୍ଚ ପ୍ରଶ୍ନୋତ୍ତର ଦେବାରେ ସେ ଥିଲେ ବେଶ୍‍ ଧୁରନ୍ଧର । କୌଣସି ଉତ୍ତର କିମ୍ବା ନିର୍ଣ୍ଣୟ ପାଇଁ ସେ କେବେହେଲେ ସଭାଗୃହରେ ସମୟ ଚାହୁଁ ନଥିଲେ । ନିଜର ଅଦ୍ଭୁତପୂର୍ବ ପ୍ରଜ୍ଞା ବଳରେ ସେ ଯେ କୌଣସି ପ୍ରଶ୍ନର ଉତ୍ତର ଦେଇ ପାରୁଥିଲେ । ସେତେବେଳେ ଡକ୍ଟର ଆମ୍ବେଦକର, ଭୂପେଶ ଗୁପ୍ତ ଇତ୍ୟାଦି ପ୍ରବୀଣ ରାଜନୀତିଜ୍ଞମାନେ ଥିଲେ ରାଜ୍ୟସଭାର ସଦସ୍ୟ । ଏହା ସତ୍ତ୍ୱେ ସଭାକକ୍ଷରେ କେବେହେଲେ ଅଶାନ୍ତି ଦେଖା ଦେଉ ନ ଥିଲା । ସଭାଗୃହର ମର୍ଯ୍ୟାଦା କିପରି ଅକ୍ଷୁଣ୍ଣ ରହୁ, ସେଥିପ୍ରତି ସେ ଥିଲେ ସର୍ବଦା ଯତ୍ନବାନ୍‌ । ସଭ୍ୟମାନେ ଛାତ୍ରଙ୍କ ପରି ତାଙ୍କ କଥା ଶୁଣୁଥିଲେ; ଅବଶ୍ୟ ସେତେବେଳେ ବିରୋଧିଦଳର ସଭ୍ୟ ସଂଖ୍ୟାଥିଲା ଖୁବ୍‌ କମ୍‌ ।

 

ଅଧ୍ୟକ୍ଷ ପଦବୀରେ ଥାଇ ମଧ୍ୟ ସେ ସଭାର ସବୁ ସଭ୍ୟଙ୍କ ପ୍ରତି ସମବ୍ୟବହାର ଦେଖାଉଥିଲେ । ସାମାନ୍ୟ କଥାରେ ଉତ୍ତେଜିତ କିମ୍ବା ଆବେଗଶୀଳ ହୋଇ ଅଦରକାରୀ ବିଷୟ ବୟାନ କରି ସଭାର ସୀମିତ ସମୟ ନଷ୍ଟ କରିବା ପାଇଁ ସେ କେବେହେଲେ କାହାକୁ ପ୍ରଶ୍ରୟ ଦେଉ ନ ଥିଲେ । ଅବଶ୍ୟ ସାମୟିକ ସଭାରେ ସରଗରମ ଆଲୋଚନା ହେଉଥିଲା; କିନ୍ତୁ ଶିଷ୍ଟତାର ସୀମାରେଖା ଲଙ୍ଘିବାକୁ ସେ କେବେହେଲେ କାହାକୁ ଅନୁମତି ଦେଉ ନ ଥିଲେ । ଅଧ୍ୟକ୍ଷଙ୍କର ନିର୍ଦ୍ଦେଶ ଓ ନିର୍ଣ୍ଣୟରେ କ୍ଷୁଣ୍ଣ ହୋଇ କୌଣସି ସଭ୍ୟ ପ୍ରାୟ ସଭାଗୃହ ତ୍ୟାଗ କରୁ ନ ଥିଲେ । ଦୀର୍ଘ ଦଶ ବର୍ଷ ଧରି ସେ ଥିଲେ ରାଜ୍ୟସଭାର ଅଧ୍ୟକ୍ଷ । ସେହି ଗୁରୁଦାୟିତ୍ଵ ବହନକରି ସେ ଯେପରି ସ୍ଵକୀୟ କାର୍ଯ୍ୟଦକ୍ଷତାର ସ୍ଥୂଳ ପରିଚୟ ଦେଉଥିଲେ, ତାହା ଯଥାର୍ଥ ପ୍ରଶଂସନୀୟ । ସ୍ଵର୍ଗତ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ତାଙ୍କର କାର୍ଯ୍ୟ ଦକ୍ଷତା ତଥା ସଭାସଞ୍ଚାଳନର ଭୂୟସୀ ପ୍ରଶଂସା କରି ଯଥାର୍ଥ କହିଥିଲେ—‘‘Rajyasabha is a toy in your hand.’’ ଆପଣଙ୍କ ହାତରେ ରାଜ୍ୟସଭା ଗୋଟିଏ ଖେଳନା ମାତ୍ର ।

 

ସଭାରେ ଯେବେ କୌଣସି କଠିନ ପରିସ୍ଥିତି ଉପୁଜୁଥିଲା, ତେବେ ସେ କଠୋର ଅନୁଶାସନ ଜରିଆରେ ତା’ର ସମ୍ମୁଖୀନ ହେଉଥିଲେ । କବି ଭବଭୂତିଙ୍କ ଭାଷାରେ କହିବାକୁ ଗଲେ, ସେଥିରେ ‘‘ବଜ୍ରାଦପି କଠୋରାଣି ମୃଦୁନି କୁସୁମାଦପି’’ । ଉପରାଷ୍ଟ୍ରପତି ଥିବା ସମୟରେ ଦିଲ୍ଲୀର ରାଜନୀତି ଉପରେ ସେ ନୈତିକ ପ୍ରଭାବ ପକାଇବାକୁ ଚେଷ୍ଟା କରୁଥିଲେ । ଆମେରିକା, ଚୀନ, ଜାପାନ, ରୁଷିଆ ଇତ୍ୟାଦି ବହୁ ଦେଶ ସେ ଗସ୍ତ କରି ଭାରତୀୟ ସଂସ୍କୃତିର ପ୍ରସାର ଦିଗରେ ସହାୟକ ହୋଇଥିଲେ । ଜାପାନ ଗସ୍ତ ସମୟରେ ତାଙ୍କ ସ୍ତ୍ରୀଙ୍କର ଦେହାନ୍ତ ହୋଇଥିଲା । ତେଣୁ ଜାପାନରୁ ସିଧାସଳଖ ତାଙ୍କୁ ମାନ୍ଦ୍ରାଜ ଫେରିଆସିବାକୁ ପଡ଼ିଥିଲା । କିଛି ଦିନ ପରେ ନେହେରୁଙ୍କର ପରରାଷ୍ଟ୍ରନୀତିର ବ୍ୟାଖ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ ଆମେରିକା ଯିବାକୁ ପଡ଼ିଲା । ବହୁ ସ୍ଥାନରେ ସେ ବକୃତା ଦେଇଥିଲେ । ତାଙ୍କର ଆଲୋଚ୍ୟ ବିଷୟ ଥିଲା ମୁଖ୍ୟତଃ ‘ଭୂମଣ୍ଡଳୀୟ ଲୋକତନ୍ତ୍ର’ ଓ ‘ଆଧୁନିକ ସଭ୍ୟତାର ଭବିଷ୍ୟତ’ । ତାଙ୍କ ମତରେ ଲୋକତନ୍ତ୍ରର ପରିଭାଷା ହେଉଛି—‘‘ଅଧ୍ୟାତ୍ମିକ ସୁବ୍ୟବହାର ।’’

 

ଟରେଣ୍ଟୋ ରେଡ଼ିଓରୁ ଭାରତର ସାଂସ୍କୃତିକ ଦୂତ ଡକ୍ଟର ରାଧାକୃଷ୍ଣନ୍‌ କହିଥିଲେ–‘‘ବିଶ୍ଵକ୍ରାନ୍ତି ସର୍ବଦା ପ୍ରଗତିଶୀଳ । ଏହା କମ୍ୟୁନିଜିମ୍‌ ଠାରୁ ସ୍ଵତନ୍ତ୍ର । ଆର୍ଥିକ ପ୍ରଗତି ଓ ବିକାଶ ପାଇଁ ଆଜିର ଦୁନିଆଁ ଆଗୁସାର । ପରର ଅକ୍ଷମତାରୁ ଅନୁଚିତ ଲାଭ ଉଠାଇବା ପ୍ରକୃତ ତଥା ପ୍ରକୃଷ୍ଟ ମାନବିକତାର ପରିଚାୟକ ନୁହେଁ । ଆମେ ଆଜି ଆମେରିକା କିମ୍ବା ରୁଷୀୟ ଜୀବନପ୍ରଣାଳୀ ଚାହୁଁନା । ମାନବୀୟ ଜୀବନପ୍ରଣାଳୀ ଆମର କାମ୍ୟ’’ ଓବେରିଲିନ୍‌ କଲେଜର ଅଧକ୍ଷ ତାଙ୍କୁ ସ୍ଵାଗତ କରି କହିଥିଲେ—‘‘ରାଧାକୃଷ୍ଣନ୍‌ ଜଣେ ବିଶ୍ଵବିଖ୍ୟାତ ତତ୍ତ୍ଵଜ୍ଞାନୀ ଓ ଏକ ମହାନ୍‌ ଗଣରାଜ୍ୟର ପ୍ରସିଦ୍ଧ ନାଗରିକ । ଶାନ୍ତି ଓ ସଂସ୍କୃତିର ବିକାଶ ଲାଗି ତାଙ୍କର ପ୍ରଚେଷ୍ଟା ଅଭିନନ୍ଦନୀୟ । ମହାମାନବ ପ୍ଲେଟୋଙ୍କ ସହିତ ସେ ତୁଳନୀୟ’’ ।

 

ରାଧାକୃଷ୍ଣନ୍‌ଙ୍କର ଦୂରଦୃଷ୍ଟି ଅତୀବ ତୀକ୍ଷ୍‌ଣ । ତେଣୁ ସେ ସାଧାରଣତଃ ଯେଉଁ ସିଦ୍ଧାନ୍ତ ଗ୍ରହଣ କରନ୍ତି, ସେଥିରେ ଆଦୌ ତ୍ରୁଟି ପରିଲକ୍ଷିତ ହୋଇ ନ ଥାଏ । ପୁନଶ୍ଚ ଦଳୀୟ କିମ୍ବା ରାଜନୀତିକ ତ୍ରୁଟିକୁ ଘଣ୍ଟ ଘୋଡ଼ାଇବାକୁ ରାଜ୍ୟ ସଭାର ଅଧ୍ୟକ୍ଷ ପଦରେ ଥାଇ ମଧ୍ୟ ସେ ଆଦୌ ପସନ୍ଦ କରୁ ନ ଥିଲେ । ସେଥିପାଇଁ ତତ୍‌କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାଙ୍କୁ ସ୍ନେହ ଓ ଭକ୍ତି କରୁଥିଲେ ।

 

‘‘Despite the apparent lowering of standards and increase of lawlessness and indiscipline, my faith in our people is unshaken. The culture, which we have inherited, in an ancient one and it has faced many waves of invasion of Yavanas, Sakas, Hunas, Pathans and Mongols, among others and is still enduring. It is not only the quality of antiquity—pracinata—but also of enduring vitality—mrtyunjayata—which has enabled it to last all these centuries. The secret of this staying power is the quality of tolerance and understanding. The saints and sages have been the great integrators of our society. They humanise the universe by humanising man.’’

 

—Radhakrishnan

Image

 

Unknown

ରାଷ୍ଟ୍ରପତି

 

୧୯୬୨ ମସିହା ମେ ମାସର ୧୨ ତାରିଖରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଅବସର ଗ୍ରହଣ କଲେ । ଦାର୍ଶନିକ ରାଧାକୃଷ୍ଣନ୍‌ ହେଲେ ଭାରତର ରାଷ୍ଟ୍ରପତି । ତାଙ୍କର ସେହି ନିର୍ବାଚନ ପରେ ସମଗ୍ର ବିଶ୍ଵବାସୀ ତାଙ୍କୁ ଜଣାଇଥିଲେ ହାର୍ଦ୍ଦିକ ଅଭିନନ୍ଦନ । ବିଲାତର ପ୍ରସିଦ୍ଧ ତତ୍ତ୍ଵଜ୍ଞାନୀ ସ୍ଵର୍ଗତ ‘ବରଟ୍ରାଣ୍ଡ ରସେଲ୍‌’ କହିଥିଲେ ସେ ଡକ୍ଟର ରାଧାକୃଷ୍ଣନ୍‌ ରାଷ୍ଟ୍ରପତି ନିର୍ବାଚନ ଦ୍ଵାରା ଦର୍ଶନ ସମ୍ମାନିତ ହେଲା । ସେ ଯାହାହେଉ ନା କାହିଁକି, କର୍ମଯୋଗୀ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କର ଉପଯୁକ୍ତ ଦାୟାଦ ରୂପେ ରାଧାକୃଷ୍ଣନ୍‌ ରାଷ୍ଟ୍ରପତି ଦାୟିତ୍ଵ ଗ୍ରହଣ କଲେ । ତାଙ୍କରି ଭାଷାରେ—‘‘ଡକ୍ଟର ରାଜେନ୍ଦ୍ର ପ୍ରସାଦ ଥିଲେ ନମ୍ରତାର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପରେ ରହୁଥିଲା ଭାରତୀୟ ଆତ୍ମାର ସ୍ପର୍ଶ । ତାଙ୍କର ସାଧୁତା, ଧୈର୍ଯ୍ୟ, ସ୍ଥୈର୍ଯ୍ୟ ଥିଲା ଏକାନ୍ତ ବିରଳ । ତାଙ୍କ ପ୍ରାଣରେ ଦେଶ ଓ ଜାତିର ପ୍ରାଣ ଯଥାର୍ଥେ ହେଉଥିଲା ପ୍ରତିବିମ୍ବିତ ।” ଡକ୍ଟର ରାଜେନ୍ଦ୍ର ପ୍ରସାଦ ଥିଲେ ଦୟା, ତ୍ୟାଗ ଓ ପ୍ରେମର ଅବତାର । ସରୋଜିନୀ ନାଇଡ଼ୁଙ୍କ ଭଷାରେ ‘‘ବୁଦ୍ଧଦେବଙ୍କର ସେ ଥିଲେ ଉପଯୁକ୍ତ ଦାୟାଦ ।” ସେହି କର୍ମଯୋଗୀଙ୍କର ଦାୟାଦ ହେଲେ କଣ ଜ୍ଞାନଯୋଗୀ, ଯାହା କି ବିଶ୍ଵରାଜନୀତିକ ଇତିହାସରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ସମ୍ବିଧାନ ଅନୁଯାୟୀ ଭାରତର ରାଷ୍ଟ୍ରପତିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସେ କେବଳ କେନ୍ଦ୍ରସରକାର ଓ କେନ୍ଦ୍ରଶାସନ ପାଇଁ ଦାୟୀ ନୁହନ୍ତି । ଭାରତୀୟ ରାଷ୍ଟ୍ରସଂଘର ପ୍ରତ୍ୟେକ ରାଜ୍ୟପାଇଁ ସେ ହେଉଛନ୍ତି ରାଷ୍ଟ୍ରପତି । ତେଣୁ ତାଙ୍କର ମୁଖ୍ୟଦାୟିତ୍ଵ ଓ କର୍ତ୍ତବ୍ୟ ହେଉଛି ଭାରତର ପ୍ରତ୍ୟେକ ରାଜ୍ୟରେ ସମ୍ବିଧାନ ସମ୍ମତ ସରକାର ଚାଲିଛି କି ନାହିଁ ଦେଖିବା । ସମ୍ବିଧାନର ୩୫୫ ଧାରାରେ ଏଥିପାଇଁ ତାଙ୍କୁ ଆବଶ୍ୟକୀୟ କ୍ଷମତା ଦିଆଯାଇଛି । କୌଣସି ରାଜ୍ୟରେ ସମ୍ବିଧାନ ସମ୍ମତ ଶାସନ ନ ଚାଲିଲେ ୩୫୬ ଧାରା ଅନୁଯାୟୀ ରାଷ୍ଟ୍ରପତି ଶାସନ ଜାରି କରାଯାଇଥାଏ । ଭାରତର ରାଷ୍ଟ୍ରପତି ହେଉଛନ୍ତି କେନ୍ଦ୍ର ଶାସନର ରାଷ୍ଟ୍ରମୁଖ୍ୟ । ତାଙ୍କ ତଳକୁ ରାଜନୀତିକ ମୁଖ୍ୟରୂପେ ପ୍ରଧାନମନ୍ତ୍ରୀ ଅଧିଷ୍ଠିତ । ଇଂରାଜୀ ପରମ୍ପରାସମ୍ମତ ବୈଧାନିକ ଗଣତନ୍ତ୍ରର ରାଷ୍ଟ୍ରମୁଖ୍ୟଙ୍କ ତୁଳନାରେ ସରକାରୀ ମୁଖ୍ୟ ଅଧିକ କ୍ଷମତାସମ୍ପନ୍ନ ।

 

ଭାରତର ରାଷ୍ଟ୍ରପତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପ୍ରତିନିଧି; କାରଣ ପ୍ରତ୍ୟେକ ରାଜ୍ୟର ନିର୍ବାଚିତ ଏମ.ଏଲ.ଏ. ଓ ଏମ. ପି. ମାନେ ରାଷ୍ଟ୍ରପତିଙ୍କ ନିର୍ବାଚନରେ ଭୋଟ ଦେଇଥାନ୍ତି; କିନ୍ତୁ ତାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ଥାବକୁ କେବଳ ପାର୍ଲିଆମେଣ୍ଟ ସଦସ୍ୟମାନେ ବିଚାର କରନ୍ତି । ଏତଦ୍‌ଭିନ୍ନ ପ୍ରତ୍ୟେକ ରାଜ୍ୟର ଆର୍ଥନୈତିକ ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଷ୍ଟ୍ରପତି ଉଭୟଙ୍କର କର୍ତ୍ତବ୍ୟ ରହିଛି । ପ୍ରତି ପଞ୍ଚମ ବର୍ଷରେ ରାଷ୍ଟ୍ରପତି ଅର୍ଥ କମିଶନ୍‌ ନିଯୁକ୍ତି କରନ୍ତି । ଉକ୍ତ କମିଶନ୍‌ କେନ୍ଦ୍ର ସରକାରଙ୍କର କେତେକ ଆୟକୁ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବଣ୍ଟନ କରିଥାନ୍ତି । ତାହା ବ୍ୟତୀତ ଭାଷା କମିଶନ୍‌ ଓ ଉପଜାତି କମିଶନ୍‌ ଇତ୍ୟାଦି ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତି ହୋଇଥାଏ । ମୁଖ୍ୟତଃ ରାଷ୍ଟ୍ରପତି ନିର୍ଦ୍ଦଳୀୟ ଓ ନିରପେକ୍ଷ ରହିବା ଉଚିତ ।

 

ଡକ୍ଟର ରାଧାକୃଷ୍ଣନ୍‌ ଏହି ନିର୍ଦ୍ଦଳୀୟ ଓ ନିରପେକ୍ଷ ପଦବୀର ହୋଇଥିଲେ ଯୋଗ୍ୟ ଅଧିକାରୀ । ବିଶ୍ଵଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କର ପ୍ରଚେଷ୍ଟା ଥିଲା ନିରବଛିନ୍ନ । ଭାରତକୁ ବିଶ୍ଵଶାନ୍ତି ସ୍ଥାପନର କେନ୍ଦ୍ର କରିବା ପାଇଁ ସେ ସର୍ବଦା ଥିଲେ ତତ୍‌ପର; କିନ୍ତୁ ଚୀନ୍‌ର ବର୍ବରୋଚିତ ଆକ୍ରମଣରେ ସେ ହୋଇଥିଲେ ମର୍ମାହତ । ଭାରତରକ୍ଷା ଆଇନ ଜାରି କରି ଶତ୍ରୁର ମୁକାବିଲା କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ସେ କରିଥିଲେ ସଂକଳ୍ପବଦ୍ଧ । ଭାରତର ପ୍ରଥମ ନାଗରିକ ଭାବରେ ସେ ଦଳଗତ ରାଜନୀତି ସହିତ ଅଲିପ୍ତ ରହୁଥିଲେ ।

 

ଜଣେ ଶିକ୍ଷକ ବିଶ୍ଵର ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ରର ଭାଗ୍ୟବିଧାତା ହେବେ, ଏହା କେହି କେବେ ଆଶାକରି ନଥିଲେ । ସେ ଯାହାହେଉ, ବିଶ୍ଵରେ ଶାନ୍ତିପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ସୁସମ୍ପର୍କ ସ୍ଥାପନ ପାଇଁ ସେ ଭୂୟସୀ ପ୍ରଚେଷ୍ଟା କରିଥିଲେ । ୧୯୬୩-୬୪ ମସିହାରେ ସେ ଇରାନ୍‌, ଆଫଗାନିସ୍ଥାନ, ଇଂଲଣ୍ଡ, ଆମେରିକା ଇତ୍ୟାଦି ଗସ୍ତ କରି ବିଶ୍ଵଶାନ୍ତି ପାଇଁ ଭାରତର ଭୂମିକା ସମ୍ପର୍କରେ ସାରଗର୍ଭକ ବକ୍ତୃତାମାନ ଦେଇଥିଲେ । ଜୁନ୍‌ ୩ ତାରିଖଠାରୁ ୧୧ ତାରିଖ ପର୍ଯ୍ୟନ୍ତ ସେ ଯୁକ୍ତରାଷ୍ଟ୍ର-ଆମେରିକା ଗସ୍ତ କରିଥିଲେ । ଏହା ଥିଲା ତାଙ୍କର ପଞ୍ଚମ ଥର ପାଇଁ ଆମେରିକା ଯାତ୍ରା । ଏଥିପୂର୍ବରୁ ଅଧ୍ୟାପକ ଓ ଉପରାଷ୍ଟ୍ରପତି ଭାବେ ସେ ଚାରି ଥର ଆମେରିକା ଯାତ୍ରା କରିଥିଲେ । ତତ୍‌କାଳୀନ ରାଷ୍ଟ୍ରପତି କେନେଡ଼ି ବିଶ୍ଵବିଖ୍ୟାତ ଦାର୍ଶନିକ ରାଧାକୃଷ୍ଣନ୍‌ଙ୍କୁ ଜଣାଇଥିଲେ ଯଥୋଚିତ ସମ୍ମାନ । ହ୍ଵାଇଟ୍‌ହାଉସର ସନ୍ନିକଟରେ ଥିବା ‘ବ୍ଲେୟର ହାଉସ୍‌’ରେ ସେ ଅବସ୍ଥାନ କରିଥିଲେ । ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଉର୍ଦ୍ଦିଷ୍ଟ ବିମାନ ଏ.ଏଫ୍‌. ୧, ଯାହାକୁ କି ଉଡ଼ନ୍ତା ହ୍ଵାଇଟ୍‌ହାଉସ୍‌ ବୋଲି କୁହାଯାଏ, ରାଧାକୃଷ୍ଣନ୍‌ଙ୍କ ପାଇଁ ତାହା ବ୍ୟବହୃତ ହୋଇଥିଲା । ବିଶେଷ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ହ୍ଵାଇଟ୍‌ହାଉସ୍‌(ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ)ର ଦକ୍ଷିଣ ପାର୍ଶ୍ଵରେ ତାଙ୍କ ବିମାନ ଅବତରଣ କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରଯାଇଥିଲା । ଏପରି ସମ୍ମାନ ପୂର୍ବରୁ ବିଶ୍ଵର କୌଣସି ରାଷ୍ଟ୍ରନାୟକଙ୍କୁ ଦିଆଯାଇ ନ ଥିଲା । ରାଷ୍ଟ୍ରପତି କେନେଡ଼ି ଭାରତର ରାଷ୍ଟ୍ରପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ କହିଥିଲେ–‘‘ଭାତର ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରାଷ୍ଟ୍ର । ଉଭୟ ଭାରତ ଓ ଆମେରିକା ରାଷ୍ଟ୍ରୀୟ ସ୍ଵତନ୍ତ୍ରତା ଓ ପ୍ରତ୍ୟେକ ନାଗରିକଙ୍କର ବ୍ୟକ୍ତିଗତ ସ୍ଵାଧୀନତା ଦେବା ପାଇଁ ସଂକଳ୍ପବଦ୍ଧ । ଉଭୟ ରାଷ୍ଟ୍ର ଘନିଷ୍ଠ ଭାବେ ପରସ୍ପର ସହିତ ସମ୍ପୃକ୍ତ । ପ୍ରସଙ୍ଗକ୍ରମରେ ସେ ରାଧାକୃଷ୍ଣନ୍‌ଙ୍କୁ ଜଣେ ଆନ୍ତଃରାଷ୍ଟ୍ରୀୟ ଖ୍ୟାତିସମ୍ପନ୍ନ ଦାର୍ଶନିକ ଓ ମାନବବାଦୀ ବର୍ଣ୍ଣନା କରିଥିଲେ ।

 

ଉତ୍ତରରେ ରାଧାକୃଷ୍ଣନ୍‌ କହିଥିଲେ—‘‘ଆମେରିକାର ଆର୍ଥିକ ସହୟତା ଭାରତ କେବେହେଲେ ଅସ୍ଵୀକାର କରିବ ନାହିଁ । ଭାରତବାସୀ ଏକ ଆଦର୍ଶ ଲୋକତନ୍ତ୍ର ଗଠନ କରିବା ପାଇଁ ସର୍ବଦା ତତ୍ପର । ସେଥିପାଇଁ ଆମେରିକାବାସୀଙ୍କର ସଦ୍‌ଭାବନା ଓ ସହାନୁଭୂତିପୂର୍ଣ୍ଣ ଦୃଷ୍ଟିକୋଣ ରହିବା ଅବଶ୍ୟମ୍ଭାବୀ’’ । ଭାରତର ରାଷ୍ଟ୍ରପତିଙ୍କର ଆଗମନ ଉଦ୍ଦେଶ୍ୟରେ ସେହି ସମ୍ବର୍ଦ୍ଧନା ସଭାରେ ମ୍ୟାଜିକ୍‌ ଫ୍ଲିଉଟ୍‌ ନାମକ ଏକ ବାଦ୍ୟସଙ୍ଗୀତର ସୁବ୍ୟବସ୍ଥା କରଯାଇଥିଲା । ରହଣି ସମୟ ମଧ୍ୟରେ ରାଧାକୃଷ୍ଣନ୍‌ ପ୍ରେସିଡ଼େଣ୍ଟ କେନେଡ଼ି ଓ ଶ୍ରୀମତୀ କେନେଡ଼ିଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ।

 

ୱାଶିଂଟନରେ ସାମ୍ବାଦିକମାନଙ୍କ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ସମ୍ମାନପ୍ରଦର୍ଶନ କରିବା ପାଇଁ ଏକ ମଧ୍ୟାହ୍ନ-ଭୋଜିର ଆୟୋଜନ କରଯାଇଥିଲା । ରାଷ୍ଟ୍ରପତି ସେହି ସଭାରେ ଭାଷଣ ଦେଇ କହିଥିଲେ—‘‘ଭାରତ ଏପରି ଗୋଟିଏ ଦେଶ ଯେଉଁଠିକି ବିଭିନ୍ନ ଜାତି, ଧର୍ମ ଓ ବିଶ୍ଵାସର ଲୋକେ ବସବାସ କରନ୍ତି । ଏଠାରେ ଏକଛତ୍ରପତି ଶାସକଙ୍କର କଠୋର ଶାସନ ବଳରେ ଜାତୀୟସଂହତି ସୁରକ୍ଷିତ ହୋଇ ନ ଥାଏ । କେହି କାହାର ଆଧ୍ୟାତ୍ମିକ ସ୍ଵତନ୍ତ୍ରତାରେ ଅଯଥା ହସ୍ତକ୍ଷେପ କରି ନ ଥାନ୍ତି ।’’

 

ଆମେରିକାର ପ୍ରାଚୀନ ରାଜଧାନୀ ଫିଲାଡେଲଫିଆରେ ପହଞ୍ଚିବା ପରେ ତାଙ୍କୁ ଏକ ଭଦ୍ର ପୌରସମ୍ବର୍ଦ୍ଧନା ଦିଆଯାଇଥିଲା ଓ ସେହି ନଗରୀ ତରଫରୁ ତାଙ୍କୁ ସମ୍ମାନିତ କରିବା ପାଇଁ ନାଗରିକତାର ଏକ ପଦକ ପ୍ରଦାନ କରଯାଇଥିଲା । ପେନ୍‌ସିଲଭେନିୟା ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତିଙ୍କୁ ‘ଡକ୍ଟର ଅଫ୍‌ଲ’ ଉପାଧି ପ୍ରଦାନ କରିଥିଲେ । ସେହି ଉତ୍ସବରେ ରାଧାକୃଷ୍ଣନ୍‌ କହିଲେ, ‘‘ଆମ୍ଭେମାନେ ସୁଖୀ ଓ ସମୃଦ୍ଧ ସଂସାର ଗଢ଼ିବା ପାଇଁ ପ୍ରୟାସ କରିବା ଉଚିତ । ଯଦି ବିଶ୍ୱବାସୀଙ୍କର ଆନ୍ତରିକ ସହଯୋଗ ରହେ, ଏକ ଅଭିନବ ଦୁନିଆ ଗଠନ ସହଜେ ସମ୍ଭବ ହୋଇ ପାରିବ । ଏ ଦିଗରେ ସେ ଅଧିକ ଆଶାୟୀ ବୋଲି ଉଲ୍ଲେଖ କରିଥିଲେ ।” ଫିଲାଡ଼େଲଫିଆ ସହରରେ ତାଙ୍କୁ ଦିଆଯାଇଥିବା ପୌରସମ୍ବର୍ଦ୍ଧନାର ଉତ୍ତର ଦେଇ ସେ କହିଲେ—‘‘ଆଜିର ସଂସାରରେ କେହି କାହାର ଦାସ ହୋଇ ନ ରହୁ । ଏଥିପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ । ସାମାଜିକ ସାମ୍ୟପ୍ରତିଷ୍ଠା କରିବା ପାଇଁ ଓ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଯଥୋଚିତ ଉଦ୍ୟମ କରାଯିବା ଦରକାର । କାରଣ ସମସ୍ତଙ୍କ ଦେହରେ ଭଗବାନଙ୍କର ପବିତ୍ର ସତ୍ତା ରହିଛି—ଏହା ଆମର ଲୋକତନ୍ତ୍ରର ଆଧାର ଓ ପୂର୍ବଜମାନଙ୍କର ବିଶ୍ଵାସ ।’’

 

ଡେନ୍‌ବର ବିଶ୍ୱବିଦ୍ୟାଳୟ ତରଫରୁ ମଧ୍ୟ ରାଷ୍ଟ୍ରପତିଙ୍କୁ ‘ଡକ୍ଟର ଅଫ୍‌ଲ’ ଉପାଧି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସେଠାରେ ସେ ଦୀକ୍ଷାନ୍ତ ଭାଷଣ ଦେଇ ସମଗ୍ର ବିଶ୍ଵକୁ ଏକ ଶିକ୍ଷାଳୟ ବୋଲି ବର୍ଣ୍ଣନା କରିଥିଲେ । ଗ୍ରସ୍ତକ୍ରମରେ ସେ ବିଶ୍ଵର ବୃହତ୍ତମ ଷ୍ଟୁଡିଓ ‘ମେଟ୍ରୋ ଗୋଲଡଉଇନ ମେୟର (ଏମ୍‌. ଜି.ଏମ୍‌.) ପରିଦର୍ଶନ କରିଥିଲେ । ଲସଆଞ୍ଜଲସ ପରିଷଦରେ ବିଶ୍ଵର ସବୁ ରାଷ୍ଟ୍ରଙ୍କୁ ଚେତାବନୀ ଶୁଣାଇ ସେ କହିଥିଲେ—‘‘ଏହି ଜଟିଳତାପୂର୍ଣ୍ଣ ଯୁଗରେ ସଂଘର୍ଷ ଅବଶ୍ୟମ୍ଭାବୀ । ଏହାକୁ ଏଡ଼ାଇବାକୁ ହେଲେ ପ୍ରତ୍ୟେକ ରାଷ୍ଟ୍ର ସଦ୍‌ଭାବନା ଓ ସହିଷ୍ଣୁତାପୂର୍ଣ୍ଣ ମନୋଭାବ ପୋଷଣ କରିବା ଉଚିତ । ରାଷ୍ଟ୍ରମାନଙ୍କ ମଧ୍ୟରେ ଯଦି ସୁସ୍ଥ ସମ୍ପର୍କ ସ୍ଥାପିତ ହୋଇ ନ ପାରିଲା, ତାହାହେଲେ ବିଶ୍ଵରେ ଶାନ୍ତିପ୍ରତିଷ୍ଠା ଏକ ଦିବା ସ୍ଵପ୍ନରେ ପରିଣତ ହେବ । ଯଦି କୌଣସି ରାଷ୍ଟ୍ରର ନାଗରିକ ନିଜର ବିଚାର ଅଭିବ୍ୟକ୍ତ କରିବାର ସ୍ଵତନ୍ତ୍ରତାରୁ ବଞ୍ଚିତ ହୁଏ, ତାହାହେଲେ ସେ ରାଷ୍ଟ୍ରର ସ୍ଵାତନ୍ତ୍ର୍ୟ ରହିବା ଅସମ୍ଭବ । ସଂସାରର ବିଭିନ୍ନ ପ୍ରାନ୍ତରେ ସାମାଜିକ ଅସମାନତା ସମ୍ବନ୍ଧୀୟ ସମସ୍ୟାର ସମାଧାନର ସହାୟତା କରିବା ପାଇଁ ଆନ୍ତଃରାଷ୍ଟ୍ରୀୟ ଭାବନାରେ ଜାଗୃତି ଆସିବା ଆବଶ୍ୟକ । ଅବଶ୍ୟ ଏଥିପାଇଁ ଭ୍ରାତୃତ୍ଵ ଓ ସଦ୍‌ଭାବନାର ଆଶୁ ପ୍ରସାର ଦରକାର । ପୁନଶ୍ଚ ଭାବନାର ରୂପରେଖ ମଧ୍ୟ ଆନ୍ତଃରାଷ୍ଟ୍ରୀୟ ହେବା ଉଚିତ । ମଣିଷ ମନରେ ନିରବଚ୍ଛିନ୍ନ ଭାବେ ସଂଘର୍ଷ ରହିବା ସ୍ଵାଭାବିକ ।’’

 

ନିଉୟର୍କରେ ତାଙ୍କର ଆମେରିକାଗସ୍ତ ସମାପ୍ତ ହୋଇଥିଲା । ସେଠାରେ ତାଙ୍କୁ ଅଭୂତପୂର୍ବ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ବିଶ୍ଵଶାନ୍ତି ଓ ଆନ୍ତଃରାଷ୍ଟ୍ରୀୟ ନ୍ୟାୟର ଅଗ୍ରଦୂତ ବୋଲି ବର୍ଣ୍ଣନା କରାଯାଇଥିଲା । ଏହି ସମ୍ବର୍ଦ୍ଧନାରେ ଲକ୍ଷାଧିକ ଲୋକ ଯୋଗ ଦେଇଥିଲେ । ନିଉୟର୍କ ବିଶ୍ୱବିଦ୍ୟାଳୟ ତରଫରୁ ମଧ୍ୟ ତାଙ୍କୁ ‘ଡକ୍ଟର ଅଫ୍‌ଲ’ ଉପାଧିରେ ସମ୍ମାନିତ କରଯାଇଥିଲା । ସେହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ଡଃ ଜେମସ୍‌ ଏମ୍‌. ହେଷ୍ଟର କହିଥିଲେ—‘‘ଡଃ. ରାଧାକୃଷ୍ଣନ୍‌ ଜଣେ ଆନ୍ତଃରାଷ୍ଟ୍ରୀୟ ନେତା ଯେ କି ମାନବୀୟ ସ୍ଥିତିକୁ ସୁଧାରିବା ପାଇଁ, ତାଙ୍କର ଅସାଧାରଣ ପ୍ରତିଭାର ଉପଯୋଗ କରିଅଛନ୍ତି ।’’ ସ୍ଥାନୀୟ ସିଟି ହଲରେ ଆୟୋଜିତ ଏକ ସ୍ଵାଗତ ସମାରୋହରେ ଭାଷଣ ଦେଇ ରାଧାକୃଷ୍ଣନ୍‌ କହିଥିଲେ—‘‘ଭାରତ ଓ ଆମେରିକା ଉଭୟ ଲୋକତନ୍ତ୍ର ଆଦର୍ଶ ଦୃଷ୍ଟିରୁ ଉଭୟ ପରସ୍ପର ସମ୍ବନ୍ଧଶୀଳ । ଏହି ଆଦର୍ଶ ପରସ୍ପର ଗାରିମା, ବୁଦ୍ଧିର ପ୍ରତିଷ୍ଠା, ଶାନ୍ତି ଓ ବନ୍ଧୁତ୍ଵ ଉପରେ ପ୍ରତିଷ୍ଠିତ । ଭାରତୀୟ ସମ୍ବିଧାନରେ ଏହି ଆଦର୍ଶର ଏକତ୍ରୀକରଣ ଘଟିଛି ।’’

 

ଏକ ଟେଲିଭିଜନ୍‌ ସାକ୍ଷାତ୍‍କାରରେ ଆମେରିକା ଅଧିବାସୀଙ୍କୁ ଏକ ବାର୍ତ୍ତାଦେଇ ଡକ୍ଟର ରାଧାକୃଷ୍ଣନ୍‌ କହିଥିଲେ—‘‘ବିଶ୍ଵଶାନ୍ତି ପ୍ରତିଷ୍ଠା ଦିଗରେ ଆମ୍ଭେମାନେ ଆଶାବାଦୀ ହେବା ଉଚିତ । ଭାରତବାସୀ ଲୋକତନ୍ତ୍ରରେ ବିଶ୍ୱାସ କରନ୍ତି । ସେହି ଲୋକତନ୍ତ୍ରର ପୂର୍ଣ୍ଣ ପ୍ରତିଷ୍ଠା ପାଇଁ ସାମ୍ୟ ଓ ସ୍ଵତନ୍ତ୍ରତାର ଏକ ବାତାବରଣ ସୃଷ୍ଟି କରାଯିବା ଉଚିତ । ମୁଁ ଲୋକତନ୍ତ୍ର, ସ୍ଵତନ୍ତ୍ରତା ଓ ଶାନ୍ତିପୂର୍ଣ୍ଣ ସମାଧାନର ପକ୍ଷ ସମର୍ଥନ କରେ । ଯଦ୍ଦ୍ଵାରା ମାନବର ଆତ୍ମା ସୁରକ୍ଷିତ ହୋଇପାରିବ ।’’ ଲୋକତନ୍ତ୍ର ପ୍ରତି ନିଜର ନିଷ୍ଠା ପ୍ରକାଶ କରି ରାଷ୍ଟ୍ରପତି କହିଥିଲେ—‘‘ମୁଁ ଅସଂଦିଗ୍‌ଧ ମନରେ କହିପାରେ, ଲୋକତନ୍ତ୍ର ବିଶ୍ୱରେ ଦିନେ ନା ଦିନେ ସାଫଲ୍ୟମଣ୍ଡିତ ହେବେ ।”

 

ଆମେରିକା ଗସ୍ତ ଶେଷକରି ୧୯୬୩ ମସିହା ଜୁନ୍‌ ୧୨ ତାରିଖରେ ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ୍‌ ବ୍ରିଟେନ ଯାତ୍ରା କରିଥିଲେ ଓ ସେଠାରେ ୨୩ ତାରିଖ ପର୍ଯ୍ୟନ୍ତ ରହିଥିଲେ । ସମଗ୍ର ବ୍ରିଟେନର ବାତାବରଣ ରାଷ୍ଟ୍ରପତିଙ୍କ ପାଇଁ ଥିଲା, ମୈତ୍ରୀପୂର୍ଣ୍ଣ ଓ ପରିଚିତ । ରାଣୀ ଏଲିଜାବେଥ୍‌ଙ୍କ ନିମନ୍ତ୍ରଣ କ୍ରମେ ବକିଂମ୍‌ହମ୍‌ ରାଜପ୍ରସାଦରେ ପହଞ୍ଚିଲା ପରେ ତାଙ୍କୁ ବ୍ରିଟେନର ସର୍ବୋଚ୍ଚ ସମ୍ମାନସୂଚକ ପଦକ ‘ଅର୍ଡର ଅଫ ମେରିଟ୍‌’ ପ୍ରଦାନ କରାଯାଇଥିଲା । ଏ ପର୍ଯ୍ୟନ୍ତ ବିଶ୍ଵର ମାତ୍ର ଚଉଦ ଜଣ ବିଶିଷ୍ଟ ନାଗରିକଙ୍କୁ ପ୍ରଦାନ କରାଯାଇଛି । ମାର୍ଲବରୋ ହାଉସରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ କମନୱେଲଥ୍‌ ମନ୍ତ୍ରୀ ଡନ୍‌କନ୍‌ ସେଣ୍ଡିଜ୍‌ କହିଥିଲେ—‘‘ଆମ୍ଭେମାନେ ଆପଣଙ୍କ ପରି ଜନୈକ ବିଖ୍ୟାତ ବିଚାରକ, ତତ୍ତ୍ଵଜ୍ଞାନୀ ଓ ଲେଖକଙ୍କୁ ପାଇ ଧନ୍ୟ ମନେ କରୁଅଛୁ । ଆପଣ ଭାରତର ମହାନ୍‌ ଜନନାୟକ । ଆପଣଙ୍କର ଅସାଧାରଣ ପ୍ରତିଭା, ବୁଦ୍ଧି ଓ ଦୃଷ୍ଟିକୋଣ ବଳରେ ଆପଣ କେବଳ ଭାରତ ନୁହନ୍ତି, ସମଗ୍ର ବିଶ୍ଵର ଜଣେ ସମ୍ମାନନୀୟ ନାଗରିକ ହୋଇ ପାରିଅଛନ୍ତି ।”

 

କମନୱେଲ୍‌ଥ ଇନଷ୍ଟିଚ୍ୟୁଟୁରେ ରାଣୀଙ୍କର ସ୍ଵାଗତ ଭାଷଣର ଉତ୍ତର ଦେଇ ଡକ୍ଟର ରାଧାକୃଷ୍ଣନ୍‌ କହିଥିଲେ—‘‘ବ୍ରିଟେନ୍‌ ସହିତ ଭାରତର ସମ୍ବନ୍ଧ ଐତିହାସିକ । ଆମର ସାମ୍ବିଧାନ ପ୍ରଣେତା ମାନେ ଆପଣଙ୍କ ସମ୍ବିଧାନରୁ ବହୁ ନୀତିନିୟମ ଗ୍ରହଣ କରିଅଛନ୍ତି । ମତଭେଦକୁ ସଂଯୋଜନ କରିବା, ନିଜର ବିଚାରକୁ ଯୁକ୍ତିଯୁକ୍ତ ତର୍କର ଅନ୍ତିମ ସୀମା ପର୍ଯ୍ୟନ୍ତ ନେବା, ଉଗ୍ରତା କବକଳରୁ ନିଜକୁ ରକ୍ଷାକରିବା ଇତ୍ୟାଦି ବହୁ ଗୁଣ ଆମ୍ଭେମାନେ ଆପଣଙ୍କ ଇତିହାସରୁ ଗ୍ରହଣ କରିଅଛୁ ।” ସ୍କଟ୍‍ଲ୍ୟାଣ୍ଡର ରାଜଧାନୀ ଏଡ଼ିନବରାରେ ରାଷ୍ଟ୍ରପତିଙ୍କୁ ସେଠା ବିଶ୍ୱବିଦ୍ୟାଳୟ ତରଫରୁ ‘ଡକ୍ଟର ଅଫ ଲ’ ଉପାଧିରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ସେହି ବିଶ୍ଵବିଦ୍ୟାଳୟର କୁଳପତି କହିଥିଲେ—‘‘ମହାମାନବ ପ୍ଲେଟୋ ଏକ ତତ୍ତ୍ଵଜ୍ଞାନୀ ଶାସକଗୋଷ୍ଠୀର ସ୍ଵପ୍ନ ଦେଖିଥିଲେ । ଭାରତ ଆପଣଙ୍କ ଭଳି ଜଣେ ବିଶିଷ୍ଟ ଦାର୍ଶନିକଙ୍କୁ ରାଷ୍ଟ୍ରପତି ରୂପେ ପାଇବା ଦ୍ଵାରା ସେହି ମହାମାନବଙ୍କର ସ୍ଵପ୍ନ ସାର୍ଥକ ହୋଇଅଛି ।’’ ଲଣ୍ଡନର ଲର୍ଡ଼ମେୟର ରଲଫ ପେରିଂ ତାଙ୍କ ସ୍ଵାଗତ ଭାଷଣରେ ମଧ୍ୟ ଅନୁରୂପ ମତବ୍ୟକ୍ତ କରିଥିଲେ । ବୋର୍ବେଟ୍ରିର ଲର୍ଡ଼ ମେୟର ଶ୍ରୀମତୀ ଏମିଲା ଏଲେନ୍‌ କହିଥିଲେ—‘‘ଆପଣ ହେଉଛନ୍ତି ଜନତାର ନେତା । ଦୁନିଆଁ ଲୋକଙ୍କୁ ଏକ ମନ, ଏକପ୍ରାଣ କରିବା ଦିଗରେ ଆପଣଙ୍କର ଅବଦାନ ଆଜି ଆନ୍ତର୍ଜାତିକ ସ୍ୱୀକୃତି ପାଇଛି । ରାଷ୍ଟ୍ରସଂଘ ଓ ୟୁନେସ୍କୋରେ ଆପଣଙ୍କର ବିଶିଷ୍ଟ ଭୂମିକା ଆଜି ଶତମୁଖରେ ପ୍ରଶଂସିତ ।’’

 

ଏଡ଼ିନ୍‍ବରା ବିଶ୍ଵବିଦ୍ୟାଳୟରେ ଏକ ସାରଗର୍ଭକ ଭାଷଣ ଦେଇ ରାଧାକୃଷ୍ଣନ୍‌ କହିଥିଲେ–‘‘ଆଜି ଦୁନିଆବାସୀ ଏକ ହୋଇ, ଯେ ଯାହାର ଉଚ୍ଚ ପ୍ରବୃତ୍ତି ଓ ପରକାଷ୍ଠା ପ୍ରଦର୍ଶନ କରିବା ଉଚିତ । ତାହାହେଲେ ଯାଇ ସେମାନେ ପରିପୂର୍ଣ୍ଣତା ହାସଲ କରିପାରିବେ ।”

 

‘‘ମାନବ ଜାତିର ସମ୍ପୂର୍ଣ୍ଣ ମୁକ୍ତି ହିଁ ଇତିହାସର ଲକ୍ଷ୍ୟ । ଏହି ଲକ୍ଷ୍ୟ କେବଳ ସାଧିତ ହୋଇପାରିବ, ଯେତେବେଳେ ପ୍ରତ୍ୟେକ ରାଷ୍ଟ୍ର ବିଶ୍ଵଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟାକୁ ନୀତିରୂପେ ଗ୍ରହଣ କରିବେ ।” ଗିଲ୍‌ଡ୍‌ ହଲରେ ଭାଷଣ ଦେଇ ରାଷ୍ଟ୍ରପତି କହିଥିଲେ—‘‘ଦୁଇଟି ପ୍ରଳୟଙ୍କରୀ ମହାଯୁଦ୍ଧ ଅଙ୍ଗରେ ଲିଭାଇଥିଲେ ମଧ୍ୟ ଆମେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆବଶ୍ୟକତା ଏ ପର୍ଯ୍ୟନ୍ତ ଶିକ୍ଷାକରି ନାହୁଁ । ଶାନ୍ତି ଓ ପ୍ରେମରେ ରହିବା ପାଇଁ ଆମେ ଚାହୁଁ ଯୁଦ୍ଧର ପରିସମାପ୍ତି । ଧର୍ମ ଓ ରାଜନୀତିର ନେତୃବୃନ୍ଦଙ୍କ ପକ୍ଷରେ ଏହି ଯୁଗ-ବାର୍ତ୍ତାର ସ୍ପଷ୍ଟ ଅଭିବ୍ୟକ୍ତି ପାଇଁ ଉପଯୁକ୍ତ ସମୟ ଆସିଛି ।” ଏହିପରି ବହୁ ବିଶିଷ୍ଟ ଅନୁଷ୍ଠାନରେ ସେ ନିଜର ଅଭିମତ ବ୍ୟକ୍ତି କରିଥିଲେ । ଏଡ଼ିନ୍‌ବରା ବିଶ୍ୱବିଦ୍ୟାଳୟ ତରଫରୁ ରାଷ୍ଟ୍ରପତିଙ୍କୁ ସମ୍ମାନ ସୂଚକ ଏଲ.ଏଲ.ଡି. ଉପାଧି ପ୍ରଦାନ କରି କୁଳପତି ସାର ଏଡ଼ୱାର୍ଡ଼ ଅପଲେଟନ୍‌ କହିଥିଲେ—‘‘ଡକ୍ଟର ରାଧାକୃଷ୍ଣନ୍‌ ହିଁ ବିଶ୍ଵର ପ୍ରଥମ ବ୍ୟକ୍ତି ଯାହାଙ୍କୁ ଏପରି ସମ୍ମାନ ପ୍ରଦର୍ଶନ କରାଗଲା ।’’ କାରଣ ତାଙ୍କ ପୂର୍ବରୁ କୌଣସି ବ୍ୟକ୍ତିଙ୍କୁ ଏଡ଼ିନ୍‍ବରା ବିଶ୍ୱବିଦ୍ୟାଳୟ ତରଫରୁ ଏଲ.ଏଲ.ଡି. ଉପାଧିରେ ଭୂଷିତ କରାଯାଇ ନ ଥିଲା ।

 

ଭିକଟୋରିଆ ଷ୍ଟେସନରେ ରାଷ୍ଟ୍ରପତିଙ୍କୁ ଭାରତୀୟ ଶିଶୁମାନେ ସ୍ଵାଗତ କରିଥିଲେ । କିଛି ସମୟ ଶିଶୁମାନଙ୍କ ସହିତ ଅବିବାହିତ କଲାପରେ ସେ ବ୍ରିଟେନରେ ପାଞ୍ଚହଜାର ମେଗାୱାଟ ବିଜୁଳିଶକ୍ତି ଉତ୍ପାଦନ କରୁଥିବା ଆଣବିକ କେନ୍ଦ୍ର ପରିଦର୍ଶନ କରି ବାକୁ ଯାଇଥିଲେ । ତା ପରେ ସେ ଜୋଡରେଲ ବ୍ୟାଙ୍କର ରେଡ଼ିଓ ଟେଲିସ୍‌କୋପ୍‌ ପରିଦର୍ଶନ କରିଥିଲେ । ରେଡିଓ-ଜ୍ୟୋତିଷର ଅଧ୍ୟାପକ ସର୍‌ ବର୍ଣ୍ଣାଡ୍‌ ଲାବେଲ୍‌ ଏକହଜାର ଟନ୍‌ ଓଜନ ବିଶିଷ୍ଟ ସେହି ଟେଲିସକୋପ୍‌ କିପରି କାର୍ଯ୍ୟ କରୁଛି, ତାହା ବୁଝାଇ ଦେଇଥିଲେ । ସେହି ଟେଲିସକୋପ୍‌ ଦ୍ଵାରା ଦଶକୋଟି ମାଇଲ ଦୂରରେ ଥିବା ଗ୍ରହନକ୍ଷତ୍ରଙ୍କର ସ୍ଥିତି ଜାଣିବା ସମ୍ଭବପର । ୧୯୬୦ମସିହାରେ ସେହି ଯନ୍ତ୍ର ସାହାଯ୍ୟରେ ବୈଜ୍ଞାନିକମାନେ ‘ନେବୁଲା’ (ଛାୟାପଥ) ର ସନ୍ଧାନ ପାଇଥିଲେ । ଏହି ନେବୁଲା ବିଶ୍ଵପୃଷ୍ଠରୁ ଏତେଦୂର ଯେ, ପୃଥିବୀପୃଷ୍ଠକୁ ଆସିବା ପାଇଁ ତାକୁ ସାତକୋଟି ବର୍ଷ ଲାଗିବା ।

 

ତାହାପରେ ସେ ମିଡ୍‌ଲ୍ୟାଣ୍ଡ ସିଟି ମଧ୍ୟ ପରିଦର୍ଶନ କରିଥିଲେ । ଯୁଦ୍ଧୋତ୍ତର କାଳରେ ବ୍ରିଟେନର ଯେଉଁ ପୁନଃନିର୍ମାଣ କରାଯାଇଛି, ଏହି ସହର ହେଉଛି ତାହର ଏକ ନମୁନା । ଗୋଟିଏ ଧ୍ଵଂସସ୍ତୂପ ମଧ୍ୟରୁ ଏହି ଶିଳ୍ପନଗରୀ ଆଜି ଜନ୍ମଲାଭ କରିଛି । ଗତ ମହାଯୁଦ୍ଧରେ ବୋମାବର୍ଷଣ ଯୋଗୁଁ ଏହି ସହର ବିଚ୍ଛିନ୍ନ ହୋଇଯାଇଥିଲା; କିନ୍ତୁ ଏବେ ତାହା ବ୍ରିଟେନର ବୈଜ୍ଞାନିକ ଅଭିବୃଦ୍ଧିର ଏକ ମାଇଲଖୁଣ୍ଟ ରୂପେ ପରିଗଣିତ । ସେଠାରେ ଏକ ଅଭ୍ୟର୍ଥନା ଉତ୍ସବର ଉତ୍ତରରେ ରାଷ୍ଟ୍ରପତି କହିଲେ—‘‘କଲମ୍ବୋ ଯୋଜନା ମାଧ୍ୟମରେ ବ୍ରିଟେନ ଭାରତକୁ ଆର୍ଥିକ ସାହାଯ୍ୟ ଦେଉଅଛି । ସେଥିଯୋଗୁଁ ଆମେ ଭାରତବାସୀ ଆପଣମାନଙ୍କ ନିକଟରେ ଋଣୀ ।” ସ୍କଟଲ୍ୟାଣ୍ଡର ମନ୍ତ୍ରୀ ମାଇକେଲ୍‍ ନୋବେଲଙ୍କର ସମ୍ଭାଷଣର ଉତ୍ତର ଦେଇ ରାଷ୍ଟ୍ରପତି ଭାରତ ଓ ସ୍କଟ୍‍ଲ୍ୟାଣ୍ଡର ପ୍ରାଚୀନ ସମ୍ପର୍କ ବିଷୟ ଉଲ୍ଲେଖ କରିଥିଲେ ।

 

ଗସ୍ତକ୍ରମରେ ରାଷ୍ଟ୍ରପତି ତାଙ୍କର ପୂର୍ବପରିଚିତ ଅକ୍‍ସଫୋର୍ଡ଼ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଯାଇଥିଲେ । ସାତସହ ବର୍ଷର ପୁରାତନ ବିଶ୍ଵବିଦ୍ୟାଳୟ ସହିତ ଥିବା ସମ୍ପର୍କ ସ୍ପଷ୍ଟଭାବରେ ତାଙ୍କର ସ୍ମୃତି ମୁକୁରରେ ନାଚିଉଠିଥିଲା । ସେହି ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ୧୨୪୯ ମସିହାରେ । ରାଷ୍ଟ୍ରପତିଙ୍କର ସେହି ବିଶ୍ଵବିଦ୍ୟାଳୟ ପରିଦର୍ଶନ ପୁରାତନ ଗୃହପ୍ରବେଶ ସହିତ ତୁଳନା କରଯାଇଥିଲା । ମାଞ୍ଚେଷ୍ଟର ବିଶ୍ଵବିଦ୍ୟାଳୟକୁ ଯାଇ ରାଷ୍ଟ୍ରପତି ଭରତୀୟ ଛାତ୍ରମାନଙ୍କ ସହିତ ସାକ୍ଷାତ କରିଥିଲେ । ଲଣ୍ଡନର ମେୟର ଅଭ୍ୟର୍ଥନା ଉତ୍ସବରେ ରାଷ୍ଟ୍ରପତିଙ୍କୁ ‘ମୂର୍ତ୍ତିମାନ ଭାରତ’ ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ—‘‘ଭାରତ ଯେଉଁ ଆଦର୍ଶର ପ୍ରଚାର କରୁଅଛି, ସେହି ଆଦର୍ଶ ଉପରେ ଡକ୍ଟର ରାଧାକୃଷ୍ଣନ୍‌ଙ୍କ ଜୀବନ ଆଧାରିତ । ଭାରତୀୟ ପ୍ରାଚୀନଶିକ୍ଷା ଓ ସଂସ୍କୃତିକୁ ପୁନରୁଜ୍ଜୀବିତ କରିବା ପାଇଁ ସେ ଆଜୀବନ ଉଦ୍ୟମ ଚଳାଇ ଆସିଅଛନ୍ତି । ତାଙ୍କର ଏହି ବ୍ରିଟେନ ଯାତ୍ରାକୁ ‘ଏକ ମହାନ୍‌ କମନୱେଲ୍‌ଥ ଅବସର’ ବୋଲି ସେ ଉଲ୍ଲେଖ କରିଥିଲେ । ବିଶ୍ଵମୈତ୍ରୀ ଓ ମାନବିକତାର ଏକତା ପାଇଁ କମନୱେଲ୍‌ଥ ପ୍ରତିଷ୍ଠିତ । ସେହି ବିରାଟ ସଂସ୍ଥାକୁ ଅଧିକପ୍ରେରଣା ଓ ସ୍ଫୃର୍ତ୍ତିଦେବାରେ ସେ କେବେହେଲେ କୁଣ୍ଠାବୋଧ କରିନାହାନ୍ତି ।” ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ନିମନ୍ତ୍ରିତ ହୋଇ ଏକ ନୈଶଭୋଜିରେ ସେ କହିଲେ, କମନୱେଲ୍‌ଥକୁ ପ୍ରସାରିତ କରି ବିଶ୍ଵରେ ମାନବତାକୁ ସୁରକ୍ଷିତ ଓ ସଂଜୀବିତ କରିବା ପାଇଁ ବ୍ରିଟେନବାସୀ ଆପ୍ରାଣ ଉଦ୍ୟମ କରିବା ଉଚିତ । ବ୍ରିଟେନରୁ ବିଦାୟ ନେବାର ଅବ୍ୟବହିତ ପୂର୍ବରୁ ଡକ୍ଟର ରାଧାକୃଷ୍ଣନ୍‌ ଏକ ରେଡ଼ିଓ ଭାଷଣ ଦେଇ କହିଥିଲେ—‘‘ପାର୍ଲିଆମେଣ୍ଟାରୀ ଲୋକତନ୍ତ୍ରରେ ଆମ ଲୋକ କିପରି ଅଧିକ ସ୍ଵତନ୍ତ୍ର ଓ ସମୃଦ୍ଧ ଜୀବନଯାପାନ କରିବେ, ସେଥିପାଇଁ ଆମେ ଆଶାନୁରୂପ ଉଦ୍ୟମ କରୁଅଛୁ । ଏ ଦିଗରେ ଆପଣମାନଙ୍କର ସହାୟତା ମଧ୍ୟ ସ୍ୱୀକାର୍ଯ୍ୟ, କାରଣ ଆମ ଭାରତରୁ ବହୁ ଯୁବକ ଯୁବତୀ ଆପଣଙ୍କ ଦେଶରେ ବିଭିନ୍ନ ବୈଷୟିକ ପ୍ରଶିକ୍ଷଣର ସୁଯୋଗ ନେଇଅଛନ୍ତି । ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଜନ୍ମଭୂମିର ଉନ୍ନତିକଳ୍ପେ ସେମାନେ ସଂକଳ୍ପବଦ୍ଧ ଉଦ୍ୟମ କରିବେ ବୋଲି ମୋର ବହୁତ ଦୃଢ଼ ଆଶା-। ବ୍ରିଟେନ ଓ ଭାରତର ସମ୍ପର୍କ ଏକ ପାରମ୍ପରିକ ସମ୍ମାନ, ବନ୍ଧୁତ୍ଵ ଓ ସଦ୍‌ଭାବନା ଉପରେ ପ୍ରତିଷ୍ଠିତ-। ଆପଣମାନେ ମୋତେ ଯେପରି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି, ସେଥିଯୋଗୁଁ ମୁଁ ଧନ୍ୟବାଦ ଜଣାଉଅଛି ।”

 

୧୯୬୪ ମସିହା ସେପ୍ଟେମ୍ବର ୧୧ ତାରିଖରେ ରାଷ୍ଟ୍ରପତି ରାଧାକୃଷ୍ଣନ୍‌ ସୋଭିଏତ୍‍ ରୁଷ ଗସ୍ତରେ ଯାଇଥିଲେ । ବ୍ରିଟେନ ପରି ସୋଭିଏତ୍‍ ଦେଶ ମଧ୍ୟ ତାଙ୍କର ଥିଲା ପୂର୍ବାପରିଚିତ । ରାଷ୍ଟ୍ରପତିଙ୍କ ବିମାନକୁ ରୁଷିଆର କେତେକେ ଲଢ଼ୁଆ ବିମାନ ବହୁ ଦୂରରୁ ମସ୍କୋ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ମସ୍କୋ ବିମାନଘାଟିରେ ସ୍ଵାଗତ ସମ୍ବର୍ଦ୍ଧନାର ଉତ୍ତର ଦେଇ ଡକ୍ଟର ରାଧାକୃଷ୍ଣନ୍‌ କହିଥିଲେ—‘‘ସୋଭିଏତ୍‌ ଇଉନିୟନ୍‍କୁ ପୁଣି ଥରେ ଆସିବାର ସୁଯୋଗ ପାଇବାରୁ ମୁଁ ବିଶେଷ ଆନନ୍ଦିତ । ଏହି ବିରାଟ ଦେଶର ନେତୃବୃନ୍ଦ ମୋତେ ଏଥିପାଇଁ ନିମନ୍ତ୍ରଣ କରିଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ବିଶ୍ଵର ଅନ୍ୟ ରାଷ୍ଟ୍ରମାନଙ୍କ ପରି ଆମ ଭାରତରେ ସମାଜବାଦୀ ଢାଞ୍ଚାରେ ରାଷ୍ଟ୍ରଗଠନ ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଅଛି । ଆପଣମାନଙ୍କ ପରି ଆମେ ମଧ୍ୟ ଶାନ୍ତିକାମୀ । ସହାବସ୍ଥାନନୀତି ଉପରେ ଆମର ଦୃଢ଼ବିଶ୍ଵାସ ଅଛି । ଆମର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଯାହାକୁ ଆପଣମାନେ ଆଜି ମଧ୍ୟ ସ୍ମରଣ ରଖିଛନ୍ତି, ସେ ଆଉ ଇହଧାମରେ ନାହାନ୍ତି ସତ; କିନ୍ତୁ ତାଙ୍କର ମହତ ଆଦର୍ଶ, ବୈଧାନିକ ଦୃଷ୍ଟିକୋଣ, ସମାଜବାଦୀ ରାଷ୍ଟ୍ରଗଠନ ପାଇଁ ସୁଚିନ୍ତିତ ପରିକଳ୍ପନାକୁ ଆମେ ଆଜି କାର୍ଯ୍ୟକାରୀ କରୁଅଛୁ । ଆମ ଦୁଇ ଦେଶ ମଧ୍ୟରେ ସହଯୋଗ ଆହୁରି ଦୃଢ଼ହେବ ବୋଲି ମୋର ଆଶା ଓ ବିଶ୍ଵାସ ।”

 

ସମ୍ବର୍ଦ୍ଧନା ଉତ୍ସବ ପରେ ରୁଷିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ନିକିତା କୃଶ୍ଚେଭ ଓ ପ୍ରେସିଡ଼େଣ୍ଟ ଅନାସ୍ତ୍ରାସ ମିକୋୟାନ୍‌ଙ୍କ ସହିତ ରାଧାକୃଷ୍ଣନ୍‌ ମସ୍କୋନଗରୀ ଅଭିମୁଖେ ଯାତ୍ରା କରିଥିଲେ । ସେହିଦିନ ରୁଷିଆର ପ୍ରେସିଡ଼େଣ୍ଟଙ୍କ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏକ ନୈଶଭୋଜି ସଭାର ଆୟୋଜନ କରଯାଇଥିଲା । ସେହି ସଭାରେ ଉତ୍ତର ଦେଇ ରାଷ୍ଟ୍ରପତି କହିଥିଲେ—‘‘ମୁଁ ଯେତେବେଳେ ଆପଣଙ୍କ ଦେଶରେ ରାଷ୍ଟ୍ରଦୂତ ଥିଲି, ସେତେବେଳେ ଆପଣଙ୍କ ଦେଶ ଯୁଦ୍ଧୋତ୍ତର କ୍ଷୟକ୍ଷତିର ପୂରଣ ପାଇଁ ଲାଗିପଡ଼ିଥିଲା । ସେହି ଯୁଦ୍ଧରେ ଆପଣଙ୍କର ପ୍ରାୟ କୋଡ଼ିଏ ଲକ୍ଷ ଲୋକ ହତାହତ ହୋଇଥିଲେ । ଆଉ ସେପରି ଭୟାବହ ଯୁଦ୍ଧର ପ୍ରଶ୍ନ ଉଠି ନ ପାରେ । ତୃତୀୟ ମହାସମରର ଚିନ୍ତା କରିବା ଅର୍ଥ ମଣିଷ ସମାଜକୁ ଧ୍ଵଂସମୁଖକୁ ଟାଣିନେବା । ଅତଏବ ବିଶ୍ୱରେ ଶାନ୍ତିପ୍ରତିଷ୍ଠା କରିବା ପାଇଁ ଆପଣମାନେ ଉଦ୍ୟମ କରୁଅଛନ୍ତି ଓ ସେହି ଉଦ୍ୟମ ଭବିଷ୍ୟତରେ ଅବ୍ୟାହତ ରହିବ ବୋଲି ଆମର ଏକାନ୍ତ ଆଶା । ୧୯୧୮ ମସିହାରେ ଆପଣମାନଙ୍କର ମହାନ୍‍ ନେତା ଲେନିନ୍‌ କହିଥିଲେ—‘‘ଯୁଦ୍ଧକାଳୀନ ସଙ୍କଟ ଶ୍ରମ ଓ କୃଷିଜୀବୀମାନଙ୍କ ପକ୍ଷରେ ଏକ ନାହିଁ ନଥିବା ବିପତ୍ତିର କାରଣ । ତେଣୁ ସେହି ଯୁଦ୍ଧ ବିଷୟରେ ଅତ୍ୟଧିକ ସାବଧାନତା ସହକାରେ ଆମକୁ ବିଚାର କରିବାକୁ ପଡ଼ିବ ।” ଆଣବିକ କିମ୍ବା ଉଦ୍‍ଜାନ ବୋମା ଉଦ୍ଭାବନ ପୂର୍ବରୁ ଅବଶ୍ୟ ଏହା ଥିଲା ଲେନିନ୍‌ଙ୍କର ସାବଧାନସୂଚକ ନିର୍ଦ୍ଦେଶ । ଆଜି ବିଶ୍ଵରେ ସାମ୍ରାଜ୍ୟବାଦ ଓ ଜାତୀୟତାବାଦ ବିଶ୍ଵଶାନ୍ତି ପ୍ରତିଷ୍ଠା ଦିଗରେ ବହୁ ଅନ୍ତରାୟ ସୃଷ୍ଟି କରୁଅଛି ।”

 

ମସ୍କୋ ରହଣୀ ପରେ ଡକ୍ଟର ରାଧାକୃଷ୍ଣନ୍‌ ଲେନିନ୍‍ଗ୍ରାଡ଼ ଯାତ୍ରା କରିଥିଲେ । ସେଠାରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପାନ କରଯାଇଥିଲା । ରାଷ୍ଟ୍ରପତିଙ୍କର ସ୍ଵତନ୍ତ୍ର ଟ୍ରେନ୍‌ ଷ୍ଟେସନରେ ପହଞ୍ଚିଲା ପରେ, ଲେନିନ୍‍ଗ୍ରାଡର ମେୟର ବୈସିଲ ଇସୋୟେବ୍‌ ତାଙ୍କୁ ସ୍ଵାଗତ କରିଥିଲେ । ସମଗ୍ର ଲେନିନ୍‍ଗ୍ରାଡ୍‌ ସହରର ପ୍ରଧାନ ରାସ୍ତା ଭାରତର ଜାତୀୟ ପତାକା ଓ ରାଧାକୃଷ୍ଣନ୍‌ଙ୍କର ଫଟୋରେ ସୁସଜ୍ଜିତ ହୋଇଥିଲା । ବହୁ ଭାରତୀୟ ଛାତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଉତ୍ତର ଦେଇ ରାଷ୍ଟ୍ରପତି କହିଥିଲେ—‘‘ଆମ ଦୁଇ ଦେଶ ମଧ୍ୟରେ ସଂପର୍କ ବହୁ ପ୍ରାଚୀନ-। ଶାନ୍ତି ଉଭୟ ରାଷ୍ଟ୍ରର କାମ୍ୟ । ନାଜି ଆକ୍ରମଣକାଳରେ ଆପଣଙ୍କ ଦେଶବାସୀ ଯେଉଁ ସାହସ ଓ ବୀରତ୍ଵର ପରିଚୟ ଦେଇଥିଲେ, ତାହା ଆମକୁ ଅବିଦିତ ନୁହେଁ ।” ତା’ପରେ ଶହୀଦମାନଙ୍କର ସ୍ମୃତିସ୍ତମ୍ଭ ଉପରେ ସେ ମାଲ୍ୟାର୍ପଣ କରିଥିଲେ । ରାଷ୍ଟ୍ରପତି ଓ ତାଙ୍କ ଦଳର ଆଗମନର ସ୍ମାରକୀ ସ୍ୱରୂପ ରାଧାକୃଷ୍ଣନ୍‌ଙ୍କୁ ଗୋଟିଏ ଡେକ୍‌ସ-ମେଡାଲ୍‌ ଭେଟି ଦିଆଯାଇଥିଲା ।

 

ଲେନିନ୍‍ଗ୍ରାଡ୍‌ରୁ ରାଷ୍ଟ୍ରପତି ଆର୍‌ମୋନିୟାର ରାଜଧାନୀ ୟେର୍‌ବାନ୍‌ ଯାତ୍ରା କରିଥିଲେ । ବିଦାୟକାଳରେ ଲେନିନ୍‍ଗ୍ରାଡ୍‌ର ମେୟରଙ୍କ ସମେତ ବହୁ ବ୍ୟକ୍ତି ତାଙ୍କୁ ଜଣାଇଥିଲେ ହାର୍ଦ୍ଦିକ ଅଭିନନ୍ଦନ । ୟେର୍‌ବାନ୍‌ଠାରେ ରୁଷିଆର ନେତୃବୃନ୍ଦଙ୍କ ସହିତ ଉଭୟ ରାଷ୍ଟ୍ରର ସ୍ଵାର୍ଥସମ୍ବଳିତ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା । ଏକ ନୈଶଭୋଜିରେ ‘ପ୍ରେସିଡ଼ିୟମ୍‌ ଅଫ୍‌ ରିପବ୍‌ଲିକ୍‌ ସୁପ୍ରିମ୍‌ ସୋଭିଏତ୍‌’ର ପ୍ରେସିଡ଼େଣ୍ଟଙ୍କ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ଭଦ୍ରସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା । ତା ପରେ ରାଧାକୃଷ୍ଣନ୍‌ ଦଶହଜାର ଅନୁପମ ପାଣ୍ଡୁଲିପି ସରଂକ୍ଷିତ ହୋଇଥିବା ‘ମାତେନୁନରନ ସଂଗ୍ରହାଳୟ’ ପରିଦର୍ଶନ କରିଥିଲେ । ଭାରତର ମଧ୍ୟ ଅନେକ ପାଣ୍ଡୁଲିପି ସେ ସେଠାରେ ଦେଖିବାକୁ ପାଇଥିଲେ । ୟେର୍‌ବାନ୍‌ ବିଶ୍ଵବିଦ୍ୟାଳୟର ଆଠହଜାର ଛାତ୍ର, ଅଧ୍ୟାପକ ରାଧାକୃଷ୍ଣନ୍‌ଙ୍କୁ ସ୍ଵାଗତ କରିଥିଲେ । ସେହି ସ୍ଵାଗତ ସମ୍ଭାଷଣର ଉତ୍ତର ଦେଇ ରାଷ୍ଟ୍ରପତି ଭାରତର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଅଧ୍ୟାପକ ବାତିକିୟନ୍‌ ରାଷ୍ଟ୍ରପତିଙ୍କୁ ଆର୍‌ମୋନିୟନ୍‌ ଭାଷାରେ ଅନୁଦିତ ‘ଇଣ୍ଡିୟାନ୍‌ ଫିଲିସଫି’ ଓ ପଣ୍ଡିତ ନେହେରୁଙ୍କର ‘ଡିସ୍‌କଭରି ଅଫ୍‌ ଇଣ୍ଡିଆ’ ଉପହାର ଦେଇଥିଲେ । ବିଶ୍ୱବିଦ୍ୟାଳୟରୁ ବିଦାୟ ନେଇ ରାଷ୍ଟ୍ରପତି ରାଜ୍‌ଦନ୍‌ ନଦୀକୂଳକୁ ଯାଇ ଏକ ଆଦର୍ଶ କୃଷିଫାର୍ମ ଓ ପ୍ରୟୋଗଶାଳା ପରିଦର୍ଶନ କରିଥିଲେ ।

 

ଆରମୋନିୟାରୁ ବିଦାୟ ନେଇ ରାଷ୍ଟ୍ରପତି ସିମ୍‌ଫେରେପୋଲ୍‌ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ତାଙ୍କୁ ବହୁ ବ୍ୟକ୍ତି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତ୍ରିମିୟାର ଦକ୍ଷିଣ ପାର୍ଶ୍ଵକୁ ଯାଇ ସେ ‘ଲିର୍ବାର୍ଡ଼ୟା’ ରାଜପ୍ରସାଦ ପରିଦର୍ଶନ କରିଥିଲେ । ଏଠାରେ ପ୍ରଥମେ ଜାରଙ୍କର ରାଜନଅର ଥିଲା । ଏହା ବର୍ତ୍ତମାନ ଶ୍ରମିକମାନଙ୍କର ଏକ ସ୍ୱାସ୍ଥ୍ୟନିବାସରେ ପରିଣତ ହୋଇଅଛି । ୧୯୪୫ ମସିହାରେ ସେଠାରେ ପ୍ରସିଦ୍ଧ ‘ମାଲଟା କନ୍‌ଫରେନସ୍‌’ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କି ଚର୍ଚ୍ଚିଲ, ଷ୍ଟାଲିନ୍‌ ଓ ରୁଜଭେଲଟ୍ ଯୋଗ ଦେଇଥିଲେ । ‘ୟଂ ପାୟୋନିୟର୍ସ କ୍ୟାମ୍ପ ’ରେ ଉଭୟ ରୁଷି ଓ ହିନ୍ଦୀଭାଷାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ବିଲାୟୋତ୍ରେସକୋବଙ୍କର ସାତବର୍ଷର ପୁଅ ସଶ୍‌କାରସେବ୍‌ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଭାରତୀୟ ଶିଶୁମାନଙ୍କ ପ୍ରୀତି ନିବେଦନ କରିଥିଲେ । ରାଧାକୃଷ୍ଣନ୍‌ ସେଠାରେ ‘ୟଂ ପାୟୋନିୟର୍ସ’ର ସଭ୍ୟଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିଲେ । ଶିଶୁମାନେ ବିଦେଶାଗତ ଅତିଥିଙ୍କର ସମ୍ମାନାର୍ଥେ ଏକ ବିଚିତ୍ରା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ରାଷ୍ଟ୍ରପତି ଶିଶୁମାନଙ୍କ କାର୍ଯ୍ୟକ୍ରମରେ ପ୍ରୀତ ହୋଇ ଲାଲ ସ୍କାର୍ଫ (ଗରମ ଚଦର) ମାନ ପୁରଷ୍କାର ଦେଇଥିଲେ । ଭାଷଣ ପ୍ରସଙ୍ଗରେ ସେ କହିଥିଲେ—କେବଳ ମନୋରଞ୍ଜନ କରିବା ଶିଶୁମାନଙ୍କର କାମ ନୁହେଁ । ସାମାଜିକ ଜୀବନର ବିକାଶ ପାଇଁ ସେମାନେ ଶିକ୍ଷାଗ୍ରହଣ କରିବା ଉଚିତ । ଜୀବନରେ ପାୟୋନିୟର (ଅଗ୍ରଗାମୀ) ଭାବନାକୁ ଜାଗରୁକ କରି ଆଗେଇଯିବାକୁ ସେ ଶିଶୁମାନଙ୍କୁ ଉପଦେଶ ଦେଇଥିଲେ ।

 

ସିମଫେରୋମୋଲ୍‌ ଠାରେ ରାଷ୍ଟ୍ରପତି ସୋଭିଏତ୍‍ ସେନାବାହିନୀର ‘ଟ୍ରାନ୍‌ସ କକେସିୟାନ୍‌ ଡିଷ୍ଟ୍ରିକ୍ଟ’ର ସଂଗୀତ ଓ ନୃତ୍ୟ ସମାରୋହ ପରିଦର୍ଶନ କରିଥିଲେ । ତା ପରେ ସେ ସେଠାରୁ ମସ୍କୋ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଭାରତୀୟ ଦୂତାବାସରେ ସୋଭିଏତ୍‍ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ପ୍ରୀତିଭୋଜନର ଆୟୋଜନ କରିଥିଲେ । ଅତିଥିମାନଙ୍କୁ ସ୍ୱାଗତ କରି ରାଷ୍ଟ୍ରପତି କହିଥିଲେ—‘‘ତୃତୀୟ ଥର ପାଇଁ ମୁଁ ଆପଣଙ୍କ ଦେଶକୁ ଆସିଅଛି । ଏହା ପୂର୍ବରୁ ୧୯୫୬ ମସିହାରେ ମୋତେ ଆପଣଙ୍କ ଦେଶକୁ ଆସିବାର ସୁଯୋଗ ମିଳିଥିଲା; କିନ୍ତୁ ଏହି ସମୟ ସୀମା ମଧ୍ୟରେ ଆପଣ ଦେଶର ଯେପରି ଅଭୂତପୂର୍ବ ପରିବର୍ତ୍ତନ ଆଣିପାରି ଅଛନ୍ତି, ତାହା ପ୍ରକୃତରେ ଅନୁଧ୍ୟାନଯୋଗ୍ୟ । ଏହି ପରିବର୍ତ୍ତନ କେବଳ କୃଷି, ଶିଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ସୀମାବଦ୍ଧ ନୁହେଁ, ଦେଶର ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ତାହା ପରିଲକ୍ଷିତ ହେଉଛି । ପରିସ୍ଥିତି କ୍ରମେ ସ୍ୱତନ୍ତ୍ର ଏବଂ ସରଳ ହେବାକୁ ଯାଉଛି । ମୋର ଦୃଢ଼ବିଶ୍ୱାସ ଯେ ଆପଣଙ୍କ ଦେଶ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ପ୍ରଗତିଶୀଳ ହୋଇପାରିବ । କାରଣ ମୁଁ ଜାଣେ ଯେ ଶିକ୍ଷାର ଅର୍ଥ ହେଉଛି ମୁକ୍ତି; ଦାସତ୍ୱ ନୁହେଁ । ବର୍ତ୍ତମାନ ମାନବସମାଜ ଏକ ବିପଦସଂକୁଳ ସମୟ ଦେଇ ଗତି କରୁଅଛି । ଥର୍ମୋନ୍ୟୁକ୍ଳିଅର ଅସ୍ତ୍ରର ଉଦ୍ଭାବନ ବିଶ୍ୱର ଶାନ୍ତିକୁ ବ୍ୟାହତ କରିପାରେ । ଅତଏବ ସମସ୍ତ ବିଶ୍ୱବାସୀ ଏକ ମନ ଏକ ପ୍ରାଣ ହୋଇ ଶାନ୍ତି ଓ ସଂହତିର ସୁରକ୍ଷା ଦିଗରେ ଆଗୁସାର ହେବା ଉଚିତ । ଏହି ଶାନ୍ତି ଓ ସଂହତିର ପ୍ରତିଷ୍ଠା ପାଇଁ ଆମକୁ ତିନୋଟି କାମ କରିବାକୁ ପଡ଼ିବ । ଯଥାଶକ୍ତିର ବିକେନ୍ଦ୍ରୀକରଣ, ଆର୍ଥିକ, ଧାର୍ମିକ ଓ ଜାତୀୟ ଅବ୍ୟବସ୍ଥାର ପରିସମାପ୍ତି, ସମସ୍ତେ ଗୋଟିଏ ପରିବାରର ସଭ୍ୟ ଏହି ଆଦର୍ଶର ଅନୁସରଣ ।’’

 

‘‘ପ୍ରାଚୀନ ସାହିତ୍ୟରୁ ଏହା ସ୍ପଷ୍ଟ ଅନୁମତି ଯେ ଆମ ସମସ୍ତଙ୍କର ସାଂସ୍କୃତିକ ପଟ୍ଟଭୂମି ପ୍ରାୟ ଅଭିନ୍ନ । ତେଣୁ ବିଶ୍ୱରେ ଐକ୍ୟପ୍ରତିଷ୍ଠା କରିବା ପାଇଁ ସମସ୍ତେ ଚେଷ୍ଟା ନ କରିବା କାହିଁକି ?” ପ୍ରେସିଡ଼େଣ୍ଟ ମିକୋୟାନଙ୍କ ଅଭ୍ୟର୍ଥନାର ଉତ୍ତର ଦେଇ ଡକ୍ଟର ରାଧାକୃଷ୍ଣନ୍‌ କହିଥିଲେ—‘‘ଆମ ମୈତ୍ରୀର ଇତିହାସ କ୍ଷୁଦ୍ର ହେଲେ ମଧ୍ୟ, ତାହା ସ୍ଥାୟୀ । ଆମେ ଭାରତ-ରୁଷ ମୈତ୍ରୀର ଉତ୍ତରୋତ୍ତର ବିକାଶ ଚାହୁଁ । ଏହାଦ୍ୱାରା କେବଳ ଉଭୟ ରାଷ୍ଟ୍ରର ମଙ୍ଗଳ ସାଧନ ହେବ ନାହିଁ; ବରଂ ବହୁ ଆନ୍ତଃରାଷ୍ଟ୍ରୀୟ ସମସ୍ୟାର ସମାଧାନ ହୋଇପାରିବ ଏବଂ ବିଶ୍ୱବକ୍ଷରୁ ଯୁଦ୍ଧର ବିଭୀଷିକା ଦୂର କରିବାରେ ଏହା ହେବ ସହାୟକ ।”

 

ସ୍ଥାନୀୟ ୟୁନିଭରସିଟି କ୍ଲବ ତରଫରୁ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା । ସ୍ୱାଗତ ଭାଷଣ ଦେଇଥିଲେ ଆନ୍ଧ୍ର ପ୍ରଦେଶର ଜଣେ ଛାତ୍ର । ଭାରତୀୟ ଛାତ୍ରମାନେ ସେଠାରେ ଅଧ୍ୟୟନ କରୁଥିବା ଜାଣି ରାଷ୍ଟ୍ରପତି ଆନନ୍ଦ ପ୍ରକାଶ କରିଥିଲେ । ଭାଷଣ ପ୍ରସଙ୍ଗରେ ସେ କହିଲେ-‘‘ପ୍ରାଚୀନ ଭାରତୀୟମାନଙ୍କ ମତରେ ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଘୃଣା ଓ ବିରୋଧର ପରିସମାପ୍ତି ତଥା ମୈତ୍ରୀ ଓ ପ୍ରେମର ପ୍ରତିଷ୍ଠା । କେବଳ ଆପଣଙ୍କ ବିଶ୍ୱବିଦ୍ୟାଳୟ ନୁହେଁ, ବିଶ୍ୱର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ମୈତ୍ରୀ ଓ ପ୍ରେମର ଭିତ୍ତିଭୂମିର ହେବା ଉଚିତ ।

 

‘ଗ୍ରାଣ୍ଡ ତ୍ରେମ୍‌ଲିନ୍‌ ପ୍ୟାଲେସ୍‌’ ରେ ଆୟୋଜିତ ଏକ ‘ଫ୍ରେଣ୍ଡସିପ୍‌ ରାଲେ’ ରେ ରୁଷିଆର ପ୍ରେସିଡ଼େଣ୍ଟଙ୍କ ସହିତ ରାଧାକୃଷ୍ଣନ୍‌ ଯୋଗଦେବାକୁ ଯାଇଥିଲେ । ସେଠାରେ ପ୍ରେସିଡ଼େଣ୍ଟ ମିକୋୟାନ୍‌ ତାଙ୍କୁ ସ୍ୱାଗତ ଜଣାଇ କହିଥିଲେ—‘‘ଭାରତ ସରକାରଙ୍କ ଦ୍ୱାରା ଅନୁସୃତ ନିରପେକ୍ଷତା ଓ ସହାବସ୍ଥାନ ନୀତି ଉପରେ ଆମର ଗଭୀର ବିଶ୍ୱାସ ଅଛି । ନେହେରୁଙ୍କର ରାଜନୀତିକ ଦୂରଦୃଷ୍ଟି ପ୍ରତି ବିନମ୍ର ଶ୍ରଦ୍ଧାଞଳି ଅର୍ପଣ କରାଯିବା ଉଚିତ ଓ ତାଙ୍କର ଜନୈକ ବିଶିଷ୍ଟ ସହଯୋଗୀ ଭାବେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଆପଣ ଭାରତକୁ ଯେପରି ସମ୍ମାନିତ କରୁଅଛନ୍ତି, ସେଥିଯୋଗୁଁ ଆମ୍ଭମାନଙ୍କ ନିକଟରେ ଆପଣ ଅଭିନନ୍ଦନୀୟ । ଭାରତକୁ ଆର୍ଥିକ ସାହାଯ୍ୟ ଦେବାରେ ସୋଭିଏତ୍‍ ରୁଷ ସର୍ବଦା ସହାନୁଭୂତିଶୀଳ । କାରଣ ଆମେ ଚାହୁଁ, ଭାରତର ଆର୍ଥିକ ଓ ସାମାଜିକ ପ୍ରଗତି । ଭାରତ ଓ ସୋଭିଏତ୍‍ ଜନତାର ମୈତ୍ରୀ ଭଲ୍‌ଗା ଓ ଗଙ୍ଗାନଦୀ ପରି ଅମର ହେଉ, ଏହା ହିଁ ଆମର ଆନ୍ତରିକ କାମନା ।’’ ରାଷ୍ଟ୍ରପତି ସେହି ସ୍ୱାଗତ ସମ୍ଭାଷଣର ଉତ୍ତର ଦେଇ କହିଥିଲେ–‘‘ଆପଣମାନେ ଆଜି ବିଭିନ୍ନ କ୍ଷେତ୍ରରେ ଯେଉଁ ପ୍ରସିଦ୍ଧି ହାସଲ କରିଅଛନ୍ତି, ସେଥିଯୋଗୁଁ ଭାରତ ତରଫରୁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ଆପଣଙ୍କ ଦେଶ ଅଧିକ ପ୍ରଗତି ହାସଲ କରୁ, ଏହାହିଁ ଆମର ଏକାନ୍ତ କାମନା । ସ୍ତ୍ରୀ ପୁରୁଷ ମଧ୍ୟ ଆପଣମାନେ ସମାନତା କେବଳ ଜନ୍ମମାଟିରେ ନୁହେଁ, ଅନ୍ତରୀକ୍ଷରେ ମଧ୍ୟ ଆପଣମାନେ ସ୍ଥାପନ କରିପାରି ଅଛନ୍ତି । ଯେତେବେଳେ ଆପଣଙ୍କର ମହିଳା ଅନ୍ତରୀକ୍ଷଯାତ୍ରୀ (ଭେଲେଣ୍ଟାନା ତେରୋସକୋଭା) ସମଗ୍ର ବିଶ୍ୱରେ ପ୍ରଥମ ଥର ପାଇଁ କୃତିତ୍ୱ ହାସଲ କଲେ, ସେତେବେଳେ ବିଶେଷ ଆନନ୍ଦ ଅନୁଭବ କରିଥିଲୁ । ସେତେବେଳେ ଆମ୍ଭେମାନେ ବିଚାର କରିଥିଲୁ ଯେ ଯଦି ମଣିଷ ସଂକଳ୍ପବଦ୍ଧ ହୁଏ, ତାହାହେଲେ ଦୁନିଆରେ ସବୁ କିଛି ଅସାଧ୍ୟ ସାଧନ କରିପାରେ । କୌଣସି ଜାତି ଶ୍ରେଷ୍ଠ କିମ୍ୱା ନୀଚହୋଇ ଜନ୍ମହୋଇ ନ ଥାଏ । କେବଳ ଅତନ୍ଦ୍ର ଅଧ୍ୟବସାୟ ଓ ସଂକଳ୍ପ ଜାତିକୁ କରେ ଶ୍ରେଷ୍ଠ ଓ ସମୃଦ୍ଧ । ଯଦି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉପଯୁକ୍ତ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଏ, ତାହାହେଲେ ଯେ କୌଣସି ପ୍ରଚେଷ୍ଟାରେ ସେ ସଫଳକାମ ହୋଇପାରିବ ।” ନାରୀଜାତିର ଉନ୍ନତି ବିଷୟ ଉଲ୍ଲେଖ କରି ରାଷ୍ଟ୍ରପତି କହିଲେ—‘‘ଆମ ଭାରତରେ ନାରୀଜାତି ମଧ୍ୟ ଆଶାନୁରୂପେ ପ୍ରଗତି କରୁଅଛନ୍ତି । ସେମାନେ ମନ୍ତ୍ରୀ ଓ ରାଜଦୂତ କାର୍ଯ୍ୟ ମଧ୍ୟ ଚଳାଇଲେଣି । ବିଭିନ୍ନ କ୍ଷେତ୍ରରେ ମଧ୍ୟ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଛଉ ନାହାନ୍ତି ।”

 

ସେହି ବକ୍ତୃତା ପ୍ରସଙ୍ଗରେ ରାଷ୍ଟ୍ରପତି ତାଙ୍କର ଦଶବର୍ଷ ତଳେ ଆମେରିକା ସିନେଟରେ ଦେଇଥିବା ଭାଷଣ ବିଷୟ ଉଲ୍ଲେଖ କରି କହିଥିଲେ ଯେ ମଣିଷର ପ୍ରକୃତି ଆକାଙ୍‌କ୍ଷା, ଆଦର୍ଶ ସବୁଠାରେ ପ୍ରାୟ ଏକ । କେବଳ ବର୍ଣ୍ଣଗତ ବୈଷମ୍ୟ ଯୋଗୁଁ ଆମେ ପରସ୍ପରକୁ ଭିନ୍ନ ବୋଲି ଭାବୁଛେ । ପୀଡ଼କ କବଳରୁ ପୀଡ଼ିତକୁ ମୁକ୍ତକରିବା ଆମର ପରମ କର୍ତ୍ତବ୍ୟ ହେବା ଉଚିତ । ସ୍ୱଦେଶୀ, ବିଦେଶୀ ଭାବ ମନରେ ନ ଆଣି ଦୁନିଆରେ ସମସ୍ତଙ୍କୁ ମାନବ ପରିବାରର ଜଣେ ଲେଖାଏଁ ସଭ୍ୟ ରୂପେ ଗ୍ରହଣ କରିବା ଉଚିତ । ଆମର ବୌଦ୍ଧିକ ଓ ଶାରୀରିକ କ୍ଷୁଧା, ସୌନ୍ଦର୍ଯ୍ୟପ୍ରୀତି, ବିଶ୍ୱକୁ ଆହୁରି ସୁନ୍ଦର କରି ତିଆରି କରିବାର ଇଚ୍ଛାରେ ପ୍ରାୟ ସେପରି କିଛି ପାର୍ଥକ୍ୟ ନାହିଁ । ଆମ ଦୁଇ ଦେଶର ସମ୍ପର୍କ କେବଳ ବାଣିଜ୍ୟ ଓ ଶିଳ୍ପ ଉପରେ ପ୍ରତିଷ୍ଠିତ ନୁହେଁ । ସାଂସ୍କୃତିକ ସାମ୍ୟ ଯୋଗୁଁ ଆମେ ପରସ୍ପରର ନିକଟତମ ହେବାକୁ ଯାଉଛେ । ଆପଣମାନଙ୍କର ନେତୃବୃନ୍ଦଙ୍କ ସହିତ କଥାବାର୍ତ୍ତା ପରେ ମୋର ବେଶ୍ ହୃଦବୋଧ ହୋଇଛି ଯେ ଭାରତ ସୋଭିଏତ୍‍ ଇୟୁନିୟନ ଠାରୁ ଆଶାନୁରୂପ ଆର୍ଥିକ ଓ ସାଂସ୍କୃତିକ ସାହାଯ୍ୟ ପାଇବାରେ ଆଉ ସେପରି କିଛି ଅନ୍ତରାୟ ସୃଷ୍ଟି ହେବ ନାହିଁ ।”

 

ମସ୍କୋ ଟେଲିଭିଜନରୁ ପ୍ରଚାରିତ ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଥିଲେ—‘‘୧୯୧୭ ମସିହା ବେଳକୁ ଆପଣଙ୍କ ଦେଶ ଚାହୁଁଥିଲା ଏକ ବୈପ୍ଳବିକ ପରିବର୍ତ୍ତନ । କାରଣ ସରକାର ଥିଲେ ନିରଙ୍କୁଶ ତଥା ସ୍ୱେଚ୍ଛାଚାରୀ । ଧର୍ମପୀଠ ଚର୍ଚ୍ଚଗୁଡ଼ିକର ଲକ୍ଷ୍ୟ ହୋଇଥିଲା ଭ୍ରଷ୍ଟ । ପ୍ରଥମ ମହାସମର ବେଳକୁ ଆପଣଙ୍କ ଦେଶବାସୀଙ୍କ ଅବସ୍ଥା ଥିଲା ଅତି ଶୋଚନୀୟ । ଠିକ୍ ସେହି ସମୟରେ ଆବିର୍ଭୂତ ହେଲେ ମହାମନା ଷ୍ଟାଲିନ୍‌ ଯେ କି ଆପଣମାନଙ୍କ ଜୀବନକୁ କଲେ ଲକ୍ଷ୍ୟବଦ୍ଧ-। ଆଜି କ୍ରାନ୍ତି ହିଁ ଆପଣମାନଙ୍କ ଜୀବନର କାମ୍ୟ ।

 

ରୁଷିଆରେ ନ’ଦିନ ଅବସ୍ଥାନ କଲା ପରେ ୧୯୬୪ ମସିହା ସେପ୍ଟେମ୍ୱର ୧୮ ତାରିଖ ଦିନ ଡକ୍ଟର ରାଧାକୃଷ୍ଣନ୍‌ ମସ୍କୋରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲେ । ବିଦାୟ ସମୟରେ ରୁଷିଆର ପ୍ରେସିଡ଼େଣ୍ଟ ରାଧାକୃଷ୍ଣନ୍‌ଙ୍କର ସେହି ଗସ୍ତକୁ ରୁଷ-ଭାରତ ମୈତ୍ରୀ ଦୃଷ୍ଟିରୁ ବିଶେଷ ଉପଯୋଗୀ ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ—‘‘ବିଭିନ୍ନ ସାମାଜିକ ବ୍ୟବସ୍ଥା ମଧ୍ୟରେ ରୁଷ ଓ ଭାରତର ମୈତ୍ରୀ ପରସ୍ପରର ସହଯୋଗ ପାଇଁ ଏକ ଆଦର୍ଶ ଉଦାହରଣ । ଯଦି ବିଶ୍ୱର ଅନ୍ୟ ରାଷ୍ଟ୍ରମାନେ ଶାନ୍ତି ଓ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ମଧ୍ୟରେ ରହିବାକୁ ଚାହାନ୍ତି, ତାହାହେଲେ ଏହି ଉଦାହରଣର ଅନୁଯାୟୀ ହେବା ଉଚିତ । ଭାରତର ରାଷ୍ଟ୍ରପତି ମହୋଦୟ ! ରୁଷିଆର ନାଗରିକମାନେ ଆପଣଙ୍କୁ ସର୍ବଦା ସ୍ୱାଗତ କରିବା ପାଇଁ ପ୍ରସ୍ତୁତ । ସତ୍‌ମିତ୍ରଙ୍କ ପାଇଁ ଆମର ଦ୍ୱାର ସର୍ବଦା ଉନ୍ମୁକ୍ତ । ଶୁଭଯାତ୍ରା—ନମସ୍ତେ ।’’

 

ଉତ୍ତରରେ ରାଷ୍ଟ୍ରପତି କହିଥିଲେ—‘‘ମୁଁ ଜାଣି ଆନନ୍ଦିତ ଯେ ଆପଣ ଏକ ନୂଆ ସମ୍ୱିଧାନ ପ୍ରଣୟନ କରୁଅଛନ୍ତି । ମୋର ବିଶ୍ୱାସ ଯେ ସେହି ସମ୍ୱିଧାନ ଦେଶବାସୀଙ୍କୁ ଅଧିକ ସୁସ୍ଥ ଜୀବନଯାପନ କରିବାରେ ସହାୟକ ହେବ । ଆମ ଦୁଇଜଣ ସ୍ଥାୟୀ ଶାନ୍ତି ପାଇଁ ଅଧିକ ଇଚ୍ଛୁକ । ଯୁଦ୍ଧ କୌଣସି ସମସ୍ୟା ସମାଧାନ କରେ ନାହିଁ କିମ୍ୱା କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ମଣିଷକୁ ସହାୟକ ହୁଏ ନାହିଁ । ସୋଭିଏତ୍‍ ଇଉନିୟନ ସହିତ ଭାରତର ସମ୍ପର୍କ ଶାଶ୍ୱତ ଓ ମଧୁମୟ ହେଉ, ଏହା ହିଁ ମୋର କାମନା ।’’ ତା ପରେ ରାଷ୍ଟ୍ରପତିଙ୍କର ବିମାନ ମସ୍କୋ ବିମାନବନ୍ଦର ତ୍ୟାଗ କରିଥିଲା । ତାଙ୍କୁ ବିଦାୟକାଳୀନ ସଲାମୀ ଦେବାପାଇଁ ରୁଷ ସୈନ୍ୟବାହିନୀର ସାତଟି ଜେଟ୍‌ ବିମାନ କିଛି ଦୂର ପର୍ଯ୍ୟନ୍ତ ତାଙ୍କ ବିମାନକୁ ଅନୁସରଣ କରିଥିଲେ ।

 

ରାଷ୍ଟ୍ରପତି ରାଧାକୃଷ୍ଣନ୍‌ଙ୍କର ଏହି ରୁଷଯାତ୍ରା ଆନ୍ତଃରାଷ୍ଟ୍ରୀୟ ରାଜନୀତି ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିଅଛି । ତାଙ୍କରି ଗସ୍ତ ଫଳରେ ରୁଷିଆ-ଭାରତ ମଧ୍ୟରେ ସହଯୋଗ ଅଧିକ ଘନିଷ୍ଠ ହୋଇ ପାରିଛି । ତାଙ୍କର ଏହି ଯାତ୍ରାକୁ ଶାନ୍ତିଯାତ୍ରା ବୋଲି ଅନେକ ରାଷ୍ଟ୍ର ବର୍ଣ୍ଣନା କରିଅଛନ୍ତି । ଆନ୍ତର୍ଦେଶୀୟ ବୁଝାମଣା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କର ଆୟାର୍‌ଲ୍ୟାଣ୍ଡ ଯାତ୍ର ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ୧୯୬୪ ମସିହା ଜୁଲାଇ ମାସରେ ପାକିସ୍ଥାନର ରାଷ୍ଟ୍ରପତି ମାର୍ଶାଲ୍‌ ଆୟୁବ ମଧ୍ୟ ଆୟାର୍‌ଲ୍ୟାଣ୍ଡ ଗସ୍ତରେ ଯାଇ ଥିଲେ । ସେଠା ପ୍ରଧାନମନ୍ତ୍ରୀ ଓ ଆୟୁବଙ୍କ ଆଲୋଚନା ପରେ ଏକ ମିଳିତ ଇସ୍ତାହାର ପ୍ରକାଶପାଇଥିଲା, ଯେଉଁଥିରେ କି କାଶ୍ମୀର ସମ୍ପର୍କରେ କେତେକ ଭ୍ରାନ୍ତ ଅଭିମତ ସ୍ଥାନ ପାଇଥିଲା । ୧୯୬୨ ମସିହାରେ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଓ ଆୟାର୍‌ଲ୍ୟାଣ୍ଡର ପ୍ରତିନିଧି କାଶ୍ମୀର ବ୍ୟାପାରରେ ପାକିସ୍ଥାନକୁ ସମର୍ଥନ କରି ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ଭାରତ-ଆୟାର୍‌ଲ୍ୟାଣ୍ଡ ସମ୍ପର୍କ ସେତେ ସୌହାର୍ଦ୍ୟପୂର୍ଣ୍ଣ ନୁହେଁ । ତା ପରେ ଭାରତର ରାଷ୍ଟ୍ରପତିଙ୍କର ଗସ୍ତ ସେହି ସମ୍ପର୍କକୁ ଦୃଢ଼ କରିବାରେ ହୋଇଥିଲା ସହାୟକ ।

 

ଆୟାର୍‌ଲ୍ୟାଣ୍ଡର ସ୍ୱାଧୀନତାର ସଂଗ୍ରାମ ଭାରତବାସୀଙ୍କୁ ସ୍ୱାଧୀନତା ସଂଗ୍ରାମ ପାଇଁ କରିଥିଲା ପ୍ରଭାବିତ । ୧୯୧୭ ମସିହାରେ ସେ ଦେଶର ସ୍ୱାଧୀନତା ସଂଗ୍ରାମକୁ ବଳବତ୍ତର କରିବା ପାଇଁ ଭାରତବାସୀ ସାନ୍‌ ଫ୍ରାନ୍‌ସସିସ୍କୋ ଠାରେ ପ୍ରେସିଡ଼େଣ୍ଟ ଡକ୍ଟର ଡି. ଭେଲରାଙ୍କୁ ସମର୍ଥନର ପ୍ରତୀକରୂପେ ଗୋଟିଏ ତରବାରୀ ଉପହାର ଦେଇଥିଲେ । ସାହିତ୍ୟକ୍ଷେତ୍ରରେ ଭାରତୀୟ ନୋବେଲ ପୁରସ୍କାରପ୍ରାପ୍ତ କବି ‘ଡବଲ୍ୟୁ. ବି. ଇଟସ୍‌’ ଙ୍କର ସମ୍ୱନ୍ଧ ଥିଲା ଘନିଷ୍ଠ । କାଶ୍ମୀର-ପ୍ରଶ୍ନ ଯୋଗୁଁ ଉଭୟ ରାଷ୍ଟ୍ର ମଧ୍ୟରେ ସାମାନ୍ୟ ମତପାର୍ଥକ୍ୟ ପରିଦୃଷ୍ଟ ହୋଇଥିଲା; କିନ୍ତୁ ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ୍‌ଙ୍କର ଗସ୍ତ ଫଳରେ ଉଭୟରାଷ୍ଟ୍ର ମଧ୍ୟରେ ସଦ୍‌ଭାବ ପୁନଃ ପ୍ରତିଷ୍ଠିତ ହୋଇ ପାରିଥିଲା । ଡବଲିନ୍‌ ବିଶ୍ୱବିଦ୍ୟାଳୟ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ଏଲ.ଏଲ.ଡି. ଉପାଧିରେ ସମ୍ମାନିତ କରାଯାଇଥିଲା । ଡକ୍ଟର ଡି. ଭେଲେରା ତାଙ୍କର ସ୍ୱାଗତ ସମ୍ଭାଷଣରେ ଭାରତ ପ୍ରତି ତାଙ୍କର ଅସୀମ ଅନୁରାଗ ପ୍ରକଟିତ ହୋଇଥିଲା । ଲୋକମାନ୍ୟ ତିଳକଙ୍କ ପରି ସେ ଡକ୍ଟର ରାଧାକୃଷ୍ଣନ୍‌ଙ୍କୁ ମଧ୍ୟ ଆନ୍ତରିକ ସମ୍ମାନ ପ୍ରଦର୍ଶନ କରିଥିଲେ । ନ୍ୟାସ୍‌ନାଲ୍‍ ୟୁନିଭରସିଟି ଅଫ୍‌ ଆୟାର୍‌ଲ୍ୟାଣ୍ଡରେ ମଧ୍ୟ ଡକ୍ଟର ରାଧାକୃଷ୍ଣନ୍‌ଙ୍କୁ ସମ୍ମାନିତ କରାଯାଇଥିଲା ।

 

ସ୍ୱାଧୀନତା ପ୍ରାପ୍ତିପରେ ଭାରତକୁ ଯେପରି ହିନ୍ଦୁସ୍ଥାନ ଓ ପାକିସ୍ଥାନ ଏହିପରି ଦୁଇଟି ରାଷ୍ଟ୍ରରେ ବିଭକ୍ତ କରାଯାଇଅଛି; ଆୟାର୍‌ଲ୍ୟାଣ୍ଡ ମଧ୍ୟ ସେହିପରି ଦୁଇଟି ଭାଗରେ ବିଭକ୍ତ ହୋଇଅଛି; କିନ୍ତୁ ଏହି ବିଭାଜନ ଏ ପର୍ଯ୍ୟନ୍ତ ଆଇନସମ୍ମତ ସ୍ୱୀକୃତି ପାଇନାହିଁ । ସେ ଯାହାହେଉ, ଭାରତର ରାଷ୍ଟ୍ରପତିଙ୍କର ଆୟାର୍‌ଲ୍ୟାଣ୍ଡ ପରିଦର୍ଶନ ଦ୍ୱାରା ସେଠା ସରକାରଙ୍କର ପରିପୋଷିତ କାଶ୍ମୀର ନୀତି ପୂର୍ଣ୍ଣମାତ୍ରାରେ ପରିବର୍ତ୍ତିତ ହୋଇପାରିଥିଲା । ସେ ଦେଶର ପ୍ରଧାନମନ୍ତ୍ରୀ ସିନଲେସାମ୍‌ ଓ ପାକିସ୍ଥାନର ରାଷ୍ଟ୍ରପତି ଆୟୁବଖାଁଙ୍କର ମିଳିତ ଇସ୍ତାହାର କ୍ରମେ ମୂଲ୍ୟହୀନ ହୋଇପଡ଼ିଥିଲା । ଶିଳ୍ପ ଓ ସଂସ୍କୃତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ କିପରି ଅଧିକ ସହଯୋଗ ସ୍ଥାପିତ ହୋଇ ପାରିବ, ସେଥିପାଇଁ ଉଭୟ ରାଷ୍ଟ୍ରନେତା ଆଗ୍ରହ ପ୍ରକାଶକରିଥିଲେ । ଭାରତୀୟ ଛାତ୍ରମାନଙ୍କୁ ପୋଷ୍ଟଗ୍ରାଜୁଏଟ୍ ସ୍ତରରେ ଶିକ୍ଷାଦେବା ପାଇଁ ଆଇରିସ୍‌ ସରକାର ସ୍ୱୀକୃତି ପ୍ରଦାନ କରିଥିଲେ । ତିନିଦିନ ଗସ୍ତକାଳ ମଧ୍ୟରେ ରାଧାକୃଷ୍ଣନ୍‌ ଆୟାର୍‌ଲ୍ୟାଣ୍ଡର ପ୍ରାଚୀନତମ ଧର୍ମପୀଠ ‘ଚୋନ୍‌ଡାଲୋ’ ମଧ୍ୟ ପରିଦର୍ଶନ କରିଥିଲେ ।

 

Democracy is a faith. Democracy asks us to adopt persuation, restraint, Consent in the settlement of our problem. But then democracy is a faith in the spiritual possibilities of not a priviged few but of evry human bing.”

 

—Radhakrishnan

Image

 

ଦାର୍ଶନିକ

 

ଦର୍ଶନ ଶବ୍ଦର ଅର୍ଥ ବ୍ୟାପକ । ଏହାକୁ ବୁଦ୍ଧିମତ୍ତାର ପ୍ରେମ କିମ୍ୱା ଚିନ୍ତନ କହିଲେ ଅତ୍ୟୁକ୍ତି ହେବ ନାହିଁ । ବୌଦ୍ଧିକ ଅନୁଭୂତିର ବିଚାର ଉପରେ ସାଧାରଣତଃ ଏହା ଗଢ଼ି ଉଠିଥାଏ । ଭାରତୀୟ ଦର୍ଶନ ଓ ଧର୍ମଶାସ୍ତ୍ର ମଧ୍ୟରେ ସେପରି କିଛି ସୀମାରେଖା ନାହିଁ; କିନ୍ତୁ ପାଶ୍ଚାତ୍ୟ ଦେଶରେ ଧର୍ମ ଓ ଦର୍ଶନଶାସ୍ତ୍ର ଉଭୟେ ଭିନ୍ନ । ସେ ଯାହାହେଉ, ଦାର୍ଶନିକ ଡକ୍ଟର ରାଧାକୃଷ୍ଣନ୍‌ଙ୍କ ଉଦ୍ୟମରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ମଧ୍ୟରେ ଘନିଷ୍ଠ ସମ୍ୱନ୍ଧ ସ୍ଥାପନ କରାଯାଇପାରିଅଛି-। ପୂର୍ବରୁ ଭାରତୀୟ ଦର୍ଶନ ବିଶ୍ୱଦରବାରରେ ଆଶାନୁରୂପ ପ୍ରତିଷ୍ଠା ଲାଭ କରିପାରି ନ ଥିଲା । ସ୍ୱାମୀ ବିବେକାନନ୍ଦଙ୍କ ବ୍ୟତୀତ ବୋଧହୁଏ ଅନ୍ୟ କୌଣସି ଭାରତୀୟ ପାଶ୍ଚାତ୍ୟ ରାଷ୍ଟ୍ରରେ ପ୍ରାଚ୍ୟଦର୍ଶନର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରି ନ ଥିଲେ; କିନ୍ତୁ ଡକ୍ଟର ରାଧାକୃଷ୍ଣନ୍‌ ୧୯୨୫ ମସିହାରେ ‘ଅଖିଳ ଭାରତୀୟ ଫିଲସଫିକାଲ କଂଗ୍ରେସ’ ସ୍ଥାପନ କରି ଭାରତୀୟ ଦର୍ଶନର ପୁନରୁଦ୍ଧାର କରିବା ସଙ୍ଗେ ସଙ୍ଗେ ବିଶ୍ୱଦରବାରରେ ତାହାକୁ ପ୍ରତିଷ୍ଠିତ କରିବା ପାଇଁ ସକ୍ରିୟ ଉଦ୍ୟମ କଲେ । ମୋଟ ଉପରେ କହିବାକୁ ଗଲେ ଗତ ଅର୍ଦ୍ଧ ଶତାବ୍ଦୀ ଧରି ଭାରତୀୟ ବିଚାରଧାରାର ସେ ପିତୃତ୍ୱ କରିଆସୁଛନ୍ତି । ଦୁଜ୍ଞେୟ ଭାରତୀୟ ଦର୍ଶନତତ୍ତ୍ୱର ସ୍ପଷ୍ଟୀକରଣ କରିବାରେ ତାଙ୍କ ଧୂରୀଣତା ବିଶ୍ୱବାସୀଙ୍କ ଦ୍ୱାରା ଆଜି ମୁକ୍ତକଣ୍ଠରେ ସ୍ୱୀକୃତ । ତାଙ୍କ ପ୍ରଣୀତ ‘ଦି ରେନ୍‌ ଅଫ୍‌ ରିଲିଜନ୍‌ ଇନ୍‌ କଣ୍ଟେମ୍ପରାରି ଫିଲସଫି’ ବିଶ୍ୱ ଦର୍ଶନତତ୍ତ୍ୱକୁ ଏକ ଅନବଦ୍ୟ ଅବଦାନ । ଏହି ଗ୍ରନ୍ଥରେ ସେ ପ୍ରମାଣିତ କରିଛନ୍ତି ଯେ ତର୍କ ଓ ଯୁକ୍ତିଦ୍ୱାରା ସତ୍ୟର ସନ୍ଧାନ କରାଯାଇପାରେନା-

 

ଯାହା ପ୍ରଦର୍ଶନ କରାଯାଇ ପାରେ ନା, ତାହାର ଅସ୍ତିତ୍ୱ ନାହିଁ । ବୌଦ୍ଧିକରୀତିରେ ଯଥାର୍ଥ ଅନୁଭବର ପ୍ରଚେଷ୍ଟାକୁ ଦର୍ଶନ କୁହାଯାଏ । ଏହି ଦର୍ଶନ ବା ତତ୍ତ୍ୱଜ୍ଞାନ ଆମ୍ଭମାନଙ୍କୁ ବିଶ୍ୱାସ ଓ ଦୃଷ୍ଟିକୋଣ ପ୍ରଦାନ କରିଥାଏ । ଯଦି ଚିନ୍ତନ ବିଶୁଦ୍ଧଭାବେ ଯୁକ୍ତିତର୍କ ଉପରେ ଆଧାରିତ ହୁଏ ଓ କୌଣସି ଧର୍ମବିଶ୍ୱାସ ଦ୍ୱାରା ପ୍ରଭାବିତ ହୁଏ ନାହିଁ, ତାହାହେଲେ ତାହାର ପରିଣତି ହୁଏ ପୂର୍ଣ୍ଣ ଆଦାର୍ଶବାଦ । ରାଜନୀତିରୁ ମଧ୍ୟ ଦର୍ଶନ ଦୂରରେ ରହିବା ଉଚିତ; କିନ୍ତୁ ଭାରତୀୟ ଦାର୍ଶନିକମାନେ ବହୁ କ୍ଷେତ୍ରରେ ଧାର୍ମିକ ଧାରଣାରୁ ନିଜକୁ ଦୂରେଇ ରଖିପାରି ନାହାନ୍ତି । ଭାରତର ଅନେକ ବିଶିଷ୍ଟ ଦାର୍ଶନିକ ଦର୍ଶନ ଉପରେ ଧର୍ମର ପ୍ରଭାବକୁ ସ୍ୱୀକାର କରିଅଛନ୍ତି; କିନ୍ତୁ ଧର୍ମତତ୍ତ୍ୱଜ୍ଞାନର ପ୍ରେରକଶକ୍ତି ହେବା ସମୀଚୀନ ନୁହେଁ । ଯଦି ରାଧାକୃଷ୍ଣନ୍‌ ଏହା ନିର୍ଣ୍ଣୟ କରି ନ ଥାନ୍ତେ, ତାହାହେଲେ ତତ୍ତ୍ୱଜ୍ଞାନର ଚିନ୍ତନ ସଂସ୍କୃତି, ଧର୍ମ ଓ ସାମାଜିକ ପରିବେଶର ପ୍ରତ୍ୟକ୍ଷ କିମ୍ୱା ଅପ୍ରତ୍ୟକ୍ଷ ପ୍ରଭାବରୁ ମୁକ୍ତ ରହିଥାନ୍ତି ।

 

‘ଇଣ୍ଡିୟାନ୍‌ ଫିଲସଫି’ ଦୁଇଭାଗ ହୋଇ ୧୯୨୩ ଓ ୧୯୨୭ ମସିହାରେ ପ୍ରକାଶିତ ହୋଇଅଛି । ଏହା ହେଉଛି ଡକ୍ଟର ରାଧାକୃଷ୍ଣନ୍‌ଙ୍କର ବିଶ୍ୱଦର୍ଶନକୁ ଦୁଇଟି ବିଶିଷ୍ଟ ପ୍ରାମାଣିକ ଅବଦାନ । ଏହାଦ୍ୱାରା ଭାରତୀୟ ଦାର୍ଶନିକମାନଙ୍କର ଦୃଷ୍ଟିଭଙ୍ଗୀ ପ୍ରସାରିତ ହୋଇଅଛି । ଏଥିରେ ଲେଖକ ବିଶ୍ୱତତ୍ତ୍ୱଜ୍ଞାନ ଓ ତୁଳନାତ୍ମକ ତତ୍ତ୍ୱଜ୍ଞାନର ପ୍ରତିଷ୍ଠା କରିଛନ୍ତି । ତେଣୁ ଏହି ଗ୍ରନ୍ଥଦ୍ୱୟକୁ ତତ୍ତ୍ୱଜ୍ଞାନର ବିଶ୍ୱକୋଷ ବୋଲି କହିଥାନ୍ତି । ଭାରତର ପ୍ରାୟ ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଏହା ପାଠ୍ୟପୁସ୍ତକ ରୂପେ ନିର୍ବାଚିତ ହୋଇଅଛି । ୧୯୨୭ ମସିହାରେ ତାଙ୍କର ଅନ୍ୟ ଏକ ପୁସ୍ତକ ‘ହିନ୍ଦୁ ଭିଉ ଅଫ୍‌ ଲାଇଫ୍’ ପ୍ରକାଶଲାଭ କରିଛି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ହିନ୍ଦୁତ୍ୱ ଐତିହାସିକ ଦୃଷ୍ଟିରୁ ଏକ ବିକାଶଶୀଳ, ପ୍ରଗତିଶୀଳ ତଥା ଶକ୍ତିଶାଳୀ ଆନ୍ଦୋଳନ । ଏହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଡକ୍ଟର ରାଧାକୃଷ୍ଣନ୍‌ଙ୍କର ଏହି ପୁସ୍ତକଟି ବହୁଭାଷାରେ ଅନୂଦିତ ହୋଇଅଛି । ୧୯୩୯ ମସିହାରେ ତାଙ୍କର ଅନ୍ୟ ଏକ ପ୍ରସିଦ୍ଧ ଗ୍ରନ୍ଥ ‘ଇଷ୍ଟର୍ଣ୍ଣ ରିଲିଜନସ୍‌ ଆଣ୍ଡ ଓ୍ୱେଷ୍ଟର୍ଣ୍ଣ ଥଟ୍‌ସ’ ଆତ୍ମପ୍ରକାଶ କରିଅଛି । ଏଥିରେ ସେ ପ୍ରମାଣ କରିଛନ୍ତି ଯେ ୟୁରୋପର ବିଚାରଧାରା ଉପରେ ହିନ୍ଦୁ ଓ ବୌଦ୍ଧଧର୍ମର ପ୍ରଭାବ ପଡ଼ିଛି । ଭାରତୀୟ ଧର୍ମ ଓ ଦର୍ଶନର ଆଦିସ୍ରୋତ ବେଦ ଉପରେ ସେ ଏହି ଗ୍ରନ୍ଥରେ ଆଲୋକପାତ କରିଅଛନ୍ତି ।

 

୧୯୪୮ ମସିହାରେ ତାଙ୍କର ‘ପ୍ରସ୍ଥାନତ୍ରୟୀ’ ପ୍ରକାଶଲାଭ କରିଅଛି । ଏଥିରେ ଡକ୍ଟର ରାଧାକୃଷ୍ଣନ୍‌ ଏକ ନୂତନ ତଥା ମୌଳିକ ଢାଞ୍ଚାରେ ବେଦାନ୍ତର ବ୍ୟାଖ୍ୟା କରିଅଛନ୍ତି । ତାଙ୍କର ପୂର୍ବପୁରୁଷମାନେ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ପ୍ରଚାରିତ ବୈଷ୍ଣବଧର୍ମ ଗ୍ରହଣ କରିଥିଲେ । ଅର୍ଥାତ୍‌ କୁଳଧର୍ମ ଦୃଷ୍ଟିରୁ ସେ ହେଉଛନ୍ତି ବୈଷ୍ଣବ; କିନ୍ତୁ ବିଶ୍ୱାସ ଦୃଷ୍ଟିରୁ ତାଙ୍କୁ ବେଦାନ୍ତୀ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କୁ ଦର୍ଶନତ୍ତ୍ୱବିଦ୍‌ମାନେ ଶଙ୍କର, ରାମାନୁଜ, ମାଧ୍ୱାଚାର୍ଯ୍ୟ ଓ ବିବେକାନନ୍ଦଙ୍କ ସ୍ତରରେ ଜଣେ ଦାର୍ଶନିକ ବୋଲି ପରିଗଣିତ କରିଥାନ୍ତି । ତାଙ୍କର ଦାର୍ଶନିକ ବିଚାର କେବଳ ସ୍ପଷ୍ଟ ଓ ପରିଷ୍କାର ନୁହେଁ, ପ୍ରକଟନ ଶୈଳୀ ମଧ୍ୟ ସୁନ୍ଦର ଓ ଅସାଧାରଣ । ସେ ଜ୍ଞାନବିଜ୍ଞାନର ସମସ୍ତ କ୍ଷେତ୍ରକୁ ଯେପରି ତତ୍ତ୍ୱଜ୍ଞାନର ସୀମାରେଖା ମଧ୍ୟରେ ବାନ୍ଧି ରଖିପାରିଅଛନ୍ତି, ତାହା ଅନ୍ୟ କୌଣସି ଭାରତୀୟ ଦାର୍ଶନିକ ପୂର୍ବରୁ କରି ନ ଥିଲେ । ଆମ ଦେବଦେବୀଙ୍କର ବାହନ ଓ ଆୟୁଧ ଇତ୍ୟାଦିର ତାତ୍ପର୍ଯ୍ୟ ସୁନ୍ଦର ତଥା ବିସ୍ତୃତ ଭାବରେ ସେ ବର୍ଣ୍ଣନା କରିଅଛନ୍ତି । ବିଶ୍ୱର ସମସ୍ତ ବିଷୟକୁ ତତ୍ତ୍ୱଜ୍ଞାନୀର ଦୃଷ୍ଟିକୋଣ ନେଇ ଦେଖିବା ତାଙ୍କର ଧର୍ମ । ପୂର୍ବରୁ ଆମର ଯେଉଁ ବିଶୁଦ୍ଧ ବୌଦ୍ଧିକ ଦୃଷ୍ଟିରୁ ବିଚାର ପ୍ରଣାଳୀ ଥିଲା, ଡକ୍ଟର ରାଧାକୃଷ୍ଣନ୍‌ ତାହାର ପୁନରୁଦ୍ଧାର କରିଅଛନ୍ତି । ସେ ବିଶ୍ୱାସ କରନ୍ତି ଯେ ଧାର୍ମିକ ବୃତ୍ତିର ବିକାଶ ପାଇଁ ସନ୍ନ୍ୟାସୀ ହେବାର ଆବଶ୍ୟକତା ନାହିଁ । ଶୈଶବରେ ବିଦ୍ୟାଭ୍ୟାସ, ଯୌବନରେ ଗ୍ରାର୍ହସ୍ଥ୍ୟ ଜୀବନଯାପନ, ବାର୍ଦ୍ଧକ୍ୟରେ ବାନପ୍ରସ୍ଥ ବା ମୁନିବୃତ୍ତି ଓ ଅନ୍ତିମକାଳରେ ଯୋଗଦ୍ୱାରା ଶରୀରତ୍ୟାଗ, ଏହି ପାରମ୍ପରିକ ତଥା ପୌରାଣିକ ବିଶ୍ୱାସକୁ ସେ ଖଣ୍ଡନ କରିଅଛନ୍ତି ।

 

ଦାର୍ଶନିକ ହିସାବରେ ବର୍ଣ୍ଣ-ବ୍ୟବସ୍ଥାକୁ ସେ ସମର୍ଥନ କରିଥାନ୍ତି; କିନ୍ତୁ ଗୀତା ଧର୍ମରେ ତାଙ୍କର ଅଛି ଅଖଣ୍ଡ ବିଶ୍ୱାସ । ତେଣୁ ନିଷ୍କାମ କର୍ମ କରିବା ପାଇଁ ସେ ସର୍ବଦା ପ୍ରେରଣା ଦେଉଥାନ୍ତି-। ତାଙ୍କ ମତରେ ମଣିଷର ଭାଗ୍ୟ କେବେ ଅପୂର୍ଣ୍ଣ ନୁହେଁ, ବରଂ ଆତ୍ମୋନ୍ନତି ପାଇଁ ତାହା ପ୍ରେରଣା ଦେଇଥାଏ ବୋଲି ସ୍ୱୀକାର କରିବାକୁ ପଡ଼ିବ । ଏ ସଂସାର ମାୟା ନୁହେଁ । ଆମର ଅସ୍ତିତ୍ତ୍ୱ ମଧ୍ୟ ଆକସ୍ମିକ ନୁହେଁ । ଏହାର ମହତ୍ତ୍ୱ ଅସୀମ । ମୋଟ ଉପରେ ଡକ୍ଟର ରାଧାକୃଷ୍ଣନ୍‌ଙ୍କର ମହତ୍ତ୍ୱ ଓ ତତ୍ତ୍ୱଜ୍ଞାନ ଦୃଢ଼ ଆଶାବାଦ ଉପରେ ପ୍ରତିଷ୍ଠିତ । ପୁନଶ୍ଚ ସେ କହନ୍ତି ଯେ ଗୋଟିଏ ଜିନିଷର ମୂଲ୍ୟ ନିରୂପଣ କରିବା ପାଇଁ ଉପଯୁକ୍ତ ଶିକ୍ଷା ଦରକାର । ଶିକ୍ଷା ଏପରି ହେବା ଉଚିତ ଯଦ୍ଦ୍ୱାରା ମଣିଷ ସଂକୀର୍ଣ୍ଣ କାମନାରୁ ନିଜକୁ ଦୂରେଇ ନେଇ ପାରିବ ଓ ତାହାରି ବଳରେ ସେ ପାଇପାରିବ ଅନ୍ତରାତ୍ମାରେ ଥିବା ଦେବତାଙ୍କର ଦର୍ଶନ । ମାନସିକ ଓ ନୈତିକ ଅତ୍ୟାଚାରର ଯେ ବିରୋଧ କରେ । କଠୋର ରାଷ୍ଟ୍ରୀୟ ଚିନ୍ତାକୁ ଭୁଲିଯାଇ ବିଶ୍ୱଭାବନାର ବିକାଶ ପାଇଁ ଯେ ତତ୍‌ପର ହୁଏ, ତାକୁ ଧର୍ମାନ୍ଧତା ସହଜେ ଗ୍ରାସକରି ପାରେ ନାହିଁ ।

 

୧୯୪୧ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରେ ସେ ଯେଉଁ ବକ୍ତୃତାମାନ ଦେଇଥିଲେ, ତାହା ‘‘ରିଲିଜନ୍‌ ଆଣ୍ଡ ସୋସାଇଟି’’ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇଅଛି । ଆଦର୍ଶ ହିନ୍ଦୁସମାଜର ଦୋଷତ୍ରୁଟି ଏଥିରେ ଆଲୋଚିତ ହୋଇଅଛି । ପୂର୍ବରୁ ପ୍ରକାଶିତ ଗ୍ରନ୍ଥମାନଙ୍କରେ ସେ ଦୁନିଆ ଆଗରେ ଆଦର୍ଶ ହିନ୍ଦୁସମାଜ କ’ଣ, ସେ ବିଷୟରେ ସମ୍ୟକ୍‌ ଧାରଣା ଦେଇଥିଲେ; କିନ୍ତୁ ଏହି ଗ୍ରନ୍ଥଟିରେ ସେ ବର୍ତ୍ତମାନର ହିନ୍ଦୁସମାଜର ଯଥାର୍ଥ ଚିତ୍ରଣ କରିଅଛନ୍ତି । ସ୍ଥୂଳଧାରଣା ନ ଆସିଲେ ହିନ୍ଦୁ ଧର୍ମ ବିଷୟରେ ଅବଧାରିତ ହେବା ଅସମ୍ଭବ । ହିନ୍ଦୁ ଧର୍ମ କ’ଣ ? ସେହି ବିଷୟ ବର୍ଣ୍ଣନା କରିବାକୁ ଯାଇ ଡକ୍ଟର ରାଧାକୃଷ୍ଣନ୍‌ କହନ୍ତି ଯେ ହିନ୍ଦୁ ଧର୍ମ ଅନନ୍ତ ପ୍ରକାର ସୂତାରେ ବୁଣାଯାଇଥିବା ଗୋଟିଏ ରଙ୍ଗୀନ ଲୁଗା ପରି । ଏଥିରେ ଉପନିଷଦ ଓ ଗୀତାର ତତ୍ତ୍ୱଜ୍ଞାନ ଅଛି, ଅଦ୍ୱୈତ, ଦ୍ୱୈତ ଓ ବିଶିଷ୍ଟାଦ୍ୱୈତ ମଧ୍ୟ ଅଛି । ଆମ ଧର୍ମରେ ବହୁଲୋକ କାଠ, ପାଷାଣର ଦେବତା ପୂଜା କରନ୍ତି; କିନ୍ତୁ ମୁନିଋଷିମାନେ ନିଜ ହୃଦୟରେ ପରମେଶ୍ୱରଙ୍କର ଉପାସନା କରନ୍ତି ।) ଏହି ଧର୍ମରେ କେତେକ ପାରମ୍ପରିକ ସିଦ୍ଧାନ୍ତ ରହିଅଛି । ହିନ୍ଦୁଧର୍ମର ପ୍ରଥମ ଓ ପ୍ରଧାନ ବୈଶିଷ୍ଟ୍ୟ ହେଉଛି ସର୍ବବ୍ୟାପକ ପରମାତ୍ମାଙ୍କ ଅମରସତ୍ତାର ଅନୁଭବ । ଏଥିପାଇଁ କୌଣସି ଶକ୍ତିଠାରୁ ପ୍ରେରଣା ମିଳିଥାଏ । ତେଣୁ ଗୀତା କହେ—

 

‘‘ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ।

ଭ୍ରାମୟନ୍‌ ସର୍ବଭୂତାନି ଯତ୍ରାରୂଢ଼ାନି ମାୟୟା ।।

 

ପ୍ରକୃତି ଦୃଷ୍ଟିରୁ ହିନ୍ଦୁ ଧର୍ମ ହେଉଛି ଲୋକତାନ୍ତ୍ରିକ । ତେଣୁ ଡକ୍ଟର ରାଧାକୃଷ୍ଣନ୍‌ କହନ୍ତି ଯେ ବିଶ୍ୱର ଅର୍ଦ୍ଧାଧିକ ଦେଶ ହିନ୍ଦୁ ଧର୍ମ ଦ୍ୱାରା ଅନୁମୋଦିତ ହୋଇଥିବା ସ୍ୱାଧୀନ ଆଧାରକୁ ଭିତ୍ତିକରି ଚଳୁଅଛନ୍ତି । ସିଦ୍ଧାନ୍ତ ଉପରେ ଆଧାରିତ ଏହି ଧର୍ମ, ଧର୍ମର ଏକତା ଖୋଜେ ନାହିଁ । ଏହି ଧର୍ମ ସବୁପ୍ରକାର ବିଶ୍ୱାସକୁ ସାଦରେ ସ୍ୱୀକାର କରି ସମ୍ମାନ ପ୍ରଦର୍ଶନ କରିଥାଏ ।

 

ଏହିପରି ବହୁସ୍ଥଳରେ ସେ ହିନ୍ଦୁ ଧର୍ମର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ ମଧ୍ୟ ଏହି ଧର୍ମରେ ଥିବା ବିକୃତି ପ୍ରତି ସେ ଆଖିବୁଜି ଦେଇନାହାନ୍ତି । ପୁନଶ୍ଚ ଏହି ଧର୍ମର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ପୁରୁଷାର୍ଥ, ଯାହା କି କାମ, ଅର୍ଥ, ଧର୍ମ ଓ ମୋକ୍ଷ—ଏହିପରି ଚାରିବିଭାଗରେ ବିଭକ୍ତ । ଆଧ୍ୟାତ୍ମିକ ସ୍ୱାତନ୍ତ୍ର୍ୟ ପାଇଁ ଦାରିଦ୍ର୍ୟକୁ ବରଣ କରିବା ହିନ୍ଦୁଶାସ୍ତ୍ରର ବିରୋଧୀ । ଦାରିଦ୍ର୍ୟର ଘନଘଟା ମଧ୍ୟରେ ଜୀବନ ଅତିବାହିତ କରିବା ଭାରତର ରାଷ୍ଟ୍ରୀୟ ଆଦର୍ଶ ନୁହେଁ । ପୁରୁଷାର୍ଥ ପରି ବର୍ଣ୍ଣାଶ୍ରମ ମଧ୍ୟ ହିନ୍ଦୁଧର୍ମର ଏକ ଆବଶ୍ୟକୀୟ ବିଭାଗ । ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ–ବର୍ଣ୍ଣାଶ୍ରମ ଏହିପରି ଚାରିଭାଗରେ ବିଭକ୍ତ । ଡକ୍ଟର ରାଧାକୃଷ୍ଣନ୍‌ ଗୃହସ୍ଥମାନଙ୍କର ସନ୍ନ୍ୟାସୀ ହେବାକୁ ପସନ୍ଦ କରନ୍ତି ନାହିଁ । କାରଣ ତାଙ୍କ ମତରେ ଜୀବତତ୍ତ୍ୱ ଓ ସାମାଜିକ ତତ୍ତ୍ୱଦୃଷ୍ଟିରୁ ମାନବସମାଜର ସର୍ବୋତ୍ତମ ଅଙ୍ଗ ବୈବାହିକ ଜୀବନକୁ ତୁଚ୍ଛକରିବା ଆଦୌ ସ୍ୱାସ୍ଥ୍ୟପ୍ରଦ ନୁହେଁ । ପୁନଶ୍ଚ ହିନ୍ଦୁଧର୍ମ ଆଧ୍ୟାତ୍ମିକ ଜୀବନଯାପନ କରିବା ପାଇଁ ଗ୍ରାର୍ହସ୍ଥ୍ୟଜୀବନ ତ୍ୟାଗ କରିବାକୁ ଅନୁମତି ଦେଇ ନ ଥାଏ । ଏହା ବୋଲି ସନ୍ନ୍ୟାସୀ ଜୀବନକୁ ସେ ଘୃଣା କରନ୍ତି, ଏହା ମଧ୍ୟ ଭାବିବା ଭୁଲ । ସେ କହନ୍ତି—‘‘ମାନବ ଜୀବନର ଲକ୍ଷ୍ୟ ସନ୍ନ୍ୟାସ । ଏଥିରେ ଆଦର୍ଶ ମାନବର ଚିତ୍ର ପ୍ରତିବିମ୍ୱିତ ହୋଇଥାଏ ।’’ ବର୍ଣ୍ଣବ୍ୟବସ୍ଥାକୁ ସେ ଐତିହାସିକ ପାର୍ଶ୍ୱଭୂମି ରୂପେ ବିବେଚନା କରିଥାନ୍ତି । ହିନ୍ଦୁଧର୍ମରେ ବୌଦ୍ଧିକ ଓ ସାଂସ୍କୃତିକ ଜୀବନଯାପନ କରିବା ପାଇଁ ସମସ୍ତଙ୍କର ସମଅଧିକାର ଅଛି । ଆଧ୍ୟାତ୍ମିକ ଚିନ୍ତାବଳରେ ରାଷ୍ଟ୍ରୀୟଜୀବନ ଗଢ଼ି ଉଠୁ, ଏହା ହିଁ ହିନ୍ଦୁ ଧର୍ମ ବିଶ୍ୱାସ କରେ ।

 

ଜୀବନର ଗତି ଓ ପ୍ରଗତି କର୍ମ ଉପରେ ନିର୍ଭରଶୀଳ; କିନ୍ତୁ ସୂକ୍ଷ୍ମ ଦୃଷ୍ଟିରୁ ବିଚାରକଲେ ଜଣାଯାଏ ଯେ ଜୀବନର ଗତିପଥ ଆଜି ଅବରୁଦ୍ଧ । ରାଧାକୃଷ୍ଣନ୍‌ଙ୍କ ଭାଷାରେ—‘‘ଆଜି ଦୁନିଆର ଗତି ଦେଖି ମୁଁ ଭୟଭୀତ ହୋଇପଡ଼ୁଛି । ଆମ୍ଭେମାନେ ଆଜି କେବଳ ଆତ୍ମରକ୍ଷା ପାଇଁ ଧର୍ମର ମୁଖା ପିନ୍ଧିଛେ । ଏହି ମୁଖା ପିନ୍ଧି ଆମେ ଆଜି ଜୀବନକୁ ରକ୍ଷାକରୁଛେ ସତ; କିନ୍ତୁ ଏହାର ଗତି ଓ ପ୍ରଗତି ପଥରେ ପକାଉଛେ ଏକ ଦୀର୍ଘ ପୂର୍ଣ୍ଣଚ୍ଛେଦ । ସୁନ୍ଦର ସୁସ୍ଥ ଜୀବନ ଅସୁନ୍ଦର, ଅସୁସ୍ଥ, ଅପୂର୍ଣ୍ଣ ତଥା ଭୟାନକ ହୋଇ ପଡ଼ୁଛି ।’’ ଏତଦ୍‌ଭିନ୍ନ ସମାଜରେ ବିବାହ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଜାତି ବ୍ୟବସ୍ଥାକୁ ମଧ୍ୟ ସେ ପସନ୍ଦ କରିନାହାନ୍ତି । ତାଙ୍କ ମତରେ ଧର୍ମଶାସନ ପ୍ରକୃତିର ନିୟମାନୁକୂଳ ହେବା ଉଚିତ । ଧର୍ମାନୁମୋଦିତ ଚାରିବର୍ଗ ମନୁଷ୍ୟତ୍ୱର ବିକାଶପାଇଁ ଚାରୋଟି ସ୍ଥିତିର ସୂଚନା ଦେଇଥାଏ । ଉଦାହରଣ ସ୍ୱରୂପ ବ୍ରାହ୍ମଣ ଜୀବନକୁ ଆଧ୍ୟାତ୍ମିକତାର ଅନୁସାରୀ କରିଥାଏ । ଅନ୍ୟ ବର୍ଗ ଗୁଡ଼ିକ ମଧ୍ୟ ଜୀବନକୁ ବିକାଶଶୀଳ କରିବାରେ ସହାୟକ ହୋଇଥାନ୍ତି ।

 

ଅସ୍ପୃଶ୍ୟତା ବିଷୟରେ ଡକ୍ଟର ରାଧାକୃଷ୍ଣନ୍‌ କହନ୍ତି ଯେ ଆମ ସମାଜରେ ଏହା ସବୁଠାରୁ ବଡ଼ ଲଜ୍ଜାକର ବ୍ୟବସ୍ଥା । ହୋଟେଲ ଓ ଶିକ୍ଷାନୁଷ୍ଠାନ ପରି ଦେବମନ୍ଦିର ମଧ୍ୟ ସମସ୍ତଙ୍କପାଇଁ ଖୋଲା ରହିବା ଉଚିତ । ଆଜି ଅସ୍ପୃଶ୍ୟତା ନିବାରଣ ପାଇଁ ଯେଉଁ ଉଦ୍ୟମ ଚାଲିଛି, ସେଥିରେ ନ୍ୟାୟ କିମ୍ୱା ଦାନର ପ୍ରଶ୍ନ ଜଡ଼ିତ ହେବା ଉଚିତ ନୁହେଁ । ବରଂ ତାକୁ ପ୍ରାୟଶ୍ଚିତ୍ତ ବୋଲି ଆମକୁ ସ୍ୱୀକାର କରିବାକୁ ପଡ଼ିବ । ଅକସ୍‌ଫୋର୍ଡ଼ର ବିଶ୍ୱବିଦ୍ୟାଳୟର ନିଭୃତ କକ୍ଷରେ ବସି ଦାର୍ଶନିକ ରାଧାକୃଷ୍ଣନ୍‌ ମାନବସମାଜର ଦୁଃଖଦୁର୍ବିପାକ ବିଷୟ ଯେପରି ବିଚାର କରିଛନ୍ତି, ତାହା ବିଶ୍ୱର ଖୁବ୍ କମ୍ ସଂଖ୍ୟକ ଦାର୍ଶନିକ କରିଥିଲା ପରି ମନେହୁଏ । ସେ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନର ମାନବସମାଜ ସବୁଠାରୁ ବେଶି ଭ୍ରଷ୍ଟ ହୋଇପଡ଼ିଛି । ପ୍ରତ୍ୟେକ ସ୍ତରରେ ଚେତନାର ଅଭାବ ପରିଦୃଷ୍ଟ ହେଉଛି । ଯେଉଁମାନେ ଆମର ସୁଖସମୃଦ୍ଧି ପାଇଁ ଉଦ୍ୟମୀ, ସେମାନେ ସ୍ମରଣ ରଖିବା ଉଚିତ ଯେ କେବଳ ଅନ୍ନସଂସ୍ଥାନ ଦ୍ୱାରା ମଣିଷ ଜୀବନଧାରଣ କରିପାରେ ନାହିଁ । ମଣିଷ ପାଇଁ ଉଭୟ ଶାରୀରିକ ଓ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପ୍ରୟୋଜନ । ଯେଉଁମାନେ ଦେଶର ନେତୃତ୍ୱ ନେଉଅଛନ୍ତି, ସେମାନେ ଏହି ଆଦର୍ଶକୁ ନେତୃତ୍ୱର ଅନ୍ତରାଳରେ ରଖିବା ଉଚିତ ।

 

ନାରୀଜାତି ବିଷୟରେ ଉଲ୍ଲେଖ କରି ଡକ୍ଟର ରାଧାକୃଷ୍ଣନ୍ କହନ୍ତି ଯେ ନାରୀଜାତିକୁ ପୁରୁଷ ସହିତ ସମସ୍କନ୍ଧ କରିବା ପାଇଁ ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ, ସବୁ କ୍ଷେତ୍ରରେ ତାହା ସ୍ୱୀକୃତି ପାଇପାରୁ ନାହିଁ । ବିବାହ ପାଇଁ ଯେପରି ଧର୍ମାନୁମୋଦିତ ନିୟମ ବା ଶୃଙ୍ଖଳା ପ୍ରଣୟନ କରାଯାଇଛି, ବିଧବାର ପୁନର୍ବିବାହ ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ । ଏଥିପାଇଁ ରୀତିନୀତି ଉଦାର ହେବା ଦରକାର । ସେ ଏକପତ୍ନୀ ବିବାହକୁ ସମର୍ଥନ କରନ୍ତି । ତାଙ୍କ ଭାଷାରେ–‘‘ମୁଁ ସ୍ୱୀକାର କରେ ଯେ ଏକପତ୍ନୀ ବିବାହ ନୈସର୍ଗିକ । ପୁନଶ୍ଚ କାମବାସନାରେ ଉନ୍ମତ୍ତ ହୋଇ ପତି-ପତ୍ନୀ ସମ୍ପର୍କକୁ ସଙ୍କୁଚିତ କରିବା ଉଚିତ ନୁହେଁ । ଚ୍ୟୁତି ଜୀବନରେ ଅବଶ୍ୟମ୍ଭାବୀ । ଯଦି ଏଥିପ୍ରତି ଆମେ ସହିଷ୍ଣୁ ମନୋଭାବ ପୋଷଣ ନ କରୁ, ତାହାହେଲେ ଆମର ମାନବିକତା ପୂର୍ଣ୍ଣତାପ୍ରାପ୍ତ ହୋଇନାହିଁ ବୋଲି ମାନିବାକୁ ପଡ଼ିବ । ବିନା ବିବାହରେ ପ୍ରେମକୁ ବେଆଇନ ବୋଲି ଘୋଷଣା କରାଗଲେ, ବିନା ପ୍ରମେରେ ବିବାହକୁ ଅନୈତିକ ବୋଲି ଘୋଷଣା ନ କରାଯିବ କାହିଁକି-? ବରଂ ନୈତିକ ନିୟମର ଅନୁବର୍ତ୍ତୀ ହେଲେ ଆମ୍ଭେମାନେ ଆଦର୍ଶର ନିକଟତମ ହୋଇପାରିବା ।”

 

ଦାର୍ଶନିକ ରାଧାକୃଷ୍ଣନ୍ ସଂଯମକୁ ଖୁବ୍‌ ଉଚ୍ଚ ଆସନ ଦେଇଥାନ୍ତି । କାରଣ ତାଙ୍କ ମତରେ—‘‘ପାଶବିକ ପ୍ରବୃତ୍ତି ଉପରେ ପ୍ରଭୁତ୍ୱ ବିସ୍ତାର କରିବାର ଅନ୍ୟ ନାମ ହେଉଛି ସଭ୍ୟତା । ବୈବାହିକ ଜୀବନ ଅତିବାହିତ କରି ମଣିଷ ତା’ ଲକ୍ଷ୍ୟ ପଥରେ ସିଦ୍ଧି ହାସଲ କରିପାରେ ନାହିଁ; କାରଣ ବିବାହ ସଂଘର୍ଷର ଚୂଡ଼ାନ୍ତ ନୁହେଁ, ବରଂ କଠୋର ଜୀବନର ପ୍ରାରମ୍ଭ ମାତ୍ର । ବିବାହିତ ଜୀବନରେ ବ୍ୟକ୍ତିଗତ ସ୍ୱାର୍ଥକୁ ଗୌଣସ୍ଥାନ ଦିଆଯାଇ ବିସ୍ତୃତ ଆଦର୍ଶପ୍ରାପ୍ତି ନିମନ୍ତେ ପ୍ରଚେଷ୍ଟା କରାଯିବା ଉଚିତ । ସଂଯମୀ ହେବା ଦ୍ୱାରା ମଣିଷ ପ୍ରେମକୁ ନୈସର୍ଗିକ କରିପାରେ । ବିବାହ ପବିତ୍ରତାର ପଟ୍ଟଭୂମି ଉପରେ ସମାପିତ ହେବା ଉଚିତ । ଯଦ୍ଦ୍ୱାରା ପରିବାରରେ ଏକତା ପ୍ରତିଷ୍ଠିତ ହୋଇପାରିବ ଓ ଭାବୀ ବଂଶଧରଙ୍କ ଜୀବନ ହେବ ସୁଖମୟ । କୌଣସି ପତି-ପତ୍ନୀଙ୍କ ମନର ମିଳନ ନ ହେଲେ, ବୟସ ଓ ପରିସ୍ଥିତି ବିଚାରକୁ ନେଇ ସେମାନେ ପୁନର୍ବିବାହ କରିପାରନ୍ତି । ଆଦର୍ଶ ରମଣୀଙ୍କ ଯୋଗୁଁ ହିନ୍ଦୁ ପରିବାର ସୁଖୀ ଓ ସମୃଦ୍ଧିଶାଳୀ ହୋଇଥାଏ । ସାଧାରଣ ହିନ୍ଦୁଙ୍କପରି ଡକ୍ଟର ରାଧାକୃଷ୍ଣନ୍‌ ଛାଡ଼ପତ୍ରର ବିରୋଧୀ ନୁହନ୍ତି । ସେ କହନ୍ତି ଯେ ଦୁଃଖରେ ସ୍ଵାମୀ-ସ୍ତ୍ରୀ ନିଜର ଅନିଚ୍ଛା ସତ୍ତ୍ୱେ ପରସ୍ପର ପାଖରେ ରହିବା ପାପ; କିନ୍ତୁ ଆମର ସାମାଜିକ ଚଳଣୀ ଏହାକୁ ପସନ୍ଦ କରି ନ ଥାଏ । ପାଶ୍ଚାତ୍ୟ ଦେଶମାନଙ୍କରେ ଛାଡ଼ପତ୍ର ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି । ବିଚାର ଦୃଷ୍ଟିରୁ ଏହା ଏକ ବିବାଦୀୟ ପ୍ରଶ୍ନ ।

 

କାମଶାସ୍ତ୍ର ଉପରେ ଡକ୍ଟର ରାଧାକୃଷ୍ଣନ୍‌ କହନ୍ତି ଯେ ଏହା ତରଙ୍ଗିତ ତଥା ବିଲୋଡ଼ିତ ମାନବ ହୃଦୟର ଏକପ୍ରକାର ସ୍ଵଚ୍ଛ ସରଳ ପରିଚୟ ଦେଇଥାଏ । ପରିବାର ନିୟନ୍ତ୍ରଣ ଯାହା ଆଜି ଆମ ଦେଶରେ ଏକ ବିରାଟ ସମସ୍ୟା ହୋଇ ଛିଡ଼ାହୋଇଛି, କୃତ୍ରିମ ଉପାୟରେ ତାହାର ନିରୋଧକୁ ସେ ବିରୋଧୀ କରିଥାନ୍ତି । ତାଙ୍କ ମତରେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ସାମୟିକ ବିଚ୍ଛେଦ ହେବା ଦରକାର । ଏହାକୁ ଏକ ଆଦର୍ଶ ରୂପେ ଗ୍ରହଣ କରିନେବାକୁ ହେବ । ସେହିପରି ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନ ଦ୍ଵାରା ସନ୍ତାନନିରୋଧ ମଧ୍ୟ ଏକ ଆଦର୍ଶ । କାମେଚ୍ଛା ଓ ବିଷୟ ବାସନା ଏକ ନୁହେଁ । କେବଳ ସନ୍ତାନ ଉତ୍ପତ୍ତି ବିବାହର ଲକ୍ଷ୍ୟ ନୁହେଁ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ମଣିଷର ଆଧ୍ୟାତ୍ମିକ ବିକାଶ । କୃତ୍ରିମ ଉପାୟରେ ସ୍ତ୍ରୀ-ପୁରୁଷଙ୍କ ଜୀବନରୁ ଆନନ୍ଦକୁ ଅପସାରଣ କରିନିଆଗଲେ, ତାହା ଶାରୀରିକ, ମାନସିକ ଓ ନୈତିକ ଦୁଃଖର କାରଣ ହୋଇପଡ଼େ ।

 

ଡକ୍ଟର ରାଧାକୃଷ୍ଣନ୍‌ଙ୍କ ମତରେ ହିନ୍ଦୁଧର୍ମ ହେଉଛି ଏକ ସାର୍ବଭୌମ ଧର୍ମ । ତାଙ୍କର ଦର୍ଶନ ଧର୍ମ ସହିତ ନିବିଡ଼ ଭାବେ ସଂଶ୍ଳିଷ୍ଟ । ଖର୍ଚ୍ଚାନ୍ତ ହୋଇ ତୀର୍ଥଯାତ୍ରା କରିବା କିମ୍ବା ମନ୍ଦିରକୁ ଯାଇ ମୂର୍ତ୍ତି ପୂଜା କରିବାକୁ ସେ ଧର୍ମ ନାମରେ ଅଭିହିତ କରିଥାନ୍ତି । ତାଙ୍କ ମତରେ ପରମେଶ୍ଵରଙ୍କର ସୁନ୍ଦରତମ ଅଭିବ୍ୟକ୍ତ ହିଁ ହେଉଛି ଧର୍ମ । ପରମେଶ୍ଵରଙ୍କ ନିକଟରେ ଧନୀ-ନିର୍ଦ୍ଧନର ବାଛବିଚାର ନାହିଁ । ତେଣୁ ଆମ ମନରେ ଭିନ୍ନାଭିନ୍ନ ଭାବ ଆଣିବା ଉଚିତ ନୁହେଁ । ଜନ୍ମ-ମରଣର ଚକ୍ର ଉପରେ ତାଙ୍କର ଅଖଣ୍ଡ ବିଶ୍ଵାସ ଅଛି । ଏହି ଚକ୍ରର ଅନ୍ତରାଳରେ ଏକ ମହାନ୍‌ ପରୀକ୍ଷାକେନ୍ଦ୍ରର ସ୍ଥିତିକୁ ସେ ସ୍ଵୀକାର କରନ୍ତି । ସେ କହନ୍ତି ଯେ ଶୋକ ମଧ୍ୟରେ ଦୈବୀ ଭାବନାର ଉଦୟ ହୋଇଥାଏ । ଅନୁଭୂତିର ଆହରଣ ପାଇଁ ଜନ୍ମ ନେଇଥାଏ ଆଶା ଓ ଆକାଙ୍‌କ୍ଷା । ପୁନଶ୍ଚ ଯୁଗର କୁଟିଳଗତି ପ୍ରତି ଦୃଷ୍ଟି ରଖି ସେ ମତପ୍ରକାଶ କରନ୍ତି ଯେ ଆଜି ସତେ ଯେପରି ଆତ୍ମା ମରିଯାଇଛି ଓ ବିଶ୍ଵପରିଣତ ହୋଇଛି ଏକ ନିଘଞ୍ଚ ଅରଣ୍ୟାନୀରେ । ମଣିଷଙ୍କ ଭିତରୁ ଭଲ ଓ ଭେଲ ବାଛିବା ଆଜି ସହଜେ ସମ୍ଭବପର ନୁହେଁ । ଆମେ ଅନେକଙ୍କୁ ଭଲ ଓ ଅନେକଙ୍କୁ ମନ୍ଦ ବୋଲି କହିଥାଉଁ; କିନ୍ତୁ ପ୍ରତ୍ୟେକ ନରନାରୀଙ୍କୁ ଭଲ ଓ ମନ୍ଦ, ସତ୍ୟ ଓ ଅସତ୍ୟର ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଁ ଭାବୁଛି ଓ ଭାବି ଆନନ୍ଦିତ ଯେ, ପରାଧୀନ ଆତ୍ମା ପ୍ରତି ବୋଧହୁଏ ସର୍ବପ୍ରଥମେ ମୁଁ ସହାନୁଭୂତିଶୀଳ ହୋଇ ପାରିଛି ।

 

ଦାର୍ଶନିକ ଭାବେ, ବିଶେଷକରି ତାଙ୍କର ସାମାଜିକ ଦର୍ଶନ ଦୃଷ୍ଟିରୁ ସେ ପ୍ରାଚ୍ୟଭୂଖଣ୍ଡରେ ଶାନ୍ତିଚିନ୍ତନ ଓ ସୁସ୍ଥ ବିଚାରଧାରା ଜଣେ ସୁସ୍ଥ ପ୍ରବର୍ତ୍ତକ । ପ୍ରଜ୍ଞା ଓ ଅନୁଭୂତି ବଳରେ ସେ ବେଶ୍‌ ଜାଣିପାରିଛନ୍ତି ଯେ ଦେଶରେ ବର୍ତ୍ତମାନ ଏକ ଜାଗରଣ ଦରକାର । ଆମର ଘରେ, ସମାଜରେ ଆମକୁ ସେଥିପାଇଁ ପ୍ରତିଷ୍ଠା କରିବାକୁ ପଡ଼ିବ ନୂତନ ତଥା ଆଦର୍ଶ ପରମ୍ପରା । ଯନ୍ତ୍ରଯୁଗ ଆତ୍ମାର ସ୍ଵୀକାର କରି ନ ପାରେ । ତେଣୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ବହୁ ପୂର୍ବରୁ ୧୯୩୮ ମସିହାରେ ଅପ୍‌ଟନ୍‌ ବକ୍ତୃତାମାଳାର ପରିସମାପ୍ତି କରିବାକୁ ଯାଇ ସେ କହିଥିଲେ–‘‘ଯେଉଁ ଲୋକ ଅନ୍ଧକାରରେ ଗୋଟିଏ ଦୀପ ଜଳାଇପାରେ, ଦୁନିଆକୁ ଆଲୋକିତ କରିବାରେ ସେ ହୁଏ ସହାୟକ । ମଣିଷ ଜଡ଼ବାଦୀ ହେଲେ, ତା’ର ବିକାଶ ସ୍ଵତଃ ମନ୍ଥର ହୋଇପଡ଼େ ।”

 

ରାଧାକୃଷ୍ଣନ୍‌ଙ୍କର ଚିନ୍ତନର ଆଧାର ହେଉଛି ଧର୍ମ । ଈଶ୍ଵରଙ୍କ ସୃଷ୍ଟିରେ ସବୁ ମଣିଷ ତାଙ୍କ ଆଖିରେ ସମାନ । ବ୍ୟକ୍ତିଗତ ସ୍ଵାତନ୍ତ୍ର୍ୟକୁ ସେ ସ୍ଵୀକାର କରନ୍ତି । ଏହି ସ୍ଵାତନ୍ତ୍ର୍ୟର ସୁରକ୍ଷା ପାଇଁ ଲୋକତନ୍ତ୍ର ଶାସନ ଉପରେ ସେ ଗଭୀର ଆସ୍ଥା ପୋଷଣ କରିଥାନ୍ତି । ତାଙ୍କ ମତରେ ଲୋକତନ୍ତ୍ରଶାସନ ହିଁ ପ୍ରଣାଳୀ ମଧ୍ୟରେ ସର୍ବୋତ୍ତମ; କାରଣ ସାମ୍ୟ ଓ ମୈତ୍ରୀ ଉପରେ ଏହା ଆଧାରିତ ଓ ଏହାଦ୍ୱାରା ବ୍ୟକ୍ତିତ୍ଵର ସମ୍ପୂର୍ଣ୍ଣ ବିକାଶ ସମ୍ଭବପର । ଲୋକତନ୍ତ୍ରକୁ ସେ କେବଳ ଏକ ରାଜନୀତିକ ବ୍ୟବସ୍ଥା ବୋଲି ଆଖ୍ୟା ନ ଦେଇ, ସର୍ବୋଚ୍ଚ ଧର୍ମ ବୋଲି ଆଖ୍ୟା ଦେଇଅଛନ୍ତି । ମଣିଷକୁ ସେ ଦୁନିଆରେ ସବୁଠାରୁ ବଡ଼ ଆସନ ଦେଇଥାନ୍ତି । ଯଦି ବ୍ୟକ୍ତିତ୍ଵର ବିକାଶ ବାଧାପ୍ରାପ୍ତ ହୁଏ, ମଣିଷର ପ୍ରତିଷ୍ଠା ଓ ଗରିମା ବିପଦସଂକୁଳ ହୋଇ ପଡ଼େ ।

 

ତେଣୁ ସେ ଅଧିକାଂଶ ସମୟରେ ବେଦବ୍ୟାସଙ୍କର ଲେଖାରୁ ଉଦ୍ଧାର କରି କହନ୍ତି, ‘‘ମନୁଷ୍ୟାତ୍‌ ପରଃ ନ କଶ୍ଚିଦସ୍ତି’’ ଅର୍ଥାତ୍‌ ମନୁଷ୍ୟଠାରୁ ଅଧିକ ଶ୍ରେଷ୍ଠ କେହି ନାହାନ୍ତି । ତେଣୁ ତାକୁ ଉପଯୁକ୍ତ ସମ୍ମାନ ନ ଦେବା ଏକ ଅକଥନୀୟ ଅପରାଧ । ପ୍ରତ୍ୟେକ ବ୍ୟକ୍ତି ତା ନିଜ ଗୁଣରେ ଅଦ୍ଵିତୀୟ ଓ ଅନୁପମ । ଦୁନିଆରେ ଦୁଇଟି ବ୍ୟକ୍ତିତ୍ଵ କେବେ ସମାନ ହୋଇ ନ ପାରେ । ଦେଶର ଯେଉଁ ରାଜନୀତିକ ସଂସ୍ଥା ଶାସନ ଦାୟିତ୍ଵରେ ରହୁ ନା କାହିଁକି କେବେହେଲେ ପୂର୍ଣ୍ଣମାତ୍ରାରେ ନ୍ୟାୟଯୁକ୍ତ ହୋଇପାରିବ ନାହିଁ । ତେଣୁ ଏକ ଦଳୀୟ ପଦ୍ଧତି (ଟୋଟାଲିଟାରିଆନିଜମ୍‌)ର ସେ ପ୍ରବଳ ବିରୋଧୀ । ସାମାଜିକ ସୁରକ୍ଷାର ମୂଲ୍ୟ ସ୍ଵୀକାର କଲେ ମଧ୍ୟ ସେ ସାମ୍ୟବାଦ (କମ୍ୟୁନିଜିମ୍‌)ର ସମର୍ଥନ କରି ନ ଥାନ୍ତି ।

 

ରାଜନୀତିକ ଦର୍ଶନ ଦୃଷ୍ଟିରୁ ବିଚାର କାଲେ ଜଣାଯାଏ ଯେ ଦାର୍ଶନିକ ରାଧାକୃଷ୍ଣନ୍‌ ଲିବିରାଲ୍‌ ବ୍ରିଟିଶ ରାଜନୀତିଜ୍ଞମାନଙ୍କ ବିଚାରଧାରା ଦ୍ଵାରା ପ୍ରଭାବିତ । ତେଣୁ ସେ କହନ୍ତି ଯେ ଯେଉଁଠି ଶାସନବ୍ୟବସ୍ଥା କଠୋର ନୁହେଁ, ତାହା ହେଉଛି ସର୍ବୋତ୍ତମ ରାଜ୍ୟ । ବ୍ୟକ୍ତିର ଆତ୍ମାନୁଭୂତିପ୍ରାପ୍ତି ପାଇଁ ଯେ ସହାୟକ, ଦେଶପକ୍ଷରେ ଶୁଭଙ୍କର । ଯେଉଁଠି ସଂଖ୍ୟାଲଘୁ ସଂପ୍ରଦାୟକୁ ନିଜର ସ୍ଵାଧୀନ ମତାମତ ବ୍ୟକ୍ତ କରିବା ପାଇଁ ସୁବିଧା ସୁଯୋଗ ଦିଆଯାଇଛି, ସେଇଠି ଲୋକତନ୍ତ୍ରର ପ୍ରକୃତ ବୀଜବପନ କରାଯାଇଛି ବୋଲି ସ୍ଵୀକାର କରିବାକୁ ପଡ଼ିବ । ମଣିଷର ନୈତିକ ବିକାଶ ପାଇଁ ସ୍ଵାଧୀନତା ଅପରିହାର୍ଯ୍ୟ । ପୁନଶ୍ଚ ମଣିଷଠାରୁ ସ୍ଵେଚ୍ଛାପୂର୍ଣ୍ଣ ସ୍ଵୀକୃତି ନ ମିଳିଲେ, କୌଣସି ରାଜ୍ୟରେ ଲୋକତନ୍ତ୍ରର ପ୍ରତିଷ୍ଠା ହୋଇପାରିବ ନାହିଁ । ବିଚାର-ସ୍ଵାତନ୍ତ୍ର୍ୟର ଅଭାବରେ ସତ୍ୟ ମଧ୍ୟ ସ୍ଥିତିହରା ହୋଇପଡ଼େ । ବିଶେଷ କରି ଗଣତନ୍ତ୍ର ରାଷ୍ଟ୍ରରେ ଉଭୟ ବିଚାର ଓ ବାକ୍‌ ସ୍ଵାତନ୍ତ୍ର୍ୟ ଆବଶ୍ୟକ । ବାଧ୍ୟବାଧକତାର ସ୍ଥିତି ଏଥିରେ ଆଦୌ ସ୍ଵୀକୃତି ନୁହେଁ । ଶକ୍ତିକୁ ପୁଞ୍ଜିକରି ଲୋକତନ୍ତ୍ର ପ୍ରତିଷ୍ଠା ଲାଭ କରେନାହିଁ । ଥରେ ହିଂସାର ଆନୁଗତ୍ୟ ସ୍ଵୀକାର କଲେ, ତାହାକୁ ପରିତ୍ୟାଗ କରିବା ସବୁଠାରୁ କଠିନ ହୋଇପଡ଼େ । ହିଂସାରୁ ଜନ୍ମ ନେଇଥାଏ ପ୍ରତିହିଂସା ଓ କ୍ରମେ ସେଥିରୁ ସୃଷ୍ଟି ହୋଇଥାଏ ସଂଶୟ, ଘୃଣା ଓ ଦୋଷର ଏକ ଅପ୍ରୀତିକର ବାତାବରଣ । ଲୋକତନ୍ତ୍ର ହିଂସାର ସ୍ଥିତି ସ୍ଵୀକାର କରେ ନାହିଁ । ତେଣୁ ଯେ କୌଣସି କାର୍ଯ୍ୟ ସାଧନ ପାଇଁ ହିଂସାର ପଥ ଅନୁସରଣ କରିବାକୁ ସେ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ମହାତ୍ମା ଗାନ୍ଧୀଙ୍କର ସତ୍ୟାଗ୍ରହ ପ୍ରତି ସେ ସବୁଠାରୁ ବେଶି ଆକୃଷ୍ଟ । କାରଣ ତାହା ଆତ୍ମାର ଅନ୍ତର୍ନିହିତ ଶକ୍ତି ଉପରେ ଆଧାରିତ । ଭ୍ରମ ମାର୍ଜନା କରିବା ଓ ଅନ୍ୟାୟର ଦୃଢ଼ ପ୍ରତିରୋଧ କରିବା ସତ୍ୟାଗ୍ରହର ହେଉଛି ମୁଖ୍ୟ ଲକ୍ଷ୍ୟ । ପ୍ରେମ ଓ ଅନୁରାଗ ସତ୍ୟାଗ୍ରହ ପାଇଁ ଦୁଇଟି ଅମୋଘ ଅସ୍ତ୍ର ।

 

ଦାର୍ଶନିକ ରାଧାକୃଷ୍ଣନ୍‌ ପୁନଶ୍ଚ କହନ୍ତି ଯେ ପାଶବିକ ଶକ୍ତିର ସଂହାର ପାଇଁ ମାନବୀୟ ପ୍ରକୃତି ସର୍ବଦା ଉଦ୍ୟତ । ବୁଦ୍ଧି, ପ୍ରେମ, ସେବା ଓ ସାଧନାବଳରେ ମଣିଷଜୀବନର ସଂଘର୍ଷ ନିର୍ଣ୍ଣୟ କରିଥାଏ । ଗାନ୍ଧିଜୀଙ୍କ ପରି ଡକ୍ଟର ରାଧାକୃଷ୍ଣନ୍‌ ବିଶ୍ଵାସ କରନ୍ତି ଯେ ବିଶାଳ ପାଶବିକ ଶକ୍ତି ସମକ୍ଷରେ ସତ୍ୟାଗ୍ରହ ଅପ୍ରଭାବଶାଳୀ ପ୍ରତୀତ ହେଲେ ମଧ୍ୟ କାର୍ଯ୍ୟକାରୀ ଶକ୍ତି ଦୃଷ୍ଟିରୁ ବେଶ୍‌ ଦୃଢ଼ । ସତ୍ୟାଗ୍ରହ କରିବା ପୂର୍ବରୁ ମଣିଷର ସେଥିପାଇଁ ପ୍ରଗାଢ଼ଚିନ୍ତା ଓ ନିରବଚ୍ଛିନ୍ନ ଅଧ୍ୟବସାୟ ଦରକାର । ଗାନ୍ଧିଜୀଙ୍କ ମତରେ ସତ୍ୟାଗ୍ରହ ହେଉଛି ସଂସାରରେ ସବୁଠାରୁ ବଡ଼ଶକ୍ତି । ଏହା ବଳପ୍ରୟୋଗର ବିରୁଦ୍ଧାଚରଣ କରେ । ହିଂସା ସମ୍ପୂର୍ଣ୍ଣଭାବେ ତ୍ୟାଗ ନ କଲେ ସତ୍ୟାଗ୍ରହର କଳ୍ପନା କରିହୁଏ ନାହିଁ । ନିର୍ଭୀକତା ଓ ନମ୍ରତା ହେଉଛି ସତ୍ୟାଗ୍ରହୀର ଦୁଇଟି ପ୍ରାଧାନ ଭୂଷଣ । ପୂର୍ଣ୍ଣ ସତ୍ୟାଗ୍ରାହୀ ନ ହୋଇ ପାରିଲେ ଏକ ପରିପୂର୍ଣ୍ଣ ମଣିଷ ହେବା ଅସମ୍ଭବ । ସତ୍ୟାଗ୍ରହ ସତ୍ୟପ୍ରାପ୍ତି ପାଇଁ ନୁହେଁ, ସତ୍ୟର ବିଶୋଧନ ଓ ସଦୁପଯୋଗ ପାଇଁ ଉର୍ଦ୍ଦିଷ୍ଟ । ଦାର୍ଶନିକ ରାଧାକୃଷ୍ଣନ୍‌ ବାପୁଜୀଙ୍କର ଏହି ମତ ସହିତ ସମ୍ପୂର୍ଣ୍ଣ ଏକମତ ।

 

ଯେଉଁ ଲୋକେ ଲୋକତନ୍ତ୍ରର ମହାନ୍‌ ପରମ୍ପରା ସ୍ଵୀକାର କରିବାକୁ ଅସମର୍ଥ, ସେମାନଙ୍କୁ ଲକ୍ଷ୍ୟକରି ଡକ୍ଟର ରାଧାକୃଷ୍ଣନ୍‌ କହନ୍ତି ଯେ ସେମାନେ ହେଉଛନ୍ତି ପ୍ରକୃତ ଅନ୍ଧ; କାରଣ ସେମାନେ ବ୍ୟକ୍ତିସ୍ଵାତନ୍ତ୍ର୍ୟକୁ ସ୍ଵୀକାର କରନ୍ତି ନାହିଁ; କିନ୍ତୁ ଅନ୍ୟ ଶାସନ ବ୍ୟବସ୍ଥାରେ ବ୍ୟକ୍ତିଗତ ସ୍ଵତନ୍ତ୍ରତା ହାସଲ କରିବାର ସୁଯୋଗ ନାହିଁ । ଯଦି ମଣିଷ ଲୋକତନ୍ତ୍ରର ଅନୁବ୍ରତୀ ହୁଏ, ତାହାହେଲେ ଜୀବନ ଗଠନରେ ସମସ୍ତଙ୍କୁ ସମାନ ଅଧିକାର ମିଳିଥାଏ । ଏହି ଶାସନ ପଦ୍ଧତିରେ କୌଣସି ବ୍ୟକ୍ତି କାହାର ଶାସନ ଅପହରଣ କିମ୍ବା ଅତିକ୍ରମଣ କରିପାରେ ନାହିଁ । ସେ ପୁଣି କହନ୍ତି ଯେ ଯଦିଚ ଲୋକତନ୍ତ୍ରର ପଦ୍ଧତି ହାସଲ ସହଜସାଧ୍ୟ; କିନ୍ତୁ ଲୋକତନ୍ତ୍ରୀ ଭାବନା ମନକୁ ଆସିବା ସେତେ ସରଳ ନୁହେଁ । ନିଜର ମନୋବୃତ୍ତିକୁ ଅନ୍ୟର ମନୋବୃତ୍ତି ସହିତ ଖାପାଖୁଆଇ କାର୍ଯ୍ୟ କରିବା ମଧ୍ୟ ଖୁବ୍‌ କଠୋର ବ୍ୟାପାର । ତେଣୁ ଯେ ପ୍ରକୃତ ଲୋକତନ୍ତ୍ରବାଦୀ, ସେ ନମ୍ରତାର ଅବତାର ଓ ସତ୍ୟମାର୍ଗର ପଥିକ ହେବା ଉଚିତ । ସାମାଜିକ ନ୍ୟାୟ ଯଦି ବିଫଳହୁଏ, ତାହାହେଲେ ଲୋକତନ୍ତ୍ର ଏକ ପ୍ରହସନରେ ପରିଣତ ହୁଏ । ଯେ ବ୍ୟକ୍ତିଗତ ଗରିମାକୁ ଉପଯୁକ୍ତ ମୂଲ୍ୟଦେବାକୁ ଦ୍ଵିଧାକରେ, ତା’ର ସାମାଜିକ ନ୍ୟାୟ ଉପରେ ବିଶ୍ଵାସ ନାହିଁ ବୋଲି ଧରାଯିବ ।

 

ଲୋକତନ୍ତ୍ରକୁ ଅନୁଭବରେ ଆଣିବା ଉଚିତ; କିନ୍ତୁ ରାଜନୀତି କ୍ଷେତ୍ରରେ ଏହାର ମହତ୍ତ୍ଵକୁ ଲୋକେ ବିସ୍ମୃତିଗର୍ଭରେ ହଜାଇ ଦେଉଛନ୍ତି । ଦୂଷିତ ଆର୍ଥିକ ବ୍ୟବସ୍ଥାର ଆଧାର ଉପରେ ଲୋକତନ୍ତ୍ରର ପ୍ରତିଷ୍ଠା କରାଯାଇପାରେ ନାହିଁ । ଆଜି ସାମାଜିକ, ରାଜନୈତିକ ଓ ଭୌତିକ ପ୍ରଗତି ତଥା ସମୃଦ୍ଧିକ୍ଷେତ୍ରରେ ବୈଷମ୍ୟ ପରିଲକ୍ଷିତ ହେଉଛି । ଯଦି ଆହାର, ସ୍ୱାସ୍ଥ୍ୟ ଓ ଶିକ୍ଷାକ୍ଷେତ୍ରରେ ସାମ୍ୟ ପରିଲକ୍ଷିତ ନ ହୁଏ, ତାହାହେଲେ ଲୋକତନ୍ତ୍ରର ସ୍ଥିତି ମଧ୍ୟ ଅସମ୍ଭବ । ତେଣୁ ଡକ୍ଟର ରାଧାକୃଷ୍ଣନ୍‌ ପୁଞ୍ଜିବାଦର ବିରୋଧ କରି କହନ୍ତି ଯେ ପୁଞ୍ଜିବାଦ ସର୍ବଦା ଲୋକତନ୍ତ୍ରର ପ୍ରତିକୂଳ ଆଚରଣ କରିଥାଏ । ଚିତ୍ତବୃତ୍ତି ନ ବଦଳିଲେ ଶକ୍ତିପ୍ରୟୋଗ କରି ପୁଞ୍ଜିବାଦୀ ରାଷ୍ଟ୍ରରେ ଲୋକତନ୍ତ୍ର ପ୍ରତିଷ୍ଠା ଆଦୌ ସମ୍ଭବପର ହୋଇପାରେ ନାହିଁ । ପୁଞ୍ଜିବାଦୀ ରାଷ୍ଟ୍ରଙ୍କର ବଳପ୍ରୟୋଗ ଫଳରେ ବିଶ୍ଵବକ୍ଷରେ ଆଜି ଲୋକତନ୍ତ୍ର ପ୍ରଭାବ ବିସ୍ତାର କରିପାରୁ ନାହିଁ । ନୈତିକ ଦୃଷ୍ଟିରୁ ପୁଞ୍ଜିବାଦ ମଧ୍ୟ ବିଶ୍ଵ ପକ୍ଷରେ ବିପଜ୍ଜନକ । ଏହାଦ୍ୱାରା ଧନୀ ଓ ଦରିଦ୍ର ଗୋଷ୍ଠୀଙ୍କ ମଧ୍ୟରେ ବିଷମତା ବୃଦ୍ଧି ପାଇଥାଏ ।

 

କମ୍ୟୁନିଷ୍ଟ ଶାସନ ପଦ୍ଧତି ବିଷୟରେ ସେ କହନ୍ତି ଯେ ଯଦି ଲୋକତନ୍ତ୍ର ଆଦର୍ଶାନୁକୂଳ ଓ ଅହିଂସ ହୁଏ, ତାହାହେଲେ କମ୍ୟୁନିଜିମ୍‌ ସହଜେ ପ୍ରଭାବ ବିସ୍ତାର କରିପାରେ ନାହିଁ । ଶକ୍ତିପ୍ରୟୋଗ କରି କମ୍ୟୁନିଷ୍ଟମାନଙ୍କର ବିରୋଧ କରିବା ଏକ ଦୁରୂହ ବ୍ୟାପାର । ତେଣୁ ୟୁନେସ୍କୋର ପଞ୍ଚମ ଅଧିବେଶନରେ ଭାଷଣ ଦେଇ ଡକ୍ଟର ରାଧାକୃଷ୍ଣନ୍‌ କହିଥିଲେ—‘‘ଏସିଆ ଓ ଆଫ୍ରିକା ମହାଦେଶରେ ବିଶ୍ଵର ପ୍ରାୟ ଅଧେ ଲୋକ ବସବାସ କରନ୍ତି; କିନ୍ତୁ ପଶ୍ଚିମ ରାଷ୍ଟ୍ରର ଲୋକେ ଯୁଦ୍ଧଯାହାଜ ନିର୍ମାଣ, ଶକ୍ତିଶାଳୀ ସେନାବାହିନୀ ଗଠନରେ ବ୍ୟସ୍ତ । ଏହି ରାଷ୍ଟ୍ରମାନଙ୍କର ମନୋବୃତ୍ତିରେ ପରିବର୍ତ୍ତନ ଆଣିବାପାଇଁ ଲୋକତନ୍ତ୍ରକୁ ଅନୁଶାସିତ ତଥା ତ୍ୟାଗପୂର୍ଣ୍ଣ କରିବାକୁ ପଡ଼ିବ । ଯଦି ଲୋକତନ୍ତ୍ରରେ ବର୍ତ୍ତମାନ ପରିଦୃଷ୍ଟ ହେଉଥିବା ଦୋଷତ୍ରୁଟିକୁ ଦୂର କରାଯାଇ ପାରେ, ତାହାହେଲେ କମ୍ୟୁନିଜିମ୍‌କୁ ପରାଜିତ କରାଯାଇ ପାରିବ । ଗରିବଜନତାଙ୍କ ମନରେ ଆଶା ସଂଚାରକରି ସେମାନଙ୍କୁ ସୁରକ୍ଷିତ କରାଯିବା ଉଚିତ ।”

 

ପୁଞ୍ଜିବାଦୀ ଜଗତରେ ସଂଘର୍ଷ ଅନିବାର୍ଯ୍ୟ । ଦେଶରେ ପୁଞ୍ଜିବାଦ ସାଧାରଣତଃ ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଜନ୍ମାଇଥାଏ । ତେଣୁ ସେ ଦୃଢ଼ ସ୍ଵରରେ କହନ୍ତି ଯେ, ଆର୍ଥିକ ନ୍ୟାୟପ୍ରାପ୍ତି ହିଁ ଆମର ଏକମାତ୍ର ମୁକ୍ତିର ମାର୍ଗ । ଶକ୍ତି ଓ ସମ୍ପତ୍ତି ବଳରେ କେହି ସମାଜର ସ୍ଵାମୀ ହେବା ଉଚିତ ନୁହେଁ । ଡକ୍ଟର ରାଧାକୃଷ୍ଣନ୍‌, ପୂର୍ଣ୍ଣମାତ୍ରାରେ ସମାଜବାଦୀ ଲୋକତନ୍ତ୍ରୀ । କୃଷକ ଓ ଶ୍ରମିକ ସେମାନଙ୍କର ପୂରାପୂରି ପାରିଶ୍ରମିକ ପାଆନ୍ତୁ । ଏଥିପାଇଁ ସେ ସର୍ବଦା ବ୍ୟଗ୍ର ।

 

ସମ୍ପତ୍ତିକୁ ସଞ୍ଚିତ ଶ୍ରମ ହିସାବରେ ସ୍ଵୀକାର କରିବାକୁ ସେ ନାରାଜ । ଏହା ବୋଲି ଯେ ସେ ବ୍ୟକ୍ତିଗତ ସମ୍ପତ୍ତିର ବିରୋଧୀ, ଏପରି ଭାବିବା ମଧ୍ୟ ଭୁଲ । କାରଣ ସେ ସ୍ଵୀକାର କରନ୍ତି ଯେ ଆର୍ଥିକ ପୁରସ୍କାର ସେବାରୁ ବିରହିତ ହେବା ଉଚିତ ନୁହେଁ । ଆର୍ଥିକ ଓ ସାମାଜିକ ନ୍ୟାୟର ଅଭାବରେ ଲୋକତନ୍ତ୍ର ପ୍ରତିଷ୍ଠା ଅସମ୍ଭବ ବୋଲି ତାଙ୍କର ବିଶ୍ଵାସ । ଯଦି ଆର୍ଥିକ ଓ ସାମାଜିକ ଲୋକତନ୍ତ୍ର ପ୍ରତିଷ୍ଠା ପାଇଁ ପ୍ରଯତ୍ନ କରାଯାଏ, ତାହାହେଲେ ଏଥିପାଇଁ ସର୍ବପ୍ରଥମେ ଦରକାର ଜନଶିକ୍ଷା ଓ ଜନପ୍ରେରଣା । ତାଙ୍କ ମତରେ ବ୍ରିଟିଶ ଲିବରେଲ ପାର୍ଟି ଶାସନକ୍ଷେତ୍ରରେ ବିଫଳ ହୋଇଥିଲେ ସମାଜବାଦୀ ମନୋବୃତ୍ତିର ଅଭାବରୁ । କମ୍ୟୁନିଷ୍ଟପାର୍ଟି ମଧ୍ୟ ବହୁକ୍ଷେତ୍ରରେ ସଫଳତା ହାସଲ କରିପାରୁନାହିଁ, କାରଣ ଲୋକତନ୍ତ୍ର ଉପରେ ଏହି ଦଳର ଆସ୍ଥା ଖୁବ୍‌ କମ୍‌ । ମୋଟ ଉପରେ ସ୍ଵାଧୀନଜଗତ, ଶିଷ୍ଟ ଓ ଭଦ୍ରସମାଜ ତାଙ୍କର କାମ୍ୟ, ଯେଉଁଠିକି ମନ ଓ ଆତ୍ମା ପୂର୍ଣ୍ଣମାତ୍ରାରେ ସ୍ଵତନ୍ତ୍ର ବୌଦ୍ଧିକ ଦାସତ୍ଵର ବିନିମୟରେ ଆର୍ଥିକ ସୁରକ୍ଷାକୁ ସେ ପସନ୍ଦ କରନ୍ତି ନାହିଁ ।

 

ମାର୍କସଙ୍କ ସହିତ ଡକ୍ଟର ରାଧାକୃଷ୍ଣନ୍‌ ମୁଖ୍ୟତଃ ଗୋଟିଏ ବିଷୟରେ ଏକମତ ନୁହନ୍ତି; ତାହା ହେଉଛି ସମାଜରେ ବ୍ୟକ୍ତିସ୍ଵାତନ୍ତ୍ର୍ୟର ଅସ୍ଵୀକୃତି । ମାର୍କସବାଦୀମାନେ ସମାଜରେ ବ୍ୟକ୍ତିକୁ କୌଣସି ସ୍ଵତନ୍ତ୍ର ସ୍ଥାନ ଦେଇ ନ ଥାନ୍ତି । ଏତଦ୍‌ଭିନ୍ନ ସେ ଘୋଷଣା କରନ୍ତି ଯେ ସମାଜର ଆର୍ଥିକ ଉନ୍ନତି ଉପରେ ଜୋର ଦିଆଯିବା ଉଚିତ; କିନ୍ତୁ ଏହାକୁ ଇତିହାସର ଏକ ନିଶ୍ଚୟାତ୍ମକ ତତ୍ତ୍ଵ ବୋଲି ସ୍ଵୀକାର କରିବା ସମୀଚୀନ ନୁହେଁ । ଯଦି ଲକ୍ଷସ୍ଥଳରେ ପହଞ୍ଚିବାର ପ୍ରବୃତ୍ତି କଠୋର ଆବଶ୍ୟକତା ଯୋଗୁଁ ଉତ୍ପନ୍ନ ହୁଏ; ତାହାହେଲେ ବ୍ୟକ୍ତିକୁ କାମକରିବା ପାଇଁ କହିବାର ପ୍ରଶ୍ନ କିପରି ଉଠିପାରେ । ତେଣୁ ବିକାଶ ପାଇଁ ନୂତନ ବିଚାରଧାରାକୁ ଗ୍ରହଣ କରିବାକୁ ପଡ଼ିବ । ଏଥିନିମନ୍ତେ ଅବଶ୍ୟ ଦରକାର ଅଧିକ ଶକ୍ତିସଂପନ୍ନ ବ୍ୟକ୍ତିତ୍ଵ ଓ ବୌଦ୍ଧିକ ସ୍ଵତନ୍ତ୍ରତା । ଡକ୍ଟର ରାଧାକୃଷ୍ଣନ୍‌ ଗୋଷ୍ଠୀଠାରୁ ବ୍ୟକ୍ତି ଉପରେ ଅଧିକ ଆସ୍ଥା ସ୍ଥାପନ କରି କହନ୍ତି ଯେ କ୍ଷୁଦ୍ରତମ ବ୍ୟକ୍ତିର ମଧ୍ୟ ଆତ୍ମା ଅଛି, ଯାହାକୁ ଶକ୍ତିଶାଳୀ ସାମ୍ରାଜ୍ୟବାଦୀ ମଧ୍ୟ ହେୟ ମଣିବା ଉଚିତ ନୁହେଁ । ଆମେ ସବୁ ସେହି ଦିବ୍ୟପୁରୁଷଙ୍କର ସତ୍ତାନେଇ ଜନ୍ମଲାଭ କରିଛେ । ‘ଅମୃତସ୍ୟ ପୁତ୍ରାଃ’ ଆମ୍ଭେମାନେ । ତେଣୁ ବ୍ୟକ୍ତିକୁ ହେୟ ମଣିବା କାହିଁକି ?

 

ବର୍ତ୍ତମାନର ସମାଜ ବହୁ ବ୍ୟାଧିଗ୍ରସ୍ତ । ଏହା ସତ୍ତ୍ୱେ ପ୍ରକୃତିକୁ ଜୟ କରିବା, କ୍ଷୁଧା-ତୃଷ୍ଣା ନିବାରଣ କରିବା ମଣିଷର ଏକପ୍ରକାର ନିଶାରେ ପରିଣତ ହୋଇଛି; କିନ୍ତୁ ମଣିଷର ଆତ୍ମା ଯେ ଦିନକୁ ଦିନ ଲୋଭ ଓ ସ୍ଵାର୍ଥରେ ଅଭିଭୂତ ହୋଇ ପଡ଼ୁଛି, ଏଥିପ୍ରତି କେହି ସତର୍କ ଦୃଷ୍ଟି ଦେଉନାହାନ୍ତି-। ପ୍ରତିଯୋଗାତ୍ମକ ଅହଂକାର ଆଜି ବିଭିନ୍ନ ସମସ୍ୟାର କାରଣ ହୋଇପଡ଼ୁଛି । ନୈସର୍ଗିକ ସହାନୁଭୂତିକୁ ବ୍ୟକ୍ତିଗତ ସ୍ଵାର୍ଥ ଓ ସମୂହର ଅଭିମାନ କ୍ରମେ ଦୁର୍ବଳ କରି ପକାଉଅଛନ୍ତି । ମାନବ ପ୍ରକୃତିରେ ତେଣୁ ଆଜି ସ୍ପଷ୍ଟହୋଇ ଉଠିଛି ବନ୍ୟ ଅରାଜକତା । ଦେଶର ଯନ୍ତ୍ରୀକରଣ ହେଉ; କିନ୍ତୁ ମଣିଷ ମନ ଯନ୍ତ୍ର ପରି କାମ ନ କରୁ, ଏହା ହିଁ ଡକ୍ଟର ରାଧାକୃଷ୍ଣନ୍‌ଙ୍କର ସମାଜକୁ ସତର୍କବାଣୀ । ସମାଜରେ ପୁଞ୍ଜିପତି ମୁଣ୍ଡ ଟେକିବା ସଙ୍ଗେ ସଙ୍ଗେ ମଜଦୁରମାନେ ଯେପରି ଲାଲଝଣ୍ଡା ତଳେ ଏକତ୍ରୀତ ହେଉଛନ୍ତି, ତାହା ଭୟର କାରଣ ହୋଇପଡ଼ୁଛି । ଏପରି ସ୍ଥଳେ ବ୍ୟକ୍ତି ସମାଜକୁ ପ୍ରଭାବିତ କରିବ କିପରି ? ଯନ୍ତ୍ରୀକରଣ ଯୋଗୁଁ ସମାଜ କ୍ରମେ ଜଟିଳ ହୋଇପଡ଼ିଛି । ବଡ଼ ବଡ଼ ଯନ୍ତ୍ର ସାହାଯ୍ୟରେ ଉତ୍ପାଦନ କାର୍ଯ୍ୟ କରାଯାଉଥିବାରୁ ମଣିଷ ମନର ନୈସର୍ଗିକ ତଥା ସୃଜନାତ୍ମକ ପ୍ରେରଣାଶକ୍ତି କ୍ରମେ ବିଲୟ ଭଜୁଛି । କର୍ମରେ ଆତ୍ମାସନ୍ତୋଷର ଅଭାବ ପରିଲିକ୍ଷିତ ହେଉଛି ଓ ଜୀବନ ଉଦ୍ଦେଶ୍ୟହୀନ ହୋଇ ପଡ଼ୁଛି । ତାଙ୍କ ମତରେ ଯାନ୍ତ୍ରିକ ସମାଜରେ ଧନୀ ଓ ନିର୍ଦ୍ଧନ ଉଭୟେ ଦୁଃଖୀ । ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ମଧ୍ୟ ଧନୀ ଅନୁଭବ କରୁଛି ଯେ ତାହାର ଆଧ୍ୟାତ୍ମିକ ମୃତ୍ୟୁ ଘଟିଲାଣି । ଆତ୍ମା ଜଡ଼ ଓ ନିଷ୍କ୍ରିୟ ହୋଇ ଗଲାଣି ।

 

ଡକ୍ଟର ରାଧାକୃଷ୍ଣନ୍‌ କେବଳ ରାଜନୀତିକ ସ୍ଵାଧୀନତା ଚାହାନ୍ତି ନାହିଁ । ସେ ଚାହାନ୍ତି ସାମାଜିକ ସ୍ଵତନ୍ତ୍ରତା; ଯଦ୍ଦ୍ଵାରା ମଣିଷ ବଞ୍ଚିରହି ପାରିବ । ତା’ର ସ୍ଵାତନ୍ତ୍ର୍ୟ ତଥା ଗରିମା ପୂର୍ଣ୍ଣମାତ୍ରାରେ ପ୍ରସ୍ଫୁଟିତ ହୋଇପାରିବ । ରାଜନୀତି, କଳା, ଆନ୍ତଃରାଷ୍ଟ୍ରୀୟ ସମ୍ବନ୍ଧ, ପ୍ରେସ, ରେଡ଼ିଓ ତଥା ସିନେମା ଇତ୍ୟାଦିର ସିଦ୍ଧାନ୍ତୀକରଣ, ଶିକ୍ଷା, ସୂଚନା ଓ ପ୍ରକାଶନ ଉପରେ ନିୟନ୍ତ୍ରଣ ଜାରି କରିବା ଦ୍ଵାରା ମାନବିକତାର ମୁକ୍ତ ବିକାଶରେ ବାଧା ଦିଆଯାଉଅଛି । ଡକ୍ଟର ରାଧାକୃଷ୍ଣନ୍‌ ଉଭୟ ରାଜନୀତିକ ତଥା ଆର୍ଥିକ ବିକେନ୍ଦ୍ରୀକରଣକୁ ସ୍ଵୀକାର କରନ୍ତି । ସେ କହନ୍ତି ଯେ ସମାଜରେ ଭୟ ଓ ବଳପୂର୍ବକ କୌଣସି ପରିବର୍ତ୍ତନ ଅଣାଯାଇ ନ ପାରେ । ତାଙ୍କର ଦୃଢ଼ବିଶ୍ଵାସ ଯେ ଆର୍ଥିକ ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ମଧ୍ୟ ପ୍ରେରଣା ଦ୍ଵାରା ସମ୍ଭବ ହୋଇପାରେ । ସାମାଜିକ କ୍ରାନ୍ତି ପାଇଁ ଦଣ୍ଡର ଆଶ୍ରୟ ନିଆଯିବା ଉଚିତ ନୁହେଁ, କାରଣ ଲୋକତନ୍ତ୍ରୀ ବ୍ୟବସ୍ଥାର ଏହା ପରିପୂରକ ।

 

ବିଶ୍ଵର ଯେଉଁ ଦାର୍ଶନିକମାନେ ଏକ ବିଶ୍ଵସଭ୍ୟତା ଓ ସଂସ୍କୃତି ପ୍ରତିଷ୍ଠା ପାଇଁ ସ୍ଵପ୍ନ ଦେଖିଛନ୍ତି ବା ଦେଖୁଛନ୍ତି, ସେମାନଙ୍କ ମନରେ ଡକ୍ଟର ରାଧାକୃଷ୍ଣନ୍‌ ଅଗ୍ରଗଣ୍ୟ । ଏକତାର ଏକାନ୍ତ ଅଭାବରୁ ମାନବସମାଜ କିପରି ଦୁର୍ଗତିର ସମ୍ମୁଖୀନ ହେଉଛି, ତାହା ସେ ବହୁକାଳରୁ ସୂଚାଇ ଆସିଅଛନ୍ତି । ତାଙ୍କର ପରିକଳ୍ପିତ ସମାଜରେ ବ୍ୟବସ୍ଥିତ ଶାନ୍ତି, ଭୌତିକ ସମୃଦ୍ଧି ମିଳିବା ସଙ୍ଗେ ସଙ୍ଗେ ବ୍ୟକ୍ତିଗତ ସ୍ଵାଧୀନତା ମଧ୍ୟ ମିଳିପାରିବ । ସେଥିପାଇଁ ସେ ସହିଷ୍ଣୁତା ଉପରେ ଅଧିକ ଗୁରୁତ୍ଵ ଆରୋପ କରିଥାନ୍ତି । ଗୋଟିଏ ପରିବାରରେ ମା-ବାପ, ସନ୍ତାନସନ୍ତତିଙ୍କର ରୁଚି ସାଧାରଣତଃ ଭିନ୍ନ । ପ୍ରକୃତିରେ ବିଭିନ୍ନତା, ସ୍ଵଭାବରେ ପାର୍ଥକ୍ୟ ପରିଲକ୍ଷିତ ହେବା ସ୍ଵାଭାବିକ । ତେଣୁ ମାନବସମାଜର ସର୍ବତୋମୁଖୀ ପ୍ରଗତି ଓ ବିକାଶ ପାଇଁ ପ୍ରୟୋଜନ ସହିଷ୍ଣୁତା । ଏହି ସହିଷ୍ଣୁତା ଅର୍ଥ ଉଦାସୀ ମନୋଭାବ ନୁହେଁ; ଏହା ଏକ ମୂଲ୍ୟବାନ ଓ କଷ୍ଟସାଧ୍ୟ ଚିତ୍ତବୃତ୍ତି । ମଣିଷକୁ ନିଷ୍‌ପକ୍ଷ କରିବାରେ ମଧ୍ୟ ଏହା ହୋଇଥାଏ ସହାୟକ । ନିଜର ବିଶ୍ଵାସ ଓ ବିଚାର ପ୍ରତି ଦୃଢ଼ ନିଷ୍ଠାରଖି ପରର ବିଶ୍ଵାସ ପ୍ରତି ଉଚିତ ଆଦର ଓ ସମ୍ମାନ ପ୍ରଦର୍ଶନ କରିବାକୁ ସହିଷ୍ଣୁତା କୁହାଯାଏ ।

 

ଅତୀତ ଓ ଭବିଷ୍ୟତ ମଧ୍ୟରେ ସଂଘର୍ଷ ସାଧାରଣଃ ରାଜନୀତିକ ତଥା ଆର୍ଥିକ ଦୁଃଖାନ୍ତ ଘଟଣାର କାରଣ । ଯଦି ଏକ ବିଶ୍ଵସମାଜର ସ୍ଥାପନ ଆମରଲକ୍ଷ୍ୟ ହୁଏ, ତାହାହେଲେ ରାଷ୍ଟ୍ରୀୟ ହିତର କିୟଦଂଶ ଆମକୁ ଉପେକ୍ଷା କରିବାକୁ ପଡ଼ିବ । ଡକ୍‌ଟର ରାଧାକୃଷ୍ଣନ୍‌ଙ୍କ ଭାଷାରେ–‘‘ଦେଶଭକ୍ତିର ଭାବନା ପରିମାର୍ଜିତ କରିବାକୁ ପଡ଼ିବ । ଯଦ୍ଦ୍ଵାରା ମାନବଠାରୁ ମାନବ ସମାଜ ନିକଟରେ ପହଞ୍ଚିବା ଲାଗି ଏକ ସୁଦୃଢ଼ ସେତୁ ନିର୍ମାଣ କରାଯାଇ ପାରିବ ।” ସମାଜର ଉତ୍କୃଷ୍ଟ ଆଧାର ହେଉଛି ବ୍ୟକ୍ତିଗତ ତ୍ୟାଗ ଓ ଆତ୍ମସମୀକରଣ । ଆତ୍ମାଭିବ୍ୟକ୍ତି ଓ ସାମାଜିକ କର୍ତ୍ତବ୍ୟ ମଧ୍ୟରେ ସମ୍ବନ୍ଧ ସ୍ଥାପନ ସହଜସାଧ୍ୟ ନୁହେଁ; କିନ୍ତୁ ତାଙ୍କର ବିଶ୍ଵାସ ଯେ କଷ୍ଟ ହେଲେ ମଧ୍ୟ ଏହି ସମ୍ବନ୍ଧ ସ୍ଥାପନ କରାଯାଇପାରିବ ଓ ବିଶ୍ଵ-ସମାଜ ଗଠନ ସହଜୀକୃତ ହେବ ।

 

‘ସାପ୍ରୁ କମିଟି’ ଓ ‘ସମ୍ବିଧାନ ପରିଷଦ’ର ସଦସ୍ୟତା କରିବାଦ୍ଵାରା ରାଜନୀତି କ୍ଷେତ୍ରରେ ସେ ସ୍ଥୂଳଜ୍ଞାନ ହାସଲ କରିପାରିଥିଲେ । ରାଜନୀତିଜ୍ଞ ହିସାବରେ ସେ ମଣିଷର ଦୁଃଖ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ । ଯୁଦ୍ଧର ବ୍ୟର୍ଥତା ସେ ମର୍ମେ ମର୍ମେ ଅନୁଭବ କରିଥାନ୍ତି । ନୈତିକ ଆଦର୍ଶ ପ୍ରତିଷ୍ଠା କିମ୍ବା କୌଣସି ସିଦ୍ଧି ହାସଲ କରିବା ପାଇଁ ସାଧାରଣତଃ ଯୁଦ୍ଧ ଆରମ୍ଭ କରାଯାଇଥାଏ; କିନ୍ତୁ ଲକ୍ଷ୍ୟହାସଲଠାରୁ କ୍ଷତିର ପରିମାଣ ହୁଏ ବେଶି । ମୁଣ୍ଡ ବ୍ୟଥା ଭଲକରିବାକୁ ଯାଇ ଆମେ ମୁଣ୍ଡକୁ ବଳି ଦେଇଥାଉ । ତେଣୁ ସେ ଯେ କୌଣସି ସମସ୍ୟାକୁ ବିବେକପୂର୍ଣ୍ଣ ବୌଦ୍ଧିକ ଦୃଷ୍ଟିରେ ଦେଖିବାକୁ ପସନ୍ଦ କରିଥାନ୍ତି । ତାଙ୍କର ରାଜନୈତିକ ଦର୍ଶନର ଆଧାର ହେଉଛି ମଣିଷର ଆତ୍ମା । ସବୁ ମଣିଷଙ୍କଠାରେ ଏହି ଆତ୍ମା ସମଭାବରେ ବିଦ୍ୟମାନ । ଆମେ ସମସ୍ତେ ପରସ୍ପରର ଭାଇ । ତେଣୁ ବିଶ୍ଵ-ସମାଜ, ବିଶ୍ଵ-ସରକାର ସ୍ଥାପନା ସମ୍ଭବ ହେବନାହିଁ କାହିଁକି ?

 

ଡକ୍ଟର ରାଧାକୃଷ୍ଣନ୍‌ ହେଉଛନ୍ତି ଆଶାବାଦୀ । ନ୍ୟାୟ, ସାମ୍ୟ ଓ ସ୍ଵାତନ୍ତ୍ର୍ୟ ଏହି ତିନୋଟି ସ୍ତମ୍ଭ ଉପରେ ଯେ କୌଣସି ଅନ୍ତଃରାଷ୍ଟ୍ରୀୟ ବ୍ୟବସ୍ଥା କିମ୍ବା ବିଶ୍ଵ ସରକାର ଗଠନ କରାଯାଇ ପାରିବ ବୋଲି ତାଙ୍କର ଦୃଢ଼ ବିଶ୍ଵାସ । ହିଂସା ନୁହେଁ, ସ୍ଵେଚ୍ଛାପୂର୍ଣ୍ଣ ସହଯୋଗ ଏଥିପାଇଁ ଏକମାତ୍ର ଶ୍ରେୟ । ପ୍ରକୃତ ଧର୍ମ କହେ ଯେ ପ୍ରତ୍ୟେକ ମଣିଷ ଘଟରେ ପରମେଶ୍ଵର ବିଦ୍ୟମାନ । ଜାତି, ଗୋଷ୍ଠୀର ବାରଣ ତାଙ୍କ ନିକଟରେ ନାହିଁ । ଏହି ଜ୍ଞାନ ଆସିଲେ ସବୁ ଜୀବନର ଐକ୍ୟ ସନ୍ଧାନ କରାଯାଇ ପାରିବ, ମନରୁ କାଳିମା ଦୂରୀଭୂତ ହେବ, ସୌନ୍ଦର୍ଯ୍ୟାନୁଭୂତି ଜାଗରୁକ ହେବ, ସଂକୀର୍ଣ୍ଣତା ଦୂରେଇ ଯିବ, ହୃଦୟ ଉଦାର ଓ ଆତ୍ମା ସ୍ଵାଧୀନ ହେବ । ତେଣୁ ତାଙ୍କର ରାଜନୀତିକ ଦର୍ଶନକୁ ଜ୍ଞାନବାନ ମାନବତାବାଦ କୁହାଯାଇଥାଏ ।

 

ବିଶ୍ଵରେ ଯେଉଁ କେତେଜଣ ମହାମନା ବ୍ୟକ୍ତି ପୂର୍ବ-ପଶ୍ଚିମ ମଧ୍ୟରେ ଏକ ସୁବର୍ଣ୍ଣସେତୁ ନିର୍ମାଣ କରିବା ପାଇଁ ସଚେଷ୍ଟ, ସେମାନଙ୍କ ମଧ୍ୟରେ ଡକ୍ଟର ରାଧାକୃଷ୍ଣନ୍‌ ଅଗ୍ରଗଣ୍ୟ । ସେ ବିଶ୍ଵତତ୍ତ୍ଵଜ୍ଞାନରେ ଏକ ନୂତନ ଦିଗନ୍ତର ସନ୍ଧାନ ଦେଇ ଅଛନ୍ତି ଓ ତତ୍ତ୍ଵଜ୍ଞାନୀଙ୍କ ପାଇଁ ଉନ୍ମୁକ୍ତ କରିପାରିଛନ୍ତି ଏକ ନୂତନ ମାର୍ଗ । ତାଙ୍କ ମତରେ ପାଶ୍ଚାତ୍ୟଲୋକେ ତତ୍ତ୍ଵଜ୍ଞାନକ୍ଷେତ୍ରରେ ଏକଛତ୍ରବାଦୀତା ହାସଲ କରିନାହାନ୍ତି । ପ୍ରାଚ୍ୟବାସୀଙ୍କର ମଧ୍ୟ ଏ କ୍ଷେତ୍ରରେ ଗଭୀର ଅନୁପ୍ରବେଶ ରହିଛି; କିଛି ଏହି ଦୁଇ ଜଗତର ତତ୍ତ୍ଵଜ୍ଞାନର ସମନ୍ଵୟ ସାଧିତ ହୋଇପାରି ନାହିଁ । ଏହି ସମନ୍ଵୟର ଆବଶ୍ୟକତା ସେ ମର୍ମେ ମର୍ମେ ଅନୁଭବ କରିଅଛନ୍ତି । କାରଣ ସେ ହେଉଛନ୍ତି ସମନ୍ଵିତ ସଂସ୍କୃତିର ପ୍ରକାଶକ । ତାଙ୍କ ମତରେ ପ୍ରତ୍ୟେକ ଆତ୍ମାରେ ବିଶ୍ଵଚେତନା ଆଣିଦେବା ଓ ବିଶ୍ଵଆତ୍ମାର ଅଭିବ୍ୟକ୍ତରୁ ଉଚ୍ଚ ଆଦର୍ଶ ଆହରଣ କରିବା ପାଇଁ ସଂସ୍ଥାମାନ ସ୍ଥାପିତ ହେବା ଉଚିତ । ବିଶ୍ଵନାଗରିକ ହେବ ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ରହିବା ଉଚିତ । ଯଦି ଦରକାର ପଡ଼େ, ହିନ୍ଦୁ ଓ ବୌଦ୍ଧଧର୍ମ ଏଥିରେ ସହାୟକ ହେବେ ।

 

ଡକ୍ଟର ରାଧାକୃଷ୍ଣନ୍‌ଙ୍କର ତତ୍ତ୍ଵଜ୍ଞାନର ପ୍ରଭାବ ସାଂସ୍କୃତିକ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ପରିଦୃଷ୍ଟ ହୋଇଥାଏ । ଯେହେତୁ ସେ ଉଭୟେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାମାଜିକ ତତ୍ତ୍ଵଜ୍ଞାନରେ ପଣ୍ଡିତ । ତେଣୁ ଉଭୟର ସମନ୍ଵୟ ତାଙ୍କ ପକ୍ଷରେ ସହଜେ ସମ୍ଭବପର । ତାଙ୍କର ଯୁବାବସ୍ଥାରେ ଦେଶରେ ରାଷ୍ଟ୍ରବାଦ ପ୍ରଚଣ୍ଡଭାବେ ପ୍ରଭାବ ବିସ୍ତାର କରିଥିଲା । ଭାରତ ସ୍ଵୀକାର କରିଥିଲା ସାଂସ୍କୃତିକ ପରାଧୀନତା, ରାଜନୀତିକ ଓ ସାଂସ୍କୃତିକ ଦୃଷ୍ଟିରୁ ଭାରତ ହୋଇଥିଲା ପୂର୍ବଓ ପଶ୍ଚିମର ଋଣକ୍ଷେତ୍ର । ବ୍ରାହ୍ମ ଓ ଆର୍ଯ୍ୟସମାଜ ପ୍ରଭୃତି କେତେକ ଧର୍ମପ୍ରଚାରମୂଳକ ଅନୁଷ୍ଠାନ ହିନ୍ଦୁ ଧର୍ମରେ ଜାତିବିଭାଗ ଓ ମୂର୍ତ୍ତିପୂଜାକୁ ଖଣ୍ଡନ କଲେ । ଥିଓସଫିଷ୍ଟମାନେ ମତ ପ୍ରକାଶକଲେ ଯେ ଉପନିଷଦ ଓ ବୌଦ୍ଧଦର୍ଶନରେ ନିହିତ ଥିବା ତତ୍ତ୍ଵଜ୍ଞାନ ଅତ୍ୟଧିକ ଗମ୍ଭୀର ଓ ଆଧ୍ୟାତ୍ମିକତାପୂର୍ଣ୍ଣ । ଇସାଇ ଆଲୋଚକମାନେ କହିଲେ ଯେ ଭାରତୀୟ ଧର୍ମ ଯେତିକି ବୋଧଗମ୍ୟ, ତାହାଠାରୁ ଅଧିକ ତତ୍ତ୍ଵଜ୍ଞାନପୂର୍ଣ୍ଣ ଓ ଆଧ୍ୟାତ୍ମିକ; କିନ୍ତୁ ଏହିସବୁ ମତବାଦର ସରଳ ତଥା ଲୋକପ୍ରିୟ ସମୀକ୍ଷା କରିବାକୁ, ଦୃଢ଼ପ୍ରତିଜ୍ଞ ହେଲେ ଡକ୍ଟର ରାଧାକୃଷ୍ଣନ୍‌ । ଦୃଢ଼ଭାବରେ ସେ ଘୋଷଣା କଲେ ଯେ ମାନବ ସମାଜର ଇତିହାସରେ ଅନ୍ତଶ୍ଚେତନା ଜାଗରୁକ ହୋଇ ଉଠିଲାଣି । ଆମେ ଏହାକୁ ସ୍ଵୀକାର କରି ନ ପାରୁ; କିନ୍ତୁ ପୂର୍ବ ଓ ପଶ୍ଚିମ ଯେ ନିକଟତର ହେଉଛନ୍ତି, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଇତିହାସ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ମହାପୁରୁଷ ବିବେକାନନ୍ଦଙ୍କ ପରେ ସଂସ୍କୃତି ଓ ଧର୍ମ ଦୃଷ୍ଟିରୁ ପୂର୍ବ ଓ ପଶ୍ଚିମର ସମ୍ପର୍କ କ୍ରମେ ଦୁର୍ବଳ ହୋଇ ପଡ଼ିଥିଲା । ନୂତନ ତଥା ସମୃଦ୍ଧ ଅନ୍ତଃଦୃଷ୍ଟି ବଳରେ ଡକ୍ଟର ରାଧାକୃଷ୍ଣନ୍‌ ତାହା ଅନୁଭବ କଲେ । ଦିବ୍ୟଦୃଷ୍ଟି ନେଇ ସେ ଦେଖିପାରିଲେ ଏକ ନବୀନ ମାନବବାଦ, ଯାହାର ପ୍ରତିଷ୍ଠା ପାଇଁ ସେ ଆଜୀବନ ପ୍ରଚେଷ୍ଟା କରି ଆସିଅଛନ୍ତି । ବିଶ୍ଵକବି ରବୀନ୍ଦ୍ର ନାଥ ନିଜର ବଳବତୀ ଲେଖନୀ ବଳରେ ଯେଉଁ କାର୍ଯ୍ୟର ଶୁଭ ଦେଇଥିଲେ, ଗାନ୍ଧିଜୀ ସତ୍ୟ ଓ ଅହିଂସାବଳରେ ତା’ର ପ୍ରଚାର ଓ ପ୍ରସାର କରାଇଗଲେ; କିନ୍ତୁ ତତ୍ତ୍ଵଜ୍ଞାନକ୍ଷେତ୍ରରେ ତାକୁ ପ୍ରତିଷ୍ଠିତ କଲେ ଡକ୍ଟର ରାଧାକୃଷ୍ଣନ୍‌ । ବୈଦିକବାଣୀ—‘‘ଯନ୍ତ୍ର ବିଶ୍ଵଂ ଭବତ୍ୟେକ ନୀଡମ୍‌’’ କୁ ନିଜର ଆଦର୍ଶରୂପେ ସେ ଗ୍ରହଣ କରି ନେଇଥିଲେ । ପ୍ରାଚୀନ ଭାରତୀୟ ଭାବନା—

 

‘‘ଅୟଂ ନିଜଃ ପରୋବେତି ଗଣନା ଲଘୁଚେତସାମ୍‌

ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍‌ ।’’

 

ତାଙ୍କୁ ସର୍ବଦା କରିଥିଲା ଉଦ୍‍ବୁଦ୍ଧ । ତେଣୁ ମାନବତାବାଦ ତାଙ୍କ ତତ୍ତ୍ଵଜ୍ଞାନର ମର୍ମ ଏବଂ କେନ୍ଦ୍ରବିନ୍ଦୁ-। ସେ କହନ୍ତି ଯେ ଅନ୍ଧବିଶ୍ଵାସ ଦ୍ଵାରା ମାନବ ଓ ପରମେଶ୍ଵରଙ୍କ ମଧ୍ୟରେ ଥିବା ସମ୍ପର୍କ କ୍ରମେ ଛିନ୍ନ ହୋଇ ଯାଉଛି । ତେଣୁ ଆଧ୍ୟାତ୍ମିକ ଜୀବନକୁ ସରଳତା କିମ୍ବା କୌଣସି ସିଦ୍ଧାନ୍ତ ଦ୍ଵାରା ବିକୃତି କରାଯିବା ଉଚିତ ନୁହେଁ । ଧର୍ମ ବାହ୍ୟରୂପର ଚର୍ଚ୍ଚା କରିଥାଏ; କିନ୍ତୁ ଆଧ୍ୟାତ୍ମିକ ଜୀବନ ଜ୍ଞାନପ୍ରାପ୍ତି ପାଇଁ ନିର୍ଦ୍ଦେଶ ଦେଇଥାଏ । ଏହି ଜୀବନ ମନୁଷ୍ୟକୁ କରେ ଉଚ୍ଚ ନିରାମୟ । ଯଦି ମଣିଷକୁ ଦାର୍ଶନିକ ବିଚାରର କେନ୍ଦ୍ରରୂପେ ଗ୍ରହଣ କରାଯାଏ, ତାହାହେଲେ ତା’ର ଦୋଷତ୍ରୁଟିକୁ ଗୋପନ ରଖିବା ଉଚିତ ନୁହେଁ । କେବଳ ଭୌତିକ, ପ୍ରାଣୀଶାସ୍ତ୍ରୀୟ କିମ୍ବା ମନୋବୈଜ୍ଞାନିକ ଦୃଷ୍ଟି କୋଣରୁ ମଣିଷକୁ ବିଚାର କରାଯିବା ଉଚିତ ନୁହେଁ । ତା’ର ଆଧ୍ୟାତ୍ମିକ ଗଭୀରତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ବିଧେୟ । ଆଧ୍ୟାତ୍ମିକ ଦୃଷ୍ଟି ଯଦି ବିକାଶଲାଭ ନ କରେ, ମଣିଷର କର୍ମପ୍ରବଣତାରେ ତ୍ରୁଟି ପରିଲକ୍ଷିତ ହେବା ଅବଶ୍ୟମ୍ଭାବୀ । ତେଣୁ ଏଥିପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ଅନ୍ତର୍ଦୃଷ୍ଟି, ବୌଦ୍ଧିକ ତତ୍ତ୍ଵଜ୍ଞାନ ଓ ନିର୍ଦ୍ଦୋଷ ସାମାଜିକ ସଂସ୍ଥା ।

 

ଡକ୍ଟର ରାଧାକୃଷ୍ଣନ୍‌ଙ୍କର ତତ୍ତ୍ଵଜ୍ଞାନରେ ଭାରତୀୟ ବିଚାରଧାରା ପ୍ରତି ସ୍ଵକୀୟ ଶ୍ରଦ୍ଧା ସ୍ପଷ୍ଟ ହୋଇଉଠିଛି । ଏଥିପାଇଁ ସେ ତାଙ୍କ ଦର୍ଶନଶାସ୍ତ୍ରରେ ପାଶ୍ଚାତ୍ୟ ବିଚାରଧାରାର ମଧ୍ୟ ସମାବେଶ କରାଇଅଛନ୍ତି । ହିନ୍ଦୁଧର୍ମ ମହାସାଗର ସହିତ ତୁଳନୀୟ । ସେ ଏହା ସତ୍ତ୍ୱେ ଏହି ଧର୍ମରେ ଯେପରି ବ୍ୟୁତ୍ପତ୍ତି ଲାଭ କରିଅଛନ୍ତି, ତାଙ୍କ ପ୍ରଣୀତ ଦର୍ଶନଶାସ୍ତ୍ର ଓ ବହୁ ଗ୍ରନ୍ଥ ତା’ର ସ୍ଥୂଳପରିଚୟ ଦେଇଥାଏ-। ତାଙ୍କ ମତରେ ‘‘ଧର୍ମର ମୁଖ୍ୟଲକ୍ଷ୍ୟ ହେଉଛି ଆତ୍ମନିରୀକ୍ଷଣ । ଯଦି ଏହା ସମାଜଦ୍ଵାରା ପରିପାଳିତ ନୁହେଁ, ତାହାହେଲେ ବିଶ୍ଵସଭ୍ୟତା ଓ ମାନବିକତାର ବିକାଶ ପାଇଁ ଆଦୌ ନିରାପଦ ନୁହେଁ । ଅଜ୍ଞତା ରୂପକ ଅନ୍ଧକାର ଗର୍ଭରେ ଧାରଣ କରୁଥିବାରୁ ହିନ୍ଦୁ ସଭ୍ୟତା କ୍ରମେ ବିନାଶମୁଖୀ ହେବାକୁ ଯାଉଛି । ଧର୍ମପ୍ରାଣ ବ୍ୟକ୍ତିକୁ କେବଳ ସ୍ଵର୍ଗରେ ସୁଖ ମିଳେନାହିଁ, ମର୍ତ୍ତ୍ୟରେ ମଧ୍ୟ ତାହାର ପ୍ରାପ୍ତି ସମ୍ଭବପର । ଏହି ସୁଖପ୍ରାପ୍ତି ପାଇଁ ଅନ୍ୟାୟ-ଅନାଚାର ବିରୁଦ୍ଧରେ ଆମକୁ ଲଢ଼େଇ କରିବାକୁ ପଡ଼ିବ । ଅସତ୍ୟ ଉପରେ ପ୍ରତିଷ୍ଠିତ କୌଣସି ସଭ୍ୟତା ସବୁଦିନ ପାଇଁ ତିଷ୍ଠି ରହିପାରିବ ନାହିଁ । ଯଦି ସମାଜସଂସ୍କାର, ଆନ୍ତର୍ଜାତିକ ନ୍ୟାୟଧର୍ମର ଅବିଚ୍ଛେଦ୍ୟ ଅଙ୍ଗ ନ ହେଲା, ତାହାହେଲେ ଆଧୁନିକ ମଣିଷ ପ୍ରାଣକୁ ତାହା ସ୍ପର୍ଶ କରିବାକୁ ଅକ୍ଷମ । ଧର୍ମ ବ୍ୟକ୍ତିର କେବଳ ଆଧ୍ୟାତ୍ମିକ ଚିତ୍ତବୃତ୍ତି ନୁହେଁ । ଏହାକୁ ନୈସର୍ଗିକ ନିୟମର ପରିପାଳନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଯେ ଭଗବତ୍‌ ବିଶ୍ଵାସୀ, ସେ ସେବା ଓ ଆତ୍ମୋତ୍ସର୍ଗ ବଳରେ ଅନ୍ୟ ଲୋକକୁ ଶ୍ରଦ୍ଧା କରେ ଓ ତା’ର ମଙ୍ଗଳ ବିଧାନ କରେ । ସେ ସଭ୍ୟତା ଓ ଜାତୀୟତାଠାରୁ ନ୍ୟାୟ ଓ ସତ୍ୟକୁ ଉଚ୍ଚ ଆସନ ଦେଇଥାଏ । ସେଥିଯୋଗୁଁ ଗାନ୍ଧିଜୀ କହିଥିଲେ—‘‘ମୁଁ ଭାରତକୁ ସ୍ଵାଧୀନ କରିବାଠାରୁ ସତ୍ୟାନୁସାରୀ କରିବାରେ ଅଧିକ ଗୁରୁତ୍ଵ ଦେଇଥାଏ ।’’ ମାନବିକ ସଂହତି ସହଜସାଧ୍ୟ ନୁହେଁ, ଏଥିପାଇଁ ଦରକାର ଦୃଢ଼ ଧର୍ମପ୍ରାଣ ବ୍ୟକ୍ତି, ଯେଉଁମାନଙ୍କର ଦେଶପ୍ରେମ ସାଧାରଣତଃ ଇତିହାସ କିମ୍ବା ଭୂଗୋଳର ସୀମା ଲଙ୍ଘନ କରିଥାଏ ଓ ଯେଉଁମାନେ ସର୍ବଦା ନ୍ୟାୟ ଓ ସତ୍ୟ ଉପରେ ଆସ୍ଥାବାନ୍‌, ସମଗ୍ର ବିଶ୍ଵ ପାଇଁ ଗୋଟିଏ ଭଗବାନ ସେମାନଙ୍କର ଆରାଧ୍ୟ ।

 

ଆଧୁନିକ ଯୁଗରେ ରାଜନୈତିକ ଦୃଷ୍ଟିକୋଣ ସାଧାରଣତଃ ଦ୍ଵିବିଧ —ଗଣତନ୍ତ୍ର ଓ ସାମ୍ୟବାଦ; କିନ୍ତୁ ମଣିଷର ପ୍ରକୃତି ସମାଜରେ ସାର୍ବଭୌମ । ଡକ୍ଟର ରାଧାକୃଷ୍ଣନ୍‌ ସ୍ଵୀକାର କରନ୍ତି ଯେ ଐତିହାସିକ ଧର୍ମ ଓ ପରମ୍ପରାଗତ ବିଶ୍ଵାସଠାରୁ ବ୍ୟକ୍ତିର ପ୍ରକୃତି ସ୍ଵତନ୍ତ୍ର । ଧର୍ମ କହେ, ପରମାତ୍ମା ମଣିଷର ହୃଦୟରେ ଅଛନ୍ତି । ତାଙ୍କରି ବଳରେ ମଣିଷ ଶୁଭାଶୁଭ ବିବେଚନା କରିବା ଶକ୍ତିର ଅଧିକାରୀ । ଲୋକତନ୍ତ୍ର ମଣିଷ ପ୍ରତି ବିଶ୍ଵାସ କରିବାର ଏକ ଅଭିବ୍ୟକ୍ତି । ନିଜକୁ ସ୍ଵୟଂସମ୍ପୂର୍ଣ୍ଣ କରି ଗଢ଼ିବାର ମଣିଷର ଯେଉଁ ଅଧିକାର ଅଛି, ତାହା କେବଳ ଲୋକତନ୍ତ୍ରରୁ ହିଁ ମିଳିଥାଏ । ସମାଜରେ ଆତ୍ମ-ଅଭିବ୍ୟକ୍ତି ସମ୍ଭବ ହୁଏ, କେବଳ ଏହି ଲୋକତନ୍ତ୍ର ଜରିଆରେ । ଗାନ୍ଧିଜୀଙ୍କ ମତରେ ମଣିଷ ମୁଖ୍ୟତଃ ଆଧ୍ୟାତ୍ମିକ । ଡକ୍ଟର ରାଧାକୃଷ୍ଣନ୍‌ ବାପୁଜୀଙ୍କ ପରି ସ୍ଵୀକାର କରନ୍ତି ଯେ ଗୀତା ଅହିଂସାଧର୍ମ ପ୍ରଚାର କରିଥାଏ । ମହାଭାରତର ଭୀଷ୍ମପର୍ବର ଏହା ଏକ ଅଂଶ ହେଲେ ମଧ୍ୟ, ସମଗ୍ର ବିଶ୍ଵରେ ସବୁଠାରୁ ବେଶି ଦାର୍ଶନିକ ଗୀତାମାଧୁରୀ ଏଥିରେ ନିହିତ ଅଛି । ଏହାର ଛତ୍ରେ ଛତ୍ରେ ତତ୍ତ୍ଵଜ୍ଞାନ ପରିପୂର୍ଣ୍ଣ । ତେଣୁ ଭାରତୀୟ ଚିନ୍ତାଧାରାରେ ଏହାର ଭୂମିକା ସବୁଠାରୁ ବେଶି ପ୍ରଭାବଶାଳୀ । ଦ୍ଵିତୀୟ ଅଧ୍ୟାୟର ପରଠାରୁ ଏଥିରେ ଦାର୍ଶନିକ ତତ୍ତ୍ଵର ବିନ୍ୟାସ କରାଯାଇଛି । ଜୀବନ ଏଥିରେ ହୋଇଛି କୁରୁକ୍ଷେତ୍ର । ଆତ୍ମାର ବିକାଶରେ ବାଧା ଦେଇଛନ୍ତି କୌରବମାନେ । ସୀମା ମଧ୍ୟରେ ଅସୀମତାର ପ୍ରତିନିଧି ରୂପେ ଉଭା ହୋଇଛନ୍ତି ନିଜେ ଶ୍ରୀକୃଷ୍ଣ । ଏହି ତୁଳନାତ୍ମକ ବାଖ୍ୟାଦ୍ଵାରା ସେ ଗୀତାରେ ନିହିତ ଥିବା ଦାର୍ଶନିକ ତତ୍ତ୍ଵର ସନ୍ଧାନ ପାଇଅଛନ୍ତି ।

 

ରାଧାକୃଷ୍ଣନ୍‌ଙ୍କ ମତରେ ଦୁଃଖପୂର୍ଣ୍ଣ ଘୃଣାର ବିଲୋପ ସାଧନ ପାଇଁ ଦରକାର ଆଧ୍ୟାତ୍ମିକ ପୁନର୍ଜୀବନ । ତାଙ୍କ କଳ୍ପିତ ବିଶ୍ୱ ଚାହେଁ ଗମ୍ଭୀର ଆଧ୍ୟାତ୍ମିକ ପ୍ରେରଣା, ଅହିଂସା ଓ ପ୍ରସାରିତ ଦୃଷ୍ଟିକୋଣ । ତାଙ୍କ ମତରେ ଗୀତାର ଆଦର୍ଶ ନିଷ୍କ୍ରିୟ ନୁହେଁ, ବରଂ ତାହା ମଣିଷକୁ ନିଷ୍କାମ କର୍ମ କରିବାରେ ଦେଇଥାଏ ଅସରନ୍ତି ପ୍ରେରଣା । ଗୀତା ହିନ୍ଦୁଧର୍ମର କୌଣସି ଏକ ସଂପ୍ରଦାୟର ପ୍ରତିନିଧିତ୍ଵ କରି ନ ଥାଏ । କାରଣ ଏହା ହେଉଛି ସମଗ୍ର ହିନ୍ଦୁ ଧର୍ମର ପ୍ରତୀକ । ଏଥିରେ ବର୍ଣ୍ଣିତ ଧର୍ମ ଏକ ଦେଶୀୟ କିମ୍ବା ଏକକାଳୀନ ନୁହେଁ; ବରଂ ତାହା ସର୍ବକାଳୀନ ଓ ସାର୍ବଭୌମ । ଏଥିରେ ଆତ୍ମାର ମୂଲ୍ୟାୟନ କରାଯାଇଛି । ନୈତିକ ପ୍ରଜ୍ଞା ମନ ଓ ଆତ୍ମା ମଧ୍ୟରେ ଐକ୍ୟ ପ୍ରତିଷ୍ଠା କରେ ଓ ବିଶ୍ଵ ସଂହତିରେ ହୁଏ ସହାୟକ । ତାଙ୍କର ସାର୍ବଭୌମ ତଥା ବିଶ୍ଵଦୃଷ୍ଟି କୋଣ ଗୀତାଧର୍ମ ଉପରେ ମୁଖ୍ୟତଃ ଆଧାରିତ । ବର୍ତ୍ତମାନ କାଳରେ ଅତୀତକୁ ବଞ୍ଚେଇ ରଖିବାକୁ ସେ ପସନ୍ଦ କରନ୍ତି ନାହିଁ, କାରଣ ସେ ହେଉଛନ୍ତି ପ୍ରଗତିବାଦୀ । ଭାରତର ପୁନଃଜାଗରଣ ପାଇଁ ଯେତିକି ତାଙ୍କର ତତ୍ତ୍ଵଜ୍ଞାନ ଅଭିପ୍ରେତ ନୁହେଁ; ତାହାଠାରୁ ବେଶି ଅଭିପ୍ରେତ ପ୍ରାଚ୍ୟ ଓ ପାଶ୍ଚାତ୍ୟ ତତ୍ତ୍ଵର ସଂଶ୍ଳେଷଣ କରିବା ପାଇଁ କେବଳ ରାଧାକୃଷ୍ଣଙ୍କ ଜରିଆରେ ପାଶ୍ଚାତ୍ୟବାସୀ ଆଜି ଭାରତୀୟ ବିଚାର ପ୍ରବାହ ହୃଦୟଙ୍ଗମ କରି ପାରିଛନ୍ତି ।

ବିଶ୍ଵ ଆଜି ଏକ ମହାନ୍‌ ସଙ୍କଟର ସମ୍ମୁଖୀନ । ଏହି ସଙ୍କଟରୁ ମାନବସମାଜକୁ ରକ୍ଷାକରିବା ପାଇଁ ସେ ଏକ ସାର୍ବଭୌମ ଧର୍ମର ବିଷୟ ଚିନ୍ତା କରିଅଛନ୍ତି । ତାହା ସନାତନ ଧର୍ମ; କିନ୍ତୁ ଅନ୍ୟ କିଛି ନୁହେଁ । ତାଙ୍କ ଦୃଷ୍ଟିକୋଣ ଓ ବିଚାରଧାରାରେ ଯେଉଁ ଉଦାରତା ଓ ଉଦାତ୍ତତା ପରିଦୃଷ୍ଟ ହୁଏ, ତାହା ବିଶ୍ଵର ଖୁବ କମ ଦାର୍ଶନିକଙ୍କ ଠାରେ ପରିଦୃଷ୍ଟ ହୋଇଥାଏ । ତାଙ୍କର ଦର୍ଶନ ତତ୍ତ୍ଵ ପାରମ୍ପରିକ ନୁହେଁ । ତାହା ସର୍ବଦା ବର୍ତ୍ତମାନର ବିଚାର ଦ୍ଵାରା ପ୍ରଭାବିତ । ପ୍ରେମକୁ ସେ ବିଶ୍ଵସଂହତିର ମୂଳମନ୍ତ୍ର ବୋଲି ସ୍ଵୀକାର କରିଥାନ୍ତି । ଆତ୍ମିକ ଏକତା ବିନା ଏହା ଆଦୌ ସମ୍ଭବପର ନୁହେଁ । ଅତଏବ ଏଥିପାଇଁ ଲୋଡ଼ା ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି । ସେ କହନ୍ତି ଯେ ପ୍ରତ୍ୟେକ ଧର୍ମ ପ୍ରକୃତି ଦୃଷ୍ଟିରୁ ସାର୍ବଭୌମ, ତେଣୁ ସୈଦ୍ଧାନ୍ତିକ ବିବାଦ ଉପୁଜିବା ଉଚିତ ନୁହେଁ । ତାଙ୍କର ଦୃଢ଼ ବିଶ୍ଵାସ ଯେ ହିନ୍ଦୁଧର୍ମ ହେଉଛି ଆଧ୍ୟାତ୍ମିକତାର ଅସରନ୍ତି ଭଣ୍ଡାର । ସମ୍ପୂର୍ଣ୍ଣ ହିନ୍ଦୁ ଧର୍ମର ବର୍ଣ୍ଣନା ଏଥିରେ ଦେଖିବାକୁ ମିଳେ । ପୁନଶ୍ଚ ଅନ୍ୟର ଦୃଷ୍ଟିକୋଣକୁ ସ୍ଵୀକାର କରିବା ହିନ୍ଦୁଧର୍ମର ଏକ ପ୍ରଧାନ ବିଶେଷତ୍ଵ । ଯାହା ଶୁଭ ଓ ସୃଜନାତ୍ମକ, ରାଧାକୃଷ୍ଣନ୍‌ଙ୍କ ହୃଦୟ ତାହା ପ୍ରତି ସର୍ବଦା ସହାନୁଭୂତିଶୀଳ-। ସେ ଗୁଡ଼ିକ ଗ୍ରହଣ କରିନେବା ପାଇଁ ସେ ସର୍ବଦା ଆଗ୍ରହୀ ।

ତାଙ୍କ ମତରେ ପାଶ୍ଚାତ୍ୟ ବିଚାର ଧାରାରେ ଆଧ୍ୟାତ୍ମିକତାଠାରୁ ବୌଦ୍ଧିକତା ଅଧିକ ପରିମାଣରେ ପରିଦୃଷ୍ଟ ହୋଇଥାଏ । ପ୍ରାଚ୍ୟ ଚିନ୍ତାଧାରାରେ ଆତ୍ମା ଓ ପରମାତ୍ମା ସ୍ଵୀକୃତ; କିନ୍ତୁ ପାଶ୍ଚାତ୍ୟ ଚିନ୍ତାଧାରାରେ ‘ସ୍ଵ’ ଉପରେ ଗୁରୁତ୍ଵ ଆରୋପ କରାଯାଇଥାଏ । ପୁନଶ୍ଚ ସେ କହନ୍ତି ଯେ ଜୀବନ ଆତ୍ମାର ପରିପ୍ରକାଶ ହେବା ଉଚିତ । ଯଦି ମଣିଷ ଜୀବନ ପାଇଁ ଦର୍ଶନ ବା ତତ୍ତ୍ଵଜ୍ଞାନକୁ ଉପଯୋଗୀ କରିବାକୁ ଦରକାର ପଡ଼େ, ତାହାହେଲେ ପ୍ରଥମେ ସେମାନଙ୍କୁ ଜୀବନର ମୌଳିକ ସମସ୍ୟା ବିଷୟରେ ଅବଧାରିତ ହେବାକୁ ପଡ଼ିବ । ମଣିଷ ସମାଜକୁ ସ୍ଥାୟୀ ଶାନ୍ତିର ମାର୍ଗ ପ୍ରଦର୍ଶନ କରାଯିବା ଉଚିତ । ତେଣୁ ମନିଷଜୀବନ କିପରି ଗଠିତ ହେବ ଓ ଜୀବନର ଲକ୍ଷ୍ୟ କ’ଣ ହେବ, ସେ ଦର୍ଶନଶାସ୍ତ୍ରରୁ ତାହା ଅଧ୍ୟୟନ କରିବା ଉଚିତ । ଏ ଦୃଷ୍ଟିରୁ ରାଧାକୃଷ୍ଣନ୍‌ଙ୍କର ସାମାଜିକ ଦର୍ଶନ ସ୍ଵତନ୍ତ୍ର, ଯାହା କି ଆଧ୍ୟାତ୍ମ୍ୟବାଦ, ସାର୍ବଭୌମବାଦ ଓ ମାନବତାବାଦ ହେଉଛି ମୁଖ୍ୟ ବିଶେଷତ୍ଵ । ବିଶ୍ଵବ୍ରହ୍ମାଣ୍ଡରେ ପରଂବ୍ରହ୍ମ ସଚ୍ଚିଦାନନ୍ଦ ସର୍ବବ୍ୟାପ୍ତ । ତେଣୁ ସେ ତାଙ୍କର ତତ୍ତ୍ଵଜ୍ଞାନକୁ ସାର୍ବଭୌମ, ସ୍ଵାର୍ଥଶୂନ୍ୟ ଓ ଧର୍ମାନ୍ଧତାରହିତ କରିବାକୁ ଚେଷ୍ଟା କରିଅଛନ୍ତି । ଅତଏବ ତାହା ମୁଖ୍ୟତଃ ମାନବବାଦୀ । ପୁନଶ୍ଚ ତାଙ୍କର ମାନବବାଦ ଆଧ୍ୟାତ୍ମିକତା ଉପରେ ଆଧାରିତ ଓ ଅନ୍ୟ ଦାର୍ଶନିକଙ୍କ ପରି ପ୍ରଚାରିତ ମାନବବାଦଠାରୁ ଭିନ୍ନ । ତେଣୁ ମାନବ ପୀଡ଼ିତ ହେଲେ ସେ ପୀଡ଼ା ଅନୁଭବ କରିବା ସ୍ଵାଭାବିକ ।

ଯୁଗଦୃଷ୍ଟିରୁ ବିଚାର କଲେ ଏହା ସ୍ପଷ୍ଟ ଯେ ଆଜି ମଣିଷ ମନ ରହିତ, ପରମ୍ପରାଶୂନ୍ୟ କୌଣସି ବସ୍ତୁକୁ ବିଶ୍ଵାସ କରୁନାହିଁ । ସଂଶୟବାଦ ଓ ଅନ୍ଧବିଶ୍ଵାସ ଆଜି ସମାଜକୁ କବଳିତ କରିଛି । ବିଚାରଧାରା ଆଜି ଉଦ୍ଦେଶ୍ୟାତ୍ମକ । ସମସାମୟିକ ଯାନ୍ତ୍ରିକ ସଭ୍ୟତା ଏକ ସାମାଜିକ ବ୍ୟାଧିରେ ପରିଣତ ହେଲାଣି । ଏହାର ନିଦାନ ଖୋଜି ବାହାର କରିବା ପାଇଁ ଦାର୍ଶନିକ ରାଧାକୃଷ୍ଣନ୍‌ ତାଙ୍କର ଜୀବନ ଉତ୍ସର୍ଗ କରିଅଛନ୍ତି । ତେଣୁ ସେ କହନ୍ତି, ପରିବାର ପବିତ୍ର ନ ହେଲେ ସମାଜ ନିରାମୟ ହେବା ଅସମ୍ଭବ । ସମାଜରେ ସ୍ତ୍ରୀ-ପୁରୁଷଙ୍କର ସମ୍ବନ୍ଧ ବିଷୟ ଉଲ୍ଲେଖ କରି ସେ କହନ୍ତି ଯେ ବିବାହ ଆତ୍ମା-ଅଭିବ୍ୟକ୍ତ ପାଇଁ ଅବସର ଦେଇଥାଏ । ଏଥିରେ କାମ-ଲୋଲୁପତା ଆଦୌ ସ୍ଵୀକୃତି ନୁହେଁ; କିନ୍ତୁ ଏହା ପଛରେ ଯେଉଁ କାମବାସନା ଥାଏ, ତାହା ମୈତ୍ରୀ, ଅନୁରାଗ ଓ ସ୍ନେହ ଇତ୍ୟାଦି ଦ୍ଵାରା ପ୍ରକଟିତ ହୋଇଥାଏ । ପିତୃତ୍ଵ ଜରିଆରେ ଆତ୍ମତ୍ୟାଗର ଅପୂର୍ବ ଅବସର ମିଳିଥାଏ ଓ ଜୀବନରେ ସ୍ଵତଃ ସୌନ୍ଦର୍ଯ୍ୟ ଓ ମଧୁରତା ସଞ୍ଚାରିତ ହୁଏ । ତାଙ୍କ ମତରେ ପରିବାର ସମସ୍ତଙ୍କ ପାଇଁ ଏକ ବିରାଟ ପ୍ରଶିକ୍ଷଣକେନ୍ଦ୍ର; କିନ୍ତୁ ଆଜି ଯାନ୍ତ୍ରିକ ସଭ୍ୟତା ଔଦ୍ୟୋଗୀକରଣ, ବୟକ୍ତିକବାଦ ପବିତ୍ର ପରିବାରକୁ ନଷ୍ଟଭ୍ରଷ୍ଟ କରି ପକାଉଛି ।

ଭୋଗ କରିବାର ବାସନା ମଣିଷକୁ ଆଜି କରୁଛି ଆଦର୍ଶଚ୍ୟୁତ । ତେଣୁ ଆଧ୍ୟାତ୍ମିକତା ଏପରିସ୍ଥଳେ ଏକାନ୍ତ ପ୍ରୟୋଜନ । କାରଣ ଭାବୀ ବିଶ୍ଵ ପାଇଁ ଭାବୀ ନାଗରିକ ଗଠନ ଦାୟିତ୍ଵ ପରିବାର । ଯଦି ପରିବାରର ଆଧ୍ୟାତ୍ମିକ ଦାରିଦ୍ର୍ୟର ସମ୍ମୁଖୀନ ହୁଏ, ତାହାହେଲେ ଏହି ଦାୟିତ୍ଵ ତୁଲାଇବ କିଏ ?

ଶିକ୍ଷା ବିଷୟରେ ଡକ୍ଟର ରାଧାକୃଷ୍ଣନ୍‌ ଅଭିମତ ପ୍ରକାଶ କରି କହନ୍ତି ଯେ ବୌଦ୍ଧିକ ପିପାସା ନ ମେଣ୍ଟାଇ ମନକୁ ଅଧିକ ଭାରାକ୍ରାନ୍ତ କରିବା ବୁଦ୍ଧିମତ୍ତାର ପରିଚାୟକ ନୁହେଁ । ଆତ୍ମଜ୍ଞାନ ଦେବା ଶିକ୍ଷାର ପ୍ରକୃତ ତଥା ପ୍ରକୃଷ୍ଟ ଉଦ୍ଦେଶ୍ୟ । ବାହ୍ୟ ଓ ଆଭ୍ୟନ୍ତରକୁ ଏକ ସୂତ୍ରରେ ଗୁନ୍ଥି ମାନବକୁ ପୂର୍ଣ୍ଣତାପ୍ରାପ୍ତ କରାଇବା ଶିକ୍ଷାର ଧର୍ମ ।

ସମାଜ ଦୃଢ଼ ନ ହେଲେ ରାଜ୍ୟ ମଧ୍ୟ ଦୃଢ଼ ହେବା ଅସମ୍ଭବ । ସମାଜର ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ରାଜ୍ୟର ନାଗରିକ । ପୁନଶ୍ଚ ବ୍ୟକ୍ତିର ବ୍ୟକ୍ତିତ୍ଵ ନିର୍ମାଣ ଶାସନ ଦାୟିତ୍ଵରେ ଥିବା ସରକାରଙ୍କ ଉପରେ ବହୁ ପରିମାଣରେ ନିର୍ଭର କରେ । ମୋଟ ଉପରେ ଡକ୍ଟର ରାଧାକୃଷ୍ଣନ୍‌ ସମାଜବାଦୀ ଲୋକତନ୍ତ୍ରର ପରମ ପୂଜକ । କାରଣ ଲୋକତନ୍ତ୍ରର ନୈତିକ ମୂଲ୍ୟବୋଧ ତାଙ୍କୁ ସବୁଠାରୁ ବେଶି ଆକୃଷ୍ଟ କରିଥାଏ; କିନ୍ତୁ ପୁଞ୍ଜିବାଦ ପ୍ରତି ସେ ସର୍ବଦା ପ୍ରତିକ୍ରିୟାଶୀଳ । ତାଙ୍କ ମତରେ ‘‘ଧନ ପାଇଁ ପ୍ରବଳ ଲାଳସା ଆଧୁନିକ ସଭ୍ୟତାର ଏକ କଳଙ୍କ ସ୍ୱରୂପ । ମଣିଷ ଦୁର୍ଭାଗ୍ୟବଶତଃ ଧନସର୍ବସ୍ଵ ହୋଇପଡ଼େ । ସେ ଭାବେ, ଧନ ବଳରେ ଅସାଧ୍ୟ ସାଧିତ ହୋଇପାରେ; କିନ୍ତୁ ଏହା ସତ୍ୟ ନୁହେଁ । ମାନସିକ ସୁଖ, ଆତ୍ମସନ୍ତୋଷ ଇତ୍ୟାଦିକୁ ଧନ ଦେଇ ମଣିଷ କିଣିପାରେ ନାହିଁ ।” ଏହାର ଅର୍ଥ ନୁହେଁ ଯେ ସେ ଦାରିଦ୍ର୍ୟର ପ୍ରଶଂସକ । ତାଙ୍କ ମତରେ–‘‘ଯଦି ଦାରିଦ୍ର୍ୟ ସ୍ଵେଚ୍ଛାରେ ଗ୍ରହଣ କରାଯାଏ, ତାହାହେଲେ ମଣିଷ ହୁଏ ଉଚ୍ଚ ନିରାମୟ-।’’

ଯଥାର୍ଥ ମାନବତାକୁ ପ୍ରକଟ କରି ସାମାଜିକ ଏକତା ରକ୍ଷାକରିବା ପାଇଁ ଧାର୍ମିକ ସସ୍ଥାମାନଙ୍କର ଭୂମିକା ମହତ୍‌ପୂର୍ଣ୍ଣ; କିନ୍ତୁ ବର୍ତ୍ତମାନ ଧର୍ମକୁ ଅସାମାଜିକ ଓ ଅବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରାଯାଉଛି । ତେଣୁ ସେ କହନ୍ତି ଯେ ସାର୍ବଭୌମତ୍ତ୍ଵର ସନ୍ଧାନ ହେଉଛି ଧର୍ମର ଚରମ ତଥା ପରମ ଲକ୍ଷ୍ୟ । ଜାଗ୍ରତ ସାମାଜିକ ଭାବନା କ୍ରମେ ଆଜି ଧାର୍ମିକ ସଂସ୍ଥାର ଏକ ବିଶେଷତ୍ଵରେ ପରିଣତ ହେବାକୁ ଯାଉଛି । ଧର୍ମ ବନ୍ଧୁତା, ସହ ଜୀବନର ବିକାଶ ସାଧନ କରିଥାଏ-। ସବୁ ଧର୍ମର ସ୍ତର ଏକ । ବାହ୍ୟଆଧାର ଉପରେ ଧର୍ମଗତ ଏକତା ପ୍ରତିଷ୍ଠିତ ହୋଇପାରେ ନାହିଁ । ଅନ୍ତରାତ୍ମାର ଅନୁଭୂତି, ନିଷ୍‌ପକ୍ଷ ମନୋଭାବ ଓ ଗଭୀର ଆଧ୍ୟାତ୍ମିକତା ଏଥିପାଇଁ ଲୋଡ଼ା ।

‘In all philosophical interpretation, the right method is to interpret thinkers at their best, in the light of what they say in the moment of their clearest insight. There is no reason why philosophical writers should not be judged as other creative artists are, at least in the main, on the basis of their finest inspirations.

—Radhakrishnan

Image

 

ବ୍ୟକ୍ତିଗତ ଜୀବନ

 

ଡକ୍‌ଟର ରାଧାକୃଷ୍ଣନ୍‌ ଜଣେ ଅସାଧାରଣ ପୁରୁଷ । ବିଶ୍ଵଇତିହାସରେ ଏପରି ବହୁରଶ୍ମିଯୁକ୍ତ ପ୍ରତିଭାବାନ୍‌ ବ୍ୟକ୍ତି ଖୁବ୍‌ କମ୍‌ ଜନ୍ମଗ୍ରହଣ କରିଛନ୍ତି । ମୌଳିକ ତଥା କ୍ରାନ୍ତିକାରୀ ଲେଖକ, ଅସାଧାରଣ ତତ୍ତ୍ଵଜ୍ଞ ଓ ଏକାଧାରରେ ପ୍ରଭାବଶାଳୀ ବାଗ୍ମୀ ହେବା ଖୁବ୍‌ କମ୍‌ ଲୋକଙ୍କ ଭାଗ୍ୟରେ ଘଟିଥାଏ । ପ୍ଲେଟୋ, ଆରିଷ୍ଟଟଲ, ବର୍ଗସନ୍‌ ଓ ବ୍ରାଡ୍‌ଲେ ଇତ୍ୟାଦି ଥିଲେ ଚିନ୍ତାଶୀଳ ଦାର୍ଶନିକ । ଆଧୁନିକ ଯୁଗର ଶ୍ରେଷ୍ଠ ଦାର୍ଶନିକ ବର୍ଟ୍ରାଣ୍ଡ ରସେଲ ଜଣେ ମୌଳିକ ବିଚାରକ ତଥା ସୁଲେଖକ; କିନ୍ତୁ ତାଙ୍କର ଚିନ୍ତନ ସେତେ ସୁଗମ ନୁହେଁ ଓ ରାଧାକୃଷ୍ଣନ୍‌ଙ୍କ ପରି ସେ ଓଜସ୍ଵିନୀ ବକ୍ତା ନୁହନ୍ତି । ଅତଏବ ଏହି ପ୍ରତିଭା ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତେ ଆଗ୍ରହୀ; କାରଣ ସେ ନିଜର ପରିଚୟ ଦେବାକୁ ଯାଇ ସବୁବେଳେ କହିଥାନ୍ତି—‘‘ମୁଁ ମୋ ପିତାଙ୍କର ଏକାଧିକ ସନ୍ତାନ ମଧ୍ୟରୁ ଅନ୍ୟତମ । ତେଣୁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପ୍ରକୃତ ଆୟାସସାଧ୍ୟ ।”

 

ପ୍ରତ୍ୟହ ସକାଳ ୫ ଟାରେ ସେ ଶଯ୍ୟାତ୍ୟାଗ କରନ୍ତି । କର୍ମକ୍ଷେତ୍ରରେ ସମୟାନୁବର୍ତ୍ତିତା ତାଙ୍କର ହେଉଛି ପ୍ରଧାନ ନିୟାମକ । ୬ ଟା ସୁଦ୍ଧା ସ୍ନାନ, ପୂଜା, ତର୍ପଣାଦି ଶେଷକରି ତାଙ୍କର ପ୍ରିୟ ପାନୀୟ କଫି ପାନ କରିଥାନ୍ତି । ତାପରେ ଇଂରାଜୀ, ତେଲୁଗୁ ଓ ତାମିଲ ଖବରକାଗଜ ଉପରେ ଆଖିବୁଲାଇବା ତାଙ୍କର ନିୟମିତ କାର୍ଯ୍ୟ । ଦିନ୯ ଟା ବେଳକୁ ସାମାନ୍ୟ କାଗଜିଲେମ୍ବୁ କିମ୍ବା କମଳାରସ ପିଇବାକୁ ସେ ଭଲପାଆନ୍ତି । ସେ ବିଶୁଦ୍ଧ ନିରାମିଷାଶୀ । ବାଲ୍ୟକାଳରେ ସେ ଯାହା ଖାଉଥିଲେ, ରାଷ୍ଟ୍ରପତି ଥିବାବେଳେ ମଧ୍ୟ ତାଙ୍କର ଥିଲା ଅବିକଳ ସେଇଆ ଖାଦ୍ୟ । ଅରୁଆଭାତ, ସମ୍ବର, ରସମୁ, ଠାଏ ଦୁଇଠା ତରକାରୀ, ପାମ୍ପଡ଼ ଓ ଦହି ତାଙ୍କ ଦୈନିକ ଖାଦ୍ୟର ଅନ୍ତର୍ଭୁକ୍ତ । ଦୁଇବେଳା ସେ ଭାତ ଖାଆନ୍ତି । ଏକାଧାରରେ ସେ ଅଳ୍ପାହାରୀ, ମିତଭାଷୀ ଓ ମିତାହାରୀ । ସଂଧ୍ୟା ସାତଟା ପୂର୍ବରୁ ସେ ରାତ୍ରିଭୋଜନ ଶେଷ କରିଥାନ୍ତି । ଧୋତୀ, ଲମ୍ବାକୋଟ ଓ ପଗଡ଼ି ପିନ୍ଧିବାକୁ ସେ ଭଲପାଆନ୍ତି । ତାଙ୍କର ଧୋତୀପିନ୍ଧା ପଦ୍ଧତିକୁ ତେଲୁଗୁରେ ‘ପଞ୍ଚ-କଚ୍ଛମ୍‌’ କହନ୍ତି । ସେହି ଧୋତୀରେ ପାଞ୍ଚଟି ଜାଗାରେ ଗଣ୍ଠି ପଡୁଥିବାରୁ, ସହଜରେ ଲୁଗା ଫିଟିଯିବାର ଭୟ ନ ଥାଏ । ବହୁଦିନ କଲିକତାରେ ରହିବାରୁ ଆଗଲୁଗା କୁଞ୍ଚ କରିବାରେ ମଧ୍ୟ ସେ ଅଭ୍ୟସ୍ତ । ବିଦେଶରେ ସେ ପ୍ୟାଣ୍ଟ ପିନ୍ଧୁଥିଲେ ମଧ୍ୟ କେବେହେଲେ ନିଜର ଶୁଭ୍ର ପଗଡ଼ିକୁ ପରିହାର କରି ନ ଥାନ୍ତି । ଧୋତୀ କିମ୍ବା ପ୍ୟାଣ୍ଟ ପିନ୍ଧିଲେ ଗୋଟିଏ ରଙ୍ଗକୁ ସେ ପସନ୍ଦ କରିଥାନ୍ତି ।

 

ସେ କେଉଁ ଜିନିଷକୁ ସବୁଠାରୁ ବେଶି ଭଲପାଆନ୍ତି, ତାହା ତାଙ୍କର ଅନ୍ତରଙ୍ଗ ବନ୍ଧୁମାନେ ମଧ୍ୟ ଜାଣିବା କଷ୍ଟକର । ସେ ଆବେଗଶୀଳ; କିନ୍ତୁ ଆବେଗକୁ ପ୍ରକାଶ ନ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି । ସେ ଅତ୍ୟନ୍ତ ଶିଶୁପ୍ରିୟ । ସୁବିଧା ପାଇଲେ ଶିଶୁମାନଙ୍କ ଗ୍ରହଣରେ ରହିବାକୁ ସେ ଭଲ ପାଆନ୍ତି । ତାଙ୍କର ପ୍ରଖର ସ୍ମରଣଶକ୍ତି ବହୁ ସ୍ଥଳରେ ଲୋକଙ୍କୁ ସ୍ତମ୍ଭୀଭୂତ କରିଦେଇଥାଏ-। ନିଜେ ଜବାହରଲାଲ ନେହେରୁ ମଧ୍ୟ ତାଙ୍କ ସ୍ମୃତିଶକ୍ତିର ଭୂୟସୀ ପ୍ରଶଂସା କରିବାକୁ ଭୁଲିନାହାନ୍ତି । ଉଦାହରଣ ସ୍ୱରୂପ ୧୯୩୭-୩୮ ମସିହାରେ ଲକ୍ଷ୍ନୌଠାରେ ଏସିଆ ଶିକ୍ଷା କଂଗ୍ରେସର ଏକ ଅଧିବେଶନ ବସିଥାଏ । ତାହାର ଉଦ୍‌ଘାଟନ କରୁଥାନ୍ତି ପଣ୍ଡିତ ନେହେରୁ ଓ ସେଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥାନ୍ତି ନିଜେ ଡକ୍ଟର ରାଧାକୃଷ୍ଣନ୍‌ । ସେ ସେଠାରେ ତାଙ୍କର ମୁଦ୍ରିତ ଦୀର୍ଘ ଭାଷଣ ନ ଦେଖି ପ୍ରାୟ ଅଧାଅଧି ନିଜ ମନରୁ କହିଥିଲେ, ଯାହା କି ଲିଖିତ ଭାଷଣରୁ ଆଦୌ ଭିନ୍ନ ନୁହେଁ । ନେହେରୁ ତାଙ୍କର ଏହି ଶକ୍ତିର ଭୂୟସୀ ପ୍ରଶଂସା କରିବାକୁ ଭୁଲି ନ ଥିଲେ ।

 

ଯଦିଓ ସେ ମିତଭାଷୀ, ସାଧାରଣତଃ ଗୋଟିଏ ବିଷୟରେ ତର୍କବିତର୍କ କରିବା ତାଙ୍କର ଏକ ସହଜାତ ପ୍ରକୃତି । ଅତ୍ୟଧିକ ପରିଚିତ ନ ହେଲେ କାହା ସହିତ ସେ ହୃଦୟଖୋଲି କଥାବାର୍ତ୍ତା କରି ନ ଥାନ୍ତି । ଥରେ ତାଙ୍କର ଲଣ୍ଡନରେ ଅବସ୍ଥାନକାଳରେ ଥରେ ପ୍ରସିଦ୍ଧ ଐତିହାସିକ ଏଚ୍‌. ଜି. ବେଲସ୍‌ ଏକ ଭୋଜିରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ । ସେହି ସଭାରେ ବର୍ଣ୍ଣାଡ଼ ଶ, ବର୍ଟ୍ରାଣ୍ଡ ରସେଲ୍‌ ଇତ୍ୟାଦି ପ୍ରସିଦ୍ଧ ବ୍ୟକ୍ତିମାନେ ଯୋଗ ଦେଇଥିଲେ, ଯେଉଁମାନେ କି ପରସ୍ପର ସହିତ ସୁପରିଚିତ । ସେହି ଭୋଜିସଭାରେ ସେମାନଙ୍କ ମଧ୍ୟରେ ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ତର୍କବିତର୍କ ଚାଲିଲା; କିନ୍ତୁ ରାଧାକୃଷ୍ଣନ୍‌ ମୌନ ହୋଇ ବସିଥାନ୍ତି ଓ ମନଦେଇ ସମସ୍ତଙ୍କ କଥା ଶୁଣୁଥାନ୍ତି । ତାଙ୍କର ମୌନତା ଦେଖି ସମସ୍ତେ ସେଦିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତା’ର କାରଣ ପଚରା ଯିବାରୁ ସେ କହିଲେ—‘‘ଯଦି ଆମ୍ଭେମାନେ ସମସ୍ତେ ଶ୍ରୋତା ହେବା, ତାହାହେଲେ ବକ୍ତା ଆସିବେ କେଉୁଁଠୁ ? ତାହା ଶୁଣି ସମସ୍ତେ ଅବଶ୍ୟ ହସିଥିଲେ, କିନ୍ତୁ ସେ ଯେ ମିତଭାଷୀ, ପରେ ସେମାନେ ଜାଣିପାରିଥିଲେ । ଅତି ଘନିଷ୍ଠତା ନ ଆସିଲେ, ସେ କାହା ସହିତ ହସଖୁସିରେ ଗପ କରି ନଥାନ୍ତି । ସେ ଗମ୍ଭୀର ସତ; କିନ୍ତୁ ତାଙ୍କର ଗାମ୍ଭୀର୍ଯ୍ୟ କାହା ସହିତ ମିଳାମିଶା କରିବାରେ ବାଧା ଦେଇ ନଥାଏ । ତାଙ୍କ ଗାମ୍ଭୀର୍ଯ୍ୟର ଅନ୍ତରାଳରେ ଥାଏ ଅପାର ସ୍ନେହ ଓ କରୁଣା । ଯେ କୌଣସି ସ୍ତରର ଲୋକ ତାଙ୍କ ପାଖକୁ ଯାଉ ନା କାହିଁକି, ସେ ତାକୁ କଥାବାର୍ତ୍ତା କରିବା ପାଇଁ ଉତ୍ସାହ ଦେଇଥାନ୍ତି । ତାଙ୍କର ବିନମ୍ର ବ୍ୟବହାରରେ ସାଧାରଣତଃ ସାକ୍ଷାତ୍‌କାରୀମାନେ ହୋଇଥାନ୍ତି ମୁଗ୍‌ଧ ।

 

ତାଙ୍କର ବେଦାନ୍ତରେ ଅସାଧାରଣ ପାଣ୍ଡିତ୍ୟ ଥିଲେ ମଧ୍ୟ ବିଷୟୋପଭୋଗକୁ ସେ ନିନ୍ଦାକରି ନ ଥାନ୍ତି । ବିଶ୍ୱକବି ରବୀନ୍ଦ୍ରନାଥ ଥରେ କହିଲେ, ‘‘ତାଜ୍‌ର ନିର୍ମାତା ତାଜମହଲଠାରୁ ଅଧିକ ମହାନ୍‌ ।’’ ଠିକ୍‌ ସେହି କଥା ଡକ୍ଟର ରାଧାକୃଷ୍ଣନ୍‍ଙ୍କ ପକ୍ଷରେ ପ୍ରଯୁଜ୍ୟ । ତାଙ୍କ ପ୍ରଣୀତ ପୁସ୍ତକ ତାଙ୍କୁ ଯେତିକି ମହାନ୍ ବୋଲି ପରିଚୟ ଦିଏ, ମଣିଷ ହିସାବରେ ସେ ତାହାଠାରୁ ଅଧିକ ମହାନ୍‌ । ସେ କଠିନ ପରିଶ୍ରମୀ । ତାଙ୍କ ମୁଁହରେ କେବେ ଅବସାଦର ଚିହ୍ନ ଦେଖାଯାଏ ନାହିଁ ।

 

ବମ୍ବେରେ ଥରେ କେତେ ଲୋକ ରାଧାକୃଷ୍ଣନ୍‌ଙ୍କର ବାଗ୍‌ପଟୁତା ତଥା ପାଣ୍ଡିତ୍ୟ ପରୀକ୍ଷା କରିବା ପାଇଁ ବିଚାର କଲେ । ତେଣୁ ଗୋଟିଏ ସଭାରେ ତାଙ୍କୁ ଭାଷଣଦେବାକୁ ଅନୁରୋଧ କରାଗଲା; କିନ୍ତୁ କେଉଁ ବିଷୟରେ ତାଙ୍କୁ ବକ୍ତୃତା ଦେବାକୁ ହେବ, ସେ ବିଷୟରେ ତାଙ୍କୁ କୁହାଗଲା ନାହିଁ । ସଭାରେ ବ୍ୟକ୍ତୃତା ଦେବାକୁ ଠିଆହେଲା ପୂର୍ବରୁ ତାଙ୍କୁ ବିଷୟବସ୍ତୁ ଜଣାଇ ଦିଆଗଲା । ଏହା ସତ୍ତ୍ୱେ ସେ ଯେଉଁ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଦେଇଥିଲେ, ତାହା ଉପସ୍ଥିତ ଜନତାକୁ କରିଥିଲା ସ୍ତବ୍‌ଧ । ଅଭିନନ୍ଦନସୂଚକ କରତାଳି ଧ୍ୱନିରେ ବାରମ୍ୱାର ସଭାମଣ୍ଡପ କମ୍ପି ଉଠିଥିଲା । ରାଧାକୃଷ୍ଣନ୍‌ଙ୍କର ଆତ୍ମବିଶ୍ୱାସ ଖୁବ୍‌ ଦୃଢ଼ । ସେଥିଯୋଗୁଁ ମହୀଶୁର ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସେ କହିଥିଲେ—‘‘ମୁଁ ଇଂଲଣ୍ଡ ନିଶ୍ଚୟ ଯିବି, ପଢ଼ିବାକୁ ନୁହେଁ, ପଢ଼ାଇବାକୁ ।’’ ତାଙ୍କର ଏହି ଉକ୍ତି ଦିନେ ସତ୍ୟ ହୋଇଥିଲା । ଅକ୍‌ସଫୋଡ଼ରେ ଯେତେବେଳେ ସେ ଧର୍ମଶାସ୍ତ୍ର ଉପରେ ଭାଷଣ ଦେଉଥିଲେ, ସେତେବେଳେ ତାଙ୍କର ଲଳିତ ଇଂରେଜୀ ଶୁଣିବା ପାଇଁ ଗ୍ୟାଲେରୀ ଭରପୂର ହୋଇ ଉଠୁଥିଲା । ସଭାରେ ଖୁବ୍‌ ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେବାକୁ ସେ ସଙ୍କୋଚବୋଧ କରୁ ନଥିଲେ ।

 

ଛାତ୍ରମାନଙ୍କ ସହିତ ଆଳାପ-ଆଲୋଚନା କରିବାରେ ସାଧାରଣତଃ ସେ ଆନନ୍ଦଲାଭ କରିଥାନ୍ତି । ଅଧ୍ୟାପକ ଥିଲାବେଳେ କାହିଁକି, ସବୁବେଳେ ଛାତ୍ରମାନଙ୍କ ପାଇଁ ତାଙ୍କର ଦ୍ୱାରଥାଏ ଉନ୍ମୁକ୍ତ । ଛାତ୍ରମାନେ ତାଙ୍କର ମୂଲ୍ୟବାନ ସମୟ ଅଯଥା ନଷ୍ଟ କରୁଛନ୍ତି, ଜାଣିଲେ ସୁଦ୍ଧା ସେ ସେମାନଙ୍କୁ ଆଦୌ ହତୋତ୍ସାହ କରନ୍ତି ନାହିଁ । ତେଣୁ ଛାତ୍ରମାନେ ସବୁବେଳେ ତାଙ୍କ ଉପରେ ଥାନ୍ତି ସୁପ୍ରସନ୍ନ । ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଥିଲାବେଳେ କେତେଜଣ ଦରିଦ୍ର ଛାତ୍ରଙ୍କୁ ତାଙ୍କ ନିଜ ରହିବାଘରେ ଆଶ୍ରୟ ଦେଇଥିଲେ । ଶିକ୍ଷା କମିଶନ୍‌ର ଅଧ୍ୟକ୍ଷ ଥିଲାବେଳେ ଥରେ ସେ ଗସ୍ତରେ ବରୋଦା ଯାଇଥିଲେ । ବରୋଦା କଲେଜ ପରିଦର୍ଶନ କଲାବେଳେ ଗୋଟିଏ ଇଂରାଜୀ ଶ୍ରେଣୀରେ ଦୁଇଶହ ଛାତ୍ର ବସିଥିବାର ଦେଖି ସଂପୃକ୍ତ ଇଂରାଜୀ ଅଧ୍ୟାପକ ଶ୍ରୀ ମାଭଲକରଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ଓ ପରେ ତାଙ୍କଠାରୁ ସାକ୍ଷ୍ୟ ନେଇଥିଲେ । ଛାତ୍ରସଂଖ୍ୟା ଅଧିକ ହେଲେ ଶ୍ରେଣୀରେ ଉପୁଜୁଥିବା ଅସୁବିଧା ଓ ତା’ର ଦୂରୀକରଣ ଉପାୟ ସଙ୍ଗେ ସଙ୍ଗେ ସେ ତାଙ୍କ ରିପୋର୍ଟରେ ଲିପିବଦ୍ଧ କରାଇଥିଲେ । ସେ ଦେଖିଥିବା ରିପୋର୍ଟ ଆଜି ମଧ୍ୟ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥାରେ ଆଲୋକସ୍ତମ୍ଭ ପରି କାର୍ଯ୍ୟ କରୁଅଛି ।

 

ତାଙ୍କର ଗୋଟିଏ ପୁଅ ଓ ପାଞ୍ଚଟି ଝିଅ ଅଛନ୍ତି । ପୁତ୍ର ଡକ୍ଟର ଗୋପାଲ ପରରାଷ୍ଟ୍ର ବିଭାଗ ଅଧୀନରେ ଇତିହାସ ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଅଛନ୍ତି । ତାଙ୍କ ପରିବାରରେ ବହୁ ସଭ୍ୟ ଥିଲେ ମଧ୍ୟ ସାଧାରଣତଃ ସେ ନିଃସଙ୍ଗ ଜୀବନଯାପନ କରିବାକୁ ଭଲପାଇଥାନ୍ତି । ଡକ୍ଟର ଗୋପାଲ ସାମୟିକ ତାଙ୍କ ସହିତ ରହିଥାନ୍ତି । ଜୋଇଁମାନେ ତାଙ୍କର ଖୁବ୍‌ ଉଚ୍ଚଶିକ୍ଷିତ ଓ ପ୍ରତିଷ୍ଠିତ । ସେମାନଙ୍କ ମଧ୍ୟରୁ ଶେଷାଚାଲମ୍‌ ପତି (ବିଚାରପତି); ଡକ୍‍ଟର କେ.ଏନ୍, ରାଓ (ସ୍ୱାସ୍ଥ୍ୟ ବିଭାଗର ଡାଇରେକଟର ଜେନେରାଲ), ଡକ୍‍ଟର ଶାଣ୍ଡିଲ୍ୟ (ପେରମ୍ୱୁର ରେଳଡ଼ବା ତିଆରି କାରଖାନାର ଆର୍ଥିକ ପରାମର୍ଶଦାତା), ଶେଷଗିରି ରାଓ (ଆଡ଼୍‌ଭୋକେଟ ଓ ବମ୍ୱେରେ ଡାଇରେକ୍‌ଟର ଅଫ୍‌ ଅଡ଼ିଟ୍‌), ଆଶାନୁରୂପ ପ୍ରତିଷ୍ଠାଲାଭ କରିପାରିଛନ୍ତି ।

 

ଡକ୍ଟର ରାଧାକୃଷ୍ଣନ୍‌ ଅତ୍ୟଧିକ ମିତ୍ରବତ୍ସଳ । ତାଙ୍କର ମୈନ୍ତ୍ରୀ ବ୍ୟାପକ ଓ ବିସ୍ତୃତ । ନିଜର ଜ୍ଞାନଗାରିମା ଦେଖାଇ ହେବାକୁ ସେ ଘୃଣା କରନ୍ତି । ନିଜର ଅଜ୍ଞାନ ପ୍ରକଟ କରିବାରେ ସେ ଆଦୌ ସଙ୍କୋଚ ବୋଧ କରନ୍ତି ନାହିଁ । ସେ ଭଲଭାବରେ ଜାଣନ୍ତି ଯେ ଶକ୍ତି ଓ ଅଧିକାର ସ୍ଥାୟୀ ନୁହେଁ । ଯଦି ନୈତିକତା ଉପରେ ଆଧାରିତ ହୁଏ, ତାହାହେଲେ ଏହା କିଛିଦିନ ପାଇଁ ସ୍ଥାୟୀ ହୋଇପାରେ । ସ୍ପଷ୍ଟବାଦିତା ତାଙ୍କର ଏକ ମହତ୍‌ ଗୁଣ । ସେ କପଟତାର ଆଭରଣ ତଳେ ସତ୍ୟକୁ ଲୁଚାଇ ରଖିବାକୁ ଚାହାନ୍ତି ନାହିଁ । ଉଦାହାରଣ ସ୍ୱରୁପ, ଏହା ସମସ୍ତଙ୍କୁ ଜଣା ଯେ କମ୍ୟୁନିଷ୍ଟ ଚୀନରେ ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ ନାହିଁ । ତାହାଦ୍ୱାରା ମାନବିକତା କ୍ଷୁଣ୍ଣ ହେଉଛି ବୋଲି ପେକିଂ ସରକାରଙ୍କର ଅତିଥି ହୋଇ ମଧ୍ୟ ବହୁ ସଭାରେ ସେ ଘୋଷଣା କରିବାକୁ ଭୁଲି ନ ଥିଲେ । ଏହା ତାଙ୍କର ଅଦ୍ୟମ ସାହାସ ଓ ନିର୍ଭୟତାର ପରିଚୟ ଦେଇଥାଏ ।

 

ନିଜ ରହିବାଘରକୁ ଆଡ଼ମ୍ୱର ସହକାରେ ସଜାଇବାରେ ସେ ଭାରି ଉଦାସୀନ । କାଠର ରକ୍ତପୋଷ ଉପରେ ଧଳାଚଦର ଓ ତକିଆ ପକାଇ ବସିବାକୁ ସେ ଭଲପାନ୍ତି । ଆଧୁନିକ ସ୍ପଞ୍ଜ୍‌ଦିଆ ସୋଫାସେଟ୍‌ ବ୍ୟବହାରକୁ ବ୍ୟକ୍ତିଗତଭାବେ ସେ ଭଲପାନ୍ତି ନାହିଁ । ଯେଉଁଠି ସେ ବସନ୍ତି, ପାଖରେ ଗୋଟିଏ ବହି ଆଲମାରୀ ରଖିବା ତାଙ୍କର ଅଭ୍ୟାସ, କାରଣ ବହିପଢ଼ି ସାଧାରଣତଃ ସେ ଅବସର ବିନୋଦନ କରିଥାନ୍ତି । ସାମାନ୍ୟ କ୍ଳାନ୍ତିବୋଧ କଲେ ଗୁଣୁ ଗୁଣୁ ହୋଇ ସେ ଗାଇଥାନ୍ତି—‘‘ହେ କୃଷ୍ଣ-! ଗୋବିନ୍ଦ ! ହରେ ମୁରାରେ !’’ କଥା ପ୍ରସଙ୍ଗରେ ସେ ବହୁ ସଂସ୍କୃତ ଶ୍ଳୋକର ଅବତାରଣା କରିଥାନ୍ତି । ଉପନିଷଦ ଇତ୍ୟାଦିରେ ଥିବା ସଂସ୍କୃତ ଶ୍ଲୋକରୁ ବୋଧହୁଏ ସେ ଶକ୍ତି ଆହରଣ କରିଥାନ୍ତି । ତାଙ୍କର ଦୃଢ଼ବିଶ୍ୱାସ ଯେ ଭାରତ ଯୁଗେ ଯୁଗେ ଅମର ରହିବ । ଯେଉଁ ଦେଶରେ ଗାନ୍ଧୀ, ରବୀନ୍ଦ୍ର ଇତ୍ୟାଦି ଜନ୍ମଲାଭ କରିଛନ୍ତି, ସେ ଦେଶର ବିଲୁପ୍ତି ଅସମ୍ଭବ; ବରଂ ରୋମ, ଗ୍ରୀସ୍‌ ଓ ମିଶର ସହିତ ଭାରତକୁ ପ୍ରାଚୀନ ସଂସ୍କୃତି ଦୃଷ୍ଟିରୁ ସେ ବିଚାର କରିଥାନ୍ତି । ସ୍ୱପ୍ରଣୀତ”Our Oriental Heritage ’ରେ ତାହାର ସ୍ଥୂଳ ବିବରଣୀ ଦେଇଅଛନ୍ତି ।

 

ତାଙ୍କଠାରେ ଗୀତାରେ ବର୍ଣ୍ଣିତ ଜ୍ଞାନ, କର୍ମ ଓ ଭକ୍ତିର ଅପୂର୍ବ ସମନ୍ୱୟ ଘଟିଛି । ଯାହା ବୋଧହୁଏ ଜନକ ମହର୍ଷିଙ୍କ ନିକଟରେ ସମ୍ଭବପର ହୋଇ ପାରିଥିଲା । ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ତାଙ୍କର ସାମାଜିକ ଦର୍ଶନ ମାନବତା ଉପରେ ଆଧାରିତ ।

 

Greatness and power are reserved for those who strive and struggle and not merely play and pretend.

 

—Radhakrishnan

Image

 

ରାଷ୍ଟ୍ରଗୁରୁ

 

ମହାପୁରୁଷ ‘କନ୍‌ଫୁସିଅସ୍‌’ କହିଥିଲେ—‘‘He Who by reanimating the old can gain knowledge of the new is fit to be a teacher.’’ ସେହି ମହାମାନବଙ୍କର ଅମରବାଣୀ ଡକ୍ଟର ରାଧାକୃଷ୍ଣନ୍‌ଙ୍କ ପକ୍ଷରେ ପ୍ରଯୁଜ୍ୟ । ପୁରାତନକୁ ଭିତ୍ତିକରି ଗଢ଼ି ଉଠେ ନୂତନତା । କେବଳ ପରମ୍ପରା ବଳରେ ହିଁ ମଣିଷ ବିଗତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସମ୍ପର୍କ ସ୍ଥାପନା କରିପାରେ । ଭବିଷ୍ୟତରେ ଅତୀତ ପୁନର୍ଜନ୍ମ ଲାଭକରେ । ଏହି ଗୁରୁଦାୟ୍ୱିତ୍ୱ ଯେ ବହନ କରିପାରିଲା ସେ ହିଁ ପ୍ରକୃତ ଗୁରୁ । ଜୀବନ ଓ କାର୍ଯ୍ୟକଳାପ ଦୃଷ୍ଟିରୁ ରାଧାକୃଷ୍ଣନ୍‌ଙ୍କୁ ଗୁରୁଶ୍ରେଷ୍ଠ କହିଲେ ଅତ୍ୟୁକ୍ତି ହେବନାହିଁ । ରାମାୟଣ ଓ ମହାଭାରତ ଯୁଗର ମହର୍ଷି ବଶିଷ୍ଠ ଓ ଧୌମ୍ୟଙ୍କର ଗୁଣାବଳୀ ତାଙ୍କଠାରେ ପ୍ରତିଭାତ । ବିଦ୍‍ବତ୍ତା, ମନୀଷା, ଦୂରଦୃଷ୍ଟି, ସମସ୍ୟାର ଅନୁଶୀଳନ, ସାଧୁତା ଓ ସ୍ପଷ୍ଟବାଦିତା ଦୃଷ୍ଟିରୁ ସେ ରାଷ୍ଟ୍ରଗୁରୁ ପଦବାଚ୍ୟ ।

୧୯୬୨ ମସିହା ମେ ୧୨ ତାରିଖରେ ସେ ଭାରତର ରାଷ୍ଟ୍ରମୁଖ୍ୟ ଆସନ ଅଳଙ୍କୃତ କରିଥିଲେ । ସେ ସମୟରେ ଭାରତର ରାଜନୀତିକ ପରିସ୍ଥିତି ଥିଲା ଅଶାନ୍ତ । ଚୀନମାନଙ୍କର ବର୍ବରୋଚିତ ଆକ୍ରମଣରେ ଭାରତର ନିରାପତ୍ତା କ୍ଷୁଣ୍ଣ ହୋଇଥିଲା । ପାକିସ୍ଥାନର ଆକ୍ରମଣ, ଖାଦ୍ୟଭାବ, ଜିନିଷପତ୍ରର ଦରଦାମ ବୃଦ୍ଧି, ସବୁ ସ୍ତରରେ ଦୁର୍ନୀତି ଜାତୀୟଜୀବନକୁ କରୁଥିଲା ଦୁର୍ବଳ । ସେହି କଠିନ ସମୟରେ ଦାୟିତ୍ୱ ବହନକରି ଡକ୍ଟର ରାଧାକୃଷ୍ଣନ୍‌ ଶାସନକ୍ଷେତ୍ରରେ ଯେପରି ଦକ୍ଷତା ପ୍ରଦର୍ଶନ କରିଛନ୍ତି, ତାହା ଯଥାର୍ଥେ ପ୍ରଶଂସାର୍ହ । ପ୍ରାଚୀନ ଭାରତୀୟ, ସଂସ୍କୃତିକୁ ସେ ଯେପରି ରୂପାୟନ କରିଛନ୍ତି, କୈଣସି ଭାରତୀୟ ତାହା ଏପରି କରିନାହାନ୍ତି । ବୈଦିକ ଆଦର୍ଶ ‘‘ଆନୋ ଭଦ୍ରାଃ ତ୍ରତବୋୟନ୍ତୁ ବିଶ୍ୱତଃ’’ ଅର୍ଥାତ୍‌ ପ୍ରତ୍ୟେକ ଦିଗରୁ ମହତ୍‌ ଚିନ୍ତା ଆସୁ, ଏଥିରେ ହିଁ ସେ ଅନୁପ୍ରାଣିତ । ତାଙ୍କର ଅସାଧାରଣ ପ୍ରତିଭା ଓ ଆଦର୍ଶ ଦୃଷ୍ଟିରୁ ସେ କେବଳ ଭାରତର ନୁହନ୍ତି, ସମଗ୍ର ବିଶ୍ୱର ନାଗରିକ । ତାଙ୍କର ହୃଦୟ ହିଁ ପ୍ରାଚ୍ୟ ଓ ପାଶ୍ଟାତ୍ୟ ସଂସ୍କୃତିର ମିଳନପୀଠ । ତେଣୁ ତୁଳନାତ୍ମକ ଦୃଷ୍ଟିକୋଣ ନେଇ ସେ କହନ୍ତି—‘‘half the world moves on the foundations which Hinduism supplied.’’ ଅଶୋକ, ସ୍ୱାମୀ ବିବେକାନନ୍ଦ ଓ ସ୍ୱାମୀ ରାମତୀର୍ଥଙ୍କ ପରେ ଡକ୍ଟର ରାଧାକୃଷ୍ଣନ୍‌ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯେ କି ବିଶ୍ୱରେ ହିନ୍ଦୁ ଧର୍ମର ଭୂୟସୀ ପ୍ରଚାର ଓ ପ୍ରସାର କରିପାରିଛନ୍ତି ।

ପରମହଂସ ଶ୍ରୀ ରାମକୃଷ୍ଣ କହିଥିଲେ ଯେ ମଣିଷ ଭଗବାନଙ୍କୁ ପାଇବା ପାଇଁ ଘରଦ୍ୱାର ଛାଡ଼ି ବଣକୁ ଯିବା ଉଚିତ ନୁହେଁ । ପାରିବାରିକ ଜଞ୍ଜାଳରେ ଥାଇ ମଧ୍ୟ ଯଦି ମଣିଷ ଜଳରେ ଲହୁଣୀ ପରି ଭାସିଲା, ତାହାହେଲେ ଜଣେ ଗୃହୀ ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରିପାରେ । ସେହି ଧାରାରେ ଡକ୍ଟର ରାଧାକୃଷ୍ଣନ୍‌ ସଂସାରୀ ହୋଇ ମଧ୍ୟ ସଂସାର ସହିତ ସଂପର୍କ ଅତି ସୀମିତ । ଅତଏବ୍‌ ଭଗବାନଙ୍କର ସ୍ଥିତି ଉପଲବ୍‌ଧି କରିବା ପାଇଁ ସେ ହକ୍‍ଦାର ।

ଶିକ୍ଷକତା କରି ଜୀବନର ଅର୍ଦ୍ଧାଧିକ ସମୟ ସେ ଅତିବାହିତ କରି ଅଛନ୍ତି । ପାଞ୍ଚଟି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ଏକାଧିକ ବିଶ୍ୱବିଦ୍ୟାଳୟର କୁଳପତି ଥାଇ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କିପରି ଉନ୍ନତି ସାଧନ କରାଯାଇପାରିବ, ସେଥିପାଇଁ ସେ ଆନ୍ତରିକ ଚେଷ୍ଟା କରିଛନ୍ତି ଓ ବିଶ୍ୱ ବିଦ୍ୟାଳୟର ଗ୍ରାଣ୍ଟସକମିଶନ୍‌ର୍‌ ଅଧ୍ୟକ୍ଷ ଥାଇ ବହୁସୁଚିନ୍ତିତ ନିର୍ଦ୍ଦେଶନା ଦେଇ ଅଛନ୍ତି । ବିଶ୍ୱର ଅଧିକାଂଶ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟର ଉପାଧି ଦେଇ ସମ୍ମାନିତ କରିଛନ୍ତି । ମଙ୍ଗୋଲିଆ ସରକାର ତାଙ୍କୁ ଜ୍ଞାନଗୁରୁ (Master of Wisdom) ଉପାଧିରେ ଭୂଷିତ କରିଅଛନ୍ତି । ବିଶ୍ୱର ଅନ୍ୟ ଏକ ବିଶିଷ୍ଟ ସମ୍ମାନ ‘ଗେଟେ ଫଳକ’ ମଧ୍ୟ ତାଙ୍କୁ ମିଳିଛି ।

‘ଗୁରୁସ୍ତୁତି’ ରେ ଉଲ୍ଲେଖ ଅଛି ଯେ—

ବ୍ରହ୍ମାନନ୍ଦଂ ପରମସୁଖଦଂ କେବଳଂ ଜ୍ଞାନମୂର୍ତ୍ତି

ଦ୍ୱନ୍ଦ୍ୱାତୀତଂ ଗଗନ ସଦୃଶଂ ତତ୍ତ୍ୱମସ୍ୟାଦି ଲକ୍ଷମ୍‌ ।

ଏକଂ ନିତ୍ୟଂ ବିମଳମଚଳଂ ସର୍ବାଧୀ ସାକ୍ଷୀଭୂତଂ

ଭାବାତୀତଂ ତ୍ରିଗୁଣରହିତଂ ସଦ୍‌ଗୁରୁଂ ଓଁ ନମାମି ।।

ଅର୍ଥାତ୍‌ ସଦ୍‌ଗୁରୁ ହେଉଛନ୍ତି ବ୍ରହ୍ମାନନ୍ଦମୟ, ସ୍ୱର୍ଗୀୟମୁଖର ଆଧାର, ଜ୍ଞାନର ପ୍ରତିମୂର୍ତ୍ତି ଆତ୍ମା, ସମସ୍ତ ଦ୍ୱନ୍ଦ୍ୱର ଅତୀତ, ଆକାଶ ପରି ଗମ୍ଭୀର, ଶୁଦ୍ଧ ଓ ଶାଶ୍ୱତ । ଏହା ଯଦି ସଦ୍‌ଗୁରୁଙ୍କର ମାନନିର୍ଦ୍ଧାରକ ହୁଏ, ତାହାହେଲେ ବର୍ତ୍ତମାନ ଭାରତରେ ଡକ୍‍ଟର ରାଧାକୃଷ୍ଣନ୍‌ଙ୍କୁ ସଦ୍‌ଗୁରୁ ଶ୍ରେଷ୍ଠ କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କୁ ଗୁରୁ ବେଲି ସ୍ୱୀକାର କରି ଯଥାର୍ଥେ କହିଛନ୍ତି—‘‘From him all of us have learned much and will continue to learn.’’

ପ୍ରତିବର୍ଷ ତାଙ୍କର ପବିତ୍ର ଜନ୍ମତିଥିକୁ ଗୁରୁଦିବସ ରୂପେ ପାଳନ କରାଯିବା ଦ୍ୱାରା ରାଷ୍ଟ୍ରଗୁରୁ ରାଧାକୃଷ୍ଣନ୍‌ଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯାଉଛି । ପୁରାଣକାରମାନେ ଗୁରୁଙ୍କୁ ଭଗବାନଙ୍କ ସହିତ ତୁଳନା କରିଛନ୍ତି । ସେ ଏକମାତ୍ର ଦୁନିଆରୁ ଅଜ୍ଞାନାନ୍ଧକାର ଦୂର କରିବାରେ ସମର୍ଥ ।

‘‘ଗୁକାରୋଽନ୍ଧକାରସ୍ତୁ ରୁକାରସ୍ତନ୍ନି ବର୍ତ୍ତକଃ ।

ଅନ୍ଧକାର ନିବୃତ୍ୟାତୁ ଗୁରୁରିତ୍ୟଭିଧୀୟତେ ।।’’

 

ଅର୍ଥାତ୍‌ ‘ଗୁରୁ’ ଶବ୍ଦରୁ ‘ଗୁ’ ହେଉଛି ଅନ୍ଧକାର ‘ସୂଚକ’ କିନ୍ତୁ ‘ରୁ’ ଅନ୍ଧକାର ଦୂରୀଭୂତ କରିଥାଏ । ଅତଏବ ଯେ ଅଜ୍ଞାନାନ୍ଧକାର ଦୂର କରିଥାଏ, ସେ ହିଁ ଗୁରୁ । ଯେହେତୁ ହିନ୍ଧୁ ଦର୍ଶନ ଓ ସଂସ୍କୃତି ସମ୍ୱନ୍ଧୀୟ ଅନ୍ଧକାର ବିଶ୍ୱବାସୀଙ୍କ ମନରୁ ସେ ଦୂରୀଭୂତ କରିଅଛନ୍ତି, ତେଣୁ ଯଥାର୍ଥେ ସେ ହେଉଛନ୍ତି ରାଷ୍ଟ୍ରଗୁରୁ । ତାଙ୍କର ଦୂରଦୃଷ୍ଟି ଅତି ପ୍ରଖର । ଦେଶର ଅବନତି ପ୍ରତି ସେ ଆଜି ନୁହନ୍ତି, ବହୁପୂର୍ବରୁ ସଚେତନ । ଉଦାହାରଣ ସ୍ୱରୂପ ୧୯୩୦ ମସିହା ଡିସେମ୍ୱର ୨୩ ତାରିଖରେ ପଞ୍ଜାବ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣଦେଇ ସେ କହିଥିଲେ—‘‘ଆମ ଦେଶ ଏବେ ଏକ ଅଜ୍ଞାତ ଲକ୍ଷ୍ୟସ୍ଥଳକୁ ଆଗେଇ ଚାଲିଛି । ପ୍ରଚଳିତ ଯୁଗକୁ ଆମେ ବିସତି ଗର୍ଭରେ ହଜାଇ ଦେଉଛେ । ଦେଶରେ ଯେଉଁ ରାଜନୀତିକ ଅସ୍ଥିରତା ଲାଗି ରହିଛି, ପାଶ୍ଚାତ୍ୟ ଶିକ୍ଷ୍ୟା ହିଁ ସେଥିପାଇଁ ଦାୟୀ । କାରଣ ତାହା ଆମ ପରମ୍ପରାର ଅନୁକୂଳ ନୁହେଁ । ଜାତୀୟତାର ସଂଜ୍ଞା ସମ୍ପୂର୍ଣ୍ଣ ନୁହେଁ । ଶକ୍ତି ଓ ସୁଯୋଗ ଅନୁଯାୟୀ ଆତ୍ମା, ସମ୍ମାନ, ସଂହିତ ଓ ଶୈଳୀର ସୁରକ୍ଷା କରି ସମସ୍ୟା ସମାଧାନ କରିବା ଉପରେ ଗୋଟିଏ ଜାତିର ଜାତୀୟତା ଆଧାରିତ । ବିକାଶ ପାଇଁ ପ୍ରୟୋଜନ ମୈଳିକତା ଓ ସାହାସିକତା । ଅନୁକରଣ ତଥା ରକ୍ଷଣଶୀଳତା ଜାତିକୁ କରିଥାଏ ଧ୍ୱଂସାଭିମୁଖୀ ।’’ ଗୁରୁ ହିସାବରେ ସମଗ୍ର ରାଷ୍ଟ୍ରକୁ ସାବଧାନୀ ଶୁଣାଇ ସେ କହିଛନ୍ତି—ଯଦି ରାଷ୍ଟ୍ରରେ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ସଂହତି ସ୍ଥାପନ କରାଯାଇ ନପାରିଲା, ତାହାହେଲେ ଆମେ ଶିକ୍ଷାରୁ ପାଇଲୁ କ’ଣ ? ଶିକ୍ଷାର ଅନ୍ୟତମ ଲକ୍ଷ୍ୟ ହେଉଛି ପ୍ରାଚୀନତା ଓ ନୂତନତା ମଧ୍ୟରେ ସମନ୍ୱୟ ସ୍ଥାପନ କରି ଐକ୍ୟ ପ୍ରତିଷ୍ଠା କରିବା । ଆତ୍ମଶକ୍ତିକୁ ମହତ୍‌ ଉଦ୍ଦେଶ୍ୟରେ ବିନିଯୋଗ କରିବା ଆମର କର୍ତ୍ତବ୍ୟ । ଏହି ଶକ୍ତିର ସଂଜ୍ଞା ନିରୂପଣ କରାଯିବ କିପରି ? କେବଳ ବିକାଶଶୀଳ ଆଦର୍ଶବାଦ ଜରିଆରେ ହିଁ ଏହା ସମ୍ଭବପର ।

 

ଡକ୍ଟର ରାଧାକୃଷ୍ଣନ୍‌ଙ୍କ ଶିକ୍ଷାର ସଂଜ୍ଞା ସୀମିତ ନୁହେଁ । ତାଙ୍କ ମତରେ କେବଳ ନୂତନ ଜ୍ଞାନ ଆହରଣ କରିବାରେ ଶିକ୍ଷା ସ୍ୱୟଂସମ୍ପୂର୍ଣ୍ଣ ନୁହେଁ । ମନକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ସୂଚୀବନ୍ତ କରିବା ଶିକ୍ଷାର ଲକ୍ଷ୍ୟ । ନଶ୍ୱରରୁ ଶାଶ୍ୱତକୁ ଦୃଗ୍‌ଭଙ୍ଗୀ ଫେରାଇ ଆଣିବା ଓ ପରସ୍ପର ସହିତ ସହଯୋଗ ସ୍ଥାପନ କରିବା ଉପଯୁକ୍ତ ଶିକ୍ଷାର ପରିଚାୟକ ।

 

୧୯୬୮ ମସିହା ଡିସେମ୍ବର ୭ ତାରିଖ ଦିନ ଭାରତୀୟ ବିଦ୍ୟାଭବନର ତ୍ରିଂଶତମ ବାର୍ଷିକ ଅଧିବେଶନରେ ତାକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ‘ବ୍ରହ୍ମବିଦ୍ୟା ଭାସ୍କର’ ଉପାଧିରେ ଭୂଷିତ କରାଯାଇଛି । ଭବନର କୁଳପତି ଡକ୍‍ଟର କହ୍ନାଇଲାଲ ମାଣିକଲାଲ ମୁନ୍‌ସୀ ତାଙ୍କୁ ଜନକମହର୍ଷିଙ୍କ ସହିତ ତୁଳନା କରିଛନ୍ତି । ଏହାପୂର୍ବରୁ ତାଙ୍କୁ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ ଉପାଧି ପ୍ରଦାନ କରାଯାଇଥିଲା । ୧୯୬୭ ମସିହା ଅକ୍ଟୋବର ୯ ତାରିଖ ଦିନ ରାଷ୍ଟ୍ରପତି ଡକ୍‍ଟର ଜାକିର ହୁସେନ ତାଙ୍କୁ ସାହିତ୍ୟ ଏକାଡେମୀରେ ପ୍ରଥମ ଫେଲୋସିପ୍‌ (ବିଶିଷ୍ଟ ସଭ୍ୟପଦ) ପ୍ରଦାନ କରିଅଛନ୍ତି । ଡକ୍‍ଟର ରାଧାକୃଷ୍ଣନ୍‌ଙ୍କର ମାନ୍ଦ୍ରାଜସ୍ଥିତ ବାସଭବନରେ ଏକ ଘରୋଇ ଉତ୍ସବରେ ତାଙ୍କୁ ଫେଲୋସିପ୍‌ ପ୍ରଦାନକରି ରାଷ୍ଟ୍ରପତି କହିଥିଲେ—‘‘ଭାରତୀୟ ଚିନ୍ତାଧାରା ଓ ବିଶ୍ୱମାନବିକତାର ପରମ୍ପରା ପ୍ରତି ଡକ୍‍ଟର ରାଧାକୃଷ୍ଣନ୍‌ଙ୍କର ଅବଦାନ ବିପୁଳ । ତାଙ୍କର କୃତିତ୍ୱ ବହୁମୁଖୀ । କେନ୍ଦ୍ର ସାହିତ୍ୟ ଏକାଡେମୀ ତାଙ୍କୁ ସମ୍ମାନିତ କରିବାରେ ନିଜେ ସମ୍ମାନିତ । ଜଣେ ଶିକ୍ଷକ ଭାବରେ ସେ ଭାରତୀୟ ଚିନ୍ତାଧାରାର ଦିଗ୍‌ବଳୟକୁ ପ୍ରସାରିତ କରିପାରିଛନ୍ତି ଏବଂ ଆମ ଦେଶରେ ଦାର୍ଶନିକ ତଥା ଧାର୍ମିକ ଉପଲବ୍‌ଧିକୁ ପୃଥିବୀର ଚାରିଆଡ଼େ ବିସ୍ତାରିତ କରିବା ସଙ୍ଗେ ସଙ୍ଗେ ଏହାର ପ୍ରଗାଢ଼ ସତ୍ୱକ୍‌ ଅଧିକ ପ୍ରଗାଢ଼ କରିପାରି ଅଛନ୍ତି । ନିଜର ଅସାଧାରଣ ଅନ୍ତର୍ଦୃଷ୍ଟିବଳରେ ଅଦୃଶ୍ୟ ବୌଦ୍ଧିକ ଶକ୍ତିକୁ ସେ ପ୍ରତିଭାତ କରିପାରି ଅଛନ୍ତି ।

 

ସଂସ୍କୃତ ଭାଷାରେ ମଧ୍ୟ ସେ ଅଗାଧ ପାଣ୍ଡିତ୍ୟ ହାସଲ କରିପାରି ଅଛନ୍ତି । ସେ ବର୍ତ୍ତମାନ ସଂସ୍କୃତ ବିଶ୍ୱ ପରିଷଦର ସଭାପତି ଓ ଭାରତୀୟ ବିଦ୍ୟାଭବନର ଅବୈତନିକ ସଭ୍ୟ । ଜୀବନରେ ଚାଳିଶବର୍ଷ ସେ ଶିକ୍ଷକତା କରିଛନ୍ତି । କାଶୀରେ ସର୍ବପ୍ରଥମେ ଯେତେବେଳେ ଏସିଆର ଶିକ୍ଷକ ସମ୍ମିଳନୀ ଡକାଗଲା, ସେଥିରେ ଅଧ୍ୟକ୍ଷତା କରିଥିଲେ ଡକ୍ଟର ରାଧାକୃଷ୍ଣନ୍‌ । ୧୯୩୭-୩୮ ମସିହାରେ ଲଣ୍ଡନଠାରେ ଯେଉଁ ଶିକ୍ଷକ ସମ୍ମିଳନୀ ଡକା ଯାଇଥିଲା, ସେଥିରେ ମଧ୍ୟ ସେ ଅଧ୍ୟକ୍ଷତା କରିଥିଲେ । ମୁଦ୍ରିତ ଭାଷଣର ସାହାଯ୍ୟ ନ ନେଇ ସାଧାରଣତଃ ସେ ସମ୍ମିଳନୀମାନଙ୍କରେ ଭାଷଣ ଦେଇଥାନ୍ତି । ତାଙ୍କର ସ୍ମୃତିଶକ୍ତି ଅତି ପ୍ରଖର । ଯାହା ସେ ଥରେ ପଢ଼ନ୍ତି, ତାହା ତାଙ୍କର ମନେ ରହିଯାଏ । ଉଦାହାରଣସ୍ୱରୂପ ଥରେ, ଆନାମଲାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଦୀକ୍ଷାନ୍ତ ଭାଷଣ ଦେବାକୁ ଡକାଯାଇଥାଏ । ସମାବର୍ତ୍ତନ ଉତ୍ସବର ଅବ୍ୟବହିତ ପୂର୍ବରୁ ସାମ୍ବାଦିକମାନେ ତାଙ୍କୁ ତାଙ୍କର ମୁଦ୍ରିତ ବକ୍ତବ୍ୟ ମାଗିଲେ; କିନ୍ତୁ ସେତେବେଳକୁ ପ୍ରେସରୁ ତାହା ଆସି ନ ଥାଏ । ତାହା ସତ୍ତ୍ୱେ ଡକ୍ଟର ରାଧାକୃଷ୍ଣନ୍‌ ସାମ୍ବାଦିକମାନଙ୍କୁ ନିରାଶ କରି ନଥିଲେ । ସେମାନଙ୍କୁ ଅଫିସକୁ ଡାକିନେଇ ନିଜର ବକ୍ତବ୍ୟ ଲେଖିବାକୁ କହିଥିଲେ ଓ ସାମ୍ବାଦିକମାନେ ତାହା ଟିପି ଆଣିଥିଲେ । କିଛି ସମୟପରେ ‘ଆସୋସିଏଟେଡ଼୍‌ ପ୍ରେସ’ରୁ ତାଙ୍କ ମୁଦ୍ରିତ ଭାଷଣ ଆସି ପହଞ୍ଚିଲା । ପୂର୍ବଲିଖିତ ଭାଷଣ ସହିତ ଲିଖିତ ଭାଷଣର ଆକ୍ଷରିକ ସାମଞ୍ଜସ୍ୟ ଦେଖି ସାମ୍ବାଦିକମାନେ ତଟସ୍ଥ ହୋଇ ଯାଇଥିଲେ ଓ ତାଙ୍କ ଅସାଧାରଣ ସ୍ମରଣଶକ୍ତିର ଭୂୟସୀ ପ୍ରଶଂସା କରିଥଲେ ।

 

କେବଳ ଭାରତର ନୁହେଁ, ୟୁରୋପ ଓ ଆମେରିକାର ଶିକ୍ଷାପଦ୍ଧତି ସମ୍ୱନ୍ଧରେ ତାଙ୍କର ସ୍ଥୂଳ ଧାରଣା ଅଛି । ତେଣୁ ସ୍ୱାଧୀନ ଭାରତର ନୂତନ ଶିକ୍ଷା ପଦ୍ଧତି ଅନୁସରଣ କରିବା ପାଇଁ ତତ୍‌କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମୈଲାନା ଆଜାଦ୍‌ ଡକ୍ଟର ରାଧାକୃଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଶିକ୍ଷାକମିଶନ୍‌ ବସାଇଥିଲେ । ୧୯୫୦ ମସିହା ସେହି କମିଶନ୍‌ ଦେଇଥିବା ରିପୋର୍ଟ ଉପରେ ଆଜି ଭାରତୀୟ ଶିକ୍ଷା ମୁଖ୍ୟତଃ ଆଧାରିତ । ଆଜି ରାଜ୍ୟମାନଙ୍କରେ ମାତୃଭାଷା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା କରାଯାଉଛି, ଯାହା କି କମିଶନ୍ ଏଥିପୂର୍ବରୁ ସୁପାରିସ କରିଥିଲେ ।

 

ଇତିହାସରୁ ଜଣାପଡ଼େ ଯେ ଚାଣକ୍ୟଙ୍କୁ ସର୍ବପ୍ରଥମେ ଆଚାର୍ଯ୍ୟ ଉପାଧି ଦିଆଯାଇଥିଲା-। ତା ପରେ ଶଙ୍କରାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ମଧ୍ୱାଚାର୍ଯ୍ୟ ଓ ବଲ୍ଲଭାଚାର୍ଯ୍ୟଙ୍କୁ ଆଚାର୍ଯ୍ୟ ଉପାଧିରେ ଭୂଷିତ କରାଯାଇଥିଲା । ବେଦାନ୍ତ ସୂତ୍ର, ଉପନିଷଦ ଓ ଗୀତାର ଭାଷ୍ୟ ପ୍ରଣୟନ କଲେ ବହୁ ବିଚାର ବିବେଚନା ପରେ ଆଚାର୍ଯ୍ୟ ଉପାଧି ମିଳୁଥିଲା । ସେହି ପରମ୍ପରା ଅନୁଯାୟୀ ଡକ୍‍ଟର ରାଧାକୃଷ୍ଣନ୍‌ ବ୍ରହ୍ମସୂତ୍ର, ଉପନିଷଦ ଓ ଗୀତାର ଇଂରାଜୀଭାଷ୍ୟ ଲେଖି ସେହି ପଦବୀର ଅଧିକାରୀ ହୋଇ ପାରିଛନ୍ତି । ମାନବଧର୍ମର ଏ ଯୁଗରେ ସେ ହେଉଛନ୍ତି ସର୍ବଶ୍ରେଷ୍ଠ ପ୍ରଚାରକ । ୧୯୫୬ ମସିହାରେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟରେ ଏହି ଧର୍ମସମ୍ପର୍କୀୟ ଏକ ସଂସ୍ଥା—Study of World religion ସେ ଉଦ୍‌ଘାଟନ କରିଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କର ଚରମ ଲକ୍ଷ୍ୟଥିଲା ଭାରତରେ ଦୃଢ଼ ରାଜନୈତିକ ଏକତା ପ୍ରତିଷ୍ଠା କରିବା । ଏ ଯୁଗର ରାଷ୍ଟ୍ରଗୁରୁ ଡକ୍‍ଟର ରାଧାକୃଷ୍ଣନ୍‌ଙ୍କ ଜୀବନର ଚରମ ତଥା ପରମ ଲକ୍ଷ୍ୟ ହେଉଛି ବିଶ୍ୱର ଆତ୍ମିକ ଏକତା ପ୍ରତିଷ୍ଠା କରିବା ।

Image

 

ଜ୍ଞାନଋଷି

 

ବିଶ୍ଵର ଉଚ୍ଚକୋଟୀର ଲେଖକମାନଙ୍କ ମଧ୍ୟରେ ଡକ୍ଟର ରାଧାକୃଷ୍ଣନ୍ ଅନ୍ୟତମ । ତାଙ୍କ ଦ୍ଵାରା ଲିଖିତ ଓ ସମ୍ପାଦିତ ପୁସ୍ତକର ସଂଖ୍ୟା ୧୨୦ରୁ ଉର୍ଦ୍ଧ୍ଵ ହେବ । ମୁଖ୍ୟ ପୁସ୍ତକଗୁଡ଼ିକର ତାଲିକା ଏହି ଅଧ୍ୟାୟର ଶେଷରେ ସନ୍ନିବେଶିତ ହୋଇଅଛି । ତାଙ୍କର କ୍ରାନ୍ତିକାରୀ ଭାଷଣ ଭାରତ ସରକାରଙ୍କ ଦ୍ଵାରା ଛଅ ଭାଗରେ ପ୍ରକାଶ ପାଇଛି । ମୁଖ୍ୟତଃ ସେ ଭାରତୀୟ ଦର୍ଶନର ଲେଖକ ହିସାବରେ ପ୍ରସିଦ୍ଧି ଲାଭ କରିଅଛନ୍ତି । ତାଙ୍କର ଦାର୍ଶନିକ ବିଚାର ଓ ବିନ୍ୟାସ ଅନନ୍ୟ ସାଧାରଣ । ତାଙ୍କର ‘ଦି ହିନ୍ଦୁ ଭିଉ ଅଫ୍ ଲାଇଫ’ ଓ ‘ଆଇଡ଼ିଓଲଜିଷ୍ଟ ଭିଉ ଅଫ୍ ଲାଇଫ୍’ ମୁଖ୍ୟତଃ ଅଦ୍ଵୈତ ବେଦାନ୍ତ ଉପରେ ଆଧାରିତ । ଏଥିରେ ଡକ୍ଟର ରାଧାକୃଷ୍ଣନ୍, ହିନ୍ଦୁ ଧର୍ମର ଜନୈକ ରକ୍ଷକ ଓ ଯୋଦ୍ଧା ରୂପେ ଉଭୟ ପ୍ରତିରକ୍ଷା ଓ ଆକ୍ରମଣର ଦାୟିତ୍ଵ ଗ୍ରହଣ କରିଅଛନ୍ତି । ଜୀବନରେ ହିନ୍ଦୁ ଦୃଷ୍ଟିକୋଣ, ଏଥିରେ ସ୍ପଷ୍ଟ ଭାବେ ପ୍ରତିପାଦିତ ହୋଇଅଛି ଓ ପ୍ରାୟ ପ୍ରତି ଅଧ୍ୟାୟରେ ପାଶ୍ଚାତ୍ୟ ଚିନ୍ତାଧାରା ସନ୍ନିବେଶିତ ହୋଇଅଛି । ଜଣେ ସମାଲୋଚକଙ୍କ ଭାଷାରେ—‘ଦି ହିନ୍ଦୁ ଭିଉ ଅଫ୍ ଲାଇଫ୍’ ବସ୍ତୁତଃ ବର୍ତ୍ତମାନର ହିନ୍ଦୁ ଧର୍ମ ନୁହେଁ; କିନ୍ତୁ ତାହା ଡକ୍ଟର ରାଧାକୃଷ୍ଣନ୍‍ଙ୍କ ଈପ୍‍ସିତ ହିନ୍ଦୁ ଧର୍ମ । ସେ ତାଙ୍କର ଅଧିକାଂଶ ଗ୍ରନ୍ଥରେ ନୂତନ ହୃଗ୍ ଭଙ୍ଗୀ ନେଇ ପ୍ରାଚୀନ ବିଶ୍ଵାସର ବିଚାର କରିଛନ୍ତି । ତାଙ୍କ ମତରେ ହିନ୍ଦୁ ଧର୍ମ ଶାଶ୍ଵତ ଓ ପରିବର୍ତ୍ତନଶୀଳ । ଏଥିରେ ଯେଉଁ ରହସ୍ୟ ବା ଗୁଢ଼ବାଦ ପ୍ରଚ୍ଛନ୍ନ ରହିଛି, ତାହା ହୃଦୟଙ୍ଗମ କରିବା ସହଜସାଧ୍ୟ ନୁହେଁ । ସେ ପୁଣି କହନ୍ତି ଯେ ହିନ୍ଦୁ ଧର୍ମ ଏକାଧାରରେ ହେଉଛି ଏକ ବିକାଶଶୀଳ ତଥା ଶକ୍ତିଶାଳୀ ଆନ୍ଦୋଳନ ।

 

ରାଜା ରାମମୋହନ ରାୟ, ସ୍ଵାମୀ ଦୟାନନ୍ଦ ସରସ୍ଵତୀ ତଥା ସ୍ଵାମୀ ବିବେକାନନ୍ଦ ଇତ୍ୟାଦି ମହାପୁରୁଷମାନେ, ଯେ ଯାହାର ସମୟାନୁଯାୟୀ ହିନ୍ଦୁ ଧର୍ମର ମୂଲ୍ୟାୟନ କରିଥିଲେ; କିନ୍ତୁ ଡକ୍ଟର ରାଧାକୃଷ୍ଣନ୍ ଆଣବିକ ଯୁଗରେ ହିନ୍ଦୁ ଧର୍ମରେ ନିହିତ ଥିବା ସତ୍ୟ ବିଶ୍ଵ ସମକ୍ଷରେ ଖୁବ୍ ପାଣ୍ଡିତ୍ୟପୂର୍ଣ୍ଣ ଶୈଳୀରେ ଉପସ୍ଥାପନ କରିଅଛନ୍ତି । ନିଜର ଦୃଢ଼ ଲେଖନୀବଳରେ ସେ ପୂର୍ବ ଓ ପଶ୍ଚିମର ବ୍ୟବଧାନ ଏଡ଼ାଇ ପ୍ରତିଷ୍ଠା କରିପାରିଛନ୍ତି ଏକ ସୁବର୍ଣ୍ଣସେତୁ । କବି ଓ କଳାକୁଶଳୀ ନ ହେଲେ ମଧ୍ୟ ସେ ଜଣେ ମହାନ୍ କଳାମର୍ମଜ୍ଞ । ସବୁବେଳେ ସେ କଳାକାରମାନଙ୍କୁ ପ୍ରୋତ୍ସାହନ ଦେଇଥାନ୍ତି । ଶ୍ରୀମତୀ ରୁକ୍ମିଣୀ ଦେବୀଙ୍କ ଦ୍ଵାରା ସଞ୍ଚାଳିତ ‘କଳାକ୍ଷେତ୍ର’, ଶ୍ରୀମତୀ ଦୁର୍ଗାବାଈ ଦେଶମୁଖଙ୍କ ଦ୍ଵାରା ସ୍ଥାପିତ ‘ଆନ୍ଧ୍ର ମହିଳା ସଭା’, ଶ୍ରୀମତୀ ସୋଫିଆ-ୱାଡ଼ିଆଙ୍କ ଦ୍ଵାରା ପ୍ରତିଷ୍ଠିତ ‘ପି.ଇ.ଏନ୍’ କେନ୍ଦ୍ର ଇତ୍ୟାଦି ସାଂସ୍କୃତିକ ତଥା ସାହିତ୍ୟିକ ଅନୁଷ୍ଠାନ ପ୍ରତିଷ୍ଠା କରିବାରେ ତାଙ୍କର ସାହାଯ୍ୟ ସହାନୁଭୂତି ଯଥାର୍ଥରେ ଅନବଦ୍ୟ । ୧୯୨୯ ମସିହାରେ ନିଜେ ସେ ‘ନିଉଏରା’ ନାମକ ଏକ ସାଂସ୍କୃତିକ ମାସିକପତ୍ର ଆରମ୍ଭ କରିଥିଲେ । ଏ ଦିଗରେ ତାଙ୍କୁ ସହାୟକ ହୋଇଥିଲେ ଆନ୍ଧ୍ରର ବିଶିଷ୍ଟ ଆଇନଜ୍ଞ ଶ୍ରୀ ଶେଷଚେଲାପତି । ତ୍ରୟୋଦଶ ସଂଖ୍ୟା ପରେ ସେହି ପତ୍ରିକାଟି ଅନ୍ୟ ଏକ ପ୍ରତିଷ୍ଠିତ ପତ୍ରିକା ‘ତ୍ରିବେଣୀ’ ସହିତ ମିଶିଯାଇଥିଲା ଓ ଏହି ପତ୍ରିକା ପ୍ରକାଶନ ପାଇଁ ଏକ ପରାମର୍ଶଦାତା ପରିଷଦ ଗଠନ କରଯାଇଥିଲା । ସେହି ପରିଷଦରେ ଥିଲେ—ଡକ୍ଟର ରାଧାକୃଷ୍ଣନ୍, ଶ୍ରୀ ଶେଷଚେଲାପତି, ଶ୍ରୀ ସି. ଦିନରାଜ ଦାସ ଓ ଡକ୍ଟର ପଟ୍ଟାଭି ସୀତାରାମେୟା ।

 

ଦର୍ଶନ, ବିଜ୍ଞାନ ସହିତ ଏକାନ୍ତଭାବେ ସଂପୃକ୍ତ ରହୁ, ଏହା ହିଁ ଡକ୍ଟର ରାଧାକୃଷ୍ଣନ୍‍ଙ୍କର କାମ୍ୟ । ଲଳିତ ଇଂରାଜୀ ଭାଷାରେ ସେ ତତ୍ତ୍ଵଜ୍ଞାନ ଲେଖିଥିବାରୁ ତାହା ଆଜି ସମଗ୍ର ବିଶ୍ଵରେ ଆଦୃତ । ଭାରତୀୟ ସଂସ୍କୃତିର ସେ ହେଉଛନ୍ତି ଏକ ଜୀବନ୍ତ ପ୍ରତିମୂର୍ତ୍ତି । ତାଙ୍କ ମତରେ ନାନାଦି ଐତିହାସିକ ଉତ୍‍ଥାନ-ପତନ, ପ୍ରାକୃତିକ ବିପର୍ଯ୍ୟୟ, କାଳର ଘାତପ୍ରତିଘାତ ଓ ବିଭିନ୍ନ ଧର୍ମାବଲମ୍ବୀ ଜାତିର ଆକ୍ରମଣ ସତ୍ତ୍ୱେ ମଧ୍ୟ ଭାରତୀୟ ସଂସ୍କୃତି ଏହାର ମୌଳିକତାକୁ ରଖିଛି ଅକ୍ଷୁଣ୍ଣ । ଏକ ଅଦମ୍ୟ ପ୍ରାଣପ୍ରାଚୁର୍ଜ୍ୟ ଓ ମହତ୍ତ୍ଵ ହେତୁ ଏହି ସଭ୍ୟତାର ସ୍ରୋତ ଶତାବ୍ଦୀ ଶତାବ୍ଦୀ ଧରି ନିରବଚ୍ଛିନ୍ନ ଭାବେ ବହି ଚାଲିଛି । ଏହାକୁ ଭୁଲିଯିବା ଅର୍ଥ ଆମର ସାଂସ୍କୃତିକ ମୃତ୍ୟୁ ହେବା । ଭାରତୀୟ ସଂସ୍କୃତି ସ୍ଥାଣୁ ନୁହେଁ, ଏହା ଗତିଶୀଳ, ଉଦାର ଓ ସୁଦୂରପ୍ରସାରୀ । ବହୁ ନଦୀ ସମୁଦ୍ରରେ ମିଶି ଏକ ହେଲା ପରି, ବହୁଦେଶର ସଭ୍ୟତା ଭାରତୀୟ ସଂସ୍କୃତିରେ ଏକାକାର ହୋଇଯାଇଛନ୍ତି । ବିଶ୍ଵକବି ରବୀନ୍ଦ୍ରନାଥଙ୍କ ଭାଷାରେ—

 

“ଶକ ହୂନ୍ ଦଲ୍ ପଠାନ୍ ମୁଗଲ

ଏକ ଦେହେ ହଲ ଲୀନ୍ ।’’

 

ପୁନଶ୍ଚ ଭାରତୀୟ ସଂସ୍କୃତି ଦେଶ, କାଳ, ଜାତି ଓ ସମାଜର ଗଣ୍ଡିକୁ ଅତିକ୍ରମ କରି ନିଜର ଉଦାରତା ଫଳରେ ବିଶ୍ଵଇତିହାସରେ ଏକ ଉନ୍ନତ ସ୍ଥାନ ଅଧିକାର କରିପାରିଛି ।

 

ସଙ୍ଗୀତ ପ୍ରତି ମଧ୍ୟ ରାଧାକୃଷ୍ଣନ୍‍ଙ୍କର ଅପାର ଆସକ୍ତି ରହିଛି । ସେ ନିଜେ ଗାଇ ନ ଜାଣିଲେ ମଧ୍ୟ, ସଙ୍ଗୀତ ଶୁଣିବାକୁ ଭଲ ପାଇଥାନ୍ତି । ବହୁ ସଂସ୍କୃତ ଶ୍ଳୋକ ଓ ସ୍ତୋତ୍ର ସେ ମୁଖସ୍ଥ କରିଛନ୍ତି । ବକ୍ତୃତା ଛଳରେ ସେ ତା’ର ଅବତାରଣା କରିଥାନ୍ତି । ବେଦରୁ ଉଦ୍ଧାର କରି ସେ କହନ୍ତି–“ଆତ୍ମ ସଂସ୍କୃତିର ବାବ ଶିଳ୍ପଣୀ” ଅର୍ଥାତ୍ ଲଳିତକଳା ହେଉଛି ଆତ୍ମାର ସଂସ୍କୃତି ।

 

ସଂସ୍କୃତ ସାହିତ୍ୟରେ ତାଙ୍କର ପାଣ୍ଡିତ୍ୟ ଅଗାଧ । ତାଙ୍କ ମତରେ ସଂସ୍କୃତ ଭାଷାକୁ ଭାରତର କୌଣସି ଭାଷା ସହିତ ତୁଳନା କରାଯାଇ ନ ପାରେ । କାରଣ ସଂସ୍କୃତ ଭାଷା ପରି ଅନ୍ୟ କୌଣସି ଭାଷାର ଆମ ସଂସ୍କୃତି, ଜୀବନର ଚିତ୍ତବୃତ୍ତି ସହିତ ନିବିଡ଼ ସମ୍ପର୍କ ନାହିଁ । ସଂସ୍କୃତଭାଷାକୁ ଅବହେଳା କଲେ, ଆମେ ଭାରତୀୟ ବୋଲି ଗର୍ବ କରିପାରିବା ନାହିଁ । ବରଂ ହିନ୍ଦୁ ଧର୍ମ ଧ୍ଵଂସାଭିମୁଖୀ ହେବ । ରାଧାକୃଷ୍ଣନ୍ କବିତା ନ ଲେଖିଲେ ମଧ୍ୟ, ତାଙ୍କ ଭାଷାରେ କବିତ୍ଵର ସ୍ଫୁରଣ ଦେଖିବାକୁ ମିଳେ । ପ୍ରଣୀତ ଗ୍ରନ୍ଥରେ ନୁହେଁ, କ୍ଷୁଦ୍ର ଭାଷଣରେ ମଧ୍ୟ ତାଙ୍କର ବିଦ୍‍ବତ୍ତା, ଶବ୍ଦ-ଚୟନ-ନିପୁଣତା ସ୍ପଷ୍ଟ ହୋଇ ଉଠିଥାଏ ।

 

ତାଙ୍କ ପ୍ରଣୀତ ପ୍ରଧାନ ପୁସ୍ତକଗୁଡ଼ିକର ତାଲିକା

 

1.

The philosophy of Rabindranath Tagore.

2.

The Region of Religion in contemporary philosophy.

3.

The Hindu view of life.

4.

Kalki—The future of civilization.

5.

The Religion we need.

6.

Indian Philosophy (Two parts)

7.

An Idealist view of life.

8.

Freedom and Culture.

9.

East and West in Religion.

10.

My search for Truth.

11.

The Heart of Hindusthan.

12.

Gautam, the Budha.

13.

Eastern Religion and Western thought.

14.

India and China.

15.

Mahatma Gandhi.

16.

Education, Politics and Bar.

17.

Religion and Society.

18.

Is this peace ?

19.

Bhagbat Gita.

20.

Great Indians.

21.

The Dhammapada.

22.

Philosophy of Dr. Radhakrishnan.

23.

The Religion of spirit and the olders need.

24.

The principle of upraised.

25.

The Recovery of Faith.

26.

Brahma Sutra.

27.

Religion and Culture.

 

ବହୁବର୍ଷ ଧରି ସେ ଭାରତୀୟ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷତା କରିଥିଲେ । ‘The Times’ ପତ୍ରିକାଙ୍କ ମତରେ ତାଙ୍କର ଅଧିକାଂଶ ବହି ହେଉଛି ‘Rare books from rare mind.’ ତାଙ୍କ ପ୍ରଣୀତ ପୁସ୍ତକମାନଙ୍କ ମଧ୍ୟରୁ ‘Hindu view of life’ ବିଦେଶୀ ବଜାରରେ ଆଜି ପର୍ଯ୍ୟନ୍ତ ୭୬ ହଜାର ଖଣ୍ଡ ବିକ୍ରୀ କରାଗଲାଣି । ତାଙ୍କ ବ୍ୟକ୍ତିଗତ ଲାଇବ୍ରେରୀର ସମୁଦାୟ ପୁସ୍ତକ ସଂଖ୍ୟା ହେଉଛି ୬ ହଜାର । ତନ୍ମଧ୍ୟରୁ ଅଧିକାଂଶ ଦୁଷ୍‌ପ୍ରାପ୍ୟ ।

 

Writers through their publications can give a proper perspective to their readers. You establish a communion between yourself and your audience, and if the ideas which you introduce are noble, are good report, truthful, etc you will spread enlightenment among the people themselves. When we are, therefore, face to face with this particular problem, the responsibility of the writers should also be regarded as enormous and I hope they will do their best to spread right ideas, sane thinking and proper feelings. If you are able to do it, you would have done your share in the building up of our country and the building up of a new world.

 

—Radhakrishnan

Image

 

Unknown

ଉପଯୁକ୍ତ ଦାୟାଦ

 

ଭାରତୀୟ ଶାସନତନ୍ତ୍ରରେ ରାଷ୍ଟ୍ରପତିଙ୍କୁ ଭାରତର ଭାଗ୍ୟବିଧାତା ରୂପେ ସର୍ବୋଚ୍ଚ ସ୍ଥାନ ଓ ସମ୍ମାନ ଦିଆଯାଇଛି । ସେ ଆମ ଗଣତନ୍ତ୍ର ରାଷ୍ଟ୍ରର ସର୍ବୋଚ୍ଚ ଅଧିକାରୀ ଓ ନିୟନ୍ତା । ସ୍ଵାଧୀନ ଭାରତର ସମ୍ବିଧାନ ପ୍ରଣୟନ ହେଲା ପରେ ୧୯୫୦ରେ କର୍ମବୀର ଡକ୍ଟର ରାଜେନ୍ଦ୍ର ପ୍ରସାଦ ପ୍ରଥମ ରାଷ୍ଟ୍ରପତି ଓ ୧୯୫୨ରେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ପ୍ରଥମ ଉପରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ । ଡକ୍ଟର ରାଜେନ୍ଦ୍ର ପ୍ରସାଦ ପ୍ରଥମ ଥର ୧୯୫୦ରୁ ୧୯୫୭ ଓ ଦ୍ଵିତୀୟ ଥର ୧୯୫୭ରୁ ୧୯୬୨ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦବୀରେ ଅବସ୍ଥାପିତ ହୋଇଥିଲେ । ସେହିପରି ଡକ୍ଟର ରାଧାକୃଷ୍ଣନ୍ ୧୯୫୨ରୁ ୧୯୫୭ ଏବଂ ଦ୍ଵିତୀୟ ଥର ୧୯୫୭ ରୁ ୧୯୬୨ ପର୍ଯ୍ୟନ୍ତ ଦୁଇଥର ଉପରାଷ୍ଟ୍ରପତି ହୋଇଥିଲେ । ଡକ୍ଟର ରାଜେନ୍ଦ୍ର ପ୍ରସାଦ ୧୯୬୨ ମଇ ମାସରେ ରାଷ୍ଟ୍ରପତି ପଦରୁ ଅବ୍ୟାହତି ନେଲା ପରେ ଉପରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ୍ ୧୯୬୧ ମଇ ୧୧ ତାରିଖ ଦିନ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇଥିଲେ ଓ ଡକ୍ଟର ଜାକିର ହୁସେନଙ୍କୁ ଉପରାଷ୍ଟ୍ରପତି ରୂପେ ନିର୍ବାଚିତ କରଯାଇଥିଲା । ୧୯୬୭ ମଇ ମାସ ୧୩ ତାରିଖରେ ଡକ୍ଟର ରାଧାକୃଷ୍ଣନ୍ ଅବସର ଗ୍ରହଣ କରିବାରୁ ତାଙ୍କ ପରେ ସ୍ଵର୍ଗତ ଡକ୍ଟର ହୁସେନ ରାଷ୍ଟ୍ରପତି ଓ ଶ୍ରୀ ଭି.ଭି. ଗିରି ଉପରାଷ୍ଟ୍ରପତି ରୂପେ ଭାରତର ଶାସନ ସିଂହାସନରେ ଅଭିଷିକ୍ତ ହୋଇଥିଲେ ।

 

ଡକ୍ଟର ହୁସେନ ୧୮୯୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ଆଲିଗଡ଼ ବିଶ୍ଵବିଦ୍ୟାଳୟରେ ଶିକ୍ଷା ସମାପ୍ତ କରି, ଶେଷରେ ଜର୍ମାନୀର ବର୍ଲିନ ବିଶ୍ଵବିଦ୍ୟାଳୟରୁ ଅର୍ଥନୀତି ଓ ରାଜନୀତି ବିଜ୍ଞାନରେ ଡକଟରେଟ୍ ଉପାଧି ଲାଭ କରିଥିଲେ । ଶିକ୍ଷାବିତ୍ ହିସାବରେ ଡକ୍ଟର ହୁସେନଙ୍କର ପଦୋନ୍ନତି ଶିକ୍ଷକଗୋଷ୍ଠୀର ଏକ ମହନୀୟ ଆଦର୍ଶ । ଡକ୍ଟର ରାଧାକୃଷ୍ଣନଙ୍କ ଜୀବନୀ ମଧ୍ୟ ଏହି ଆଦର୍ଶସମ୍ବଳିତ । ଡକ୍ଟର ହୁସେନ ଥିଲେ ବାପୁଜୀଙ୍କର ଏକାନ୍ତ ଅନୁଗାମୀ । ତାଙ୍କରି ନିର୍ଦ୍ଦେଶରେ କେବଳ ରଚନାତ୍ମକ କାର୍ଯ୍ୟରେ ସେ ଆତ୍ମନିୟୋଗ କରିଥିଲେ । ଗାନ୍ଧିଜୀ ୧୯୩୮ ମସିହାରେ ସର୍ବପ୍ରଥମେ ଦେଶରେ ଏକ ନୂତନ ଶିକ୍ଷାପଦ୍ଧତି ପ୍ରଚଳନ ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ତାହା ନୟୀତାଲିମ ବା ମୌଳିକ ଶିକ୍ଷା ନାମରେ ପରିଚିତ । ହରିପୁର ଜାତୀୟ କଂଗ୍ରେସର ଅଧିବେଶନରେ ଏହି ଶିକ୍ଷାନୀତି ପ୍ରବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ସେଥିପାଇଁ ଡକ୍ଟର ଜାକିର ହୁସେନଙ୍କ ଅଧକ୍ଷତାରେ ଏକ କମିଟି ମୁକରିର କରାଯାଇଥିଲା । ସ୍ଵର୍ଗତ ଆର୍ଯ୍ୟନାୟକମ୍, ଶ୍ରୀମତୀ ଆଶା ଦେବୀ, ଡକ୍ଟର ସୟଜନ୍ ପ୍ରମୁଖ ବିଶିଷ୍ଟ ଶିକ୍ଷାବିତମାନେ ଏହି କମିଟିର ସଭ୍ୟ ଥିଲେ । ଏହି ଶିକ୍ଷା ପାଇଁ କମିଟି ଯେଉଁ ନୂତନ ପରିକଳ୍ପନା କରିଥିଲେ, ତାହା ସାଧାରଣତଃ ‘ୱାର୍ଦ୍ଧା ପରିକଳ୍ପନା’ ନାମରେ ସୁବିଦିତ ।

 

ଜାତୀୟ କଂଗ୍ରେସର ନିର୍ଦ୍ଧାରଣ ଅନୁଯାୟୀ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ସର୍ବପ୍ରଥମେ ଏହି ଶିକ୍ଷାପଦ୍ଧତି ପ୍ରଚଳନ କରାଯାଇଥିଲା । ଏହି ଶିକ୍ଷାର ମାନ ଆକଳନ ତଥା ମାର୍ଗ ପ୍ରଦର୍ଶନ ପାଇଁ ଗାନ୍ଧିଜୀଙ୍କ ନିର୍ଦ୍ଦେଶକ୍ରମେ ଗଠନ କରାଯାଇଥିଲା ହିନ୍ଦୁସ୍ଥାନୀ ତାଲିମ୍ ସଂଘ ନାମରେ ଏକ ସଂସ୍ଥା ଓ ସେହି ସଂସ୍ଥାର ଅଧ୍ୟକ୍ଷ ଥିଲେ ଡକ୍ଟର ଜାକିର ହୁସେନ୍ । ବାପୁଜୀଙ୍କର ପରାମର୍ଶ ଓ ସହଯୋଗକ୍ରମେ ଦିଲ୍ଲୀ ନିକଟବର୍ତ୍ତୀ ଓକ୍ଲାହାମା ଠାରେ “ଜାମିଆ ମିଲିଆ” ନାମକ ଏକ ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ କରି ତାହାର କୁଳପତି ଓ ବ୍ୟବସ୍ଥାପକ ରୂପେ ମଧ୍ୟ ସେ ଦୀର୍ଘ ୨୭ ବର୍ଷ କାର୍ଯ୍ୟ କରିଥିଲେ । ମହାତ୍ମା ଗାନ୍ଧୀ ଶିକ୍ଷା, ସଂସ୍କୃତି, ଅର୍ଥନୀତି, ସମାଜନୀତି ସବୁ କ୍ଷେତ୍ରରେ ଚାହୁଁଥିଲେ ଏକ ବୈପ୍ଳବିକ ପରିବର୍ତ୍ତନ । ତେଣୁ ସେ ଏଥିପାଇଁ ବାଛି ନେଇଥିଲେ ପ୍ରବୀଣ ଅନୁଚରବର୍ଗଙ୍କୁ । ତତ୍କାଳୀନ ରାଜନୀତିର ଜଞ୍ଜାଳ ଭିତରେ ନିଜକୁ ନ ଜଡ଼ାଇବା ପାଇଁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 

୧୯୪୭ ମସିହାରେ ଡକ୍ଟର ହୁସେନ ଗାନ୍ଧିଜୀଙ୍କୁ ପ୍ରଶ୍ନ କରିଥିଲେ—“ଆଦର୍ଶ ରାଜ୍ୟର ଉଦଘାଟନ ଓ ପରିଚାଳନା ପାଇଁ ଆମର କ’ଣ ଆଦର୍ଶ ଲୋକେ କ୍ଷମତାକୁ ଯିବା ଦରକାର ହେବ ନାହିଁ ?” ଉତ୍ତରରେ ଗାନ୍ଧିଜୀ କହିଥିଲେ—“ଆମେ ନିଜେ କ୍ଷମତାକୁ ନ ଯାଇ ଆମ ମନ ମୁତାବକ ଲୋକ ପଠାଇ ପାରିବା । ଆଜି କଂଗ୍ରେସର ପ୍ରତ୍ୟେକ ଲୋକ କ୍ଷମତା ପଛରେ ଧାଉଁଛି, ଯାହା କି ଘୋର ବିପଦସୂଚକ । କ୍ଷମତାଲିପ୍‍ସୁଙ୍କ ସହିତ ଆମ୍ଭେ କାନ୍ଧ ମିଳାଇ ଚାଲିପାରିବା ନାହିଁ । ଏହା ମୋର ଦୃଢ଼ ମତ ଯେ ଆମକୁ ରାଜନୀତିକ କ୍ଷମତା ଠାରୁ ଦୂରେଇ ରହିବାକୁ ହେବ” । ବାପୁଜୀଙ୍କର ଏହି ମହାନ୍ ଉପଦେଶରେ ଡକ୍ଟର ହୁସେନ ବହୁ ଭାବରେ ହୋଇଥିଲେ ଅନୁପ୍ରାଣିତ । ସେହି ବର୍ଷ ବାପୁଜୀ ରଚନାତ୍ମକ କାର୍ଯ୍ୟର ପୁନର୍ଗଠନ ପ୍ରସଙ୍ଗରେ ଡକ୍ଟର ହୁସେନଙ୍କ ନାମ ଉଲ୍ଲେଖ କରି ବିଶିଷ୍ଟ ସମାଜସେବୀ ଶ୍ରୀ ଶଙ୍କର ରାଓ ଦେଓଙ୍କୁ କହିଥିଲେ—“Dr. Jakir Hussain is a great organizer”.

 

ଶିକ୍ଷାବିତ୍ ହିସାବରେ ଡକ୍ଟର ଜାକିର ହୁସେନଙ୍କର ପଦୋନ୍ନତି ସମଗ୍ର ଶିକ୍ଷକଗୋଷ୍ଠୀର ଆଦର୍ଶ । ଜଣେ ଶିକ୍ଷକ ତାଙ୍କର ଅଧ୍ୟବସାୟ ଓ ମେଧା ବଳରେ ଯେ ସର୍ବୋଚ୍ଚ ଆସନ ଅଧିକାର କରିପାରେ, ତାହା ଡକ୍ଟର ରାଧାକୃଷ୍ଣନ୍ ଓ ଜାକିର ହୁସେନଙ୍କ ଜୀବନରୁ ପ୍ରତିପାଦିତ ହୋଇଛି । ଊନବିଂଶ ଶତାବ୍ଦୀର ଶେଷଭାଗକୁ ଆଲିଗଡ଼ ମୁସଲିମ୍ ବିଶ୍ଵବିଦ୍ୟାଳୟ ଏକ ସଂକୀର୍ଣ୍ଣ ସାମ୍ପ୍ରଦାୟିକ ଅନୁଷ୍ଠାନ ରୂପେ ଅପଯଶ ଅର୍ଜନ କରିଥିଲା । ଦେଶର ଯେ କୌଣସି ପ୍ରାନ୍ତରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ଲାଗିଲେ ତାହାର ତୀବ୍ର ପ୍ରତିକ୍ରିୟା ବିଶ୍ଵବିଦ୍ୟାଳୟରେ ଅନୁଭୂତ ହେଉଥିଲା । ଭାରତ ସ୍ଵାଧୀନ ହେବା ପରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦ ସେହି ବିଶ୍ଵବିଦ୍ୟାଳୟରୁ ସାମ୍ପ୍ରଦାୟିକତା ଦୂର କରିବା ପାଇଁ ଡକ୍ଟର ହୁସେନଙ୍କୁ ତାହାର କୁଳପତି ପଦ ଗ୍ରହଣ କରିବାକୁ ଅନୁରୋଧ କଲେ । ସେହି ଅନୁରୋଧ ରକ୍ଷା କରି ସେ ୧୯୪୮ ମସିହାରୁ ୧୯୫୬ ପର୍ଯ୍ୟନ୍ତ ଆଲିଗଡ଼ ବିଶ୍ଵବିଦ୍ୟାଳୟର କୁଳପତି ଆସନରେ ରହିଥିଲେ । ସେହି ଦାୟିତ୍ଵପୂର୍ଣ୍ଣ ପଦବୀରେ ଥାଇ ମଧ୍ୟ ସେ ଆନ୍ତଃବିଶ୍ଵବିଦ୍ୟାଳୟ ସଂଗଠନ ଓ କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଆସନ ଅଳଙ୍କୃତ କରିଥିଲେ ।

 

ଶିକ୍ଷାକ୍ଷେତ୍ରରେ ତାଙ୍କର ଅସାଧାରଣ ସାଫଲ୍ୟ ତୁଙ୍ଗ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଫଳରେ ପଣ୍ଡିତ ନେହେରୁ ତାଙ୍କୁ ସକ୍ରିୟ ରାଜନୀତିରେ ଭାଗ ନେବା ପାଇଁ ବାଧ୍ୟ କରିଥିଲେ । ତଦନୁଯାୟୀ ୧୯୫୭ ମସିହାରେ ସେ ବିହାରର ରାଜ୍ୟପାଳ ରୂପେ ଦାୟିତ୍ଵ ଗ୍ରହଣ କରିଥିଲେ ଓ କ୍ରମେ ସେ ରାଷ୍ଟ୍ରପତି ପଦବୀର ଅଧିକାରୀ ହୋଇପାରିଥିଲେ । ଭାରତ ହିନ୍ଦୁ ବହୁଳ ରାଷ୍ଟ୍ର ହେଲେ ହେଁ, ସଂଖ୍ୟା ଲଘୁ ସମ୍ପ୍ରଦାୟର ଜଣେ ନାଗରିକ ଭାବରେ ଭାରତର ସର୍ବୋଚ୍ଚ ଆସନ ସେ ମଣ୍ଡନ କରିପାରିଥିଲେ । ଏହା ସମଗ୍ର ବିଶ୍ଵର ଦୃଷ୍ଟି ଆକର୍ଷଣ କରିଥିଲା । ଭାରତ ଯେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ତାହା ମଧ୍ୟ ବିଶ୍ଵ ଦରବାରରେ ପ୍ରମାଣିତ ହୋଇପାରିଛି । ୧୯୬୩ରେ ରାଷ୍ଟ୍ରପତି ରାଧାକୃଷ୍ଣନ୍ ତାଙ୍କର ବହୁରଶ୍ମିଯୁକ୍ତ ପ୍ରତିଭାକୁ ସମ୍ମାନ ଦେଖାଇବା ଲାଗି ‘ଭାରତରତ୍ନ’ ଉପାଧିରେ ତାଙ୍କୁ ଭୂଷିତ କରିଥିଲେ ।

Image

 

ବାଣୀ ଓ ବାର୍ତ୍ତା

 

୧.

ଆମ୍ଭେମାନେ ସମସ୍ତେ ସକଳ ରାଜନୀତିକ ବିବାଦକୁ ଭୁଲିଯାଇ ମନେରଖିବା ଯେ ଆମ ଦେଶର ଯେଉଁ ସବୁ ମୌଳିକ ଆର୍ଥନୀତିକ ଓ ସାମାଜିକ ସମସ୍ୟା ଆମ ସମସ୍ତଙ୍କୁ ସମଭାବରେ ଘେରି ରହିଛି, ତା’ର ସମାଧାନ ପାଇଁ ସମସ୍ତେ ଏକତାବଦ୍ଧ ହୋଇ କାର୍ଯ୍ୟ କରିବା ।

 

 

୨.

ପେଖନା ଓ ଲଘୁ ଆଚାର ବିଚାରରେ ବଡ଼ପଣିଆ ମିଳି ନ ଥାଏ, ଏଥିପାଇଁ ଦରକାର ପ୍ରଚେଷ୍ଟା ଓ ସଂଗ୍ରାମ ।

 

 

୩.

ସତ୍ୟ ପାଇଁ ସ୍ଵାର୍ଥତ୍ୟାଗ କରିବାକୁ ଯେ ଯୁକ୍ତି ବାଢ଼େ, ନ୍ୟାୟର ସେ ବିରୁଦ୍ଧାଚରଣ କରେ । ଅନ୍ୟାୟ ଉପରେ ପ୍ରତିଷ୍ଠିତ କୌଣସି ସଭ୍ୟତା ବେଶିଦିନ ତିଷ୍ଠି ପାରେ ନାହିଁ ।

 

 

୪.

ଧର୍ମ ବ୍ୟକ୍ତିର ଶ୍ରୋତ୍ରୀୟ ମନୋଭାବ ନୁହେଁ, ଏହା ଅଭ୍ୟାସଭୁକ୍ତ ଏକ ନୈସର୍ଗିକ ନିୟମ ।

 

 

୫.

ମଣିଷଜାତି ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରୁଛି ମଣିଷ । ଯଦି ନ୍ୟାୟ ଓ ପ୍ରେମର ମୁକାବିଲା ଘୃଣା ଜରିଆରେ କରାଯାଏ, ତାହା ହେଲେ ତା’ର ଭବିଷ୍ୟତ ଅନ୍ଧକାରମୟ ।

 

 

୬.

ଗଣତନ୍ତ୍ର କେବଳ ଗୋଟିଏ ସରକାରୀ ଶାସନ ବ୍ୟବସ୍ଥା ନୁହେଁ, ଏହା ଏକ ଜୀବନର ପଥବିଶେଷ । ଆମେ କେବଳ ଗଣତନ୍ତ୍ରର ବାହ୍ୟ ବ୍ୟବସ୍ଥା ପ୍ରତି ତୀକ୍ଷ୍‍ଣ ଦୃଷ୍ଟି ଦେଉଛୁ; କିନ୍ତୁ ଆଭ୍ୟନ୍ତରୀଣ ଆଭିମୁଖ୍ୟ ସ୍ଵତଃ ଅବହେଳିତ ହେଉଛି ।

 

 

୭.

ଆଜି ସର୍ବସାଧାରଣଙ୍କ ଜୀବନରେ ଅସାଧୁତା ଅବାଧରେ ପ୍ରବେଶ କରିବାରେ ଲାଗିଛି । ଏଥିପ୍ରତି ଆମକୁ ସାବଧାନ ରହିବାକୁ ପଡ଼ିବ ଓ ସମୟ ସହିତ ପାଦ ମିଳାଇ, ସଂସ୍କାରମୂଳକ ଚିତ୍ତବୃତ୍ତି ନେଇ ଜୀବନ ଓ ସମାଜରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ।

 

 

୮.

ଆମ୍ଭେମାନେ ନୈରାଶ୍ୟବାଦୀ ହେବା ଉଚିତ ନୁହେଁ । ଆମ ରାଜନୈତିକ ନେତୃବୃନ୍ଦଙ୍କର ଦେଶର ଭବିଷ୍ୟତ ବିଷୟରେ ସ୍ଥୂଳଧାରଣା ରହିବା ଉଚିତ । ବ୍ୟକ୍ତିକୈନ୍ଦ୍ରିକ ଚିନ୍ତା ଯଦି ତାଙ୍କ ମନରେ ପ୍ରବେଶ କରେ, ତେବେ ଦେଶର ଅଗ୍ରଗତି ପ୍ରତିହତ ହେବା ସ୍ଵାଭାବିକ ।

 

 

୯.

ବର୍ତ୍ତମାନ ଦେଖାଦେଉଥିବା ବିଭିନ୍ନ ଅବ୍ୟବସ୍ଥାର ଦୂରୀକରଣ ପାଇଁ, ନୈତିକ ପୁନରୁତଥାନ ଦରକାର । ବିବେକ ବିନା ଜ୍ଞାନ ଆହରଣ ଅସମ୍ଭବ—‘ନ ବିବେକମ୍ ବିନା ଜ୍ଞାନମ୍’ । ଜ୍ଞାନନୁସରଣ ପ୍ରତି ବହୁବର୍ଷରୁ ମୁଁ ଆକୃଷ୍ଟ । ମୋର ବହୁମୁଖୀ କାର୍ଯ୍ୟ ସତ୍ତ୍ୱେ ଏହି ଜ୍ଞାନଲିପ୍‌ସା ମୋତେ ଅସରନ୍ତି ପ୍ରେରଣା ଯୋଗାଇଥାଏ ।

 

 

୧୦.

ଅନ୍ୟ ସହିତ ସହଯୋଗ କରିବାର କ୍ଷମତା ଶିକ୍ଷାର ପ୍ରକୃଷ୍ଟ ନିଦର୍ଶନ । ବ୍ୟକ୍ତି ଓ ଗୋଷ୍ଠୀ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ ।

 

 

୧୧.

ଆତ୍ମଶୁଦ୍ଧି ହିଁ ଧର୍ମର ଲକ୍ଷ୍ୟ । ଯଦି ସମାଜ ପ୍ରତି ଏହା ପ୍ରଯୁଜ୍ୟ ନ ହୁଏ, ତାହା ହେଲେ ସଭ୍ୟତା ଓ ମାନବିକତା ନିରାପଦ ନୁହେଁ ।

 

 

୧୨.

ଭାରତର କୌଣସି ଭାଷାକୁ ସଂସ୍କୃତ ସହିତ ତୁଳନା କରାଯାଇ ନ ପାରେ । କାରଣ ସଂସ୍କୃତ ପରି ଅନ୍ୟ କୌଣସି ଭାଷାର ଆମ ସଂସ୍କୃତି ଓ ଜୀବନର ଚିତ୍ତବୃତ୍ତି ସହିତ ନିବିଡ଼ ସମ୍ପର୍କ ନାହିଁ । ସଂସ୍କୃତ ଭାଷାକୁ ଅବହେଳା କଲେ, ଆମେ ଭାରତୀୟ ବୋଲି ଗର୍ବ କରି ପାରିବା ନାହିଁ; ବରଂ ହିନ୍ଦୁଧର୍ମ ଧ୍ଵଂସାଭିମୁଖୀ ହେବ ।

 

 

୧୩.

ଅତୀତଠାରୁ ବର୍ତ୍ତମାନ ବହୁଭାବରେ ଭିନ୍ନ । ବର୍ତ୍ତମାନଠାରୁ ଭବିଷ୍ୟତ ହୁଏ ତ ଆହୁରି ଭିନ୍ନ ହେବ । ଏ ବିଭେଦ, ବିଚ୍ଛେଦ ଓ ବିଭିନ୍ନତା ଭିତରେ ଓ ବିବର୍ତ୍ତନର ପ୍ରକ୍ରିୟାରେ ଏବଂ ଏସିଆରେ ଘୋର ଯୁଦ୍ଧର ଘନଘଟା ଭିତରେ ଭାରତର ଜାତୀୟତା ଓ ଏକତା ରକ୍ଷା କରିବା ସହଜ କଥା ନୁହେଁ । ଏ ସଙ୍କଟର ସମ୍ମୁଖୀନ ହେବାକୁ ହେଲେ ଦେଶରେ ଏକତା, ଶାସନରେ ନିର୍ମଳତା ଏବଂ ସଭ୍ୟତା ଓ ସଂସ୍କୃତିରେ ଉଦାରତା ଓ ଆଚରଣରେ ସହନଶୀଳତା ଏକାନ୍ତ ଆବଶ୍ୟକ ।

 

 

୧୪.

“ମୁଁ ସନ୍ନ୍ୟାସୀ ନୁହେଁ; କାରଣ ମୋର ଜୀବନର ଆନନ୍ଦ ସାଂସାରିକ ସ୍ନେହମମତା, ବନ୍ଧୁତା, ଭକ୍ତି ଓ ଅନୁରକ୍ତି ଅଛି । ଏହାର ବ୍ୟତିକ୍ରମରେ ମୁଁ ଦୁଃଖ ଅନୁଭବ କରିଥାଏ । ମୁଁ ଚାହେଁ ସାଧାରଣ ମଣିଷର ଜୀବନ, ସନ୍ନ୍ୟାସୀର ଜୀବନ ନୁହେଁ ।

 

 

୧୫.

ସାମାଜିକ ସଂହତି ପାଇଁ ସର୍ବସାଧାରଣଙ୍କ ଦ୍ଵାରା ଗୋଟିଏ ନୀତି ଅନୁସୃତ ହେବା ଉଚିତ । ସଭ୍ୟତା ଇଟା, ଚୂନ, ପଥର କିମ୍ବା ଲୁହାରେ ଗଢ଼ି ଉଠେ ନାହିଁ । ଏଥିପାଇଁ ଦରକାର ସହଯୋଗ, ସେବାମନୋବୃତ୍ତି ଓ ନିର୍ମଳ ଚିନ୍ତାଶକ୍ତି ସମ୍ପନ୍ନ ସ୍ତ୍ରୀ ଓ ପୁରୁଷ ।

 

 

୧୬.

ଦର୍ଶନର ଲକ୍ଷ୍ୟ ମଣିଷକୁ ସାଂସାରିକ ସ୍ତରରୁ ଊର୍ଦ୍ଧ୍ଵକୁ ନେବା, ଉନ୍ନତ ତଥା ଅଭିରୁଚିସମ୍ପନ୍ନ ବାତାବରଣ ସୃଷ୍ଟି କରିବା, ଲୌକିକ ଜୀବନକୁ ଉନ୍ନତ ତଥା ରୂଦ୍ଧିମନ୍ତ କରିବା ।

 

 

୧୭.

ବିଶ୍ଵଶାନ୍ତି ସର୍ବଦା ପ୍ରଗତିଶୀଳ । ଏହା କମ୍ୟୁନିଜିମ୍ ଠାରୁ ସ୍ଵତନ୍ତ୍ର । ଆର୍ଥିକ ପ୍ରଗତି ଓ ବିକାଶ ପାଇଁ ଆଜିର ଦୁନିଆଁ ଆଗୁସାର । ପରର ଅକ୍ଷମତାରୁ ଅନୁଚିତ ଲାଭ ଉଠାଇବା ପ୍ରକୃତ ତଥା ପ୍ରକୃଷ୍ଟ ମାନବିକତାର ପରିଚାୟକ ନୁହେଁ । ଆମେ ଆଜି ଆମେରିକୀୟ କିମ୍ବା ରୁଷୀୟ ଜୀବନପ୍ରଣାଳୀ ଚାହୁଁ ନା । ମାନବୀୟ ଜୀବନପ୍ରଣାଳୀ ଆମର କାମ୍ୟ ।

 

 

୧୮.

ମାନସିକ ଓ ନୈତିକ ଅତ୍ୟାଚାରର ଯେ ବିରୋଧ କରେ, କଠୋର ରାଷ୍ଟ୍ରୀୟ ଚିନ୍ତାକୁ ଭୁଲି ଯାଇ ବିଶ୍ଵଭାବନାର ବିକାଶ ପାଇଁ ଯେ ତତ୍ପର ହୁଏ, ତାକୁ ଧର୍ମାନ୍ଧତା ସହଜେ ଗ୍ରାସ କରିପାରେ ନାହିଁ ।

 

 

୧୯.

ଧନପାଇଁ ପ୍ରବଳ ଲାଳସା ଆଧୁନିକ ସଭ୍ୟତାର ଏକ କଳଙ୍କ ସ୍ୱରୂପ । ମଣିଷ ଦୁର୍ଭାଗ୍ୟବଶତଃ ଧନସର୍ବସ୍ଵ ହୋଇପଡ଼େ । ସେ ଭାବେ, ଧନବଳରେ ଅସାଧ୍ୟ ସାଧିତ ହୋଇପାରେ; କିନ୍ତୁ ଏହା ସତ୍ୟ ନୁହେଁ । ମାନସିକ ସୁଖ, ଆତ୍ମସନ୍ତୋଷ ଇତ୍ୟାଦିକୁ ଧନଦେଇ ମଣିଷ କିଣିପାରେ ନାହିଁ ।

Image

 

ବିଦାୟକାଳୀନ ବାର୍ତ୍ତା

 

ଡକ୍ଟର ରାଧାକୃଷ୍ଣନ୍ ତାଙ୍କର ରାଷ୍ଟ୍ରପତି ପଦରୁ ବିଦାୟ ନେବାର ଅବ୍ୟବହିତ ପୂର୍ବରୁ ଏକ ବାର୍ତ୍ତାରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ନବନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ଜାକିର ହୁସେନ୍‌ଙ୍କର ସଫଳତା ସେ କାମନା କରନ୍ତି । ଡକ୍ଟର ହୁସେନ ଯେତେବେଳେ ଯେଉଁସବୁ କାର୍ଯ୍ୟର ଦାୟିତ୍ୱ ମୁଣ୍ଡାଇଛନ୍ତି, ସେତେବେଳେ ତାହାକୁ ସେବାସୌରଭରେ ମହକାଇ ଦେଇ ପାରିଛନ୍ତି । ଶିକ୍ଷାକ୍ଷେତ୍ରରେ ତାଙ୍କର ସୁଦୂରପ୍ରସାରୀ ଅଭିଜ୍ଞତାରୁ ଦେଶ ଯଥେଷ୍ଟ ଲାଭ ପାଇଛି । ଦେଶର ରାଷ୍ଟ୍ରପତି ହେଉଛନ୍ତି ଜାତୀୟ ଧ୍ୟେୟ ଓ ସଂହତିର ପ୍ରତୀକ । ତେଣୁ ଦେଶର ସୁଦୃଢ଼, ଅବିଚଳ ପ୍ରଗତି ପାଇଁ ତାଙ୍କର ପ୍ରଭାବ ଯଥେଷ୍ଟ କାର୍ଯ୍ୟ ଦେଖାଇବ । ପୁନଶ୍ଚ ସେ କହିଥିଲେ । ଯେ ଗତ ନିର୍ବାଚନ ଆମ ଦେଶର ଗଣତାନ୍ତ୍ରିକ ମନୋବୃତ୍ତିର ପ୍ରଛନ୍ନ ଶକ୍ତିକୁ ପରିସ୍ଫୁଟ ଓ ପ୍ରମାଣିତ କରିଦେଇଛି । ଦେଶର କେତେକ ରାଜ୍ୟରେ ବିଭିନ୍ନ ରାଜନୌତିକ ଗୋଷ୍ଠୀ ସୁଶୃଙ୍ଖଳ ପଦ୍ଧତିରେ ଯଦି ଶାସନଗାଦିକୁ ଆସିଯାନ୍ତା, ତାହା ଫଳରେ ରାଷ୍ଟ୍ରୀୟ ନବନିର୍ମାଣରେ ସମସ୍ତଙ୍କ ସହଯୋଗ ମିଳିବା ପାଇଁ ଏକ ବ୍ୟାପକ ତଥା ନୂତନ ସୁଯୋଗର ଭୂମିକା ଉଦ୍‌ଘାଟିତ ହୋଇଯିବ ବୋଲି ସେ ଆଶାପ୍ରକାଶ କରିଥିଲେ । ସେ ପୁଣି କହିଥିଲେ, ଦେଶ ବର୍ତ୍ତମାନ ଅନିଶ୍ଚିତତା ଓ ସଂଶୟ ଭିତରେ ଗତି କରୁଛି । ଏହିପରି ଦୁର୍ଦ୍ଦିନ ଆମ ଦେଶର ଇତିହାସରେ ବହୁବାର ଦେଖାଦେଇଛି । ଏହାର ସମ୍ମୁଖୀନ ହେବା ପାଇଁ ଆମର ଅପରିମିତ ଧୈର୍ଯ୍ୟ ଓ ବିଜ୍ଞତା ଆବଶ୍ୟକ । ତାହାହେଲେ ଯାଇ ଏହି ନବଯୁଗ ନିର୍ମାଣରେ ଆମର ସକ୍ରିୟ ଅବଦାନ ଅନୁଭୂତ ହେବ । ପୁନଶ୍ଚ ସେ କହିଥିଲେ ଯେ ଗତ ଦୁଇ ତିନି ବର୍ଷରେ କୃଷି ଆମଦାନି କମ୍‌ ହୋଇଥିବାରୁ ଆମର ଆର୍ଥିକ ପ୍ରଗତିରେ ବାଧା ଓ ଅନିଶ୍ଚିତତା ସୃଷ୍ଟି ହୋଇଛି ବୋଲି କହି ଆମର ମୌଳିକ ପତିଶ୍ରୁତିକୁ ଫାଙ୍କିଦେବା ଠିକ୍‌ ନୁହେଁ । ଅନାବଶ୍ୟକ ଖର୍ଚ୍ଚ କମାଇବା, ନିଅଣ୍ଟିଆ ଅର୍ଥ ବ୍ୟବସ୍ଥାକୁ ପରିହାର କରିବା ତଥା ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ବିହାର ଓ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଦେଖାଦେଇଥିବା ବିକଟାଳ ବୁଭୁକ୍ଷାକୁ ଲକ୍ଷ୍ୟକରି ସେ କହିଥିଲେ—‘‘ଅନାହାର ପ୍ରପୀଡ଼ିତ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦୂର କରିବା ଲାଗି ସରକାର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି; କିନ୍ତୁ ଆଶଙ୍କା ହେଉଛି, ପ୍ରୟୋଜନ ତୁଳନାରେ ତାହା ଯଥେଷ୍ଟ ନୁହେଁ । ବର୍ତ୍ତମାନର ଅବସ୍ଥାକୁ—ଖାଦ୍ୟାଭାବ ହୋଇଛି ଓ ଦୁର୍ଭିକ୍ଷ ପଡ଼ିଛି, କି ପୃଷ୍ଟିକର ଖାଦ୍ୟ ମିଳୁନାହିଁ—ଏହିପରି ଭାବରେ ତର୍କବିତର୍କର ବିଷୟ ବସ୍ତୁ କଲେ ଆମେ ସତ୍ୟକୁ ଫାଙ୍କି ଦେଇପାରିବା ନାହିଁ; କାରଣ ଏବେ ଖାଦ୍ୟ ବଣ୍ଟନର ଅବ୍ୟବସ୍ଥା ଓ ଯଥେଷ୍ଟ ପ୍ରସ୍ତୁତିର ଅଭାବ ଯୋଗୁଁ ଅଗଣିତ ଜନତା ଦୁଃଖକଷ୍ଟ ଭୋଗ କରୁଅଛନ୍ତି । ଏହି ଦୁଃଖଦୁର୍ଦ୍ଦଶା ନିଜ ଉପରେ ପଡ଼ୁଛି ବୋଲି ବିଚାରି ଦେଶର ସବୁ ଆଡ଼ର ଲୋକେ ଏକ ଶକ୍ତିଶାଳୀ ଉଦ୍ୟମ ଦ୍ୱାରା ଦୁର୍ଭିକ୍ଷପ୍ରପୀଡ଼ିତ ଅଞ୍ଚଳ ପାଇଁ ଦେଶବାସୀଙ୍କ ମନରେ କରୁଣାର ଉଦ୍ରେକ କରିବାକୁ ଜନମତ ସୃଷ୍ଟି କରନ୍ତୁ ବୋଲି ସେ ନିବେଦନ କରିଥିଲେ । ଦେଶର ଆର୍ଥିକ ଅଭିବୃଦ୍ଧି ସମ୍ପୂର୍ଣ୍ଣ ରୂପେ କୃଷି ଉପରେ ନିର୍ଭର କରୁଥିବାରୁ କୃଷିକୁ ସାଫଲ୍ୟମଣ୍ତିତ କରିବା ପାଇଁ ଜମିଜମା ବ୍ୟବସ୍ଥାରେ ଓ କୃଷିବିଭାଗର ଶାସନ ବ୍ୟବସ୍ଥାରେ ସଂସ୍କାରର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ସେ ଅଭିମତ ବ୍ୟକ୍ତ କରିଥିଲେ ।

ଚୀନ୍ ଓ ପାକିସ୍ଥାନ ବିଷୟରେ ଡକ୍ଟର ରାଧାକୃଷ୍ଣନ୍‌ କହିଲେ ଯେ ଆମର ଏଇ ଦୁଇଟି ପ୍ରତିବେଶୀ ରାଷ୍ଟ୍ର ସହିତ ସମ୍ମାନଜନକ ସମାଧାନର ବାଟ ବାହାର କରିବା କିଛି ମାନବ ବୁଦ୍ଧିର ବହିର୍ଭୂତ ବସ୍ତୁ ନୁହେଁ । ସେ ଭଳି ସମାଧାନ କରିପାରିଲେ ଆମ ଦେଶ ଓ ଜାତି ଆର୍ଥିକ ତଥା ସାମାଜିକ ପ୍ରଗତିର ପଥ ଅନୁସରଣରେ ସଫଳତା ହାସଲ କରିପାରିବ ।

କ୍ଷମତାସୀନ ବ୍ୟକ୍ତିମାନଙ୍କୁ ସେ ଉପଦେଶ ଦେଇ କହିଲେ—‘‘ହୃଦୟରେ ନମ୍ରଭାବ ପୋଷଣ କରିବା ଓ ଦେଶର ଦରିଦ୍ରତମ ବ୍ୟକ୍ତିଙ୍କ ସହିତ ନିଜକୁ ଜଣେ ବୋଲି ବିଚାରିବା ପ୍ରତ୍ୟେକ ରାଜନୀତିଜ୍ଞର କର୍ତ୍ତବ୍ୟ ହେଉ । ଏହି ଆପ୍ତବାଣୀ ଆମ ସମ୍ମୁଖରେ ସର୍ବଦା ଜାଜ୍ୱଲ୍ୟମାନ ରହିବା ଉଚିତ ଯେ ଯେତେ ଦୁଃଖ କଷ୍ଟ ଭୋଗିବାକୁ ପଡ଼ୁପଛେ, ସେବା କରିବୁ ଓ ଯେତେ ଶସ୍ତାରେ ମିଳିଲେ ମଧ୍ୟ କ୍ଷମତାକୁ ଆବୋରି ବସିବୁ ନାହିଁ ।” ସେ ପୁଣି କହିଲେ—‘‘ମୋର ଆନ୍ତରିକ ଆଶା ଓ ଭଗବାନଙ୍କ ଠାରେ ପ୍ରାର୍ଥନା ଯେ ଆମ ଦେଶ ସମୃଦ୍ଧିର ପଥରେ ଅଗ୍ରଗତି କରୁ । ଚାରିତ୍ରିକ ସ୍ୱଚ୍ଛତା ଅତ୍ୟଧିକ ମାତ୍ରାରେ ଆମ ସମାଜରେ ସର୍ବତ୍ର ପ୍ରକଟିତ ହେଉ ଓ ଆମ ଦେଶର ସାଧାରଣ ବ୍ୟକ୍ତି ସୁଖସମୃଦ୍ଧି ଜୀବନ ତଥା ଜୀବନ ଧାରାଣର ମାନବିକ ସ୍ତର ପ୍ରାପ୍ତହେଉ ।”

ଶେଷରେ ସେ କହିଥିଲେ, ‘‘ଭୋକିଲା ଓ ବେକାର ଲୋକମାନେ ହିଁ ବିପ୍ଳବ କରିଥାନ୍ତି । ତେଣୁ ପ୍ରାଦେଶିକ ସଂକୀର୍ଣ୍ଣତା, ରାଜନୈତିକ ବାଦବିସମ୍ୱାଦକୁ ଦୂରରେ ଠେଲିଦେଇ ଜାତିର ଦାରିଦ୍ର୍ୟ, ସାମାଜିକ ବୈଷମ୍ୟକୁ ଦୂର କରିବା ପାଇଁ ସମସ୍ତେ ବଦ୍ଧପରିକର ହେବା ଉଚିତ ।”

‘‘Neglect of social duty, results in stunted growth and militates against the true spirit of democracy, If political democracy has to be sustained, economic democracy has to be speeded up. We have to reduce inequalities by Crowding the sweat and tears of Centuries in to a generation.’’

—Radhakrishnan

Image

 

ତାଙ୍କ ଦୃଷ୍ଟିରେ ଗାନ୍ଧିଜୀ

 

ଗାନ୍ଧିଜୀ ମୁଖ୍ୟତଃ ଥିଲେ ଜଣେ ଧାର୍ମିକ ବ୍ୟକ୍ତି ଯଦିଚ ତାଙ୍କର ଧର୍ମ ସମସ୍ତ ଭୌଗୋଳିକ ସୀମାକୁ ଅତିକ୍ରମ କରିଥିଲା । ଏହି ସଂସାର ଓ ତା’ର ସମସ୍ତ ପୂର୍ଣ୍ଣତା ଉପରେ ଈଶ୍ୱର ହିଁ ଅଧିକାରୀ, ‘ଈଶାବାସ୍ୟମ୍ ଇଦମ୍ ସର୍ବମ୍ ।’ ରାଜନୀତି ମଧ୍ୟରେ ସେ ଧର୍ମକୁ ଅନ୍ତର୍ଭୁକ୍ତ କରିଥିଲେ-। ଏ ଧର୍ମ ହେଉଛି ମୁକ୍ତ ଆତ୍ମା, ଜ୍ଞାନ ଓ ପ୍ରେମର ଧର୍ମ ।

 

ସେ ଆମ ଦେଶର ଭାଗ୍ୟ ବିଧାନ କରିଥିଲେ ଓ ଆମକୁ ସ୍ୱାଧୀନତା ଲାଭରେ ସାହାଯ୍ୟ କରିଥିଲେ । ସଶସ୍ତ୍ର ବିଦ୍ରୋହ ଦ୍ୱାରା ସ୍ୱାଧୀନତା ଲାଭର ଯେଉଁ ପ୍ରାଚୀନପଦ୍ଧତି ଥିଲା, ତାକୁ ସେ ବଦଳାଇ ଦେଇଥିଲେ ଓ ଶାନ୍ତିପୂର୍ଣ୍ଣ ପନ୍ଥାରେ ସ୍ୱାଧୀନତା ଲାଭର ବ୍ୟବସ୍ଥା କରିଥିଲେ । ବିବାଦର ସମାଧାନ ପାଇଁ ହିଂସା ତାଙ୍କ ପକ୍ଷରେ ଏକ ଅପରିହାର୍ଯ୍ୟ ଐତିହାସିକ ସତ୍ୟ ନ ଥିଲା । ଆମର ଲକ୍ଷ୍ୟ ଯାହା ହେଉ ନା କାହିଁକି ଆମେ ହିଂସା, ମୃତ୍ୟୁ ଓ ଧ୍ୱଂସର ପଥ ପରଣ କରିବା ନାହିଁ । ଅନ୍ୟାୟର ମାର୍ଗ ଶେଷରେ ଭଲ ଫଳ ଦିଏ ନାହିଁ । ଅତ୍ୟାଚାରିତମାନଙ୍କ ସଙ୍ଗେ ଆମର ଭାଗ୍ୟ ଜଡ଼ିତ ହେବା ଆବଶ୍ୟକ, ଅତ୍ୟାଚାରୀଙ୍କ ସଙ୍ଗେ ନୁହେଁ । ଯେତେ କଷ୍ଟ ହେଉ ନା କାହିଁକି, ଆମେ ତାକୁ ଗ୍ରହଣ କରିବା ଉଚିତ; କିନ୍ତୁ ଅନ୍ୟକୁ କଷ୍ଟ ଦେବା ଉଚିତ ନୁହେଁ । ଯେତେବେଳେ ଆମର ସମସ୍ତ କାର୍ଯ୍ୟର ମୂଳରେ ଇଶ୍ୱରଙ୍କ ପ୍ରତି ଶ୍ରଦ୍ଧା ରହିଛି, ଦୁଃଖରେ ହିଁ ଆମେ ଆନନ୍ଦ ଅନୁଭବ କରିବା ଉଚିତ । ହିଂସାର ପ୍ରୟୋଗ ନ କରି ଆମେ ଅନ୍ୟାୟର ବିରୋଧ କରିପାରିବା । ମାନବଜାତିର କାର୍ଯ୍ୟରେ ନୈତିକ ବିଶ୍ୱାସର ଏକ ପ୍ରଧାନ ସ୍ଥାନ ରହିଛି । ଗାନ୍ଧିଜୀ ତାଙ୍କର ସବୁଠାରୁ ବଳି ଶତ୍ରୁ ପ୍ରତି ମଧ୍ୟ କେବେ ନିର୍ଦ୍ଦୟ ବା ଅସଦ୍ ବ୍ୟବହାର କରିନାହାନ୍ତି; ସେ ଭାରତୀୟ ହେଉ ବା ଇଂରାଜୀ ହେଉ । ଜଣେ ବିଶିଷ୍ଟ ଇଂରେଜ ଭଦ୍ରବ୍ୟକ୍ତିଙ୍କୁ ସେ ଥରେ କହିଥିଲେ, ‘‘ତୁମେ ଆମ ପିଠିରୁ ଓହ୍ଲାଇ ପଡ଼, ତା’ ହେଲେ ଆମେ ହାତ ଧରାଧରି ହୋଇ ଚାଲିବା ।’’ ତାଙ୍କର ଭବିଷ୍ୟତ ବାଣୀ ସତ୍ୟ ହୋଇଛି ଏବଂ ଯେଉଁମାନେ ଦିନେ ଆମର ଶାସକ ଥିଲେ, ସେମାନେ ଆମର ବନ୍ଧୁ ହୋଇଛନ୍ତି ।

 

ଆମ ଦେଶର ଏହି ସଂଗଠନ ସମୟରେ ଗାନ୍ଧିଜୀଙ୍କର ଶିକ୍ଷା ଆମେ ମନେରଖିବା ଉଚିତ । ଯେତେବେଳେ କୌଣସି ଦେଶ ସ୍ଵାଧୀନତା ଲାଭ କରେ, ଦେଶର ବିରାଟ ଅନ୍ତର୍ନିହିତ ଶକ୍ତି ଓ ଆତ୍ମବିଶ୍ଵାସ ସେତେବେଳେ ଜାଗ୍ରତ ହୁଏ । ଜୀବନପାଇଁ ଏକ ଅସୀମ ଶ୍ରଦ୍ଧା, ଦେଶାଭିମାନ ଓ ଆତ୍ମସମ୍ମାନ ଗଢ଼ି ଉଠେ । ଏକ ନୂତନ ସମାଜର ନିର୍ମାଣ ପାଇଁ ଏ ସବୁ ନିୟୋଜିତ ହେବା ଆବଶ୍ୟକ । ଏକ ନୂତନ ଭାରତ ନିର୍ମାଣର କାର୍ଯ୍ୟ ରାଜନୈତିକ ସ୍ଵାଧୀନତା ଲାଭଠାରୁ କଠିନ । ସ୍ୱାଧୀନତାର ଅର୍ଥ ଉପଭୋଗ ନୁହେଁ; ଏହା ହେଉଛି ସଂଯମ ଓ ଦାୟିତ୍ୱ ।

 

ଗାନ୍ଧିଜୀ ରାମରାଜ୍ୟ ନିର୍ମାଣ କରିବାର ସ୍ଵପ୍ନ ଦେଖୁଥିଲେ । ଏହା ଏପରି ଏକ ସମାଜ ହେବ ଯେଉଁଠି କେହି ଧନୀ ବା ଦରିଦ୍ର ନ ଥିବେ, ପ୍ରଭୁ ବା ଭୃତ୍ୟ ନ ଥିବେ । ବେକାର ବା ଅତିରିକ୍ତ କାର୍ଯ୍ୟଭାରରେ ଦୁଃଖ ପାଉଥିବା ଲୋକ ନ ଥିବ । ଏପରି ଏକ ସମାଜରେ ସବୁ ଲୋକ ଆତ୍ମୋନ୍ନତିର ସମାନ ସୁବିଧା ଓ ସୁଯୋଗ ପାଇବେ ଏବଂ ଏପରି ଧାରଣା ସୃଷ୍ଟି ହେବ ଯେ ସମାଜରେ ଜଣକର କ୍ଷତି ହେଉଛି ସମୂହର କ୍ଷତି । ଏହିପରି ଏକ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବାକୁ ହେଲେ ଜାତିଭେଦ, ଅସ୍ପୃଶ୍ୟତା, ଆର୍ଥନୀତିକ ବୈଷମ୍ୟ ଏବଂ ଲୋକମାନଙ୍କର ଦାସତ୍ୱକୁ ଦୂର କରିବାକୁ ହେବ ।

 

ଜାତିଭେଦ ଓ ଅସ୍ପୃଶ୍ୟତା ରୂପକ କଳଙ୍କ ଦୂର କରିବା କଥା ଆମେ ଯେତେବେଳେ କହୁ, ସେତେବେଳେ ଆମେ ନିଜକୁ ପରିବର୍ତ୍ତନ କରିବା ଅର୍ଥରେ ଏହା କହିବା ଉଚିତ । ଆମର ଚିନ୍ତାଧାରା ଓ ଆଚାର ବ୍ୟବହାରରେ ପରିବର୍ତ୍ତନ ଘଟିବା ବାଞ୍ଛନୀୟ । ଯେତେଦିନ ପର୍ଯ୍ୟନ୍ତ ପୁରୁଣା ମନୋବୃତ୍ତି ରହିଥିବ ଓ ଆମର କାର୍ଯ୍ୟକୁ ପରିଚାଳିତ କରୁଥିବ, ସେତେଦିନ ପର୍ଯ୍ୟନ୍ତ ସମାଜକୁ ଯେଉଁସବୁ ବ୍ୟାଧି ଗ୍ରାସ କରି ରହିଛି, ତାହା ଦୂର ହୋଇ ପାରିବ ନାହିଁ । ସେ ସବୁ ହେଉଛି ଆମର ନିଜ ଚିନ୍ତାଧାରର ଏକ ବହିଃପ୍ରକାଶ ମାତ୍ର । କୌଣସି ବାହ୍ୟଶକ୍ତି, ଦ୍ୱାରା ଏହା ସମ୍ଭବ ହୋଇନାହିଁ । ଆମ ନିଜର ଆଚରଣରେ ଯେତିକି ପରିବର୍ତ୍ତନ ହେବ, ସମାଜ ବ୍ୟବସ୍ଥାର ସେତିକି ପରିବର୍ତ୍ତନ ଘଟିବ ।

 

ଯେଉଁ ଲୋକେ ଖାଦ୍ୟ ମାଗୁଛନ୍ତି, ତାଙ୍କୁ ବକ୍ତୃତା ଦେବାରେ ମୂଲ୍ୟ ନାହିଁ । ଆମ ଦେଶର କୋଟି କୋଟି ଲୋକ ପୂରା ଗୋଟାଏ ଓଳି ଖାଇବାକୁ ପାଆନ୍ତି ନାହିଁ ଏବଂ ଏହି ଜନବହୁଳ ଅନୁନ୍ନତ ଦେଶରେ ଜନସାଧାରଣଙ୍କର ଜୀବନଧାରଣର ମାନ ଉନ୍ନତ କରିବା ପାଇଁ ଆମେମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବା ଆବଶ୍ୟକ । ସେ ଦିଗରେ ଅବଶ୍ୟ ବହୁ ଉଦ୍ୟମ ହୋଇଛି । ତୈଳବିଶୋଧନ କାରଖାନା, ଇସ୍ପାତ କାରଖାନା ଓ ଜଳବିଦ୍ୟୁତ୍ ଯୋଜନା ଚାରିଆଡ଼େ ହୋଇଛି । ଜାତୀୟ ସମ୍ପଦର ଅଭିବୃଦ୍ଧି ଘଟିଥିଲେ ମଧ୍ୟ ସାଧାରଣ ଲୋକେ ଏହା ଅନୁଭବ କରିପାରୁ ନାହାନ୍ତି । କାରଣ ଜିନିଷପତ୍ରର ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ଅସୁବିଧା ହେଉଛି ଏହାର କାରଣ । ଧନର ବଣ୍ଟନରେ କିଛି ଗୋଟାଏ ଗୁରୁତର ରହିଯାଉଛି ।

 

ଗାନ୍ଧିଜୀ ଆମ ଆଗରେ ପ୍ରାଚୀନ ସନ୍ନ୍ୟାସଧର୍ମ ରଖିଥିଲେ । ନ୍ୟାୟ ଓ ଧର୍ମମାର୍ଗ ହିଁ ଜାତିକୁ ଉନ୍ନତି ପଥରେ ପରିଚାଳିତ କରେ । ରାଜନୀତି ତାଙ୍କ ପକ୍ଷରେ ଥିଲା ସେବା ଓ ତ୍ୟାଗର ମାର୍ଗ; କ୍ଷମତାର ଅନ୍ଵେଷଣ ଓ ଅଧିକାରର ଅପପ୍ରୟୋଗ ନୁହେଁ । ଯେଉଁମାନେ ତାଙ୍କର ଅନୁସରଣ କରୁଥିଲେ, ସେମାନଙ୍କୁ ସେ ତ୍ୟାଗର ନୀତି ମାନି ଚଳିବା ପାଇଁ ପରାମର୍ଶ ଦେଉଥିଲେ; କିନ୍ତୁ ଦୁଃଖର ବିଷୟ, ସ୍ଵାଧୀନତା ଲାଭ ପରେ ପରେ କ୍ଷମତାର ଲୋଭ, ବ୍ୟକ୍ତିଗତ ସ୍ଵାର୍ଥଲିପ୍‌ସା, ଜାତିଆଣ ଓ ସାମ୍ପ୍ରଦାୟିକ ମନୋଭାବ, ପ୍ରାଦେଶିକତାର ବିବାଦ, ସଂକୀର୍ଣ୍ଣ ଦଳୀୟ ରାଜନୀତି ଓ ରାଜନୈତିକ ସୁବିଧାବାଦ ଦେଶରେ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀଗତ ରାଜନୀତି ଶାସନକଳକୁ ଦୁର୍ବଳ କରିଦେଲାଣି । ପ୍ରାଦେଶିକତା ଏପରି ହେଲାଣି ଯେ ସର୍ବଭାରତୀୟ ଦଳ ମଧ୍ୟରେ ରହି ସୁଦ୍ଧା ଲୋକେ ଏହାର ସମର୍ଥନ କରୁଛନ୍ତି । ଏହା ପ୍ରାଚୀନ ଉପଜାତୀୟ ବିବାଦକୁ ବଳି ଗଲଣି । ଆମ ମଧ୍ୟରୁ ପ୍ରତ୍ୟେକଙ୍କ ଅନ୍ତଃଦୃଷ୍ଟି ରହିବ । ଆବଶ୍ୟକ, ଯେପରିକି ଆମେ ଲୋଭ, ଅହଙ୍କାର, ଗୋଷ୍ଠୀଗତ ସଂକୀର୍ଣ୍ଣତା ଓ ସ୍ୱାର୍ଥର ଊର୍ଦ୍ଧ୍ୱରେ ସମୂହର ସେବା କରିବା । ନିଜର ଆତ୍ମଶୁଦ୍ଧି ଦ୍ୱାରା ହିଁ ଏସବୁ ସମ୍ଭବ । ଜନସାଧାରଣଙ୍କ ହୃଦୟ ଅତି ନିର୍ମଳ ଓ ନିଷ୍କଳୁଷ । ସେମାନଙ୍କର ଦେଶାତ୍ମବୋଧ ଅଛି । ସେମାନଙ୍କୁ ଉପଯୁକ୍ତ ନେତୃତ୍ୱ ଦେବାକୁ ହେବ । ଅଳ୍ପ କେତେଜଣ ବୁଦ୍ଧିମାନ ଓ ନିଷ୍ଠାପର କର୍ମୀ ରହିଲେ ହେଲା । ସେମାନେ ସମଗ୍ର ଜାତିକୁ ବୃଦ୍ଧିମତ୍ତାର ସହ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇପାରିବେ ଓ ଲୋକଙ୍କ ନାମରେ ଚଳୁଥିବା ସ୍ଵାର୍ଥାନ୍ଧ ଶାସନ ପରିବର୍ତ୍ତେ ପ୍ରକୃତ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇପାରିବ ।

 

ସାଧାରଣ ଜୀବନରେ ପ୍ରତ୍ୟେକ ସ୍ତରରେ ଏକ ପବିତ୍ରତା ସାଧୁତାର ବାତାବରଣ ସୃଷ୍ଟି ହେବା ଆବଶ୍ୟକ; ଯେପରି ସମସ୍ତେ ଅନୁଭବ କରିପାରିବେ; ସେମାନେ ହେଉଛନ୍ତି ଦେଶର ଟ୍ରଷ୍ଟି ବା ମାର୍ଫତଦାର । ଏହା ହିଁ ହେଉଛି ମହାତ୍ମା ଗାନ୍ଧୀଙ୍କର ମହାନ୍ ଶିକ୍ଷା ।

 

ଥରେ ପ୍ରସିଦ୍ଧ ସମ୍ବାଦପତ୍ର ‘ଲଣ୍ଡନ୍ ଟାଇମସ୍’ ଏକ ଅଭିମତ ଦେଇ ଲେଖିଥିଲେ—No Country other than India, no religion other Hinduism could have produced Gandhi." ଏହା ବହୁପରିମାଣରେ ସତ୍ୟ । ସେ କେବଳ ଦେଶର ନୁହନ୍ତି, ସମଗ୍ର ବିଶ୍ୱର । ପରାଧୀନକୁ ମୁକ୍ତକରିବା ପାଇଁ, ପ୍ରେମ ଓ ନୈତିକତାର ମନ୍ତ୍ରଶିକ୍ଷା ଦେବା ପାଇଁ ସେ ଜନ୍ମଗ୍ରହଣ କରିଥିଲେ । ଅନ୍ୟ ଉପରେ ପ୍ରଭାବ ନ ପକାଇ ନିଜେ ନିଜ ଆଦର୍ଶର ଅନୁସାରୀ ହେବା ପାଇଁ ସେ ଥିଲେ ସର୍ବଦା ସଚେଷ୍ଟ ।

 

ପ୍ରାୟ ତିରିଶ ବର୍ଷ ପୂର୍ବେ ମୁଁ ତାଙ୍କୁ ତିନୋଟି ପ୍ରଶ୍ନ ପଚାରିଥିଲି । ସେଗୁଡ଼ିକ ହେଲା—(୧) ଆପଣଙ୍କ ଧର୍ମ କଣ ? (୨) ଆପଣ ତାହା କିପରି ପାଳନ କରୁଅଛନ୍ତି ? (୩) ଜୀବନ ଉପରେ ତାହା କପରି ପ୍ରଭାବ ପକାଏ ? ସେ ସଂକ୍ଷେପରେ ମୋତେ ଉତ୍ତର ଦେଇଥିଲେ—“ମୁଁ ପୂର୍ବରୁ କହିଥିଲି ଯେ ମୁଁ ଭଗବାନଙ୍କୁ ବିଶ୍ଵାସ କରେ; ତା ପରେ ମୁଁ କହୁଛି ଯେ ମୁଁ ସତ୍ୟର ବିଶ୍ଵାସୀ-! ଭଗବାନ ହିଁ ସତ୍ୟ; କିନ୍ତୁ ମୁଁ ଆଜି କହୁଛି ଯେ ସତ୍ୟ ହିଁ ଭଗବାନ ।” ଅତଏବ ସେ କିଛି ନୂଆକଥା ଆମକୁ କହୁ ନ ଥିଲେ । ସତ୍ୟ କୁହ, ଧର୍ମ କର—ଏହି ଦୁଇଟି ମୌଳିକ ତଥ୍ୟ ସେ ଆମ ଆଗରେ ବାଢ଼ୁଥିଲେ । ବାହ୍ୟପ୍ରକୃତି ଓ ଅନ୍ତରାତ୍ମା ମଧ୍ୟରେ ସଂହତି ରହିଲେ ସତ୍ୟର ସନ୍ଧାନ ମିଳପାରେ ବୋଲି ସେ ସବୁବେଳେ କହୁଥିଲେ ।

 

ଗାନ୍ଧିଜୀ ଆମକୁ କହିଥିଲେ, “ସତ୍ୟ କ୍ରିୟାଶୀଳ ହେଲେ ହୋଇଥାଏ ଅହିଂସା । ଏହି ଅହିଂସା ମନରୁ ମନ୍ଦପ୍ରକୃତିକୁ ନିରାକରଣ କରିଥାଏ । ପ୍ରେମ ବଳରେ ହିଂସା, ଦ୍ୱେଷର ବିଲାପ ସାଧନ କରାଯାଇପାରେ । ଯଦି ଏଥିପାଇଁ ତୁମେ ଅକ୍ଷମ, ତାହାହେଲେ ଶକ୍ତିପ୍ରୟୋଗ କର । ମହାଭାରତ ଯାହାକୁ କହେ...“ଶାସ୍ତ୍ରାଦ୍‍ ଅପି ଶସ୍ତ୍ରାଦ ଅପି” । ସାମୂହିକ ଜାଗରଣ—ସର୍ବୋଦୟ ଥିଲା ତାଙ୍କର ଲକ୍ଷ୍ୟ । ତେଣୁ ସେ ଗମ୍ଭୀର ସ୍ଵରରେ କହି ଉଠୁଥିଲେ—“ପରାଧୀନ, ପଦଦଳିତ ଭାରତକୁ ସ୍ୱାଧୀନ କରିବା ମୋର ଲକ୍ଷ୍ୟ । ମାନବିକତା ପାଇଁ ଦେଶ ଧ୍ୱଂସହେଲେ, ମୁଁ ସେଥିରେ ଆଦୌ ବିବ୍ରତ ନୁହେଁ । ସେ ମର୍ମେ ମର୍ମେ ଅନୁଭବ କରିଥିଲେ ଯେ ଯାହା ଆମେ କରୁଛୁ, ତାହା ସାମୟିକ ଅନ୍ୟର ବିବେକକୁ ଆଘାତ କରୁଛି । ଘୃଣା, ଅସ୍ପୃଶ୍ୟତା ଯଦି ହିନ୍ଦୁ ହୃଦୟରେ ସ୍ଥାନ ପାଇବ, ମୁଁ ନିଜକୁ ହିନ୍ଦୁ ବୋଲି ଘୃଣା କରିବାକୁ ତିଳେ ହେଲେ ପଛେଇବି ନାହିଁ । ସେ ପର୍ଯ୍ୟନ୍ତ ମୁଷ୍ଟିମେୟ ଲୋକଙ୍କ ହାତରେ ଗୋଷ୍ଠୀର ଶାସନ ଦାୟିତ୍ୱ ନ୍ୟସ୍ତ ରହିବ, ସେ ପର୍ଯ୍ୟନ୍ତ ଆମର ସ୍ଥିତି ଓ ବର୍ବରତା ଉପରେ ପ୍ରତିଷ୍ଠିତ । ତେଣୁ ସାମାଜିକ ଓ ଆର୍ଥନୀତିକ ଅସଙ୍ଗତି ସହିତ ରାଜନୀତିକୁ ପ୍ରାଦୁର୍ଭାବକୁ ବିଶ୍ୱରୁ ଲୋପ କରିବାକୁ ପଡ଼ିବ । ଦେଶପ୍ରେମକୁ ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ବିଚାର କରିବା ଉଚିତ ନୁହେଁ । ମୁଁ ନିଜ ଦେଶର ସେବା କରୁଛି ବୋଲି, ଅନ୍ୟ ଦେଶକୁ ଘୃଣାକରିବି ନାହିଁ ।” ଏହା ହିଁ ଥିଲା ବାପୁଜୀଙ୍କର ମହନୀୟ ଆଦର୍ଶ । ଏହି ଆଦର୍ଶ ଆମ ଆଶା, ଆକାଙ୍‌କ୍ଷା ଓ ପ୍ରେରଣାର ଉତ୍ସ ହେବା ଉଚିତ ।

 

ଆଜି, ଯେତେବେଳେ ଆମର ଯୁବସମାଜ ସନ୍ଦେହ ଓ ଅନିଶ୍ଚିତତା ଭିତରେ ଗତି କରୁଅଛନ୍ତି; ଗାନ୍ଧିଜୀଙ୍କର କ୍ରାନ୍ତିକାରୀ ଚିନ୍ତାଧାରା ପ୍ରତି ସେମାନଙ୍କର ଦୃଷ୍ଟିକୋଣ ଆକର୍ଷିତ ହେବା ଉଚିତ । ସଭାସମିତି କଥା ରାସ୍ତାଘାଟରେ ହିଂସାର ଅନୁସରଣ କଲେ ବାପୁଜୀଙ୍କ ପରିକଳ୍ପିତ ସାମାଜିକ ବିପ୍ଳବ ବାଧାପ୍ରାପ୍ତ ହେବ । ଗାନ୍ଧିଜୀ ବ୍ୟକ୍ତି, ଜାତି ଓ ବିଶ୍ୱ ପାଇଁ ସଂଗ୍ରାମକରି ଯାଇଛନ୍ତି । ସେ ଥିଲେ ପ୍ରେମର ପୂଜାରୀ—ସତ୍ୟର ସନ୍ଧାନୀ । ସର୍ବଦା ଉପଦେଶ ଛଳରେ ସେ କହୁଥିଲେ–“ନିର୍ଭୟମନା ହୁଅ । ଯେ ଭୟାଳୁ, ସେ ଜୀବନ୍ମୃତ । ଯଦି ତୁମ ହାରରେ ଖଡ୍‌ଗ ଅଛି, ତାହାହେଲେ ଭାଙ୍ଗି ଫୋପାଡ଼ିଦିଅ । ମନୋବଳ ଅତୁଟ ରହିଲେ ଭୟ ସ୍ୱତଃ ତୁମ ପାଖରୁ ଦୂରେଇଯିବ ।”

 

To be ignorant is not the special prerogative of man to know that he is ignorant is his special previlage".

 

—Radhakrishnan

Image

 

ତାଙ୍କ ଦୃଷ୍ଟିରେ ଭାରତୀୟ ସଂସ୍କୃତି

 

ତୁମେ ଏ ଦେଶରେ ଥାଅ ବା ଏ ଦେଶ ବାହାରେ ଥାଅ, ନିଜକୁ ଯେତେବେଳେ ଭାରତୀୟ ବୋଲି କୁହ, ତାହା ଏକ ଭୂଗୋଳର ବିଷୟ ନୁହେଁ, ତାହା ହେଉଛି ଏକ ଇତିହାସର ବିଷୟ । କେଉଁ ଐତିହ୍ୟକୁ ତୁମେ ନିଜର ବୋଲି କୁହ ? କେଉଁ ଆଦର୍ଶକୁ ତୁମେ ନିଜର ବୋଲି ଗ୍ରହଣ କର ? କେଉଁଥିପାଇଁ ତୁମେ ଭାବୁଚ ଯେ ଭାରତର ଆଦର୍ଶ ବିବଦମାନ ପୃଥିବୀକୁ ପ୍ରକୃତ ବାଟ ଦେଖାଇ ପାରିବ ? ଏହିସବୁ ପ୍ରଶ୍ନର ଉତ୍ତର ହେଉଛି ଗୋଟିଏ—ଭାରତର ଜାତିଭେଦ, ତାର ଅସ୍ପ୍ୟୃଶ୍ୟତା, ତାର ବିଭିନ୍ନ ସାମାଜିକ ପ୍ରଥା ତା’ର ଆଦର୍ଶ ନୁହେଁ । ଏହି ଆଦର୍ଶ ଦେଉଛି ଅଭୟ, ଅସଙ୍ଗ, ଅହିଂସା ।

 

ଚରମ ସତ୍ୟ

 

ଅଭୟ ହେଉଛି ଭୟରୁ ମୁକ୍ତି । ଉପନିଷଦ ଏହି ଘୋଷଣା କରି ଆରମ୍ଭ କରିଛି–“ଅସତୋ ମା ସଦ୍‌ଗମୟ ତମସୋ ମା ଜ୍ୟୋତିର୍ଗମୟ ମୃତ୍ୟୋର୍ମା ଅମୃତଂ ଗମୟ ।” ଏ ସଂସାର ହେଉଚି ଅସତ୍ । ଏହା ମର ବା ମର୍ତ୍ତ୍ୟ । ଏହା ଅନ୍ଧକାରପୂର୍ଣ୍ଣ । ଏଥିରୁ କିପରି ମୁକ୍ତିଲାଭ କରିପାରିବି ? ଯଦି ଏହା ମରଣଶୀଳ ଓ ତମସାଚ୍ଛନ୍ନ; ମୃତ୍ୟୁ ହେଉଛି ସବୁ, ତା’ହେଲେ ମନୁଷ୍ୟପାଇଁ କ’ଣ ମୁକ୍ତିନାହିଁ ? ଅଛି । ଉପନିଷଦର ଋଷିମାନେ କହିଛନ୍ତି, ଏପରି ଏକ ସତ୍ୟ ଅଛି, ଯାହା ଏହି ବିଶ୍ୱ ସଂସାରର ଊଦ୍ଧ୍ୱରେ । ଏହି ସତ୍ୟର ଅବଧାରଣ ହିଁ ତୁମକୁ ଭୟରୁ ମୁକ୍ତି ଦେଇପାରିବ ।

ବୁଦ୍ଧ ଠିକ୍ ଏହି କଥା କହିଥିଲେ । ସେ ଏକ ମୃତବ୍ୟକ୍ତିକୁ ଦେଖିଲେ, ଏକ ରୁଗ୍‌ଣ ବ୍ୟକ୍ତି ଓ ବୃଦ୍ଧ ବ୍ୟକ୍ତିକୁ ଦେଖିଲେ । ତା’ପରେ ଆହୁରି ଜଣେ ଲୋକ ଆସିଲା, ସେ ଜଣେ ସନ୍ନ୍ୟାସୀ । ବୁଦ୍ଧ ପଚାରିଲେ, ତୁମେ କିଏ ? ତାଙ୍କର ଉତ୍ତର ହେଲା, ‘ହେ ନରପୁଙ୍ଗବ, ଜନ୍ମମୃତ୍ୟୁଭୀତୋ ପ୍ରବ୍ରଜିତୋସ୍ମି ମୋକ୍ଷ ହେତୋ ।’ ଅର୍ଥାତ୍ ଜନ୍ମମରଣର ଭୟରେ ମୁଁ ମୁକ୍ତିଲାଭ ପାଇଁ ପ୍ରବ୍ରଜ୍ୟା ଗ୍ରହଣ କରିଛି । ବୁଦ୍ଧ କହିଲେ, ‘‘ମୁଁ ମଧ୍ୟ ସେଇଆ କରିବି । ମୁଁ ଏପରି ଏକ ପନ୍ଥା ଅନ୍ୱେଷଣ କରିବି, ଯଦ୍ଦ୍ୱାରା ମୁଁ ଏହି ସୀମିତ ସଂସାରକୁ ଅତିକ୍ରମ କରି ଚିରନ୍ତନ ସତ୍ୟ ଲାଭ କରିପାରିବି । ଅଭୟ ସେତିକିବେଳେ ସମ୍ଭବ, ସେତେବେଳେ ବିଶ୍ଵସଂସାରର ଏହି ରହସ୍ୟ ଆମେ ଉଦ୍‌ଘାଟନ କରିପାରିବା । ତାହା ଲାଭ କରିବା ପରେ ଦୁନିଆରୁ ପଳାଇଯିବାର ପ୍ରଶ୍ନ ଉଠୁନାହିଁ । ନିର୍ଜନରେ ସତ୍ୟଲାଭର ଅର୍ଥ ନୁହେଁ ସାଧାରଣ କ୍ଷେତ୍ରରେ ତୁମେ କାର୍ଯ୍ୟ କରିବ ନାହିଁ । ତୁମକୁ ଅନାସକ୍ତ ଭାବରେ ତାହା କରିବାକୁ ହେବ । ଏହାର ନାମ ହେଉଛି ଅସଙ୍ଗ । ଏହିପର କୁହାଯାଇଚି, ଯୋଗସ୍ଥ କୁରୁ କର୍ମାଣି ସଙ୍ଗ ତ୍ୟକ୍ତ୍ୱା ଧନଞ୍ଜୟ ।’’ ଯୋଗସ୍ଥ ହୋଇ ବା ସମଭାବାପନ୍ନ ହୋଇ ତୁମକୁ କର୍ମକରି ଯିବାକୁ ହେବ । ପୁଣି ଏହି ଦୁନିଆ ପ୍ରତି ଆମର ଦୃଷ୍ଟିକୋଣ କ’ଣ ହେବ ? ଅହିଂସା । ଅହିଂସାର ଅର୍ଥନୁହେଁ ଯେ ଅସ୍ତ୍ରଚିକିତ୍ସକ ତାର ଅସ୍ତ୍ରଚିକତ୍ସା କରିବ ନାହିଁ । ଅହିଂସାର ଅର୍ଥ ହେଉଛି ବୈରତ୍ୟାଗ ବା ଘୃଣାକୁ ପରିତ୍ୟାଗ କରିବା । ଅଭୟ, ଅସଙ୍ଗ ଓ ଅହିଂସା, ଏହା ହେଉଚି ପ୍ରକୃତ ଭାରତୀୟତା । ଭାରତୀୟ ସଂସ୍କୃତି ନାମରେ ଅନ୍ୟ ବହୁ କଥା କୁହାଯାଏ । ଏହି ଆଦର୍ଶ ଏହି ଦେଶକୁ ଦେଇଛି ଚରମ ସହିଷ୍ଣୁତାର ଦୃଷ୍ଟିକୋଣ । ଉପନିଷଦର ଋଷିକୁ ପଚରାଗଲା, କେଉଁ ମାର୍ଗରେ ଗଲେ ମୁକ୍ତ ମିଳିପାରିବ ? ସେ ଉତ୍ତର ଦେଲେ, “ଏଥିପାଇଁ କୌଣସି ଧରାବନ୍ଧା ବାଟ ନାହିଁ । ଯେପରି ପକ୍ଷୀମାନେ ଆକାଶରେ ଉଡ଼ିଯାନ୍ତି ଓ ମାଛମାନେ ସମୁଦ୍ରରେ ପହଁରିଯାନ୍ତି ଓ ତାଙ୍କ ଯିବା ବାଟରେ କୌଣସି ଚିହ୍ନ ବର୍ଣ୍ଣ ନ ଥାଏ, ସେହିପରି ଆଧ୍ୟାତ୍ମିକ ସାଧକ ପାଇଁ ଈଶ୍ୱର ଲାଭର କୌଣସି ନିର୍ଦ୍ଦିଷ୍ଟ ପଥ ନ ଥାଏ । ଯେତିକି ସାଧକ ଅଛନ୍ତି, ଈଶ୍ଵରଲାଭର ସେତିକି ବାଟ ଅଛି ।”

ଭାରତର ଭୂଗୋଳ କହିଲେ ହିମାଳୟରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ବୁଝାଏ । ଭାରତର ଇତିହାସ କହିଲେ ବୁଝାଏ ଏହି ଆଦର୍ଶର ବିବର୍ତ୍ତନ, ଯେଉଁଥିପାଇଁ ଏ ଦେଶ ଯୁଗ ଯୁଗଧରି ଠିଆ ହୋଇଛି । ନିଜକୁ ଯେ ଭାରତୀୟ ବୋଲି କହେ, ସେ ନିଜର ସଂସ୍କୃତି କ’ଣ ତାହା ଜାଣିବା ଉଚିତ । କୌଣସି ଗୋଟିଏ ଜାତି, କୌଣସି ଗୋଟିଏ ଧର୍ମ, ଗୋଟିଏ ସମ୍ପ୍ରଦାୟ ଦ୍ୱାରା ଏହା ଗଢ଼ା ହୋଇନାହିଁ । ଏହି ମାଟିରେ ବହୁ ଜାତି, ବହୁ ଧର୍ମର ସମ୍ମିଶ୍ରଣରେ ଏହା ଗଢ଼ାହୋଇଛି ।

ଅଳ୍ପଦିନ ତଳେ ମୁଁ ଇଣ୍ଡୋନେସିଆ ଯାଇଥିଲି । ସେଠାରେ ଜଣେ ସଂସ୍କୃତ ଅଧ୍ୟାପକ ତାଙ୍କର ଡକ୍ଟରେଟ୍ ପାଇଁ ପ୍ରସ୍ତୁତ ହେଉଥିଲେ । ବିଷୟ ଥିଲା—‘‘ଦୀପପୁଞ୍ଜରେ ଅଗସ୍ତ୍ୟ ।” ମୁଁ ପଚାରିଲି ଏ କ’ଣ ? ତୁମେ ସରସ୍ଵତୀ ଓ ଗଣେଶଙ୍କୁ ସ୍ତୁତି କରି ଆରମ୍ଭ କରିଛି ଯେ !” ସେ କହିଲେ, “ହଁ, ଏହା ହେଉଚି ଆମର ସଂସ୍କୃତି । ଆମର ଧର୍ମ ଭିନ୍ନ ହୋଇପାରେ; କିନ୍ତୁ ଆମର ସଂସ୍କୃତି ହେଉଚି ଭାରତୀୟ ସଂସ୍କୃତି ଏବଂ ଆମେ ଏ ପର୍ଯ୍ୟନ୍ତ ତା’ର ପୂଜା କରୁଛୁ ।” ସେଠାରେ ଜନପ୍ରିୟ ନାଟକ ‘ଅର୍ଜୁନ ବିବାହ’ ।

ମୁଁ କେତେକ ବର୍ଷ ତଳେ କାମ୍ବୋଡ଼ିଆ ଯାଇଥିଲି । ସେଠାରେ ସିଂହନାୟକଙ୍କର ପିତା ସେ ଦେଶର ରାଜା ଏକ ଭୋଜିସଭାରେ ଭାଷଣଦେଇ କହିଲେ, “ବହୁକାଳ ପୂର୍ବେ ଦକ୍ଷିଣଭାରତରୁ କୌଣ୍ଡିନ୍ୟ ନାମକ ଜଣେ ବ୍ୟକ୍ତି ଆସି କାମ୍ବୋଡ଼ିଆର ରାଜକୁମାରୀଙ୍କୁ ପରାସ୍ତ କରି ତାଙ୍କୁ ବିବାହ କରିଥିଲେ । ସେ ଏ ଦେଶରେ ରହି ତାଙ୍କର ରାଜବଂଶର ପ୍ରତିଷ୍ଠା କଲେ । କ୍ଷ୍ମେର ସଭ୍ୟତା କ୍ଷ୍ମେରୁ ଶବ୍ଦରୁ ଆସିଛି । କୌଣ୍ଡିନ୍ୟ ‘ତା’ର ନାଗରିକ ଭାବରେ ଏଠାରେ ବାସ କରୁଥିଲେ ।”

ଇଜିପ୍‌ଟରେ ଖ୍ରୀଷ୍ଟପୂର୍ବ ୫୦୦ ବର୍ଷପୂର୍ବେ ଏକ କୃଷ୍ଣ ମନ୍ଦିର ଥିଲା । ଅଶୋକ ଧର୍ମପ୍ରଚାରକମାନଙ୍କୁ ବିଭିନ୍ନ ଦେଶକୁ ପଠାଇଥିଲେ । କେତେକ ପୂର୍ବକୁ ଗଲେ, କେତେକ ପଶ୍ଚିମକୁ ଗଲେ । ତୁମେ ଯେଉଁଠିକି ଯାଅ, ସେଠାରେ ଏକ ସାଂସ୍କୃତିକ ବାତାବରଣ ଦେଖିବ, ଯାହାକି ତୁମେ ନିଜ ଦେଶରେ ଥିବା ଭଳି ଅନୁଭବ କରିବ । ମୁଁ ପୃଥିବୀର ବିଭନ୍ନ ରାଜ୍ୟକୁ ଯାଇଛି–ଆଫ୍ରିକା, ଦକ୍ଷିଣ ଓ ଉତ୍ତରଅମେରିକା, ଏସିଆ । ଏପରି କୌଣସି ସ୍ଥାନ ନାହିଁ, ଯେଉଁଠି ମୁଁ ନିଜକୁ ଅସ୍ଵସ୍ତିକର ଅନୁଭବ କରିଛି । କାରଣ ତୁମର ଦୃଷ୍ଟିକୋଣ ଉଦାର ଥିଲେ, ତୁମେ ଅନୁଭବ କରିପାରିବ ଯେ ସର୍ବତ୍ର ଲୋକଙ୍କର ମନୋଭାବ, ତାଙ୍କର କ୍ଷୁଧା, (...), ଆମୋଦ ପ୍ରମୋଦ, ପ୍ରବୃତ୍ତି ଏକ ଶ୍ରେଣୀର । କାରଣ ମାନବ ଜାତି ଏକ ।

ଗାନ୍ଧିଜୀ ଆମକୁ କ’ଣ କହିଛନ୍ତି ମନେ ରଖ । ‘‘ଏକ ପତିତ ପଦାନତ ଭାରତବର୍ଷ ନିଜକୁ ବା ଦୁନିଆକୁ କୌଣସି ସାହାଯ୍ୟ କରିପାରିବ ନାହିଁ । ଏକ ସ୍ୱାଧୀନ, ଜାଗ୍ରତ ଭାରତବର୍ଷ ନିଜକୁ ଓ ପୃଥବୀକୁ ସାହାଯ୍ୟ କରିପାରିବ । ମୋ ଦେଶର ମୁକ୍ତ ମୁଁ ଚାହେଁ, ତା’ହେଲେ ଦିନ ଆସିବ, ଯେତେବେଳେ ଦରକାର ହେଲେ ବିଶ୍ୱପାଇଁ ସେ ଆତ୍ମବଳୀ ଦାନ କରିପାରିବ ।” ଏହା ହିଁ ହେଉଚି ଭାରତର ଆଦର୍ଶ । ଏ ଦେଶ ଭୌତିକ ସମ୍ପଦରୁ ଆଧ୍ୟାତ୍ମିକ ଭାବଭାଜିକୁ ଉଚ୍ଚସ୍ଥାନ ଦେଇଛି-। ସେଥିପାଇଁ ଏ ଦେଶରେ ରାଜନୀତିଜ୍ଞ ନେତାମାନେ ହେଉଛନ୍ତି ଧାର୍ମିକ ବ୍ୟକ୍ତି—ଗାନ୍ଧିଜୀ, ତିଳକ, ଅରବିନ୍ଦ, ସ୍ଵାମୀ ବିବେକାନନ୍ଦ, ସେମାନେ ତାଙ୍କର ରାଜନୈତିକ ବିଜ୍ଞତା ପାଇଁ ନୁହେଁ; ଆଧ୍ୟାତ୍ମିକ ସଂଯମ, ସ୍ଵାର୍ଥତ୍ୟାଗ, ସନ୍ନ୍ୟାସ ପାଇଁ ଏ ଦେଶ ଉପରେ ପ୍ରଭାବ ବିସ୍ତାର କରିପାରିଛନ୍ତି ।

ସାଧୁ ଲୋକମାନେ ଏହି ପୃଥିବୀକୁ ତାଙ୍କର ଉପସ୍ୟା ଦ୍ୱାରା ଧାରଣ କରିଥାନ୍ତି ।

Image